ବିଜେଡିକୁ ଭରସା ଦଳଡ଼ିଆଁ: କଂଗ୍ରେସ ନେତାଙ୍କୁ ଥଇଥାନ ପାଇଁ ଝୁଲିଛି ଟିକେଟ୍ ବଂଟନ

୨୪ବର୍ଷ ଧରି ରାଜ୍ୟରେ ନିରଙ୍କୁଶ କ୍ଷମତାରେ ଥିବା ୨୭ବର୍ଷର ଦଳ ବିଜେଡି ନିଜର ନେତାମାନଙ୍କ ଉପରେ ଭରସା କରିପାରୁନି ।

representational image

  • Published: Friday, 05 April 2024
  • , Updated: 05 April 2024, 10:30 PM IST

କଂଗ୍ରେସ ନେତାଙ୍କୁ ଦଳୀୟ ଟିକେଟ୍ ଦେଇ ଥଇଥାନ କରିବା ପାଇଁ ବିଜେଡି ଏବେ କସରତକୁ ଜୋରଦାର କରିଛି । ଦଳ ୩ଟି ପର୍ଯ୍ୟାୟରେ ୧୦୮ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ମଧ୍ୟ ଏବେବି ୩୯ଟି ଆସନକୁ ଝୁଲାଇ ରଖିଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଆସନ ମଧ୍ୟରୁ ୪ଟି, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ୫ଟି ବିଧାନସଭା ଆସନ ଉପରେ ଦଳ ଆଜି ବି ନିଷ୍ପତ୍ତି ନେଇପାରିନି । କଂଗ୍ରେସରୁ ଆସିବାକୁ ଥିବା ନେତାଙ୍କୁ ଅପେକ୍ଷା କରି ବିଜେଡି ଏହି ଟିକେଟ୍ ବଂଟନ ପ୍ରକ୍ରିୟାକୁ ଝୁଲାଇ ରଖିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ୨୪ବର୍ଷ ଧରି ରାଜ୍ୟରେ ନିରଙ୍କୁଶ କ୍ଷମତାରେ ଥିବା ୨୭ବର୍ଷର ଦଳ ବିଜେଡି ନିଜର ନେତାମାନଙ୍କ ଉପରେ ଭରସା କରିପାରୁନି । ଯେଉଁଥିପାଇଁ ସେମାନଙ୍କୁ ଟିକେଟ୍ ଦେବା ପରିବର୍ତ୍ତେ ଏବେ ଦଳଡ଼ିଆଁଙ୍କୁ ଉପରେ ମାତ୍ରାଧିକ ଭରସା କରିବାରେ ଲାଗିଛି । ବିଜେଡି ଏବେ ରାଜ୍ୟରେ ‘କଂଗ୍ରେସମୁକ୍ତ ଓଡ଼ିଶା’ର ସ୍ଲୋଗାନକୁ ବାସ୍ତବରେ କାର୍ଯ୍ୟକାରୀ କରୁଥିବାବେଳେ କଂଗ୍ରେସରୁ ଆସୁଥିବା ନେତାମାନଙ୍କୁ ଦଳୀୟ ଟିକେଟ୍ ଧରାଇ ପୁରସ୍କୃତ କରିବାକୁ ପଛାଉନାହିଁ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୨୮ଟି ବିଧାନସଭା ଆସନ ମଧ୍ୟରୁ ୪ଟି ଯଥା ନର୍ଲା, ଲକ୍ଷ୍ମୀପୁର, ଜୟପୁର ଓ ଚିତ୍ରକୋଣ୍ଡାର ପ୍ରାର୍ଥୀ ଘୋଷଣା କରିବାରେ ସକ୍ଷମ ହୋଇନି । ଯଦିଓ ଏହି ଆସନ ପାଇଁ ଏପ୍ରିଲ ୧୮ତାରିଖରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ । ସେହିପରି ଦ୍ୱତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଏପ୍ରିଲ ୨୬ରୁ ମେ’ ୩ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ମୋଟ ୩୫ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ୫ଟି ଆସନରେ ବି ପ୍ରାର୍ଥୀ ଚୂଡ଼ାନ୍ତ କରିପାରିନ । ସେସବୁ ହେଲା ପଦମପୁର, ରଘୁନାଥପାଲ୍ଲୀ, କଣ୍ଟାବାଞ୍ଜି, ବାଲିଗୁଡ଼ା ଓ ସାନଖେମୁଣ୍ଡି । ସେହିପରି ବାକି ଦୁଇଟି ପର୍ଯ୍ୟାୟରେ ୩୦ଟି ବିଧାୟକ ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବାରେ ଦଳ ସକ୍ଷମ ହୋଇପାରୁନି ।
ତେବେ ବିଜେଡି ସୂତ୍ର ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ବାକି ଥିବା ଜୟପୁର, ଲକ୍ଷ୍ମୀପୁର ଓ ଚିତ୍ରକୋଣ୍ଡା ବିଧାନସଭା ଆସନକୁ ବିଜେଡି ସୁଚିନ୍ତିତ ଢଙ୍ଗରେ ଜଣେ ପ୍ରଭାବଶାଳୀ କଂଗ୍ରେସ ନେତାଙ୍କ ପାଇଁ ସୁରକ୍ଷିତ ରଖିଛି । ଯଦି ସବୁକିଛି ଠିକଠାକ୍ ରୁହେ ତା’ହେଲେ ସମ୍ପୃକ୍ତ ନେତାଙ୍କ କଥାରେ ହେଉ ଅବା ତାଙ୍କୁ ଦଳରେ ସାମିଲ କରାଇ ଏହି ୩ଟି ଆସନରେ ଦଳୀୟ ପ୍ରାର୍ଥୀ ଚୂଡ଼ାନ୍ତ କରିବ।

ସେହିପରି କଣ୍ଟାବାଞ୍ଜି ଓ ସାନଖେମୁଣ୍ଡି ଆସନକୁ ମଧ୍ୟ ବିଜେଡି ନେତୃତ୍ୱ ଦଳଡ଼ିଆଁଙ୍କୁ ଟେକି ଦେବାକୁ କସରତ କରୁଛନ୍ତି । କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷସିଂ ସାଲୁଜା ବିଜେଡିରେ ସାମିଲ ହେବାର ସମ୍ଭାବନା ରହିଛି । ବାଲିଗୁଡ଼ାରେ ମଧ୍ୟ ଦଳ ଜଣେ କଂଗ୍ରେସ ନେତାଙ୍କୁ ଦଳରେ ମିଶାଇ ଟିକେଟ୍ ଦେବାକୁ କସରତ ଜାରି ରଖିଛି।

ଏହି ଦୁଇ ନେତାଙ୍କ ବ୍ୟତୀତ କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗଣେଶ୍ୱର ବେହେରାଙ୍କୁ ବିଜେଡି କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ ଭାବେ ଥଇଥାନ କରିବ ବୋଲି ଚର୍ଚ୍ଚା ହେଉଛି । ସେହିପରି ଆନନ୍ଦପୁର ବିଧାନସଭା ଆସନରୁ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ପୁଅଙ୍କୁ ବିଜେଡି ଥଇଥାନ କରିବାକୁ ଲକ୍ଷ୍ୟ ରଖିଛି।

ଏହି ଆସନ ବ୍ୟତୀତ ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ଓ ପାରାଦୀପ ବିଧାନସଭା ଆସନ ମଧ୍ୟରୁ ଗୋଟିଏ ଆସନରେ କଂଗ୍ରେସରୁ ଆମଦାନୀ ହୋଇଥିବା ନେତାଙ୍କୁ ଥଇଥାନ କରାଯିବ । ବିଶେଷକରି ବାଲିକୁଦା-ଏରସମା ଆସନକୁ ବିଜେଡି ଏହି ଦଳଡ଼ିଆଁ ନେତାଙ୍କ ପାଇଁ ସୁରକ୍ଷିତ ରଖିଛି ବୋଲି ଚର୍ଚ୍ଚା ହେଉଛି।

କେବଳ ସେତିକି ନୁହେଁ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବେଗୁନିଆ ବିଧାନସଭା ଆସନକୁ କଂଗ୍ରେସରୁ ଆମଦାନୀ ନେତା ପ୍ରଦୀପ ସାହୁଙ୍କୁ ଟେକି ଦେବାକୁ ବିଜେଡି ଯୋଜନା କରିଛି । ଯଦିଓ ପୁରୁଣା ଓ ନୂଆ ବିଜେଡି ମଧ୍ୟରେ ଛକାପଞ୍ଝା ଯୋଗୁ ପ୍ରଦୀପ ସେଠାରେ ଜିତିବାର ସମ୍ଭାବନା କ୍ଷୀଣ, କିନ୍ତୁ ତାଙ୍କୁ ବିଜେଡି ସେଠାରେ ଥଇଥାନ କରିବା ଏକରକମ ସ୍ପଷ୍ଟ ହୋଇଯାଇଛି।

ଏସବୁ ବ୍ୟତୀତ ବିଜେଡି ବାକି ରଖିଥିବା ଏକମାତ୍ର ଲୋକସଭା ଆସନ ବାଲେଶ୍ୱରରେ ମଧ୍ୟ ଜଣେ କଂଗ୍ରେସ ନେତାଙ୍କୁ ଥଇଥାନ କରିବାକୁ ଦଳ ଯୋଜନା କରିଛି। କଂଗ୍ରେସର ବରିଷ୍ଠ ନେତାଙ୍କ ପୁଅଙ୍କୁ ଦଳରେ ମିଶାଇ ବିଜେଡି ଏହି ଆସନରେ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିଜେଡି ଚଳିତ ନିର୍ବାଚନରେ କଂଗ୍ରେସରୁ ଆମଦାନୀ ନେତା ଅଂଶୁମାନ ମହାନ୍ତି, ମନ୍ମଥ ରାଉତରାୟ, ସୁରେନ୍ଦ୍ରସିଂ ଭୋଇ, ପରିଣୀତା ମିଶ୍ର,  ପ୍ରଦୀପ ମାଝୀଙ୍କ ସମେତ ଅଧିରାଜ ପାଣିଗ୍ରାହୀ ଓ ରୋହିତ ଯୋଶେଫ ତିର୍କୀଙ୍କୁ ଟିକେଟ୍ ଦେଇସାରିଛି । ବିଜେପିରୁ ଆମଦାନୀ ଦୁଇ ନେତା ଭୃଗୁ ବକ୍ସିପାତ୍ର ଓ ପ୍ରକାଶ ବେହେରାଙ୍କୁ ମଧ୍ୟ ଟିକେଟ୍ ଦେଇ ପୁରସ୍କୃତ କରିଛି।

Related story