ବିଜେଡି ସରକାରର ଭୁଲ୍ ପାଇଁ ପଙ୍ଗୁ ପାଲଟିଛି ଲୋକାୟୁକ୍ତ, ଶୁଣାଣି ବି ହେଇପାରୁନି

ରାଜ୍ୟର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ୍ ସିଂଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୨୦ତାରିଖରେ ଶେଷ ହୋଇଛି। ସେହିପରି ଲୋକାୟୁକ୍ତ ସଦସ୍ୟ ଜଷ୍ଟିସ ବିକେ ନାୟକଙ୍କର ମାର୍ଚ୍ଚ ୩୧ତାରିଖ ଓ ଦେବବ୍ରତ ସ୍ୱାଇଁଙ୍କର ଏପ୍ରିଲ ୪ତାରିଖରେ କାର୍ଯ୍ୟକାଳ ସରିଛି।

ଓଡ଼ିଶା ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ

  • Published: Monday, 08 July 2024
  • , Updated: 08 July 2024, 10:46 PM IST

ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ନିଜର କ୍ଷମତାର ମାତ୍ରାଧିକ ଉପଯୋଗ କରି ରାଜ୍ୟରେ  ବୈଧାନିକ ସଂସ୍ଥାଗୁଡ଼ିକୁ କିଭଳି ପଙ୍ଗୁ କରିଦେଇଛନ୍ତି ତା’ର ସଦ୍ୟ ଉଦାହରଣ ହେଉଛି ଓଡ଼ିଶା ଲୋକାୟୁକ୍ତ । ଏବେ ଏହି ସଂସ୍ଥା ସମ୍ପୂର୍ଣ୍ଣ ପଙ୍ଗୁ ହୋଇଯାଇଛି । ଲୋକାୟୁକ୍ତ ଅଧ୍ୟକ୍ଷ ଓ ଅନ୍ୟ ୨ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଗତ ୪ମାସ ପୂର୍ବରୁ ଶେଷ ହୋଇଥିବାବେଳେ ଆସନ୍ତାମାସ ପ୍ରଥମ ସପ୍ତାହରେ ବାକି ଥିବା ଅନ୍ୟଜଣେ ସଦସ୍ୟଙ୍କ କାର୍ଯ୍ୟକାଳ ସରିବ । ମାତ୍ର ନିଜର ତୋଷାମଦକାରୀଙ୍କୁ ଲୋକାୟୁକ୍ତରେ ଥଇଥାନ କରିବା ଉଦ୍ଦେଶ୍ୟରେ ପୂର୍ବର ବିଜେଡି ସରକାର ସବୁ ନିୟମକୁ ଦଳିଚକଟି ଦେଇଛି, ଯେଉଁଥିପାଇଁ ଏବେ ଲୋକାୟୁକ୍ତ ସମ୍ପୂର୍ଣ୍ଣ ଅଚଳ ଅବସ୍ଥାରେ ରହିବାକୁ ବାଧ୍ୟ ହୋଇଛି । ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାର ପ୍ରାୟ ୩ମାସ ପୂର୍ବରୁ ଚୟନ ପ୍ରକ୍ରିୟା ଆରମ୍ଭ ପାଇଁ ନିୟମ ଥିଲେ ମଧ୍ୟ ପୂର୍ବର ବିଜେଡି ସରକାରର ତ୍ରୁଟି ଯୋଗୁ ଏବେ ଏଭଳି ଅଚଳାବସ୍ଥା ସୃଷ୍ଟି  ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ରାଜ୍ୟର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ୍ ସିଂଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୨୦ତାରିଖରେ ଶେଷ ହୋଇଛି । ସେହିପରି ଲୋକାୟୁକ୍ତ ସଦସ୍ୟ ଜଷ୍ଟିସ ବିକେ ନାୟକଙ୍କର ମାର୍ଚ୍ଚ ୩୧ତାରିଖ ଓ ଦେବବ୍ରତ ସ୍ୱାଇଁଙ୍କର ଏପ୍ରିଲ ୪ତାରିଖରେ କାର୍ଯ୍ୟକାଳ ସରିଛି । ଏବେ ଏକମାତ୍ର ସଦସ୍ୟ ଆର ପି ଶର୍ମା ଅଛନ୍ତି ଯାହାଙ୍କ କାର୍ଯ୍ୟକାଳ ଅଗଷ୍ଟ ୮ତାରିଖରେ ସରିବ । ତେବେ ଓଡ଼ିଶା ଲୋକାୟୁକ୍ତ ଆଇନ ୨୦୧୪ର ପ୍ରାବଧାନ ଅନୁସାରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାର ୩ମାସ ପୂର୍ବରୁ ରାଜ୍ୟ ସରକାରଙ୍କୁ ନୂଆ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାର ଆବଶ୍ୟକତା ରହିଛି । ମାତ୍ର କ୍ଷମତା ନିଶାରେ ମସଗୁଲ ତତକାଳୀନ ବିଜେଡି ସରକାର ୨୦୨୪ ଫେବୃୟାରୀ ୨୮ତାରିଖରେ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଓ ୫ଜଣ ସଦସ୍ୟ(୨ଜଣ ଜୁଡିସିଆଲ ସଦସ୍ୟ) ପଦବୀ ପାଇଁ ବିଜ୍ଞାପନ ଦେଇ ଅନଲାଇନରେ ଆବେଦନ ଆହ୍ୱାନ କଲେ ।  ମାର୍ଚ୍ଚ ୧୧ତାରିଖ ଆବେଦନର ଶେଷ ତାରିଖ ଧାର୍ଯ୍ୟ ହୋଇଥିଲା ଓ ଏହି ଅବଧି ପରେ ରାଜ୍ୟ ସରକାର ଆବେଦନ ଗ୍ରହଣ କରିବା ବନ୍ଦ କରିଦେଇଛନ୍ତି ।

