Advertisment

ବିଜେଡି କହିଲା- ଜୟନାରାୟଣଙ୍କୁ ବହିଷ୍କାର କର; ଜବାବ ଦେଲା ବିଜେପି

ବିରୋଧୀ ଦଳ ନେତା ପଦରୁ ଜୟନାରାୟଣଙ୍କୁ ବହିଷ୍କାର ପାଇଁ ଦାବି କରିବା ସହ ଜଣେ ମହିଳାଙ୍କୁ ଅପମାନିତ କରିଥିବାରୁ ତୁରନ୍ତ ଓଡ଼ିଶା ବିଜେପି ଓ ଜୟନାରାୟଣ ରାଜ୍ୟର ସାଢ଼େ ୪କୋଟି ଲୋକ ବିଶେଷକରି ମହିଳାଙ୍କୁ କ୍ଷମା ମାଗନ୍ତୁ ବୋଲି ବିଜେଡି ଦାବି କରିଛି।

author-image
Jitendra Garnayak
Shreemayee Mishra

Shreemayee Mishra

ବିରୋଧୀ ଦଳ ନେତା ପଦରୁ ଜୟନାରାୟଣ ମିଶ୍ରଙ୍କୁ ତୁରନ୍ତ ବିଜେପି ବହିଷ୍କାର କରୁ ବୋଲି ଆଜି ବିଜେଡି ଦାବି କରିଥିବାବେଳେ ବିଧାନସଭା ଅଧିବେଶନରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କୁ ସାମ୍ନା କରିବାର ସାହାସ ବିଜେଡିର ନାହିଁ ବୋଲି ବିଜେପି ପାଲଟା ଜବାବ ଦେଇଛି ।

Advertisment

ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ସମୟରେ ସ୍ଥାନୀୟ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ଜଣେ ମହିଳା ପୁଲିସ ଇନ୍ସପେକ୍ଟର ଧକ୍କା ମରାମରି ହେବା ଘଟଣାରେ ବିଜେଡି ପକ୍ଷରୁ ଆସନ୍ତାକାଲି ପ୍ରତିବାଦ ସଭାର ଆୟୋଜନ କରାଯାଇଛି । ବିଜେଡି ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଶ୍ରୀମୟୀ ମିଶ୍ର ଆଜି ଏକ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଜୟନାରାୟଣଙ୍କୁ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ଅଭିହିତ କରିଛନ୍ତି । ସେ କହିଛନ୍ତି ଯେ, ଜୟନାରାୟଣଙ୍କ ବିରୋଧରେ ୧୪ଟି ମାମଲା ରହିଛି । ସେ ଜେଲ୍ ମଧ୍ୟ ଯାଇଛନ୍ତି ଓ ଏବେ ଜାମିନରେ ଆସିଛନ୍ତି । ଓଡ଼ିଶା ବିଜେପି ମହିଳାମାନଙ୍କ ସମ୍ମାନ ଓ ମର୍ଯ୍ୟାଦାର କଥା କହୁଛି । କିନ୍ତୁ ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ ଅଧିକାରୀଙ୍କୁ ଶାରୀରିକ ନିର୍ଯାତନା ଦେଇ ବିରୋଧୀ ଦଳ ନେତା କ’ଣ ଏଭଳି ସମ୍ମାନ ପ୍ରଦର୍ଶନ କରୁଛନ୍ତି କି? ମହିଳାଙ୍କୁ ଅପମାନିତ କରିବା ଓଡ଼ିଶାର ସଂସ୍କୃତି ଓ ପରମ୍ପରା ନୁହେଁ । ଅତୀତରେ ଜୟନାରାୟଣଙ୍କ ଏଭଳି କାର୍ଯ୍ୟ ପାଇଁ ବିଜେପି ଲଜ୍ଜିତ ହୋଇଛି । ତେଣୁ ବିରୋଧୀ ଦଳ ନେତା ପଦରୁ ଜୟନାରାୟଣଙ୍କୁ ବହିଷ୍କାର ପାଇଁ ଦାବି କରିବା ସହ ଜଣେ ମହିଳାଙ୍କୁ ଅପମାନିତ କରିଥିବାରୁ ତୁରନ୍ତ ଓଡ଼ିଶା ବିଜେପି ଓ ଜୟନାରାୟଣ ରାଜ୍ୟର ସାଢ଼େ ୪କୋଟି ଲୋକ ବିଶେଷକରି ମହିଳାଙ୍କୁ କ୍ଷମା ମାଗନ୍ତୁ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,  ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ଧ୍ୱଂସ ପାଇଛି । ଓଡ଼ିଶା ପୁଲିସର ଦମନ, ଅତ୍ୟାଚାର ଏବଂ ଦୌରାତ୍ମ୍ୟ ସମସ୍ତ ସୀମା ଉଲ୍ଲଂଘନ କରିସାରିଛି । ସମସ୍ତ ନୀତିନିୟମ ଓ ଆଇନକାନନୁ କୁ ଜଳାଞ୍ଜଳି ଦେଇ ରାଜନୈତିକ ହିଂସାକରଣକୁ ବିଜେଡି ସରକାର ପ୍ରୋତ୍ସାହିତ କରୁଛି । ନବ ଦାସଙ୍କ ହତ୍ୟାକାଣ୍ଡର ସଠିକ୍ ତଦନ୍ତ ଦାବି ଏବଂ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବାରେ ବିଫଳ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଜେପି ତରଫରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଉଛି । ଆଜି ସମ୍ବଲପୁରରେ ହୋଇଥିବା ଆନ୍ଦୋଳନ ସମୟରେ ବିରୋଧୀ ଦଳ ନେତାଙ୍କୁ ଯେଭଳି ଭାବେ ପୁଲିସ ଧକ୍କା ମାରିଲା, ସେଥିରୁ ନବ ଦାସ ହତ୍ୟାକାଣ୍ଡର ସତ୍ୟାସତ୍ୟ ଓ ଷଡ଼ଯନ୍ତ୍ରକାରୀଙ୍କ ମୁଖା ଖୋଲୁ ବୋଲି ରାଜ୍ୟ ସରକାର ଚାହୁଁ ନଥିବା ସ୍ପଷ୍ଟ ହୋଇଛି । ମନ୍ତ୍ରୀ ନବ ଦାସଙ୍କୁ ପୁଲିସ ଲଗାଇ ଗୁଳି ମାରି ହତ୍ୟା କରାଗଲା । ଏବେ ବିରୋଧୀ ଦଳ ନେତାଙ୍କୁ ପୁଲିସ ଲଗାଇ ଧକ୍କା ମରାଗଲା । ଏହା କ’ଣ ମୁଖ୍ୟମନ୍ତ୍ରୀଙ୍କ ‘ମୋ ପୋଲିସ’ର ଅସଲ ଚେହେରା କି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ବିଧାନସଭା ଅଧିବେସନରେ ବିରୋଧୀ ଦଳ ନେତା ଭାବେ ଶ୍ରୀ ମିଶ୍ରଙ୍କୁ ସାମ୍ନା କରିବାର ସାହାସ ବିଜେଡି ସରକାରର ନଥିବାରୁ ତାଙ୍କ ବିରୋଧରେ ଏଭଳି ହୀନ ଚକ୍ରାନ୍ତ କରାଯାଇଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ।

Advertisment
BjD Bjp Jayanarayan Mishra