ବିଜେଡି ମୁହଁରେ ଓବିସି ପ୍ରସଙ୍ଗ ଶୋଭା ପାଉନି, ହୀନ ରାଜନୀତି କରୁଛି: ବିଜେପି

ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ଓ ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ,  ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳ ବିଜେଡି ସମ୍ପୂର୍ଣ୍ଣ ଭାବେ ପଛୁଆବର୍ଗ ବିରୋଧୀ ।

ବିଜେପି ପତାକା

  • Published: Friday, 27 September 2024
  • , Updated: 27 September 2024, 10:28 PM IST

୨୪ ବର୍ଷ ଧରି ଶାସନରେ ଥାଇ ବିଜେଡି ସରକାର ରାଜ୍ୟର ୫୪ ପ୍ରତିଶତ ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବଂଚିତ କରିଥିଲା । ଏବେ ବିଜେଡି ଆତ୍ମଚିନ୍ତନ କରିବା ବଦଳରେ ହୀନ ରାଜନୀତି କରୁଛି । ପଛୁଆବର୍ଗଙ୍କୁ ପ୍ରତାରଣା କରିଥିବା ବିଜେଡି ମୁହଁରେ ଓବିସି ପ୍ରସଙ୍ଗ ଶୋଭା ପାଉନି ବୋଲି ବିଜେପି କଟାକ୍ଷ କରିଛି ।

ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ଓ ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ,  ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳ ବିଜେଡି ସମ୍ପୂର୍ଣ୍ଣ ଭାବେ ପଛୁଆବର୍ଗ ବିରୋଧୀ । ଶାସନରେ ଥିବାବେଳେ ଶିକ୍ଷା, ନିଯୁକ୍ତି, ଏବଂ ରାଜନୈତିକ ପ୍ରତିନିଧିତ୍ୱ କ୍ଷେତ୍ରରେ ଏହି ବର୍ଗଙ୍କୁ ବଂଚିତ କରିଛି । ବିଜେଡି ଦଳରେ ପଛୁଆବର୍ଗ ପାଇଁ କୌଣସି ସେଲ୍ ନଥିବା, ପଛୁଆବର୍ଗ ପ୍ରତି ତାଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି । ନିଜ ଦଳ ଭିତରେ ତୀବ୍ର ଗୋଷ୍ଠୀ କନ୍ଦଳ, ବିଦ୍ରୋହ ଏବଂ ଜଣକ ପରେ ଜଣେ ଦଳ ଛାଡ଼ୁଥିବାବେଳେ ସେଥିରୁ ଦୃଷ୍ଟି ହଟାଇବାକୁ ଯାଇ ବିଜେଡିର ନେତାମାନେ ଅନେକ ବୟାନବାଜି ଓ ନାଟକ ଆରମ୍ଭ କରିଦେଇଛନ୍ତିି । ଦୀର୍ଘ ୨୪ ବର୍ଷ ଶାସନରେ ରହିବା ସତ୍ୱେ ପଛୁଆବର୍ଗଙ୍କ ମୌଳିକ ଅଧିକାର ସମ୍ପର୍କରେ କର୍ଣ୍ଣପାତ କରିନଥିଲା ବିଜେଡି । ଅନ୍ୟ ସମସ୍ତ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ନାମ ଲେଖା ପାଇଁ ଓବିସି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ସଂରକ୍ଷଣ ମିଳୁଥିଲାବେଳେ ତତକାଳୀନ ବିଜେଡି ସରକାର ସଂରକ୍ଷଣ ନଦେବା ଯୋଗୁ ଆମ ରାଜ୍ୟର ଲକ୍ଷଲକ୍ଷ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଂଚିତ ହୋଇଛନ୍ତି । ବିଜେଡି ଶାସନ ଥିବା ସମୟରେ ଯେଉଁ ପ୍ରଶ୍ନ ବିଜେପି ପକ୍ଷରୁ ପଚରାଯାଇଥିଲା, ଆଜି ସେମାନେ ଓଲଟା ସେହି ପ୍ରଶ୍ନ ପଚାରୁଛନ୍ତି ।

ତେବେ ବିଜେପି ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଓବିସିମାନଙ୍କୁ ସମ୍ମାନ ଦେବା ସହ ସେମାନଙ୍କୁ ସାମ୍ବିଧାନିକ ଅଧିକାର ଦେବାକ ଉଦ୍ୟମ କରିଛନ୍ତିି । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୨୭ ଜଣ ଓବିସିଙ୍କୁ ସ୍ଥାନ ଦେଇ ପ୍ରଧାନମନ୍ତ୍ରୀ ମୋଦି ଏହା ପ୍ରମାଣିତ କରିଛନ୍ତିି । ସେ ଦେଶରେ ପ୍ରଥମକରି ଓବିସି କମିଶନକୁ ସାମ୍ବିଧାନିକ ମାନ୍ୟତା ଦେଇଛନ୍ତିି । ଓବିସିମାନଙ୍କ ପାଇଁ ଡାକ୍ତରୀ ପାଠପଢ଼ା, ଇିନିୟରିଂ, ସୈନିକ ସ୍କୁଲ, ନବୋଦୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ସବୁଠି ୨୭ ପ୍ରତିଶତ ସଂରକ୍ଷଣ ସୁନିଶ୍ଚିତ କରିଛନ୍ତିି । ଓଡ଼ିଶାରେ ବିଜେପି ଯେଉଁ ସଂକଳ୍ପପତ୍ର ଘୋଷଣା କରିଥିଲା, ସେଥିରେ ଓବିସିଙ୍କ ଦାବି ସମ୍ପର୍କରେ ସ୍ପଷ୍ଟତା ଅଛି । ଏବେ ସଂକଳ୍ପପତ୍ର୍ରରେ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକୁ ଗୋଟିକ ପରେ ଗୋଟିଏ ପୂରଣ କରାଯାଉଛି । ଏଥିରେ ବିଜେଡିର କୌଣସି ଚିନ୍ତାପ୍ରକଟ କରିବାର ଆବଶ୍ୟକତା ନାହିଁ । ପଛୁଆବର୍ଗଙ୍କ ପାଇଁ କିଛି ନକରି ବିଜେଡି ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛି । ନିର୍ବାଚନରେ ହାରିଯିବା ପରେ ବିଜେଡି ଏବେ ପଛୁଆବର୍ଗଙ୍କ କଥା ଉଠାଇବା ଲଜ୍ଜାଜନକ ଓ ଦୁଃଖଦାୟକ । ରାଜ୍ୟରେ ବିଜେପି ସରକାର ଓଡ଼ିଶାର ଓବିସି ଓ ଏସଇବିସିମାନଙ୍କୁ ଉଭୟ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ସାମ୍ବିଧାନିକ ଅଧିକାର ଦେବାକୁ ଦୃଢ଼ ପ୍ରତିଶ୍ରୁତିବଦ୍ଧ ବୋଲି ବିଜେପି କହିଛି ।

Related story