ଖୋଳତାଡ଼ରୁ ଜଣାପଡ଼ିଛି ଯେ, ଏହି ଆବେଦନକାରୀଙ୍କ ମଧ୍ୟରୁ ନିଜର କିଛି ତୋଷାମଦକାରୀ ଅଫିସରଙ୍କୁ ଥଇଥାନ କରିବା ଉଦ୍ଦେଶ୍ୟ ରଖି ପୂର୍ବର ବିଜେଡି ସରକାର ଏହି ଚୟନ ପ୍ରକ୍ରିୟାକୁ ଆଗେଇ ନଥିଲେ । ଯଦିଓ ନିର୍ବାଚନ ସରିବାବେଳକୁ ଲୋକାୟୁକ୍ତ ପଙ୍ଗୁ ଅବସ୍ଥାକୁ ଆସିଯାଇଥିବ ବୋଲି ବିଜେଡି ସରକାର ଭଲଭାବେ ଅବଗତ ଥିଲେ । ତଥାପି ପୁଣିଥରେ କ୍ଷମତାକୁ ଫେରିବାକୁ ନେଇ ନିଶ୍ଚିତ ଥିବା ବିଜେଡି ନିଜର ଲୋକମାନଙ୍କୁ ଥଇଥାନ କରିବା ପାଇଁ ବୈଧାନିକ ସଂସ୍ଥାକୁ ବି ପଙ୍ଗୁ କରିବାକୁ ପଛାଇ ନଥିଲା । ଯାହା ଏବେ ସ୍ପଷ୍ଟ ହୋଇଛି । ଉଦାହରଣ ସ୍ୱରୂପ, ପୂର୍ବତନ ପୁଲିସ ଡିଜି ସୁନୀଲ କୁମାର ବଂଶଲ ଲୋକାୟୁକ୍ତ ସଦସ୍ୟ ହେବା ପାଇଁ ଆବେଦନ କରି ଗତ ୭ମାସ ଧରି ଓଡ଼ିଶାରେ ପଡ଼ି ରହିଛନ୍ତି । ସରକାରୀ କ୍ୱାର୍ଟର୍ସ ବି ଛାଡ଼ିନଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୪(ଓଡ଼ିଶା ଆକ୍ଟ ୧୨,୨୦୧୮) ପ୍ରାବଧାନ ଅନ୍ତର୍ଗତ ଏପର୍ଯ୍ୟନ୍ତ ସର୍ଚ୍ଚ କମିଟି ଗଠନ ହୋଇନାହିଁ । ଯେଉଁ ସର୍ଚ୍ଚ କମିଟି ହିଁ ଆବେଦନଗୁଡ଼ିକୁ ଯାଂଚ କରି ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକାକୁ ସିଲେକ୍ସନ କମିଟି ପାଖକୁ ପଠାଇବ । ଆଇନ ଓ ବିଭିନ୍ନ ବିଷୟରେ ଅଭିଜ୍ଞତା ଥିବା ବ୍ୟକ୍ତିମାନଙ୍କୁ ଏହି ସର୍ଚ୍ଚ କମିଟିର  ଅଧ୍ୟକ୍ଷ ଓ ସଦସ୍ୟ ଭାବେ ମନୋନୀତ କରାଯାଇଥାଏ । ସର୍ଚ୍ଚ କମିଟିର ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ମିଶାଇ ସର୍ବନିମ୍ନ ୫ଜଣ ସଦସ୍ୟ ରହିବା ଜରୁରୀ । ଆଉ ଏହି ସର୍ଚ୍ଚ କମିଟିକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ରାଜ୍ୟ ସିଲେକ୍ସନ କମିଟି ମନୋନୀତ କରିଥାନ୍ତି । ସିଲେକ୍ସନ କମିଟିରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ବାଚସ୍ପତି, ବିରୋଧୀ ଦଳ ନେତା, ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ରାଜ୍ୟପାଳ-ସରକାରଙ୍କ ଦ୍ୱାରା ମନୋନୀତ ବିଚାରପତି ସଦସ୍ୟ ରହିଥାନ୍ତି ।

