Advertisment

BJD Dual Stance: କାହିଁକି ଚିହିଁକି ଉଠିଛି ବିଜେଡି,ଦଳୀୟ ସୁରକ୍ଷାରେ ଅଭିଯୁକ୍ତ ପାଣ୍ଡିଆନପନ୍ଥୀ,  ଅକର୍ମଣ୍ୟ ପାଲଟିଛି କି ‘ଶୃଙ୍ଖଳା କମିଟି’

ଆଇନ ତା’ ବାଟରେ ଯିବ ବୋଲି କହୁଥିବା ନବୀନ ଏବେ ୟୁଟର୍ଣ୍ଣ କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି। ପାଣ୍ଡିଆନଙ୍କ କୁକର୍ମର ଯେଉଁମାନେ ସହଯୋଗୀ ଥିଲେ ସେମାନଙ୍କୁ ସୁରକ୍ଷା ଦେବା ଓ ନିଜ କଳା କାରନାମା ପଦାରେ ପଡ଼ିଯିବା ଭୟରେ ସେ ‘ବିଜେଡି’କୁ ବାଜି ଲଗାଇ ଦେଇଛନ୍ତି ବୋଲି ଶ୍ରୀମୟୀ ଆକ୍ଷେପ କରିଛନ୍ତି ।

vikram

ଗିରଫ ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

Advertisment

ନବୀନ ପଟ୍ଟନାୟକଙ୍କ ବିଜେଡି ସତରେ କ’ଣ ତାମିଲନାଡୁ ଜନ୍ମିତ ଭିକେ ପାଣ୍ଡିଆନଙ୍କ ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି? ଏଭଳି ଚର୍ଚ୍ଚାକୁ ବଳ ଯୋଗାଇଛି ବିଗତ ଦୁଇଦିନ ଧରି ଦଳର ନେତାମାନଙ୍କ ବୟାନବାଜି ଓ ବିକ୍ଷୋଭ । ଦଳର ଯେଉଁ ନେତାମାନେ ବିଭିନ୍ନ ଅପରାଧରେ ଗିରଫ ଅବା ବିବାଦୀୟ ହୋଇଛନ୍ତି ଏବଂ ଯଦି ସେମାନେ ପାଣ୍ଡିଆନଙ୍କ ସମର୍ଥିତ ଭାବେ ପରିଚିତ ତା’ହେଲେ ବିଜେଡି ସେମାନଙ୍କ ସମର୍ଥନରେ ଆଗକୁ ଆସିବ । ନିମାପଡ଼ାର ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକ ହୁଅନ୍ତୁ ଅବା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା । ଉଭୟ ପାଣ୍ଡିଆନ ସମର୍ଥିତ ଭାବେ ପରିଚିତ ଥିବାରୁ ଦଳର ‘ଶୃଙ୍ଖଳାଗତ କମିଟି’ ସେମାନଙ୍କ ବିରୁଦ୍ଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନେବାର ସତସାହାସ ଜୁଟାଇ ପାରିନାହିଁ । ଓଲଟା ବିକ୍ରମଙ୍କ ଗିରଫ ପରେ ବିଜେଡି ଯେଭଳି ଢଙ୍ଗରେ ଚିଁହିଁକି ଉଠିଛି ଓ ସୋସିଆଲ ମିଡିଆରେ ସମାନ ଶୈଳୀରେ ପ୍ରତିବାଦ କରିବାରେ ଲାଗିଛି ତାହା ବିଜେଡିର ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ସ୍ପଷ୍ଟ ହେବାରେ ଲାଗିଛି ।

Advertisment

ଅକର୍ମଣ୍ୟ ଦଳୀୟ ଶୃଙ୍ଖଳା କମିଟି


ବିଜେଡିରେ ରହିବ ତ ପାଣ୍ଡିଆନପନ୍ଥୀ ହେବା ଜରୁରୀ । ଅପରାଧ କଲେ ବି ଦଳ ସୁରକ୍ଷା ଦେବ । ଏଭଳି ଚର୍ଚ୍ଚା ଏବେ ଜୋର ଧରିବାରେ ଲାଗିଛି । ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତର ଅଭିଯୋଗରେ ବିଜେଡି ନେତା ଦିଲ୍ଲୀପ ନାୟକ ଓ ବିକ୍ରମ ପଣ୍ଡାଙ୍କ ଗିରଫ ପରେ ସେମାନଙ୍କ ଉପରେ ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାର ସାହାସ ଜୁଟାଇ ପାରିନାହିଁ । ଯଦିଓ ନୀତି ନୈତିକତା କଥା କହି ଦଳୀୟ ନେତା ଅମରେଶ ଜେନାଙ୍କୁ ଗିରଫ ପରେ ଦଳ ନିଲମ୍ବନ କରିଥିଲା । ଯଦିଓ ଦିଲ୍ଲୀପ ଓ ବିକ୍ରମଙ୍କ ପାଇଁ ଶୃଙ୍ଖଳା କମିଟି ଏକପ୍ରକାର ଅକର୍ମଣ୍ୟ ପାଲଟି ଯାଇଛି ।


ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ, ବିଜେଡିର ଦୋମୁହାଁ ନୀତି


ନିଜ(Biju Janata Dal ) ଶାସନକାଳରେ ଏକାଧିକ ରାଜନେତାମାନଙ୍କ ପ୍ରତି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ କରିଥିବା ବିଜେଡି ନେତୃତ୍ୱ ଏବେ ମୋହନ ମାଝୀଙ୍କ ସରକାରର କାର୍ଯ୍ୟଶୈଳୀ ଉପରେ ଅଙ୍ଗୁଳି ଉଠାଇଛନ୍ତି । ଜୟନାରାୟଣ ମିଶ୍ର, ପ୍ରଦୀପ ପାଣିଗ୍ରାହୀ, ରମେଶ ଜେନା, ପ୍ରଶାନ୍ତ ଜଗଦେବଙ୍କ ଭଳି ନେତାମାନଙ୍କ ସମେତ ଇରାଶିଷ ଆଚାର୍ଯ୍ୟ ଓ ଅନ୍ୟ ଯୁବନେତାମାନଙ୍କୁ ଜେଲ୍ ପଠାଇବାବେଳେ ବିଜେଡି ନେତୃତ୍ୱଙ୍କ ନୀତି ନୈତିକତା କେଉଁଠି ଥିଲା ବୋଲି ପ୍ରଶ୍ନ ଉଠିଛି । କେବଳ ଏହି ନେତାମାନେ ନୁହଁନ୍ତି ରାଜ୍ୟର ଦୁଇ ପ୍ରମୁଖ ମିଡିଆ ହାଉସ୍ ପ୍ରତି ବିଜେଡିର ଅଘୋଷିତ ସର୍ବେସର୍ବାଙ୍କ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନର ନଗ୍ନରୂପ ମଧ୍ୟ ରାଜ୍ୟବାସୀ ଦେଖିଛନ୍ତି ।

Advertisment


ଆଉ ବୁଧବାର ସକାଳେ ବିକ୍ରମ ପଣ୍ଡାଙ୍କୁ ଗିରଫ ପରେ ବିଜେଡି ସତେଯେମିତି ଚିହିଁକି ଉଠିଛି । ବିକ୍ରମ ପଣ୍ଡାଙ୍କ ଗିରଫକୁ ବିରୋଧ କରିବା ପାଇଁ ଗତ ଦୁଇଦିନ ଧରି ନିଜର ପୁରା ଦମ୍ ଲଗାଇ ଦେଇଛି ଦଳ । ଆଇନ ତା’ ବାଟରେ ଯିବ ବୋଲି କଥାକଥାକେ ଡିଣ୍ଡିମ ପିଟୁଥିବା ବିଜେଡି ଓ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଅଚାନକ ଆଇନକୁ ନିଜ ବାଟରେ ମୋଡ଼ିମକଚିବାର ଅପପ୍ରୟାସ ଆରମ୍ଭ କରି ବିକ୍ରମ ପଣ୍ଡାଙ୍କ ଗିରଫକୁ ବିରୋଧ କରିବାରେ ଲାଗିଛନ୍ତି । ବିଜେଡି ପକ୍ଷରୁ ଆଜି ବ୍ରହ୍ମପୁରରେ ଏକ ଶୋଭାଯାତ୍ରା  ହିଲପାଟଣାସ୍ଥିତ ଗଣେଶ ମନ୍ଦିର ନିକଟରୁ ବାହାରି ଗାନ୍ଧିନଗରସ୍ଥିତ ଗାନ୍ଧୀ ମୂର୍ତ୍ତି ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଏକ ପ୍ରତିବାଦ ସଭା କରି ଦଳର ନେତାମାନେ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ବିକ୍ରମଙ୍କ ଗିରଫକୁ ବିଜେଡି ଅଗଣତାନ୍ତ୍ରିକ ଓ ଦମନମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହିଛି ।
 
