Advertisment

ବିଜେଡି ନେତ୍ରୀ ବାଣ୍ଟୁଥିଲେ ଧଳା ଲଫାପା, ଭିତରେ ଥିଲା ୨୦୦୦ ଟଙ୍କା

ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଗାଁରେ ପହଞ୍ଚିଥିଲା। ଏଠାରେ କ’ଣ କରୁଛ ବୋଲି ବିଜୟଲକ୍ଷ୍ମୀ ମହାପାତ୍ର ଓ ଦିବ୍ୟଜ୍ୟୋତି ଜେନାଙ୍କୁ ପଚାରିଥିଲା ପୁଲିସ୍‌। ହେଲେ ସେମାନେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ।

author-image
Manoranjan Sial
BJD

BJD

ବିଜେଡି ନେତ୍ରୀଙ୍କ ଅନ୍ଧାରୀ ବିଜେ। ପ୍ରଚାର ଚାଲିଥିବା ବେଳେ ଘର ଘର ବୁଲି ବାଣ୍ଟୁଥିଲେ ଟଙ୍କା! ରାତି ଅନ୍ଧକାରରେ ଭୁବନେଶ୍ୱରରୁ ମାଡ଼ାମ ଯାଇ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ବାଣ୍ଟୁଥିଲେ ଧଳା ଲଫାପା। ଯେଉଁ ଲଫାପାରେ ଥିଲା ୨୦୦୦ ଟଙ୍କା। ଗାଁ ଲୋକେ ଧରି ପୁଲିସ୍‌ ଜିମା ଦେଇଥିଲେ। ଉଦଳା ଥାନା ପୁଲିସ୍‌ ମାମଲା ରୁଜୁ କରି ବିଜେଡି ନେତ୍ରୀ ଓ ତାଙ୍କସାଥୀଙ୍କୁ ଗିରଫ କରିଛି। ଏଥିସହ ଟଙ୍କା ଓ ବିଜେଡି ଟି-ସାର୍ଟ ଜବତ କରିଛି।

Advertisment

ରାଜଧାନୀ ଭୁବନେଶ୍ୱର ଖାରବେଳ ନଗର ଅଞ୍ଚଳର ବିଜୟଲକ୍ଷ୍ମୀ ମହାପାତ୍ର ଓ ଦିବ୍ୟଜ୍ୟୋତି ଜେନା ବୁଧବାର ରାତିରେ ଉଦଳା ନିର୍ବାଚନମଣ୍ଡଳୀର ଗୁଧିମରା ଗାଁରେ ପହଞ୍ଚି ଥିଲେ। ସେମାନେ ଦୁଇଟି ଗାଡ଼ିରେ ଯାଇଥିଲେ। ଗାଁରେ ଘରକୁ ଘର ବୁଲି ଟଙ୍କା ବାଣ୍ଟୁଥିଲେ। ଆଉ ବିଜେଡିକୁ ଭୋଟ୍‌ ଦେବା ପାଇଁ କହୁଥିଲେ। ଗାଁ ଲୋକେ ଏ ସମ୍ପର୍କରେ ଜାଣିପାରି ଉଦଳା ଥାନା ପୁଲିସ୍‌କୁ ଖବର ଦେଇଥିଲେ। ବିଜେଡିକୁ ଭୋଟ ଦେବା ପାଇଁ ଟଙ୍କା ବଣ୍ଟୁଥିବା ନେଇ ଅଭିଯୋଗ କରିଥିଲେ।

ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଗାଁରେ ପହଞ୍ଚିଥିଲା। ଏଠାରେ କ’ଣ କରୁଛ ବୋଲି ବିଜୟଲକ୍ଷ୍ମୀ ମହାପାତ୍ର ଓ ଦିବ୍ୟଜ୍ୟୋତି ଜେନାଙ୍କୁ ପଚାରିଥିଲା ପୁଲିସ୍‌। ହେଲେ ସେମାନେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ଯେଉଁଥିପାଇଁ ପୁଲିସ୍‌ ସେମାନଙ୍କୁ ହେପାଜତକୁ ନେଇଥିଲା। ଏଥିସହ ଗାଡି ଦୁଇଟିକୁ ଜବତ କରିଥିଲା। ଗାଡ଼ି ଯାଞ୍ଚ କରିବାରୁ ୨ଟି ବ୍ୟାଗ୍‌ ମିଳିଥିଲା। ଯେଉଁ ବ୍ୟାଗରେ ୫୦ରୁ ଊର୍ଦ୍ଧ୍ୱ ଧଳା ଲଫାପା ଥିଲା। ପ୍ରତି ଲଫାପାରେ ଥିଲା ୨୦୦୦ ଟଙ୍କା। ଏଥିସହ ଗାଡ଼ି ଭିତରୁ ଆଉ କିଛି ନଗଦ ଟଙ୍କା ମଧ୍ୟ ମିଳିଥିଲା। ପୁଲିସ୍‌ ଗାଡ଼ିରୁ ୧ ଲକ୍ଷ ୯୧ ହଜାର ଟଙ୍କା ଜବତ କରିଥିଲା। ଏଥିସହ କିଛି ବିଜେଡି ଷ୍ଟିକର ଓ ଟି-ସାର୍ଟ ମିଳିଥିଲା। ଯେଉଁ ଟି-ସାର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି ଓ ଉଦଳା ବିଧାୟକ ପ୍ରାର୍ଥୀ ଶ୍ରୀନାଥ ସୋରେନଙ୍କ ଫଟୋ ଥିଲା।

Advertisment

ପୁଲିସ ବିଜୟଲକ୍ଷ୍ମୀ ମହାପାତ୍ର ଓ ଦିବ୍ୟଜ୍ୟୋତି ଜେନାଙ୍କୁ ଗିରଫ କରିଥିବା ବେଳେ ୨ ଗାଡ଼ିର ଚାଳକଙ୍କୁ ଅଟକ ରଖିଛି। ଏଥିସହ ଗାଡ଼ି ଦୁଇଟିକୁ ଜବତ କରିଛି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଏନେଇ ପୁଲିସ୍‌ର ମୁହଁ ଖୋଲିନାହିଁ। ଏହା ପୂର୍ବରୁ ଅର୍ଥାତ ଗତ ସୋମବାର ଅପରାହ୍ନରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ପଞ୍ଚାୟତରେ BJD ମହିଳା ରାଜ୍ୟ ସମ୍ପାଦିକା ଅଞ୍ଜୁ ମହାନ୍ତ, ତାଙ୍କ ସ୍ୱାମୀ ନିର୍ମଳ ମହାନ୍ତ, ମାମିନା ସି ଓ ଅନ୍ୟଜଣେ ମହିଳା ଟଙ୍କା ବାଣ୍ଟୁଥିବା ବେଳେ ଧରା ପଡ଼ିଥିଲେ। ଗାଁରେ ସେମାନଙ୍କୁ ଅଟକାଇ ମାଡ଼ ମାରିବା ସହିତ ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି।

ରିପୋର୍ଟ- ବାଲେଶ୍ୱରରୁ ପ୍ରକାଶ ମହାନ୍ତି

BjD Bjp General Election 2024 General Election