ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ନିଜ ଖବରକାଗଜର ସମ୍ପାଦକୀୟରେ ସମାଲୋଚନା କରିବା ବରିଷ୍ଠ ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି।
ସୌମ୍ୟ ଙ୍କ ବିରୁଦ୍ଧରେ ସମ୍ବାଦର ୩୦୦ରୁ ଊର୍ଦ୍ଧ୍ୱ ପୂର୍ବତନ କର୍ମଚାରୀମାନେ ସଂଗଠିତ ବ୍ୟାଙ୍କ ଋଣ ସ୍କାମର ଅଭିଯୋଗ ଆଣିଛନ୍ତି ଓ ତାଙ୍କ ବିରୁଦ୍ଧରେ ଅର୍ଥନୀତିକ ଅପରାଧ ଶାଖାରେ ମାମଲା ରୁଜୁ କରାଯାଇଛି ବୋଲି ନବୀନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିପରି ଚାଷୀଙ୍କ ୩କୋଟି ଟଙ୍କାର କୃଷି ଋଣ ସବସିଡିକୁ ହଡ଼ପ କରିଥିବା ଅଭିଯୋଗ ଯୋଗୁ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ମଧ୍ୟ ବିଜେଡିରୁ ବହିଷ୍କାର କରାଯାଇଛି । ବିଜେଡି ପୂର୍ବରୁ ନିଜର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରିଥିବାବେଳେ ପ୍ରଶାନ୍ତ ଜଗଦେବଙ୍କୁ ନିଲମ୍ବିତ କରିଛି ।
ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦଳବିରୋଧୀ କାର୍ଯ୍ୟ ଯୋଗୁ ୨ଜଣ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ଶେଖର ପରିଡ଼ାଙ୍କୁ ବିଜେଡିରୁ ବହିଷ୍କାର କରାଗଲା ବୋଲି ସୂଚନା ଦେଇଛନ୍ତି । ନବୀନ କହିଛନ୍ତି ଯେ, ସମ୍ବାଦ ଖବରକାଗଜର ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଅର୍ଥନୀତିକ ଅପରାଧ ଶାଖାରେ ସୌମ୍ୟଙ୍କ ବିରୁଦ୍ଧରେ ଆଇପିସିର ଧାରା ୫୦୬,୪୬୭,୪୬୮,୪୭୧,୪୨୦ ଓ ୧୨୦-ଖରେ ମାମଲା ରୁଜୁ ହୋଇଛି । ପରେ ସମ୍ବାଦର ବହୁ ପୁରୁଣା କର୍ମଚାରୀମାନେ ମଧ୍ୟ ସମାନ ଅଭିଯୋଗ ଅର୍ଥନୀତିକ ଅପରାଧ ଶାଖାରେ କରିଛନ୍ତି । ୩୦୦ରୁ ଅଧିକ ପୂର୍ବତନ କର୍ମଚାରୀଙ୍କ ନାଁରେ ଜାଲ ଦସ୍ତାବିଜ ମାଧ୍ୟମରେ କୋଟି କୋଟି ଟଙ୍କା ଋଣ ଆଣିବା ପାଇଁ ଏହା ଏକ ସଂଗଠିତ ବ୍ୟାଙ୍କ ଜାଲିଆତିର ଗୁରୁତର ମାମଲା ବୋଲି ନବୀନ କହିଛନ୍ତି ।