ଇତିହାସର ପୁନରାବୃତ୍ତି: ଜୟନାରାୟଣଙ୍କୁ ୬୨ଦିନ ଜେଲରେ ରଖିଥିଲେ


ବିଜେପୁର ଉପନିର୍ବାଚନବେଳେ ୨୦୧୮ ଫେବୃୟାରୀ ୨୨ତାରିଖରେ ସୋହେଲା ବ୍ଲକର ବନବିରା ଗାଁରେ ବିଜେଡି କର୍ମୀଙ୍କ ଉପରେ ଏକ ଆକ୍ରମଣ ଘଟଣାରେ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କୁ ଅଭିଯୁକ୍ତ ସଜାଇଥିଲା ବିଜେଡି ସରକାର । ମାର୍ଚ୍ଚ ୧୫ତାରିଖରେ ଜୟନାରାୟଣଙ୍କ ସମ୍ବଲପୁର ଘରେ ପୁଲିସ ରେଡ୍ କରି ତାଙ୍କୁ ଗିରଫ କରିଥିଲା । ୬୨ଦିନ ପରେ ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ ।


ଅବଶ୍ୟ ନିଜର ଶେଷ ୫ବର୍ଷ କାର୍ଯ୍ୟକାଳରେ ଜୟନାରାୟଣଙ୍କୁ ଏହି ମାମଲାରେ ଛନ୍ଦିବା ପାଇଁ ସବୁ ପ୍ରୟାସ କରି ଫେଲ୍ ମାରିଥିଲା ବିଜେଡି ସରକାର । ଆଉ ଏହି ଘଟଣା ସମ୍ପୂର୍ଣ୍ଣ ଭାବେ ରାଜନୀତିକ ଉଦ୍ଦେଶ୍ୟପ୍ରଣୋଦିତ ଥିବା ମଧ୍ୟ ସାଧାରଣରେ ଚର୍ଚ୍ଚା ହୋଇଥିଲା।ଏବେ ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାରେ ପର୍ଯ୍ୟାପ୍ତ ତଥ୍ୟପ୍ରମାଣକୁ ଆଧାର ବ୍ରହ୍ମପୁର ପୁଲିସ ବିଜେଡିର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡା(Bikram Panda Arrested)ଙ୍କୁ ଗିରଫ କରିଛି।


ନବୀନଙ୍କୁ ବିଜେପିର ଓ ପାଣ୍ଡିଆନଙ୍କୁ ଶ୍ରୀମୟୀଙ୍କ ଟାର୍ଗେଟ


ଅନ୍ୟପକ୍ଷରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି ଯେ, ପୂର୍ବରୁ ଆଇନ ତା’ ବାଟରେ ଯିବ ବୋଲି କହୁଥିବା ନବୀନ ପଟ୍ଟନାୟକ ଏବେ ୟୁଟର୍ଣ୍ଣ କାହିଁକି ନେଉଛନ୍ତି ।  ଗିରଫର ୨୪ଘଣ୍ଟା ପରେ ମଧ୍ୟ ଦଳ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇପାରିନାହିଁ ବୋଲି ବିଜେପି କହିଛି। 


