Advertisment

ବିଜେଡିର ୫୩ଜଣିଆ ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ: ଦେବୀ ମିଶ୍ର ଓ ପ୍ରଫୁଲ୍ଲଙ୍କୁ ପୁରସ୍କାର ନା ତିରସ୍କାର

ତେବେ ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ଓ ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ସାମଲଙ୍କୁ ଏହି ସାମ୍ମୁଖ୍ୟର ବରିଷ୍ଠ ଉପଦେଷ୍ଟା ଭାବେ ଯେଭଳି ଢଙ୍ଗରେ ସାମିଲ କରାଯାଇଛି ତାହା ସେମାନଙ୍କ ପ୍ରତି ଦଳର ପୁରସ୍କାର ନା ତିରସ୍କାର ତାକୁ ନେଇ ଏବେ ବିଜେଡି ମହଲରେ ଚର୍ଚ୍ଚା ଜୋର ଧରିଛି।

undefined

Shankha Bhawan

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ନିଜର ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ପୁନର୍ଗଠନ କରିଛି । ତେବେ ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ଓ ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ସାମଲଙ୍କୁ ଏହି ସାମ୍ମୁଖ୍ୟର ବରିଷ୍ଠ ଉପଦେଷ୍ଟା ଭାବେ ଯେଭଳି ଢଙ୍ଗରେ ସାମିଲ କରାଯାଇଛି ତାହା ସେମାନଙ୍କ ପ୍ରତି ଦଳର ପୁରସ୍କାର ନା ତିରସ୍କାର ତାକୁ ନେଇ ଏବେ ବିଜେଡି ମହଲରେ ଚର୍ଚ୍ଚା ଜୋର ଧରିଛି ।  କଟା ଘା’ରେ ଚୂନ ମାରିବା ଭଳି ମାତ୍ର ୬ବର୍ଷ ତଳେ ବିଜେଡିରେ ସାମିଲ ହୋଇଥିବା ଅମର ପଟ୍ଟନାୟକଙ୍କୁ ମୁଖ୍ୟ ଉପଦେଷ୍ଟା ଓ ଏହି ଦୁଇ ବରିଷ୍ଠ ନେତାଙ୍କୁ ତାଙ୍କ ତଳେ ବରିଷ୍ଠ ଉପଦେଷ୍ଟା ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି ।

Advertisment

ଆଜି ବିଜେଡି ନିଜର ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଘୋଷଣା କରିଛି । ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ଭାବେ ସାଂସଦ ଅମର ପଟ୍ଟନାୟକ, ବରିଷ୍ଠ ଉପଦେଷ୍ଟା ଭାବେ ପ୍ରଫୁଲ୍ଲ କୁମାର ସାମଲ ଓ ଦେବୀପ୍ରସାଦ ମିଶ୍ର, ଉପଦେଷ୍ଟା ଭାବେ ଲତିକା ପ୍ରଧାନ, ପ୍ରଦୀପ ମାଝୀ ଓ ଗୋପବନ୍ଧୁ ଦାଶଙ୍କୁ ନିଯୁକ୍ତି ମିଳିଛି । ଚାକିରିରୁ ଅବସର ପରେ ବିଜେଡିରେ ସାମିଲ ରବିନାରାୟଣ ନନ୍ଦଙ୍କୁ ପୂର୍ବଭଳି ସାମ୍ମୁଖ୍ୟର ସଂଯୋଜକ ରଖାଯାଇଛି । ପ୍ରବୀର ମହାନ୍ତିଙ୍କୁ ମୁଖ୍ୟ ସଂଯୋଜକ ଦାୟିତ୍ୱ ନ୍ୟସ୍ତ ହୋଇଛି । ରାଜ୍ୟ କମିଟିରେ ଅନ୍ୟ ସଦସ୍ୟ ଭାବେ ଜୀବନ ଦୀକ୍ଷିତ, ମିହିର ପଟ୍ଟନାୟକ, ନିଶାମଣୀ ମହାନ୍ତ, ଅଭଧୂତ ସଞ୍ଜୟ ଦାସ, ଗୌରି ବେହେରା, ଜୟମଙ୍ଗଳ ବିଶି, ଅନାଦି ଖଡ଼ା, କୃଷ୍ଣପ୍ରସାଦ ମହାପାତ୍ର, ଗଙ୍ଗାଧର ହେମ୍ବ୍ରମ ଓ କାରୁ ମୁର୍ମୁ ରହିଛନ୍ତି । ସେହିପରି କେବଳ କେନ୍ଦୁଝର, ପୁରୀ ଓ ମୟୂରଭଞ୍ଜକୁ ବାଦ୍ ଦେଲେ ଅନ୍ୟ ସମସ୍ତ ୨୭ଟି ଜିଲ୍ଲା ପାଇଁ ଦୁଇଜଣ ଲେଖାଏଁ ଜିଲ୍ଲା ସଂଯୋଜକଙ୍କୁ ନିଯୁକ୍ତି ମିଳିଛି । ଏହି ୩ ଜିଲ୍ଲାରେ ୩ଜଣ ଲେଖାଏଁ ସଂଯୋଜକ ନିଯୁକ୍ତି ପାଇଛନ୍ତି ।

ତେବେ ଆଜି ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଜାରି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟରେ ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କୁ କିଭଳି ସାମିଲ କରାଗଲା ତାହା ଏବେ ଦଳର ଚର୍ଚ୍ଚାର ବିଷୟ ପାଲଟିଛି । ବିଜୁ ପଟ୍ଟନାୟକଙ୍କ ସହ କାର୍ଯ୍ୟ କରିବାର ସୁଯୋଗ ପାଇଥିବା ବିଧାୟକ ପ୍ରଫୁଲ୍ଲ କୁମାର ସାମଲଙ୍କ ଭଳି ବରିଷ୍ଠ ନେତାଙ୍କୁ ମଧ୍ୟ ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ବରିଷ୍ଠ ଉପଦେଷ୍ଟା ରଖାଯାଇଛି । ଯଦିଓ ଏହି ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ଭାବେ ଅମର ପଟ୍ଟନାୟକ ରହିଛନ୍ତି।

Advertisment

ସରକାରୀ ଚାକିରି ଛାଡ଼ି ଅମର ୨୦୧୮ ଅଗଷ୍ଟ ୨୯ତାରିଖରେ ବିଜେଡିରେ ସାମିଲ ହୋଇଥିଲେ ଓ ଖୁବକମ୍ ଦିନ ମଧ୍ୟରେ ଦଳ ତାଙ୍କୁ ରାଜ୍ୟସଭା ପଠାଇ ଦେଇଥିଲା । ବିଜେଡି ଗଠନରୁ ଏପର୍ଯ୍ୟନ୍ତ ଦଳରେ ଶୃଙ୍ଖଳିତ କର୍ମୀ ଓ ନେତା ଭାବେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଆସିଥିବା ଦେବୀପ୍ରସାଦ ମିଶ୍ର ଓ ପ୍ରଫୁଲ୍ଲ ସାମଲଙ୍କ ଭଳି ନେତାଙ୍କୁ ବିଜେଡି ଏବେ ଏଭଳି ଅପଦସ୍ତ କରିବା ପାଇଁ କାହିଁକି ଚାହିଁଲା ତାହା ଅସ୍ପଷ୍ଟ । ମାତ୍ର ନିର୍ବାଚନୀ ବର୍ଷରେ ଦୁଇ ବରିଷ୍ଠ ନେତାଙ୍କୁ ଏଭଳି ଅପଦସ୍ତ କରାଯିବା ନିଶ୍ଚିତ ଭାବେ ଦଳୀୟ କର୍ମୀଙ୍କ ମହଲରେ ଏକ ନକରାତ୍ମକ ସନ୍ଦେଶ ଦେଇଛି । ଦେବୀ ମିଶ୍ର ଗତ ଦୁଇ ଦଶନ୍ଧି ଧରି ନବୀନ ପଟ୍ଟନାୟକ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସହ ଦଳର ବରିଷ୍ଠ ଉପସଭାପତି ରହି ଆସିଛନ୍ତି। ଏବେବି ସେ ଦଳର ଉପସଭାପତି ଅଛନ୍ତି । ପ୍ରଫୁଲ୍ଲ ସାମଲ ୧୯୯୦ ମସିହାରୁ ବିଧାୟକ ଭାବେ କାର୍ଯ୍ୟ କରି ଆସୁଛନ୍ତି।

ଚର୍ଚ୍ଚା ହେଉଛି, ଯଦି ପ୍ରକୃତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ନିଯୁକ୍ତି ହୋଇଥାଏ ତା’ହେଲେ ଉଭୟ ନେତାଙ୍କୁ ଦଳ ଏବେ ସମ୍ପୂର୍ଣ୍ଣ କୋଣଠେସା କରିସାରିଥିବା ପ୍ରାୟତଃ ସ୍ପଷ୍ଟ । ଦଳ ସେମାନଙ୍କୁ ଦୂରେଇବା ପାଇଁ ଏବେ ସାମାଜିକସ୍ତରରେ ଅପଦସ୍ତ କରିବାର ସହଜ ମାର୍ଗ ବାଛିଚି । ଯେଉଁଥିପାଇଁ ଅମରଙ୍କ ଭଳି ଜଣେ ରାଜନୀତିକ ଅପରିପକ୍ୱ ଓ ନବାଗତଙ୍କୁ ମୁଖ୍ୟ ଉପଦେଷ୍ଟା ଦାୟିତ୍ୱ ଦେଇ ଏହି ଦୁଇ ବରିଷ୍ଠ ନେତାଙ୍କୁ କେବଳ ବରିଷ୍ଠ ଉପଦେଷ୍ଟା କରାଯାଇଛି । ଅର୍ଥାତ୍ ଅମରଙ୍କ ନିୟନ୍ତ୍ରଣରେ ଏହି ସାମ୍ମୁଖ୍ୟ ଯେଭଳି ରହିବ ତା’ର ମାର୍ଗ ପ୍ରଶସ୍ତ ହୋଇଛି।

ଏହି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟରେ ଦେବୀ ଓ ପ୍ରଫୁଲ୍ଲଙ୍କୁ ବରିଷ୍ଠ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇ ସେମାନଙ୍କର ଦଳରେ ଆଉ ଆବଶ୍ୟକତା ନାହିଁ ଓ ଆଗାମୀ ସାଧାରଣ ନିର୍ବାଚନରେ ଉଭୟ ନେତାଙ୍କୁ ଦଳ ଟିକେଟ୍ ମଧ୍ୟ ଦେଇନପାରେ ବୋଲି ସାଧାରଣରେ ସନ୍ଦେଶ ଦେବାକୁ ପ୍ରୟାସ ହୋଇଛି । ଯେଉଁଥିପାଇଁ ଦଳ ଏହି ଦୁଇ ପୁରୁଖା ନେତାଙ୍କୁ ଶେଷ ମୁହୂର୍ତ୍ତରେ ଅପଦସ୍ତ କରିବା ଭଳି ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷରେ କ୍ଷମତା ରାଜନୀତିରେ ରହିବା ନିମନ୍ତେ ଦେବୀ ମିଶ୍ର ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିସାରିଥିବାରୁ ତାଙ୍କୁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ବିଜେଡି ମହଲରେ ଚର୍ଚ୍ଚା। ୨୦୧୯ ମସିହାରେ ବିଜେଡି ନିଜର ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଗଠନ କରିଥିଲା ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe