Advertisment

ମେଣ୍ଟ ଚର୍ଚ୍ଚା: BJP ପରେ ସମାନ ଷ୍ଟାଇଲରେ BJD ବି କଲା ମନା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଓ ଫାଇଭ-ଟି ପ୍ରକରଣରେ ସାରା ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟ ଯୋଗୁ ବିଜେଡି ରାଜନୀତିକ ଦୃଷ୍ଟିକୋଣରୁ ବେଶ୍ ସୁଦୃଢ଼ ସ୍ଥାନରେ ରହିଛି ।

author-image
Ordigital Desk
ଅଦ୍ୟତନ ହୋଇଛି
Sankha

Sankha

ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟ ଚର୍ଚ୍ଚା ଉପରେ ଉଭୟ ଦଳ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ବିଗତ କିଛିଦିନ ଧରି ଦୁଇ ଦଳ ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଥିଲା ଓ ଉଭୟ ଦଳ ବେଶ୍ ବୁଲେଇବଙ୍କେଇ ବୟାନ ଜାରି କରୁଥିଲେ। ମାତ୍ର ଗତକାଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଆଜି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମର ମେଂଟ ଚର୍ଚ୍ଚାକୁ ଖଣ୍ଡନ କରିବା ପରେ ଆଜି ସମାନ ଷ୍ଟାଇଲରେ ବିଜେଡି ବି ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି।

Advertisment

ବିଜେପି ଆଗାମୀ ସାଧାରଣ ନିର୍ବାଚନରେ ୧୬ ଲୋକସଭା ଓ ୮୦ ବିଧାନସଭା ଆସନରେ ଜିତିବ ବୋଲି ଦମ୍ଭୋକ୍ତି ବାଢ଼ିଥିବାବେଳେ ବିଜେଡି ମଧ୍ୟ ୧୭ଲୋକସଭା ଓ ୧୨୦ ବିଧାନସଭା ଆସନରୁ ଅଧିକ ଜିତିବ ବୋଲି ଦୃଢ଼ୋକ୍ତି ବ୍ୟକ୍ତ କରିଛି। ତେବେ ଦୁଇ ଦଳର ସ୍ପଷ୍ଟୀକରଣ ସତ୍ତ୍ୱେ ସୋସିଆଲ ମିଡିଆ ଉଭୟ ଦଳ ମଧ୍ୟରେ  ମେଂଟ ଚର୍ଚ୍ଚା ଏବେବି ଲାଗି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ୫ତାରିଖରେ ଚଣ୍ଡିଖୋଲ ସାଧାରଣ ସଭା ପରେ ହିଁ ଓଡ଼ିଶାରେ ଦୁଇ ଦଳର ପରସ୍ପର ପ୍ରତି ଆଭିମୁଖ୍ୟର ସ୍ପଷ୍ଟ ଚିତ୍ର ମିଳିବ ବୋଲି ଚର୍ଚ୍ଚା ହେଉଛି ।

ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ ଯେ, ରାଜ୍ୟରେ ମେଂଟ ହେବାର ସମ୍ଭାବନା ନାହିଁ । ଓଡ଼ିଶାରେ ମେଂଟ ହେବନି ବୋଲି ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ କଥା ହୋଇଛନ୍ତି। ରାଜ୍ୟରେ ମେଂଟ ଚର୍ଚ୍ଚାକୁ ବିଜେଡି ହିଁ ଆଗକୁ ନେଉଛି ବୋଲି ଶ୍ରୀ ତୋମର କହିଛନ୍ତି। ଗତକାଲି ବିଳମ୍ବିତ ରାତ୍ରିରେ ଦିଲ୍ଲୀରୁ ଫେରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ମେଂଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।

Advertisment

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମେଂଟ ଚର୍ଚ୍ଚାକୁ ଖଣ୍ଡନ କରି କହିଛନ୍ତି ଯେ, ରାଜ୍ୟରେ ବିଜେପି ମେଂଟକୁ ନେଇ ଗୁଜବ କରୁଛି । ସୋସିଆଲ ମିଡିଆରେ ବିଜେପିର କିଛି ନେତା ଏସବୁର ପ୍ରଚାର କରୁଛନ୍ତି । ବିଜେପି କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଏଭଳି ଗୁଜବ କରୁଛି ତାହା ବୁଝାପଡ଼ୁନି । ରାଜ୍ୟର ସବୁ ଆସନରେ ପ୍ରାର୍ଥୀ ଦେବାକୁ ବିଜେପି ଯୋଗ୍ୟ ପ୍ରାର୍ଥୀ ନାହାନ୍ତି । ତେଣୁ ବିଜେଡିରୁ ବିଦା ହେଉଥିବା ଜନବିରୋଧୀ ଓ ପ୍ରତ୍ୟାଖ୍ୟାତ ନେତାମାନଙ୍କୁ ବିଜେପି ପାଛୋଟି ନେଉଛି । ଯେଉଁମାନଙ୍କ ଭବିଷ୍ୟତ ବିଜେଡିରେ ନାହିଁ ସେମାନଙ୍କୁ ହିଁ ବିଜେପି ଏବେ କୋଳେଇ ନେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ରାଜ୍ୟର ସାଢ଼େ ୪କୋଟି ଲୋକ ମନସ୍ଥିର କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଓ ଫାଇଭ-ଟି ପ୍ରକରଣରେ ସାରା ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟ ଯୋଗୁ ବିଜେଡି ରାଜନୀତିକ ଦୃଷ୍ଟିକୋଣରୁ ବେଶ୍ ସୁଦୃଢ଼ ସ୍ଥାନରେ ରହିଛି । ଦଳ ଏଥର ୧୨୦ରୁ ଅଧିକ ବିଧାନସଭା ଓ ୧୭ରୁ ଅଧିକ ଲୋକସଭା ଆସନରେ ନିଶ୍ଚୟ ଜିତିବ ବୋଲି ଶ୍ରୀ ପାତ୍ର କହିଛନ୍ତି । ବିଜୁ ଜନତା ଦଳ ସବୁବେଳେ ଜନତାଙ୍କ ପାଇଁ ନିରନ୍ତର କାର୍ଯ୍ୟ କରି ଚାଲିଛି, ଜନତାଙ୍କ ସହ ରହିଛି ଓ ଆଗାମୀ ଦିନରେ ମଧ୍ୟ ରହିବ ବୋଲି ବିଜେଡି କହିଛି ।

ତେବେ ମେଂଟ ଚର୍ଚ୍ଚାକୁ ନେଇ ଦୁଇ ଦଳ ବିଜେଡି ଓ ବିଜେପିର ନେତାମାନେ ଗତ କିଛିଦିନର ନିରବତା ପରେ ଏବେ ଆନୁଷ୍ଠାନିକ ବୟାନ ଦେଉଥିଲେ ମଧ୍ୟ ସୋସିଆଲ ମିଡିଆରେ ଏହି ଚର୍ଚ୍ଚା ଏବେବି ବଳବତ୍ତର ରହିଛି। ଆସନ୍ତା ୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଚଣ୍ଡିଖୋଲରେ ବିଜେପି କର୍ମୀମାନଙ୍କର ଏକ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିବାରୁ ତା’ପରେ ହିଁ ବାସ୍ତବ ଚିତ୍ର ସ୍ପଷ୍ଟ ହେବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

BjD Bjp