ଯୋଗ୍ୟ ହିତାଧିକାରୀ ତାଲିକା ଦେଇନଥିଲା ବିଜେଡି ସରକାର, ଫେରିଯାଇଛି ୬.୫୭ଲକ୍ଷ ଘର

ଯଦିଓ ରାଜ୍ୟର ପ୍ରାୟ ୪୧ ପ୍ରତିଶତ ପରିବାର ପାଖରେ ପକ୍କାଘର ନାହିଁ ବୋଲି ଚଳିତମାସରେ ପ୍ରକାଶିତ ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି ।

ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ

  • Published: Tuesday, 30 July 2024
  • , Updated: 30 July 2024, 09:46 PM IST

ବିଜେଡି ସରକାରର ତ୍ରୁଟି ଯୋଗୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଆବଂଟିତ ପ୍ରାୟ ୬.୫୭ଲକ୍ଷ ଘରକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଇଥିଲେ । ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେବାରେ ଓଡ଼ିଶା ସରକାର ବିଫଳ ହୋଇଥିବାରୁ ଏହି ଘର ଫେରିଯାଇଥିବା ଜଣାପଡ଼ିଛି । ଯଦିଓ ରାଜ୍ୟର ପ୍ରାୟ ୪୧ ପ୍ରତିଶତ ପରିବାର ପାଖରେ ପକ୍କାଘର ନାହିଁ ବୋଲି ଚଳିତମାସରେ ପ୍ରକାଶିତ ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି ।

ଆଜି ବିଧାନସଭାରେ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ୨୦୧୬-୧୭ରୁ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଦାନ କରିଥିବା ଧାର୍ଯ୍ୟଲକ୍ଷ୍ୟ ମଧ୍ୟରୁ ୬ଲକ୍ଷ ୫୬ହଜାର ୯୪୫ଟି ଗୃହକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ସ୍ଥାୟୀ ପ୍ରତୀକ୍ଷା ତାଲିକାରେ ଯୋଗ୍ୟ ହିତାଧିକାରୀ ନଥିବା କାରଣରୁ ପ୍ରତ୍ୟାହାର କରିନେଇଥିଲେ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତାରେ ବିଭିନ୍ନ ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ଅଧୀନରେ ୨୦୧୪-୧୫ ଆର୍ଥିକ ବର୍ଷରୁ ଆଜିସୁଦ୍ଧା ୩୪,୭୨.୦୦୦ ଗୃହ ମଞ୍ଜୁର ହୋଇଛି ଓ ୨୦୧୪ ମସିହା ପୂର୍ବରୁ ମଞ୍ଜୁର ହୋଇଥିବା ୭ଲକ୍ଷ ୪୬ହଜାର ୩୬୪ଟି ଗୃହ ଅସମ୍ପୂର୍ଣ୍ଣ ରହିଛି । ଏପରି ମୋଟ ୪୨ଲକ୍ଷ ୧୮ହଜାର ୩୬୪ ମଞ୍ଜୁର ହୋଇଥିବା  ଗୃହ ମଧ୍ୟରୁ ୨୦୧୪-୧୫ ମସିହା ପର୍ଯ୍ୟନ୍ତ ୩୬,୫୭,୮୪୭ ଗୃହର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏଥି ମଧ୍ୟରୁ ୫ଲକ୍ଷ ୨୭ହଜାର ୬୦୪ ଗୃହ ନିର୍ମାଣଧୀନ ଅଛି ଓ ୩୨,୯୧୩ଗୃହର କାର୍ଯ୍ୟାରମ୍ଭ ହୋଇନାର୍ହି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର ସ୍ଥାୟୀ କ୍ରମିକ ତାଲିକାରେ ସାମିଲ ହୋଇଥିବା ୧,୨୬,୭୧୯ ପରିବାର ଏବେବି ଗୃହ ମଞ୍ଜୁରୀ ଅପେକ୍ଷାରେ ରହିଛନ୍ତି । କେନ୍ଦ୍ର ସରକାରଙ୍କଠାରୁ ଧାର୍ଯ୍ୟ ଲକ୍ଷ୍ୟପ୍ରାପ୍ତି ପରେ ସେମାନଙ୍କୁ ଗୃହ ମଞ୍ଜୁର କରାଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର ସ୍ଥାୟୀ କ୍ରମିକ ତାଲିକାରେ ସାମିଲ ହୋଇନଥିବା ଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା କେନ୍ଦ୍ର ସରକାରଙ୍କ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟଠାରୁ ଅନୁମତି ମିଳିବା ପରେ ଆରମ୍ଭ କରାଯିବ ।

ସେହିପରି ବିଧାୟକମାନଙ୍କୁ ସ୍ୱତନ୍ତ୍ର ଘର ବିତରଣ କରିବା ପାଇଁ ବିଜୁ ପକ୍କାଘର ଯୋଜନାରେ ଥିବା ବ୍ୟବସ୍ଥାର ପୁନଃବିଚାର କରି ଆବଶ୍ୟକ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ।

Related story