ନିର୍ବାଚନ ପୂର୍ବରୁ ବିଜେଡି ସରକାର ବାଣ୍ଟିଥିଲେ ୨୫୨କୋଟି ଟଙ୍କାର ଝୋଟବ୍ୟାଗ

ରାଜ୍ୟବାସୀ ବିଜେଡି ସରକାରକୁ ବାଏବାଏ କରି ବିଜେପି ସରକାରକୁ କ୍ଷମତାସୀନ କରିବା ପରେ ଏହି ତଥ୍ୟ ପଦାକୁ ଆସିଛି ।

ବିଜେଡି ସରକାର ଅମଳରେ ବଣ୍ଟା ଯାଇଥିବା ବ୍ୟାଗ।

  • Published: Wednesday, 27 November 2024
  • , Updated: 27 November 2024, 09:22 PM IST

ରାଜନୀତିକ ପ୍ରଚାର ପାଇଁ ତତକାଳୀନ ବିଜେଡି ସରକାର ରାଜ୍ୟ ରାଜକୋଷକୁ ମନଇଚ୍ଛା ଅପବ୍ୟବହାର କରିଛନ୍ତି । କୌଣସି ଯଥାର୍ଥ କାରଣ ନଥାଇ ଝୋଟବ୍ୟାଗ ବାଂଟିବା ଆଳରେ ୨୫୨.୪୧କୋଟି ଟଙ୍କା ଅପଚୟ କରିବାକୁ ପଛାଇନାହାନ୍ତି । ରାଜ୍ୟର ପ୍ରାୟ ୯୫ଲକ୍ଷ ୯୦ହଜାର ୨୨୦ଟି ରାସନକାର୍ଡଧାରୀ ପରିବାରକୁ ନିର୍ବାଚନ ପୂର୍ବରୁ ‘ଫାଇଭ-ଟି ଲୋଗୋ, ଶଙ୍ଖଚିହ୍ନ ଓ ଆମଓଡ଼ିଶା ନବୀନ ଓଡ଼ିଶା’ ଲେଖା ଥାଇ ୨ଟି ଲେଖାଏଁ ଝୋଟବ୍ୟାଗ୍ ବାଂଟିଥିଲେ । ରାଜ୍ୟବାସୀ ବିଜେଡି ସରକାରକୁ ବାଏବାଏ କରି ବିଜେପି ସରକାରକୁ କ୍ଷମତାସୀନ କରିବା ପରେ ଏହି ତଥ୍ୟ ପଦାକୁ ଆସିଛି ।

ଆଜି ବିଧାନସଭାରେ ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ରାସନକାର୍ଡଧାରୀମାନଙ୍କୁ ଦୁଇଟି ଲେଖାଏଁ ଝୋଟବ୍ୟାଗ ଦିଆଯାଇଛି । ଗାଙ୍ଗେଜ୍ ଜୁଟ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାଠାରୁ ୧କୋଟି ୯୧ଲକ୍ଷ ୮୦ହଜାର ୪୪୦ଟି ବ୍ୟାଗ କ୍ରୟ କରାଯାଇଛି । ଗୋଟିଏ ବ୍ୟାଗ ୨୦କିଲୋ ଓ ଅନ୍ୟଟି ୧୦କିଲୋ ଓଜନ ବିଶିଷ୍ଟ ଥିଲା । ପ୍ରତ୍ୟେକ ରାସନକାର୍ଡଧାରୀ ପରିବାରକୁ ଏହି ଝୋଟବ୍ୟାଗରୁ ଦୁଇଟି ଲେଖାଁଏ ଦିଆଯାଇଥିଲା । ଅନ୍ୟ ୪ଟି ସଂସ୍ଥା ବିର୍ଲା କର୍ପୋରେସନ, ଗ୍ଲୋଷ୍ଟର ପ୍ରାଃ ଲିମିଟେଡ୍‌, ବାଲୀଫାବସ୍ ଇଂଟରନ୍ୟାସନାଲ,ଶକ୍ତିଗଡ଼ ଟେକ୍ସଟାଇଲ୍ ପ୍ରାଃ ଲିମିଟେଡ୍ ସଂସ୍ଥା ଟେଣ୍ଡରରେ ସାମିଲ ହୋଇଥିଲେ । ଝୋଟବ୍ୟାଗ ଦେଇଥିବା ସଂସ୍ଥାଠୁ ସିକ୍ୟୁରିଟି ଡିପୋଜିଟ୍‌, ଜିଏସଡି ଓ ଟିଡିଏସ୍ ଆଦିବାବଦରେ ମୋଟ ୧୭.୩୮କୋଟି ଟଙ୍କା ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।

ସୂଚନାଯୋଗ୍ୟ, ଗତ ମୌସୁମୀ ଅଧିବେଶନବେଳେ ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ଏହି ଝୋଟବ୍ୟାଗ ବଂଟନରେ ୨୪୭.୩୬କୋଟି ଟଙ୍କା ବ୍ୟୟ ହୋଇଛି ବୋଲି ବିଧାୟକ ଅମରେନ୍ଦ୍ର ଦାସଙ୍କ ପ୍ରଶ୍ନର ଉତ୍ତରରେ ଦର୍ଶାଇଥିଲେ । କିନ୍ତୁ ଆଜି ଏହି ପରିମାଣରେ ବୃଦ୍ଧି ହୋଇଛି ।

ଆଜି ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି ଯେ, ରାସନକାର୍ଡଧାରୀ ପରିବାରକୁ ତତକାଳୀନ ବିଜେଡି ସରକାର ୨ଟି ଲେଖାଁଏ ବ୍ୟାଗ ବଂଟନ କରିଛି, ଯାହାର ହାରାହାରି ଦର ୨୬୩.୧୯ଟଙ୍କା ହେବ ବୋଲି ଆକଳନ କରାଯାଉଛି ।

ସେତେବେଳେ ଏହି ବ୍ୟାଗ ବଂଟନକୁ ନେଇ ବିରୋଧୀ ଦଳ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିଲା । ବିଜେଡିର ଚିହ୍ନ ଶଙ୍ଖ ଥାଇ ଏହି ବ୍ୟାଗ ବଂଟନ କରାଯାଇଥିଲା ।

Related story