ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ବିଜେଡିରେ କମ୍ପନ: ସତ ବାହାରକୁ ଆଣିବାର ସାହାସ ଜୁଟାଇପାରୁନି

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତକାଲି ନିଜ ଗୃହ ଜିଲ୍ଲା କେନ୍ଦୁଝରରେ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ତାଙ୍କୁ ବିଜେଡିରେ ମିଶିବା ସହ ମନ୍ତ୍ରୀପଦ ଓ ଖଣି ଦେବାର ଅଫର ‘ବିଜେଡିର କ୍ରୀତଦାସ’ ଦେଇଥିଲେ । କିନ୍ତୁ ସେ ବିକ୍ରି ଯୋଗ୍ୟ ନହୋଇ ଲଢ଼େଇ କରିଥିଲେ।

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

  • Published: Monday, 24 June 2024
  • , Updated: 24 June 2024, 09:52 PM IST

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବୟାନକୁ ନେଇ ଏବେ ବିଜେଡିରେ କମ୍ପନ । ଦଳ ନିର୍ବାଚନୀ ବିପର୍ଯ୍ୟୟକୁ ନେଇ ତୀବ୍ର କନ୍ଦଳ ମଧ୍ୟ ଦେଇ ଗତି କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତକାଲି ବିଜେଡି ବିରୁଦ୍ଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଆଜି ବିଜେଡି ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ମଧ୍ୟ ସତ କ’ଣ ତାହା ବାହାରକୁ ଆଣିବାର ସତସାହାସ ଜୁଟାଇପାରିନି । ଏପରିକି ଦଳ ମୁଖ୍ୟମନ୍ତ୍ରୀଙ୍କ ଏଭଳି ସଙ୍ଗୀନ ଅଭିଯୋଗକୁ ନେଇ ତାଙ୍କ ବିରୁଦ୍ଧରେ କଡ଼ା ପ୍ରତିକ୍ରିୟା ରଖିବା ଅବା ମାନହାନି ମକଦ୍ଦମା କରିବା ଭଳି ଆଭିମୁଖ୍ୟ ବି ପୋଷଣ କରିପାରିନଥିବା ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତକାଲି ନିଜ ଗୃହ ଜିଲ୍ଲା କେନ୍ଦୁଝରରେ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ତାଙ୍କୁ ବିଜେଡିରେ ମିଶିବା ସହ ମନ୍ତ୍ରୀପଦ ଓ ଖଣି ଦେବାର ଅଫର ‘ବିଜେଡିର କ୍ରୀତଦାସ’ ଦେଇଥିଲେ । କିନ୍ତୁ ସେ ବିକ୍ରି ଯୋଗ୍ୟ ନହୋଇ ଲଢ଼େଇ କରିଥିଲେ । ବିପ୍ଲବୀ ଧରଣୀଧରଙ୍କ ଦାୟାଦ, ଲଢ଼େଇ କରିବା ଶିଖିଛି ଓ ଲଢ଼ିଛି । କେନ୍ଦୁଝରବାସୀଙ୍କ ଶ୍ରଦ୍ଧା ଓ ଆଶୀର୍ବାଦ ତାଙ୍କୁ ମନ୍ତ୍ରୀ ନୁହେଁ ବରଂ ମୁଖ୍ୟମନ୍ତ୍ରୀ କରାଇଛି ବୋଲି ଶ୍ରୀ ମାଝୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ବୟାନ ଉପରେ ଆଜି ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ସାମ୍ବାଦିକମାନଙ୍କୁ ଡାକି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ବିରୋଧୀ ଦଳରେ ଥିବାବେଳେ ସରକାରୀ ଦଳ(ବିଜେଡି) ପକ୍ଷରୁ ତାଙ୍କୁ ମନ୍ତ୍ରିପଦ ଓ ଅନ୍ୟାନ୍ୟ ପ୍ରଲୋଭନ ଦିଆଯାଇଥିଲା ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ମୁଖ୍ୟମନ୍ତ୍ରୀ ଏବେ ବିରୋଧୀ ଦଳରେ ନାହାନ୍ତି । ସେ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ । ଏପରି ଟିପ୍ପଣୀ ଦେବା ପୂର୍ବରୁ ଚିନ୍ତା କରିବାର ଥିଲା । ତାଙ୍କ ପଦ ମର୍ଯ୍ୟାଦା ବଂଚାଇ ରଖିବା ତାଙ୍କ କର୍ତ୍ତବ୍ୟ । ସେ ଯେଉଁଭଳି ଉକ୍ତି ରଖିଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ । ଯଦି ତାଙ୍କୁ ଅଫର ଦିଆଯାଇଥିଲା ଏହାକୁ ସେତେବେଳେ ଗଣମାଧ୍ୟମରେ କାହିଁକି କହିଲେନି । କିମ୍ବା କେସ୍ ମଧ୍ୟ କରିପାରିଥାନ୍ତେ । ସେପରି ନକରି ଏବେ ମୁଖ୍ୟମନ୍ତ୍ରୀ ପଦରେ ଥାଇ ଏଭଳି ମନ୍ତବ୍ୟ ଦେବା କେତେଦୂର ସମୀଚୀନ ତାହା ତର୍ଜମା କରନ୍ତୁ ବୋଲି ଶ୍ରୀ ଦେବ କହିଛନ୍ତି ।

ତେବେ ବିଜେଡି ଯଦି ଅତୀତରେ ଶ୍ରୀ ମାଝୀଙ୍କୁ ଏଭଳି କିଛି ଅଫର ଦେଇନଥିଲା ତା’ହେଲେ ଏଭଳି ସଙ୍ଗୀନ ଅଭିଯୋଗକୁ ନେଇ ଦଳ କାହିଁକି କଡ଼ା ଆଭିମୁଖ୍ୟ ପୋଷଣ କରୁନି ତାକୁ ନେଇ ପ୍ରଶ୍ନ ଉଠିଛି । ବିଜେଡି ଚାହିଁଥିଲେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ମନ୍ତବ୍ୟ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଅପିଲ୍ କରିପାରିଥାନ୍ତା ଅବା ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥାନ୍ତା । କିନ୍ତୁ ସେଭଳି ନକରି ସତକୁ ସବୁଦିନ ପାଇଁ ଚାପି ଦେବାକୁ ବିଜେଡି ପ୍ରୟାସ କରୁଛି ବୋଲି ଚର୍ଚ୍ଚା ।

Related story