Advertisment

ମିଶନଶକ୍ତି କର୍ମଚାରୀଙ୍କୁ ଦଳୀୟ କର୍ମୀ ସଜାଇ ଟଙ୍କା ବାଂଟୁଛି ବିଜେଡି, ଫେରାଦ ହେଲା ବିଜେପି

ବିଜେପି ଆଜି ନିର୍ବାଚନ ଅଧିକାରୀଙ୍କ ପାଖରେ କରିଥିବା ଅଭିଯୋଗ ଅନୁସାରେ ଯାଜପୁର ଜିଲ୍ଲା କୋରେଇ ବ୍ଲକ କରଦା ପଂଚାୟତ ରାଣୀଗୋଡ଼ା ଗାଁର ସିଆରପି ବାସନ୍ତୀ ଓଝା ବିଜେଡି କର୍ମୀ ଭଳି ଗାଁଗୁଡ଼ିକରେ ବୈଠକ କରି ଲୋକଙ୍କୁ ଟଙ୍କା ବାଂଟି ବିଜେଡିକୁ ଭୋଟ ଦେବାକୁ ପ୍ରବର୍ତ୍ତାଉଛନ୍ତି।

author-image
Ordigital Desk
BJP

BJP

ନିର୍ବାଚନ ଜିତିବା ପାଇଁ ଏବେ ବିଜେଡି ସବୁପ୍ରକାର କଳବଳକୌଶଳ ପ୍ରୟୋଗ କରୁଛି। ମିଶନଶକ୍ତି କର୍ମଚାରୀମାନଙ୍କୁ ଦଳୀୟ କର୍ମୀ ସଜାଇ ବିଜେଡି ଖୋଲାଖୋଲି ଟଙ୍କା ବାଂଟୁଛି ବୋଲି ବିଜେପି ଅଭିଯୋଗ କରିଛି। ଏହାସହିତ  ଟଙ୍କା ବଂଟାରେ ସାମିଲ ଥିବା ମିଶନଶକ୍ତି କର୍ମଚାରୀମାନଙ୍କୁ ବହିଷ୍କାର ସହ ସେମାନଙ୍କୁ ଗିରଫ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଫେରାଦ ହୋଇଛି।

Advertisment

ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି ଯେ, ଏକ ପ୍ରତିନିଧିମଣ୍ଡଳୀ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ମିଶନଶକ୍ତି ବିଭାଗର ସିଆରପି, ଏମବିକେ ଓ ଜିପିଏଲଏଫଙ୍କୁ ଶାସକ ବିଜେଡି କିଭଳି ଦଳୀୟ କର୍ମୀ ସଜାଇ ଭୋଟରଙ୍କୁ ଟଙ୍କା ବାଂଟୁଛି ତା’ର ପ୍ରମାଣ ଦେଇଛି। ରାଜ୍ୟରେ ତିନୋଟି ପର୍ଯ୍ୟାୟ ଭୋଟ୍ ସମାପ୍ତ ପରେ ବିିଭିନ୍ନ ସଂସ୍ଥାର ଆକଳନ ବିଜେପି ସପକ୍ଷରେ ଯାଉଥିବା ଜାଣି ବିଜେଡି ଶେଷ ପର୍ଯ୍ୟାୟ ନିର୍ବାଚନକୁ ନିଜ ସପକ୍ଷରେ ଆଣିବା ପାଇଁ ସବୁ ପ୍ରକାର କୌଶଳ ପ୍ରୟୋଗ କରୁଛି।  ବିଜେଡି ୨୫ବର୍ଷ ଶାସନରେ କ'ଣ କରିଛି ତାହା ଉପରେ ବିଜେପି ପ୍ରଶ୍ନ କରୁଥିବାରୁ ଶାସକ  ବ୍ୟତିବ୍ୟସ୍ତ ହୋଇଛି। ଓଡ଼ିଶାର ଲୋକଙ୍କୁ ଉତ୍ତର ଦେବା ପରିବର୍ତେ କିଛି ସରକାରୀ କର୍ମଚାରୀଙ୍କୁ ଲଗାଇ ଟଙ୍କା ବାଂଟିବା ଆରମ୍ଭ କରିଛି। ପୂର୍ବ ନିର୍ବାଚନ ଗୁଡ଼ିକରେ ଅଭ୍ୟାସଗତ ଭାବେ ଟଙ୍କା ବାଂଟି ଆସୁଥିବା ବିଜେଡି ଏଥର ପରାଜୟ ସୁନିଶ୍ଚିତ ଜାଣି ଅଧିକ ମାତ୍ରାରେ ଟଙ୍କା ବାଂଟୁଛି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ଆଜି ନିର୍ବାଚନ ଅଧିକାରୀଙ୍କ ପାଖରେ କରିଥିବା ଅଭିଯୋଗ ଅନୁସାରେ ଯାଜପୁର ଜିଲ୍ଲା କୋରେଇ ବ୍ଲକ କରଦା ପଂଚାୟତ ରାଣୀଗୋଡ଼ା ଗାଁର ସିଆରପି ବାସନ୍ତୀ ଓଝା ବିଜେଡି କର୍ମୀ ଭଳି ଗାଁଗୁଡ଼ିକରେ ବୈଠକ କରି ଲୋକଙ୍କୁ ଟଙ୍କା ବାଂଟି ବିଜେଡିକୁ ଭୋଟ ଦେବାକୁ ପ୍ରବର୍ତ୍ତାଉଛନ୍ତି। ଏହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲଘଂନ ହୋଇଥିଲେ ମଧ୍ୟ ତାଙ୍କ ବିରୋଧରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ସେହିପରି ନିମାପଡ଼ା ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକର ସିଆରପି ଜୟନ୍ତୀ ସାହୁ, ଜିପିଏଲଏଫ ସଭାପତି ସବିତା ଖଣ୍ଡୁଆଲ, ସମ୍ପାଦିକ ସ୍ୱପ୍ନା ପାଣି, ସିଆରପି କାବେରୀ ମହାରଣା ଗାଁର ମହିଳା ଭୋଟରମାନଙ୍କୁ ପ୍ରଲୋଭିତ କରି ବିଜେଡିକୁ ଭୋଟ ଦେବାକୁ ପ୍ରବର୍ତ୍ତାଉଛନ୍ତି। ମହିଳା ଭୋଟରମାନଙ୍କୁ ଟଙ୍କାର ଲୋଭ ଦେଖାଇ ବିଜେଡିକୁ ଭୋଟ ଦେବାକୁ କହୁଛନ୍ତି। ତାଙ୍କ ନିକଟରୁ ବିଜେପି ମହିଳା କର୍ମୀମାନେ ନଗଦ ଅଢ଼େଇ ଲକ୍ଷ ଟଙ୍କା ଜବତ କରିଛନ୍ତି। ଯାହାର ଭିଡିଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ହସ୍ତାନ୍ତର କରିଛି ବିଜେପି। ସେମାନଙ୍କୁ ପଦବୀରୁ ଯଥାଶୀଘ୍ର ବହିଷ୍କାର କରାଯିବା ସହିତ ଆଇନ ଅନୁଯାୟୀ ଗିରଫ କରିବା ପାଇଁ ବିଜେପି ଦାବି କରିଛି।

Advertisment

ଏହି ପ୍ରତିନିଧିମଣ୍ଡଳୀରେ ବିଜେପି ନେତ୍ରୀ କସ୍ତୁରୀ ମିଶ୍ର, ଅନିଲ ବିଶ୍ୱାଳ, ନିୟତି ଗିରି, ଜୟନ୍ତ ଜେନା ଓ ସୁଚରିତା ଜେନାମଣି ପ୍ରମୁଖ ସାମିଲ ଥିଲେ।

BjD Bjp