ଅନ୍ୟପକ୍ଷରେ ସୌମ୍ୟ ଗତ ଅଗଷ୍ଟ ମାସରେ ନିଜର ଆଲେଖ୍ୟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଭବ୍ୟ ଜିଲ୍ଲାଗସ୍ତକୁ ନେଇ ପ୍ରଶ୍ନ ଉଠାଇବା ସହ ଜଣେ ସଚିବ କଦାପି ରାଜନୀତି କରିବା କଥା ନୁହେଁ ବୋଲି କହିଥିଲେ । ‘ସଚିବ ବଡ଼ ନା ମନ୍ତ୍ରୀ ବଡ଼’ ଓ ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ନେତା’ ଶୀର୍ଷକ ଦୁଇଟି ଆଲେଖ୍ୟ ମାଧ୍ୟମରେ ଓଡ଼ିଶା ପ୍ରଶାସନିକ ଓ ରାଜନୀତିରେ ଚାଲିଥିବା ବିସଙ୍ଗତିକୁ ଲୋକଲୋଚନକୁ ଆଣିଥିଲେ । ସେବେଠୁ ସୌମ୍ୟଙ୍କ ବିରୁଦ୍ଧରେ ସରକାରୀ କଳ ପକ୍ଷରୁ ପ୍ରାୟୋଜିତ ଆକ୍ରମଣ ଆରମ୍ଭ ହୋଇଛି । ଅବଶ୍ୟ ସୌମ୍ୟ ଯେଉଁସବୁ ପ୍ରଶ୍ନ କରିଥିଲେ ତା’ର ଉତ୍ତର ଏପର୍ଯ୍ୟନ୍ତ ବିଜେଡି କିମ୍ବା ସରକାରଙ୍କ ପକ୍ଷରୁ ଦିଆଯାଇନି । ମାତ୍ର ସଚିବଙ୍କ ବିରୁଦ୍ଧରେ ମୁହଁ ଖୋଲିଥିବା ଯୋଗୁ ତାଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇ ନାହାନ୍ତି । ପ୍ରଥମେ ବିଜେଡିର କିଛି ନେତାଙ୍କୁ ଆଗକୁ ଆଣି ସୌମ୍ୟଙ୍କୁ ଜଣେ ବ୍ଲାକମେଲର ବୋଲି ନିନ୍ଦିତ କରିବାକୁ ପ୍ରୟାସ କରାଯିବା ପରେ ତାଙ୍କୁ ଗତ ସପ୍ତାହରେ ଦଳର ଉପସଭାପତି ପଦରୁ ବରଖାସ୍ତ କରାଯାଇଥିଲା ।
ଏହାପରେ ତାଙ୍କ ବିରୁଦ୍ଧରେ ‘ସକାଳ’ ଖବରକାଗଜର ଜଣେ କର୍ମଚାରୀ ଯିଏକି ସମ୍ବାଦର ପୂର୍ବତନ କର୍ମଚାରୀ ଥିଲେ, ସେ ଅର୍ଥନୀତିକ ଅପରାଧ ଶାଖାରେ ତାଙ୍କ ନାଁରେ ଆସିଥିବା ବ୍ୟାଙ୍କ ଋଣ ସ୍କାମ୍ ସମ୍ପର୍କରେ ଅଭିଯୋଗ କରିଥିଲେ । ଆଉ ଅର୍ଥନୀତିକ ଅପରାଧ ଶାଖା ତୁରନ୍ତ ସୌମ୍ୟ ଓ ତାଙ୍କ କମ୍ପାନୀର ମାନବ ସମ୍ବଳ ଅଧିକାରୀ ଓ ଅନ୍ୟମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ସମ୍ବାଦ କାର୍ଯ୍ୟାଳୟରେ ରେଡ୍ କରିଥିଲା । ଏହାପରେ ପ୍ରାୟ ୩୦୦ରୁ ଅଧିକ ପୂର୍ବତନ କର୍ମଚାରୀ ଏହି ବ୍ୟାଙ୍କ ସ୍କାମ ସମ୍ପର୍କରେ ଅଭିଯୋଗ କରିଥିବା ଅର୍ଥନୀତିକ ଅପରାଧ ଶାଖା ପୂର୍ବରୁ ସୂଚନା ଦେଇଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସେକଥା ଦୋହରାଇଛନ୍ତି ।
ସୂଚନାଯୋଗ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ ୨୦୧୮ ମାର୍ଚ୍ଚ ମାସରେ ବିଜେଡିରେ ସାମିଲ ହୋଇଥିଲେ । ତାଙ୍କୁ ବିଜେଡି ପ୍ରଥମେ ରାଜ୍ୟସଭା ସାଂସଦ ଓ ପରେ ସେଠାରୁ ଫେରାଇ ଆଣି ଖଣ୍ଡପଡ଼ାରେ ଦଳୀୟ ବିଧାୟକ ପ୍ରାର୍ଥୀ କରିଥିଲା ଓ ସୌମ୍ୟ ବିଜୟୀ ହୋଇଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।