Advertisment

ପାଣ୍ଡିଆନଙ୍କୁ ସମାଲୋଚନା କରିଥିଲେ ସୌମ୍ୟ, ବିଜେଡିରୁ ବହିଷ୍କାର କଲେ ନବୀନ

ସୌମ୍ୟ ଗତ ଅଗଷ୍ଟ ମାସରେ ନିଜର ଆଲେଖ୍ୟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଭବ୍ୟ ଜିଲ୍ଲାଗସ୍ତକୁ ନେଇ ପ୍ରଶ୍ନ ଉଠାଇବା ସହ ଜଣେ ସଚିବ କଦାପି ରାଜନୀତି କରିବା କଥା ନୁହେଁ ବୋଲି କହିଥିଲେ।

ଅଦ୍ୟତନ ହୋଇଛି
soumya-ranjan-patnaik

soumya-ranjan-patnaik

Advertisment

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ନିଜ ଖବରକାଗଜର ସମ୍ପାଦକୀୟରେ ସମାଲୋଚନା କରିବା ବରିଷ୍ଠ ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି।

Advertisment

ସୌମ୍ୟ ଙ୍କ ବିରୁଦ୍ଧରେ ସମ୍ବାଦର ୩୦୦ରୁ ଊର୍ଦ୍ଧ୍ୱ ପୂର୍ବତନ କର୍ମଚାରୀମାନେ ସଂଗଠିତ ବ୍ୟାଙ୍କ  ଋଣ ସ୍କାମର ଅଭିଯୋଗ ଆଣିଛନ୍ତି ଓ ତାଙ୍କ ବିରୁଦ୍ଧରେ ଅର୍ଥନୀତିକ ଅପରାଧ ଶାଖାରେ ମାମଲା ରୁଜୁ କରାଯାଇଛି ବୋଲି ନବୀନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିପରି ଚାଷୀଙ୍କ ୩କୋଟି ଟଙ୍କାର କୃଷି ଋଣ ସବସିଡିକୁ ହଡ଼ପ କରିଥିବା ଅଭିଯୋଗ ଯୋଗୁ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ମଧ୍ୟ ବିଜେଡିରୁ ବହିଷ୍କାର କରାଯାଇଛି । ବିଜେଡି ପୂର୍ବରୁ ନିଜର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରିଥିବାବେଳେ ପ୍ରଶାନ୍ତ ଜଗଦେବଙ୍କୁ ନିଲମ୍ବିତ କରିଛି ।

ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦଳବିରୋଧୀ କାର୍ଯ୍ୟ ଯୋଗୁ ୨ଜଣ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ଶେଖର ପରିଡ଼ାଙ୍କୁ ବିଜେଡିରୁ ବହିଷ୍କାର କରାଗଲା ବୋଲି ସୂଚନା ଦେଇଛନ୍ତି । ନବୀନ କହିଛନ୍ତି ଯେ, ସମ୍ବାଦ ଖବରକାଗଜର ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଅର୍ଥନୀତିକ ଅପରାଧ ଶାଖାରେ ସୌମ୍ୟଙ୍କ ବିରୁଦ୍ଧରେ ଆଇପିସିର ଧାରା ୫୦୬,୪୬୭,୪୬୮,୪୭୧,୪୨୦ ଓ ୧୨୦-ଖରେ ମାମଲା ରୁଜୁ ହୋଇଛି । ପରେ ସମ୍ବାଦର ବହୁ ପୁରୁଣା କର୍ମଚାରୀମାନେ ମଧ୍ୟ ସମାନ ଅଭିଯୋଗ ଅର୍ଥନୀତିକ ଅପରାଧ ଶାଖାରେ କରିଛନ୍ତି । ୩୦୦ରୁ ଅଧିକ ପୂର୍ବତନ କର୍ମଚାରୀଙ୍କ ନାଁରେ ଜାଲ ଦସ୍ତାବିଜ ମାଧ୍ୟମରେ କୋଟି କୋଟି ଟଙ୍କା ଋଣ ଆଣିବା ପାଇଁ ଏହା ଏକ ସଂଗଠିତ ବ୍ୟାଙ୍କ ଜାଲିଆତିର ଗୁରୁତର ମାମଲା ବୋଲି ନବୀନ କହିଛନ୍ତି ।
ସେହିପରି ରେମୁଣା ବିଧାୟକ ଶ୍ରୀ ପରିଡ଼ାଙ୍କ ବିରୁଦ୍ଧରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ମାମଲାର ତଦନ୍ତ କରୁଛି । ନିଗମାନନ୍ଦ ଆସୋସିଏଟସର ପରିଚାଳନା ସହଯୋଗୀ ଭାବେ ୨୦୧୭-୧୮ରୁ ୨୦୧୯-୨୦ ମସିହା ମଧ୍ୟରେ ଶ୍ରୀ ପରିଡ଼ା ପ୍ରାୟ ୩କୋଟି ଟଙ୍କାରୁ ଅଧିକ କୃଷି ଋଣ ସବସିଡି ଅର୍ଥ ସମେତ ଅନ୍ୟ ସରକାରୀ ସବସିଡିକୁ ହଡ଼ପ କରିଥିବାର ଅଭିଯୋଗ ରହିଛି ବୋଲି ନବୀନ ସୂଚନା ଦେଇଛନ୍ତି ।

Advertisment

ଅନ୍ୟପକ୍ଷରେ ସୌମ୍ୟ ଗତ ଅଗଷ୍ଟ ମାସରେ ନିଜର ଆଲେଖ୍ୟ ମାଧ୍ୟମରେ  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଭବ୍ୟ ଜିଲ୍ଲାଗସ୍ତକୁ ନେଇ ପ୍ରଶ୍ନ ଉଠାଇବା ସହ ଜଣେ ସଚିବ କଦାପି ରାଜନୀତି କରିବା କଥା ନୁହେଁ ବୋଲି କହିଥିଲେ । ‘ସଚିବ ବଡ଼ ନା ମନ୍ତ୍ରୀ ବଡ଼’ ଓ ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ନେତା’ ଶୀର୍ଷକ ଦୁଇଟି ଆଲେଖ୍ୟ ମାଧ୍ୟମରେ ଓଡ଼ିଶା ପ୍ରଶାସନିକ ଓ ରାଜନୀତିରେ ଚାଲିଥିବା ବିସଙ୍ଗତିକୁ ଲୋକଲୋଚନକୁ ଆଣିଥିଲେ । ସେବେଠୁ ସୌମ୍ୟଙ୍କ ବିରୁଦ୍ଧରେ ସରକାରୀ କଳ ପକ୍ଷରୁ ପ୍ରାୟୋଜିତ ଆକ୍ରମଣ ଆରମ୍ଭ ହୋଇଛି । ଅବଶ୍ୟ ସୌମ୍ୟ ଯେଉଁସବୁ ପ୍ରଶ୍ନ କରିଥିଲେ ତା’ର ଉତ୍ତର ଏପର୍ଯ୍ୟନ୍ତ ବିଜେଡି କିମ୍ବା ସରକାରଙ୍କ ପକ୍ଷରୁ ଦିଆଯାଇନି । ମାତ୍ର ସଚିବଙ୍କ ବିରୁଦ୍ଧରେ ମୁହଁ ଖୋଲିଥିବା ଯୋଗୁ ତାଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇ ନାହାନ୍ତି । ପ୍ରଥମେ ବିଜେଡିର କିଛି ନେତାଙ୍କୁ ଆଗକୁ ଆଣି ସୌମ୍ୟଙ୍କୁ ଜଣେ ବ୍ଲାକମେଲର ବୋଲି ନିନ୍ଦିତ କରିବାକୁ ପ୍ରୟାସ କରାଯିବା ପରେ ତାଙ୍କୁ ଗତ ସପ୍ତାହରେ ଦଳର ଉପସଭାପତି ପଦରୁ ବରଖାସ୍ତ କରାଯାଇଥିଲା ।

ଏହାପରେ ତାଙ୍କ ବିରୁଦ୍ଧରେ ‘ସକାଳ’ ଖବରକାଗଜର ଜଣେ କର୍ମଚାରୀ ଯିଏକି ସମ୍ବାଦର ପୂର୍ବତନ କର୍ମଚାରୀ ଥିଲେ, ସେ ଅର୍ଥନୀତିକ ଅପରାଧ ଶାଖାରେ ତାଙ୍କ ନାଁରେ ଆସିଥିବା ବ୍ୟାଙ୍କ ଋଣ ସ୍କାମ୍ ସମ୍ପର୍କରେ ଅଭିଯୋଗ କରିଥିଲେ । ଆଉ ଅର୍ଥନୀତିକ ଅପରାଧ ଶାଖା ତୁରନ୍ତ ସୌମ୍ୟ ଓ ତାଙ୍କ କମ୍ପାନୀର ମାନବ ସମ୍ବଳ ଅଧିକାରୀ ଓ ଅନ୍ୟମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ସମ୍ବାଦ କାର୍ଯ୍ୟାଳୟରେ ରେଡ୍ କରିଥିଲା । ଏହାପରେ ପ୍ରାୟ ୩୦୦ରୁ ଅଧିକ ପୂର୍ବତନ କର୍ମଚାରୀ ଏହି ବ୍ୟାଙ୍କ ସ୍କାମ ସମ୍ପର୍କରେ ଅଭିଯୋଗ କରିଥିବା ଅର୍ଥନୀତିକ ଅପରାଧ ଶାଖା ପୂର୍ବରୁ ସୂଚନା ଦେଇଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ମଧ୍ୟ ସେକଥା ଦୋହରାଇଛନ୍ତି ।

ସୂଚନାଯୋଗ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ ୨୦୧୮ ମାର୍ଚ୍ଚ ମାସରେ ବିଜେଡିରେ ସାମିଲ ହୋଇଥିଲେ । ତାଙ୍କୁ ବିଜେଡି ପ୍ରଥମେ ରାଜ୍ୟସଭା ସାଂସଦ ଓ ପରେ ସେଠାରୁ ଫେରାଇ ଆଣି ଖଣ୍ଡପଡ଼ାରେ ଦଳୀୟ ବିଧାୟକ ପ୍ରାର୍ଥୀ କରିଥିଲା ଓ ସୌମ୍ୟ ବିଜୟୀ ହୋଇଥିଲେ ।

BjD Soumya Ranjan Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe