ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ୫୪.୬୦କୋଟି ଟଙ୍କା ବାଂଟିଛି ବିଜେଡି, ଟଙ୍କାଟିଏ ବି ଦେଇନି କଂଗ୍ରେସ ଓ ଆପ୍

ଜାତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେଡି ଦାଖଲ କରିଥିବା ତଥ୍ୟ ଅନୁସାରେ, ଦଳ ନିଜର ସମସ୍ତ ୨୧ଜଣ ଲୋକସଭା ପ୍ରାର୍ଥୀଙ୍କୁ ଟିକେଟ୍ ସହ ୫୦ଲକ୍ଷ ଟଙ୍କା ଲେଖାଏଁ ନିର୍ବାଚନୀ ଖର୍ଚ୍ଚ ଦେଇଥିଲା।

Representational Image

  • Published: Monday, 05 August 2024
  • , Updated: 05 August 2024, 10:49 PM IST

ରାଜ୍ୟରେ ସଦ୍ୟ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନରେ ବିଜେଡି ନିଜର ପ୍ରାର୍ଥୀମାନଙ୍କୁ ଲଢ଼ିବା ପାଇଁ ଟିକେଟ୍ ସହ ୫୪.୬୦କୋଟି ଟଙ୍କା ଦେଇଛି । ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଚଳିତ ନିର୍ବାଚନରେ ୧୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ବିଜୟୀ ହୋଇଥିଲେ ମଧ୍ୟ ଦଳ ତା’ର ପ୍ରାର୍ଥୀଙ୍କୁ ଟଙ୍କାଟିଏ ବି ନିର୍ବାଚନୀ ଖର୍ଚ୍ଚ ଦେଇନାହିଁ । ସେହିପରି ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇଥିବା ସିପିଆଇଏମଏଲ୍‌, ଆମ୍ ଆଦମୀ ପାର୍ଟି ଓ ବିଏସପି ଟଙ୍କାଟିଏ ଖର୍ଚ୍ଚ କରିନଥିବାବେଳେ ସମାଜବାଦୀ ପାର୍ଟି ୨୯ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ତଥ୍ୟରୁ ଜଣାପଡ଼ିଛି । ଅବଶ୍ୟ ବିଜେଡି ନିଜର ଆଂଶିକ ଖର୍ଚ୍ଚ ଦାଖଲ କରି କେବଳ ପ୍ରାର୍ଥୀଙ୍କୁ ଦେଇଥିବା ଟଙ୍କାର ହିସାବ  ସାର୍ବଜନୀନ କରିଛି । ମାତ୍ର ବିଜେଡି ନିଜର ନିର୍ବାଚନୀ ପରିଚାଳନା, ଷ୍ଟାର ପ୍ରଚାରକ ଓ ଅନ୍ୟାନ୍ୟ ମାଧ୍ୟମରେ ପ୍ରଚାର ଅଭିଯାନରେ କେତେ ଟଙ୍କା ଖର୍ଚ୍ଚ କରିଛି ତା’ର ହିସାବ ଦେଇନାହିଁ ।

ଜାତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେଡି ଦାଖଲ କରିଥିବା ତଥ୍ୟ ଅନୁସାରେ, ଦଳ ନିଜର ସମସ୍ତ ୨୧ଜଣ ଲୋକସଭା ପ୍ରାର୍ଥୀଙ୍କୁ ଟିକେଟ୍ ସହ ୫୦ଲକ୍ଷ ଟଙ୍କା ଲେଖାଏଁ ନିର୍ବାଚନୀ ଖର୍ଚ୍ଚ ଦେଇଥିଲା । ଯଦିଓ ବିଜେଡିର ଜଣେ ବି ପ୍ରାର୍ଥୀ ଲୋକସଭା ନିର୍ବାଚନରେ ବିଜୟୀ ହୋଇନାହାନ୍ତି । ମାତ୍ର ଦଳ ସେହି ୨୧ଜଣ ପ୍ରାର୍ଥୀଙ୍କୁ ମୋଟ ୧୦.୫୦କୋଟି ଟଙ୍କା ଦେଇଛି । ସେହିପରି ଦଳ ନିଜର ସମସ୍ତ ୧୪୭ଟି ବିଧାୟକ ପ୍ରାର୍ଥୀଙ୍କୁ ୩୦ଲକ୍ଷ ଟଙ୍କା ଲେଖାଏଁ ଦେଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇଟି ଆସନରେ ଲଢ଼ିବା ପାଇଁ ୬୦ଲକ୍ଷ ଟଙ୍କା ନେଇଥିବାବେଳେ ଅନ୍ୟ ୧୪୫ଜଣ ପ୍ରାର୍ଥୀ ଦଳଠାରୁ ୩୦ଲକ୍ଷ ଟଙ୍କା ଲେଖାଏଁ ନେଇଛନ୍ତି । ବିଧାୟକ ପ୍ରାର୍ଥୀମାନଙ୍କୁ ଦଳ ମୋଟ ୪୪.୧୦କୋଟି ଟଙ୍କା ଦେଇଛି । ଦଳର କୋଷାଧ୍ୟକ୍ଷ ସୁବାସ ସିଂ ଦାଖଲ କରିଥିବା ତଥ୍ୟ ଅନୁସାରେ ସମସ୍ତ ୨୧ ସାଂସଦ ପ୍ରାର୍ଥୀ ଓ ୧୪୭ ବିଧାୟକ ପ୍ରାର୍ଥୀଙ୍କୁ ମୋଟ ୫୪.୬୦କୋଟି ଟଙ୍କା ଦଳ ନିର୍ବାଚନ ଲଢ଼ିବା ପାଇଁ ଦେଇଥିଲା । ଦଳ ଏହି ସମସ୍ତ ପାଣ୍ଠି ଆରଟିଜିଏସ୍ ମାଧ୍ୟମରେ ସମ୍ପୃକ୍ତ ପ୍ରାର୍ଥୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦେଇଥିବା ଶ୍ରୀ ସିଂ ଦର୍ଶାଇଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକେନ୍ ଦାଖଲ କରିଥିବା ତଥ୍ୟ ଅନୁସାରେ ଦଳ ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ କୌଣସି ପ୍ରାର୍ଥୀଙ୍କୁ ଟଙ୍କାଟିଏ ଦେଇନାହିଁ । ଯଦିଓ ଦଳ ୧୪୫ଟି ଆସନରେ ନିଜର ପ୍ରାର୍ଥୀ ଦେଇଥିଲା କିନ୍ତୁ କୌଣସି ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ିବା ପାଇଁ ପାଣ୍ଠି ଦେଇନଥିବା ନିର୍ବାଚନ ଆୟୋଗଙ୍କୁ ଅବଗତ କରିଛି ।

ସେହିପରି ସମାଜବାଦୀ ପାର୍ଟି କେବଳ କଳାହାଣ୍ଡି ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀ ଶିବ ହାତୀଙ୍କୁ ୫ଲକ୍ଷ ଟଙ୍କା ଦେଇଥିବାବେଳେ ଅନ୍ୟ ୧୨ଜଣ ବିଧାୟକ ପ୍ରାର୍ଥୀଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ଦେଇଥିବା ନିର୍ବାଚନ ଆୟୋଗଙ୍କୁ ଜଣାଇଛି । ସମାଜବାଦୀ ପାର୍ଟି କେନ୍ଦ୍ରାପଡ଼ା ଲୋକସଭା ଆସନର ପାଟକୁରା, ମହାକାଳପଡ଼ା, ରାଜନଗର, ସାଲେପୁର ଓ ମାହାଙ୍ଗା ବିଧାନସଭା ଆସନ,ଫୁଲବାଣୀ ବିଧାନସଭା ଆସନ ଓ କଳାହାଣ୍ଡି ଲୋକସଭା ଅନ୍ତର୍ଗତ ନୂଆପଡ଼ା, ଖଡ଼ିଆଳ,ଧର୍ମଗଡ଼, ଭବାନୀ ପାଟଣା, ଲାଞ୍ଜିଗଡ଼ର ଦଳୀୟ ପ୍ରାର୍ଥୀଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ନିର୍ବାଚନୀ ଖର୍ଚ୍ଚ ଦେଇଥିବା ଦର୍ଶାଇଛି।

ତେବେ ଆମ୍ ଆଦମୀ ପାର୍ଟି, ବିଏସପି,ସିପିଏମଏଲ ପାର୍ଟି ଓଡ଼ିଶାରେ ଟଙ୍କାଟିଏ ବି ଖର୍ଚ୍ଚ କରିନଥିବା କହିଛନ୍ତି ।

ଅନ୍ୟପକ୍ଷରେ ବିଜେପି ରାଜ୍ୟରେ କେତେ ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିଛି ତା’ର ତଥ୍ୟ ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ସାର୍ବଜନୀନ ହୋଇନଥିବା ଜଣାପଡ଼ିଛି ।

Related story