ତେବେ ଇତିମଧ୍ୟରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ପାଇଁ ଆବେଦନ ଗ୍ରହଣ କରିଥିôବା ସରକାର ଏପର୍ଯ୍ୟନ୍ତ ସର୍ଚ୍ଚ କମିଟି ଗଠନ କରିବାକୁ ସକ୍ଷମ ହୋଇନାହାନ୍ତି । ସର୍ଚ୍ଚ କମିଟି ତ ଦୂରର କଥା ସିଲେକ୍ସନ କମିଟିର ଶେଷ ମନୋନୀତ ସଦସ୍ୟ କିଏ ହେବେ ତାହା ମଧ୍ୟ ଚୂଡ଼ାନ୍ତ ହୋଇନାହିଁ । ସେହିପରି ଆବେଦନଗୁଡ଼ିକର ଯାଂଚ କରି ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ସିଲେକ୍ସନ କମିଟିଙ୍କୁ ସୁପାରିଶ କରିବା ପାଇଁ ସର୍ଚ୍ଚ କମିଟିକୁ ଅତିକମରେ ଏକମାସ ସମୟ ଦିଆଯିବାର ପ୍ରାବଧାନ ରହିଛି । ତେଣୁ ଏଭଳି ସ୍ଥିତିରେ ଆସନ୍ତା ୮ତାରିଖ  ସୁଦ୍ଧା ରାଜ୍ୟରେ ଲୋକାୟୁକ୍ତ ଅଧ୍ୟକ୍ଷ କିମ୍ବା ସଦସ୍ୟ ନିଯୁକ୍ତି ହେବାର ସମ୍ଭାବନା କ୍ଷୀଣ ।  ଏବେ ଲୋକାୟୁକ୍ତର ଏକମାତ୍ର ସଦସ୍ୟ ଶ୍ରୀ ଶର୍ମା ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ ମଧ୍ୟ ସେ ଜୁଡିସିଆଲ ସଦସ୍ୟ ହୋଇନଥିବା ତଥା ସର୍ବନିମ୍ନ କୋରମ୍ ନଥିବାରୁ କୌଣସି ଅଭିଯୋଗର ଶୁଣାଣି କରିବାକୁ ସକ୍ଷମ ହୋଇପାରୁନାହାନ୍ତି ।

ଚର୍ଚ୍ଚା ହେଉଛି, ଓଡ଼ିଶା ଲୋକାୟୁକ୍ତ ବାବଦରେ ରାଜକୋଷରୁ ବାର୍ଷିକ ପ୍ରାୟ ୯ରୁ ୧୦କୋଟି ଟଙ୍କା ବ୍ୟୟ ହେଉଛି ସତ କିନ୍ତୁ ଏପର୍ଯ୍ୟନ୍ତ ଲୋକାୟୁକ୍ତ ଗୋଟିଏ ବି ଦୃଷ୍ଟାନ୍ତମୂଳକ ରାୟ ଦେଇପାରିନାହାନ୍ତି ଯାହା ଏହି ବୈଧାନିକ ସଂସ୍ଥା ପ୍ରତି ସାଧାରଣ ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବାରେ ସକ୍ଷମ ହୋଇପାରିବ । ଦୁର୍ନୀତିରେ ଲିପ୍ତ ଅଫିସର ଓ ନେତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଗଠିତ ଏହି ଲୋକାୟୁକ୍ତ ସଂସ୍ଥାକୁ ପୂର୍ବର ନବୀନ ପଟ୍ଟନାୟକ ସରକାର ସୁଚିନ୍ତିତ ଢଙ୍ଗରେ ଦନ୍ତହୀନ କରିଦେଇଥିବା ଜଳଜଳ ହୋଇ ଜଣାପଡ଼ୁଛି ।

Related story