ସେପଟେ ବିଜେଡିରୁ ନିଲମ୍ବନ ନେତ୍ରୀ ଶ୍ରୀମୟୀ ମିଶ୍ର(Shreemayee Mishra) ସୋସଆଲ ମିଡିଆରେ ବିଜେଡିର ଏହି ପ୍ରତିବାଦକୁ ନେଇ ପ୍ରଶ୍ନ ଉଠାଇବା ସହ ଭିକେ ପାଣ୍ଡିଆନଙ୍କ ନାଁ ନନେଇ ତାଙ୍କର ଭୂମିକା ଆଡ଼କୁ ଆଙ୍ଗୁଳି ଉଠାଇଛନ୍ତି ।
 ଶ୍ରୀମୟୀ କହିଛନ୍ତି ଯେ, “ବିଜେଡିର ଅଘୋଷିତ ସର୍ବେସର୍ବାଙ୍କ ଛାୟା ନିର୍ଦ୍ଦେଶରେ ଏବେ ଯେଉଁମାନେ ବିକ୍ଷୋଭ-ପ୍ରତିବାଦ କରୁଛନ୍ତି, ଟିକେ ନିଜର ବିବେକଙ୍କୁ ପଚାରନ୍ତୁ । ସେମାନେ କ’ଣ ଆଇନରୁ ଉର୍ଦ୍ଧ୍ୱରେ କି? ଯିଏ ଠିକ୍ ଥିବ ନିଶ୍ଚୟ ନ୍ୟାୟ ପାଇବ । ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ଆଇନ ନିର୍ମାତାଙ୍କ ଭରସା ବଜାୟ ରହୁ । ଅହଙ୍କାରରେ ଜର୍ଜରିତ ସର୍ବେସର୍ବାଙ୍କ ଛାୟା ନିର୍ଦ୍ଦେଶର ଯୁକ୍ତିଯୁକ୍ତ ପ୍ରତିବାଦର ସାମର୍ଥ୍ୟ ଭଗବାନ ଆପଣମାନଙ୍କୁ ଦିଅନ୍ତୁ । ପାଣ୍ଡିଆନଙ୍କ ନାଁ ନନେଇ ଶ୍ରୀମୟୀ ଆହୁରି ଲେଖିଛନ୍ତି ଯେ,  ନବୀନ ପଟ୍ଟନାୟକ ନିଜେ ପ୍ରଦୀପଙ୍କୁ ଚୟନ କରି ରାଜନୀତିକୁ ଆଣିଥିଲେ ଓ ତାଙ୍କୁ ଗଞ୍ଜାମ ଜିଲ୍ଲାର ମଙ୍ଗ ଧରାଇଥିଲେ କିନ୍ତୁ ନିଜର ହାକିମାତିକୁ ଜାହିର କରିବା ଉଦ୍ଦେଶ୍ୟରେ ଶ୍ରୀ ପାଣିଗ୍ରାହୀଙ୍କୁ ଅପରାଧୀ ସଜାଇ ଜେଲ୍ ପଠାଇଥିଲେ ପାଣ୍ଡିଆନ । ତାଙ୍କ ଝିଅ ବାହାଘର ମଧ୍ୟ ଭାଙ୍ଗି ଦେଇଥିଲେ । ପାଣ୍ଡିଆନଙ୍କ ସେହି କୁକର୍ମର ଯେଉଁମାନେ ସହଯୋଗୀ ଥିଲେ ଏବେ ସେହିମାନଙ୍କୁ ସୁରକ୍ଷା ଦେବାକୁ ଓ ନିଜର କଳା କାରନାମା ପଦାରେ ପଡ଼ିଯିବା ଭୟରେ ସେ ‘ବିଜେଡି’କୁ ବାଜି ଲଗାଇ ଦେଇଛନ୍ତି ବୋଲି ଶ୍ରୀମୟୀ ନାଁ ନନେଇ ଆକ୍ଷେପ କରିଛନ୍ତି ।

Biju Janata Dal Shreemayee Mishra Bikram Panda Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe