ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ବିଜେଡିରେ ସବୁଠୁ ବେଶୀ ଅଡ଼ୁଆ: ୪୮ରୁ ୨୦ ଆସନରେ ଅଟକିଛି ନିଷ୍ପତ୍ତି

ରାଜ୍ୟର ୪ଟି ପର୍ଯ୍ୟାୟ ଭୋଟ୍ ପାଇଁ ବିଜେଡି ମୋଟ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ଦୁଇଟି ପର୍ଯ୍ୟାୟରେ ୯୯ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

Representational Image

  • Published: Thursday, 04 April 2024
  • , Updated: 04 April 2024, 10:45 PM IST

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଓ ସମଗ୍ର ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍ ମେ’ ୨୫ତାରିଖରେ ହେବ। ବିଜେଡି ପାଇଁ ଏହି ପର୍ଯ୍ୟାୟର ଭୋଟ୍ ବେଶୀ ମୁଣ୍ଡବ୍ୟଥା ବଢ଼ାଇଛି। ଦଳ ଏହି ପର୍ଯ୍ୟାୟରେ ହେବାକୁ ଥିବା ୪୨ଟି ଆସନ ମଧ୍ୟରୁ ଏବେବି ୨୦ଟି ଆସନ ପାଇଁ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରିନି। ଯଦିଓ ବିଜେଡି ଦୁଇଟି ପର୍ଯ୍ୟାୟରେ ମୋଟ ୯୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଓ ବାକି ୪୮ଟି ଆସନରେ ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୂଡ଼ାନ୍ତ ହୋଇନି।

ସୂଚନା ଅନୁସାରେ, ରାଜ୍ୟର ୪ଟି ପର୍ଯ୍ୟାୟ ଭୋଟ୍ ପାଇଁ ବିଜେଡି ମୋଟ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ଦୁଇଟି ପର୍ଯ୍ୟାୟରେ ୯୯ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବାକି ୪୮ଟି ଆସନ ମଧ୍ୟରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୨୮ଟି ବିଧାନସଭା ଆସନ ମଧ୍ୟରୁ ୪ଟି ଯଥା ନର୍ଲା, ଲକ୍ଷ୍ମୀପୁର, ଜୟପୁର ଓ ଚିତ୍ରକୋଣ୍ଡାର ପ୍ରାର୍ଥୀ ଘୋଷଣା କରିବାରେ ସକ୍ଷମ ହୋଇନି। ଯଦିଓ ଏହି ଆସନ ପାଇଁ ଏପ୍ରିଲ ୧୮ତାରିଖରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ। ସେହିପରି ଦ୍ୱତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଏପ୍ରିଲ ୨୬ରୁ ମେ’ ୩ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟରେ ମୋଟ ୩୫ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ୭ଟି ଆସନରେ ବି ପ୍ରାର୍ଥୀ ଚୂଡ଼ାନ୍ତ କରିପାରିନ। ସେସବୁ ହେଲା ପଦମପୁର, ବୀରମିତ୍ରପୁର, ରଘୁନାଥପାଲ୍ଲୀ, ରାଉରକେଲା, କଣ୍ଟାବାଞ୍ଜି, ବାଲିଗୁଡ଼ା ଓ ସାନଖେମୁଣ୍ଡି। ଏହି ଆସନ ମଧ୍ୟରୁ ୩ରୁ ୪ଟି ଆସନ ଦଳଡ଼ିଆଁ ଅର୍ଥାତ୍ କଂଗ୍ରେସରୁ ଆମଦାନୀ ହେବାକୁ ଥିବା ନେତାଙ୍କୁ ବିଜେଡି ଟିକେଟ୍ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

ସେହିପରି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଏପ୍ରିଲ ୨୯ରୁ ମେ’ ୬ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିବ। ଏହି ପର୍ଯ୍ୟାୟରେ ମୋଟ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ବିଜେଡି ଏହି ପର୍ଯ୍ୟାୟ ଭୋଟ୍ ପାଇଁ ଏବେସୁଦ୍ଧା ମାତ୍ର ୨୨ଟି ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ କରିଛି। ବାକି ୨୦ଟି ଆସନରେ କିଏ ପ୍ରାର୍ଥୀ ହେବ ସେ ନେଇ ଅଙ୍କ ଛିଡ଼ୁନଥିବା ଜଣାପଡ଼ିଛି। ତୀବ୍ର ଗୋଷ୍ଠୀକନ୍ଦଳକୁ ଡରି ଏହି ଆସନଗୁଡ଼ିକ ପାଇଁ ଟିକେଟ୍ ଚୟନ କରିବା ନିମନ୍ତେ ଦଳ ଜାଣିଶୁଣି ସମୟ ଗଡ଼ାଇବାରେ ଲାଗିଛି। ତୃତୀୟ ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ନିର୍ବାଚନ ହେବ। ପୁରୀର ଚିଲିକା, ଭୁବନେଶ୍ୱରର ଖୋର୍ଦ୍ଧା,ବେଗୁନିଆ, ଭୁବନେଶ୍ୱର-ମଧ୍ୟମ, କଟକର ବାରବାଟୀ, ଢେଙ୍କାନାଳର ହିନ୍ଦୋଳ, ତାଳଚେର, ଅନୁଗୁଳ, କେନ୍ଦୁଝରର ଆନନ୍ଦପୁର,ତେଲକୋଇ, ଚମ୍ପୁଆ, କରଞ୍ଜିଆ ଓ କେନ୍ଦୁଝର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବାରେ ବିଜେଡି ସକ୍ଷମ ହୋଇନି।

ସେହିପରି ଦଳର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମ୍ବଲପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢ଼ାଖୋଲ,ଦେବଗଡ଼ ବିଧାନସଭା ଆସନରେ ମଧ୍ୟ ପ୍ରାର୍ଥୀ ଚୂଡ଼ାନ୍ତ କରିବାରେ ବିଜେଡି ଫେଲ୍ ମାରିଛି। ଏହି ସଂସଦୀୟ କ୍ଷେତ୍ରରେ ବିଜେପିର ହେଭିୱେଟ୍ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେଡି ନିଜର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶଙ୍କୁ ମଇଦାନକୁ ଓହ୍ଲାଇଥିଲେ ମଧ୍ୟ ବିଧାନସଭା ପ୍ରାର୍ଥୀ ଚୂଡ଼ାନ୍ତରେ ବିଳମ୍ବ କରି ପରୋକ୍ଷରେ ଧର୍ମେନ୍ଦ୍ରଙ୍କୁ ୱାକଓଭର ଦେବାକୁ ପ୍ରୟାସ ଚାଲିଥିବା ଚର୍ଚ୍ଚା ହେଉଛି।

ସେହିପରି ଶେଷପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ମେ’ ୭ରୁ ୧୪ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟରେ ହେବାକୁ ଥିବା ୪୨ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ୧୭ଟି ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ କରିପାରିନି। ଏପରିକି ଏହି ପର୍ଯ୍ୟାୟରେ ଥିବା ବାଲେଶ୍ୱର ଲୋକସଭା ଆସନ ପାଇଁ ମଧ୍ୟ ଦଳ ନିଜର କାର୍ଡ ଖୋଲିନି। ଚର୍ଚ୍ଚା ହେଉଛି କଂଗ୍ରେସରୁ ଆମଦାନୀ ହେବାକୁ ଥିବା ଜଣେ ନେତାଙ୍କୁ ଦଳ ଏଠାରେ ଲୋକସଭା ପାଇଁ ପ୍ରାର୍ଥୀ କରିବ।

Related story