Advertisment

ବିସ୍ଫୋରକ ସ୍ଥିତିରେ ବିଜେଡି: ପାଣ୍ଡିଆନ-ବବିଙ୍କ ହାକିମାତି ହୋଇଛି କାଳ, ଭାଙ୍ଗିଯିବ କି ଦଳ?

ଗତକାଲି ଅମରେଶ ଖୋଲାଖୋଲି ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ବିଧାୟକ ଅଶୋକ ପଣ୍ଡାଙ୍କ ବିରୁଦ୍ଧରେ ବୟାନବାଜି କରିବା ସହ ବିଜେଡିକୁ ବିଭାଜନ କରିବା ଭଳି ମନ୍ତବ୍ୟ ଦେଇଥିଲେ।

ଅଦ୍ୟତନ ହୋଇଛି
BJD

BJD

Advertisment

ଦୀର୍ଘ ୨୭ବର୍ଷର ଆଂଚଳିକ ଦଳ ବିଜେଡି ସତରେ କ’ଣ ଭୁଶୁଡ଼ି ପଡ଼ିବ? ରାଜ୍ୟ ବିଜେଡିରେ ଏବେ ଯେଭଳି ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି ଏଭଳି ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ବରିଷ୍ଠ ଓ ଆଗଧାଡ଼ିର ନେତାମାନେ ନିଜକୁ ସୁରକ୍ଷିତ ମଣୁନଥିବା ସହ ଦଳ ଓ ସଂଗଠନର ଭବିଷ୍ୟତକୁ ନେଇ ମଧ୍ୟ ଆଶଙ୍କାରେ ପଡ଼ିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିରବତା ଓ ସାଂଗଠନିକ କାର୍ଯ୍ୟ ପାଇଁ ଅନାଗ୍ରହ ଯୋଗୁ ଦଳର ବିପର୍ଯ୍ୟୟର କାରଣ ସାଜିଥିବା ପାୱାର କୋଟେରୀ ଏବେ ପୁଣିଥରେ  ନିଜ ହାକିମାତି ଆରମ୍ଭ କରିଥିବାରୁ ଭୁବନେଶ୍ୱରଠୁ କଳାହାଣ୍ଡି ପର୍ଯ୍ୟନ୍ତ ସବୁଆଡ଼େ ଅସନ୍ତୋଷ ଉଗ୍ରରୂପ ନେବାରେ ଲାଗିଛି । ଧର୍ମକୁ ଆଖିଠାର ମାରିବା ଭଳି ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ବିଜେଡିର ସର୍ବେସର୍ବା ଭିକେ ପାଣ୍ଡିଆନ ନବୀନ ନିବାସରେ ବସି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ(ବବି)ଙ୍କ ମାଧ୍ୟମରେ ସଂଗଠନକୁ ନିୟନ୍ତ୍ରଣ କରୁଥିବା ଚର୍ଚ୍ଚା ହେଉଛି । ଯେଉଁମାନଙ୍କର ଅହଙ୍କାର,ଆତ୍ମବଡ଼ିମା, ଦୁର୍ନୀତିଓ ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ରଣନୀତି ପାଇଁ ବିଜେଡିର ୨୪ବର୍ଷର ଶାସନର ପତନ ଘଟିଲା ଏବେ ସେହି ଗୋଷ୍ଠୀ ପୁଣିଥରେ ଦଳୀୟ ବ୍ୟାପାରରେ ସକ୍ରିୟ ହେବା ପରୋକ୍ଷରେ ବିଜେଡିକୁ ପତନାଭିମୁଖୀ କରିଥିବା ଜଣାପଡ଼ିଛି ।

Advertisment

ବିଜେଡି ସୂତ୍ର ଅନୁସାରେ, ଭୁବନେଶ୍ୱର ବିଜେଡିରେ ଯେଉଁ ରାଜନୀତିକ ଡ୍ରାମା ଚାଲିଛି ତାହା ସୁନିୟୋଜିତ ଢଙ୍ଗରେ କରାଯାଉଛି । ଦଳର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଗତ ଦୁଇଦିନ ଧରି ଗଣମାଧ୍ୟମ ଆଗରେ ଦଳୀୟ ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ଯେଉଁ ବୟାନ ଦେଉଛନ୍ତି ତାହା ପଛରେ ବବିଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ଚର୍ଚ୍ଚା ହେଉଛି । ଭୁବନେଶ୍ୱର ବିଜେଡିରେ ଗତକିଛିମାସ ଧରି ବାରମ୍ବାର ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହେଉଥିବା ଅମରେଶ ଜେନାଙ୍କୁ କାହିଁକି ବବି ସୁରକ୍ଷା ଦେଇ ଚାଲିଛନ୍ତି ଓ ତାଙ୍କୁ ତାଗିଦ୍ କରିବା ପରିବର୍ତ୍ତେ ଭୁବନେଶ୍ୱର ସଂଗଠନରେ ଫାଟକୁ ବଢ଼ାଇ ଚାଲିଛନ୍ତି ତାହା ଦଳର କର୍ମୀ ଓ ନେତାମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଅମରେଶ ନିଜର ଦୁଇ ସହଯୋଗୀ ବିଂରଚିନାରାୟଣ ମହାସୁପକାର ଓ ସଂଗ୍ରାମ ପାଇକରାୟଙ୍କୁ ଧରି ଏକାମ୍ର ବିଜେପି ବିଧାୟକ ବାବୁ ସିଂଙ୍କୁ ଭେଟି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଯାହା ଏକାମ୍ରର ପରାଜିତ ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡାଙ୍କ କଟା’ଘା’ରେ ଚୂନ ଦେବା ସଦୃଶ ହୋଇଛି।

ଗତକାଲି ଅମରେଶ ଖୋଲାଖୋଲି ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ବିଧାୟକ ଅଶୋକ ପଣ୍ଡାଙ୍କ ବିରୁଦ୍ଧରେ ବୟାନବାଜି କରିବା ସହ ବିଜେଡିକୁ ବିଭାଜନ କରିବା ଭଳି ମନ୍ତବ୍ୟ ଦେଇଥିଲେ । ଆଜି ବବି ତାଙ୍କୁ ନିଜର ଖାସ୍ ଅନୁଗତ ପ୍ରତାପ କେଶରୀ ଦେବଙ୍କ ବାସଭବନକୁ ଡକାଇଥିଲେ। ମାତ୍ର ବୈଠକରୁ ବାହାରି ଅମରେଶ ପୁଣିଥରେ ଅଶୋକ ଓ ଅନନ୍ତଙ୍କୁ ଟାର୍ଗେଟ୍ କରିବା ସହ ଅପରିପକ୍ୱ ମନ୍ତବ୍ୟ ଦେଇ ଦଳରେ ବିଭୀଷଣ ପ୍ରସଙ୍ଗ କଥା ଉଠାଇଛନ୍ତି । ଅର୍ଥାତ୍ ବବିଙ୍କ ଛତ୍ରଛାୟାରେ ରହି ଅମରେଶ ଖୋଲାଖୋଲି ଭାବେ ଦଳର ଏକାମ୍ର ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଭୁବନେଶ୍ୱର-ସେଂଟ୍ରାଲ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ବିରୋଧ କରୁଥିବା ଆଜି ସ୍ପଷ୍ଟ ହୋଇଛି । ଏପରିକି  ଅଶୋକ ଓ ଅନନ୍ତଙ୍କୁ ହରାଇବା ପାଇଁ ବିଜେଡିର ପାୱାର କୋଟେରୀର ଇଙ୍ଗିତରେ ଦଳର  ଗୋଟିଏ ଗୋଷ୍ଠୀ ବେଶ୍ ସକ୍ରିୟ ଭାବେ କାର୍ଯ୍ୟ କରିଥିଲା ବୋଲି ଯେଉଁ ଚର୍ଚ୍ଚା ହେଉଛି ସେଥିରେ ସତ୍ୟତା ଥିବା ଏବେ ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି । ଅବଶ୍ୟ ଅଶୋକ ଓ ଅନନ୍ତ ଏସମ୍ପର୍କରେ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି ।

Advertisment

କିନ୍ତୁ ଚଳିତ ନିର୍ବାଚନରେ ବିଜେଡିର କିଛି ଆଗଧାଡ଼ିର ନେତାମାନଙ୍କୁ ହରାଇବା ପାଇଁ ଦଳର ପାୱାର କୋଟେରୀ ‘ବିଭୀଷଣ’ ଭଳି କାର୍ଯ୍ୟ କରିଥିଲା ବୋଲି ଦଳୀୟ ମହଲରେ ଚର୍ଚ୍ଚା ଜୋର ଧରିଛି । ଦଳର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ମଧ୍ୟ  ଖୋଲାଖୋଲି ଭାବେ ଗତକାଲି ପାଣ୍ଡିଆନ ଓ ବବିଙ୍କ ନାଁ ନେଇ ନିର୍ବାଚନରେ କିଭଳି ଆତ୍ମଘାତୀ କାର୍ଯ୍ୟ କରାଯାଇଥିଲା ତା’ର ବିସ୍ତୃତ ତଥ୍ୟ ନିଜର ଦଳୀୟ କର୍ମୀମାନଙ୍କ ଆଗରେ ରଖିସାରିବା ପରେ ଏଭଳି ଚର୍ଚ୍ଚାରେ ସତ୍ୟତା ଥିବା ଭଳି ପ୍ରତୀତ ହେଲାଣି ।

ଏପଟେ ଦୀର୍ଘଦିନ ଧରି ନିର୍ବାଚନୀ ବିପର୍ଯ୍ୟୟର ସମୀକ୍ଷା ପାଇଁ ବରିଷ୍ଠ ନେତାମାନେ ଲିଖିତ ଭାବେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିରବ ରହିଛନ୍ତି । ସାଂଗଠନିକ କାର୍ଯ୍ୟକୁ ନେଇ ନବୀନ ବିଶେଷ ଆଗ୍ରହ ଦେଖାଉନାହାନ୍ତି । ଆଉ ପାଣ୍ଡିଆନ ସିଣ୍ଡ୍ରୋମରୁ ମୁକୁଳିପାରୁନଥିବା ନବୀନଙ୍କ ନିରବତା ଓ ଅନାଗ୍ରହର ଫାଇଦା ଉଠାଇ ପାଣ୍ଡିଆନ ଓ ବବି ଯୋଡ଼ି ଏବେ ପୁଣିଥରେ ସାଂଗଠନିକ ସ୍ତରରେ ସକ୍ରିୟ ହୋଇପଡ଼ିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

ତେବେ ଯେଉଁ ପାଣ୍ଡିଆନ, ବବି ଓ ସେମାନଙ୍କ ଟିମ୍ ପାଇଁ ଦଳକୁ ଏତେବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଲା ଏବଂ ଅଧିକାଂଶ ଆସନରେ ଟିକେଟ୍ ବିକ୍ରିର ଅଭିଯୋଗ ଆସିଥିଲା ଏବେ କିଭଳି ପୁଣିଥରେ ସେହି ପାଣ୍ଡିଆନ-ବବି ଯୋଡ଼ିଙ୍କ ଇଙ୍ଗିତରେ କାର୍ଯ୍ୟ କରିବେ ତାକୁ ନେଇ ଦଳ ଭିତରେ ଆକ୍ରୋଶ ବଢ଼ିବାରେ ଲାଗିଛି । ଯଦି ନବୀନ ଦଳର ନିର୍ବାଚନୀ ବିପର୍ଯ୍ୟୟର ସମୀକ୍ଷା ନକରନ୍ତି ଓ ପାଣ୍ଡିଆନ-ବବିଙ୍କୁ ପୁଣିଥରେ ବିଜେଡିକୁ ଚଳାଇବା ପାଇଁ ଖୋଲା ଛାଡ଼ିଦିଅନ୍ତି ତା’ହେଲେ ଦଳ ଖୁବଶୀଘ୍ର ଭାଗଭାଗ ହୋଇଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ଆଗାମୀ ଦିନରେ ଆହୁରି ଅନେକ ନେତା ପାଣ୍ଡିଆନ-ବବିଙ୍କ କାରନାମାର ତଥ୍ୟ ପଦାକୁ ଆଣିବେ ବୋଲି ଚର୍ଚ୍ଚା ହେଉଛି ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe