Advertisment

ଅକଳରେ ବିଜେଡି: ହାତରେ ନାହିଁ ପ୍ରସଙ୍ଗ, କ’ଣ କହି ଲୋକଙ୍କୁ ମାଗିବ ଭୋଟ୍‌

୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ନିଜର ନିର୍ବାଚନୀ ଇସ୍ତାହାରରେ କେଉଁସବୁ ପ୍ରସଙ୍ଗକୁ ସ୍ଥାନିତ କରିବ ତାହା ଚୂଡ଼ାନ୍ତ କରିବା ପାଇଁ ୩୮ଜଣିଆ ଇସ୍ତାହାର କମିଟି ଗଠନ କରିଛି । କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା ।

ଅଦ୍ୟତନ ହୋଇଛି
BJD

BJD

Advertisment

ରାଜ୍ୟରେ ଦୀର୍ଘ ୨୪ବର୍ଷ ଧରି କ୍ଷମତାସୀନ ବିଜେଡି ଏବେ ଅକଳରେ । ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇ ତାକୁ ପରବର୍ତ୍ତୀ ସମୟରେ ଭୁଲିଯାଇଥିବା ବିଜେଡି ଚଳିତ ସାଧାରଣ ନିର୍ବାଚନରେ କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ଓ କ’ଣ କହି ଭୋଟ୍ ମାଗିବ ତାହା ଏବେ ଦଳର ରଣନୀତିକାରଙ୍କୁ ଚିନ୍ତାରେ ପକାଇଛି । କେନ୍ଦ୍ରୀୟ ଅବହେଳା, ମହାନଦୀ-ପୋଲାଭରମ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଧାନର ଏମଏସପି, ମହିଳାଙ୍କୁ ସଂରକ୍ଷଣ ଓ ଓଡ଼ିଆ ଅସ୍ମିତା ଆଦିକୁ ଆଗରେ ରଖି ୨୦୦୯ରୁ ୨୦୧୯ ମସିହା ପର୍ଯ୍ୟନ୍ତ ୩ଟି ସାଧାରଣ ନିର୍ବାଚନରେ ଲୋକଙ୍କଠୁ ଭୋଟ୍ ଭିକ୍ଷା କରି ଆସିଥିବା ବିଜେଡି ପାଇଁ ଏସବୁ ଏବେ ପ୍ରସଙ୍ଗବିହୀନ ହୋଇଯାଇଛି । ଆଉ ଏପଟେ ଆଜି ବିଜେଡିର ନିର୍ବାଚନୀ ଇସ୍ତାହାର କମିଟିର ପ୍ରଥମ ବୈଠକ କେବଳ ଧର୍ମକୁ ଆଖିଠାର ମାରିବା ଭଳି ହୋଇଛି ।

Advertisment

୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ନିଜର ନିର୍ବାଚନୀ ଇସ୍ତାହାରରେ କେଉଁସବୁ ପ୍ରସଙ୍ଗକୁ ସ୍ଥାନିତ କରିବ ତାହା ଚୂଡ଼ାନ୍ତ କରିବା ପାଇଁ ୩୮ଜଣିଆ ଇସ୍ତାହାର କମିଟି ଗଠନ କରିଛି । କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ମାତ୍ର ଇସ୍ତାହାର କମିଟି ଅଧ୍ୟକ୍ଷ ଓ ଆବାହକ, ଅଧିକାଂଶ ସହଅଧ୍ୟକ୍ଷଙ୍କଠୁ ଆରମ୍ଭ କରି ବହୁ ବରିଷ୍ଠ ଓ ଅଭିଜ୍ଞ ସଦସ୍ୟ ଅନୁପସ୍ଥିତ ଥିଲେ । ଆଂଚଳିକ ଦଳ ଭାବେ ବିଜେଡି ନିଜର ମୂଳ ଏଜେଣ୍ଡାରୁ ଓହରିଯାଇଥିବାରୁ ଆଗାମୀ ନିର୍ବାଚନରେ କେଉଁ ପ୍ରସଙ୍ଗରେ ଲୋକଙ୍କଠୁ ଭୋଟ୍ ମାଗିବ ତାହା ଅଧିକାଂଶ ସଦସ୍ୟଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବିଶେଷକରି ଆଂଚଳିକ ପ୍ରସଙ୍ଗକୁ ସର୍ବାଧିକ ଗୁରୁତ୍ୱ ଦେଇ ବିଜେଡି ଆଜି ପର୍ଯ୍ୟନ୍ତ ନିଜର ନିର୍ବାଚନୀ ବୈତରଣୀ ପାର ହୋଇ ଆସିଥିଲା । ମାତ୍ର ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେଡି ନିଜର ରଣନୀତିରେ ପରିବର୍ତ୍ତନ କରି ବିଗତ ବର୍ଷଗୁଡ଼ିକରେ ଯେଉଁସବୁ ପ୍ରସଙ୍ଗକୁ ନିର୍ବାଚନରେ ମୁଖ୍ୟ ଏଜେଣ୍ଡା କରିଥିଲା ତାକୁ ଏବେ ସମ୍ପୂର୍ଣ୍ଣ ଭୁଲିଯାଇଛି ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା, ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଓ ମହାନଦୀ ଜଳବିବାଦ,  ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାକୁ ମୁଖ୍ୟ ପ୍ରସଙ୍ଗ କରିବା ସହ ‘କେନ୍ଦ୍ରୀୟ ଅବହେଳା ଓ ଦରଦାମ ବୃଦ୍ଧି’କୁ ବିରୋଧୀ ଦଳ ବିରୁଦ୍ଧରେ ଟ୍ରମ୍ପ କାର୍ଡ ଭଳି ଉପଯୋଗ କରୁଥିଲା । ଏସବୁ ଜ୍ୱଳନ୍ତ ପ୍ରସଙ୍ଗ ସହ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି, ଦୁର୍ନୀତିମୁକ୍ତ ପ୍ରଶାସନ ଓ ବିକାଶମୂଳକ କାର୍ଯ୍ୟ ଆଦିକୁ ଧରି ନିର୍ବାଚନକୁ ଓହ୍ଲାଇ ଉପଯୁକ୍ତ ରଣନୀତି ସହ ନିର୍ବାଚନୀ ସଫଳତା ହାସଲ କରୁଥିଲା ।

Advertisment

ମାତ୍ର ୨୦୧୯ ସାଧାରଣ ନିର୍ବାଚନ ପରଠୁ ଦଳ ଏସବୁ ପ୍ରସଙ୍ଗଗୁଡ଼ିକ ଉପରେ ଦିନଟିଏ ବି ରାଜରାସ୍ତାରେ ସ୍ୱର ଉତ୍ତୋଳନ କରିନି । ଯଦିଓ ମହାନଦୀ ଜଳବିବାଦଠୁ ଆରମ୍ଭ କରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ , ଚାଷୀଙ୍କୁ ଏମଏସପି ଆଦି ଦାବି ଏବେବି ପୂରଣ ହୋଇନି । ତଥାପି ବିଜେଡି ନିଜର ରାଜନୀତିକ ବାଧ୍ୟବାଧକତା ପାଇଁ ରାଜ୍ୟର ଏହି ସବୁ ପ୍ରସଙ୍ଗକୁ ବଳି ପକାଇ ଦେଇଛି ।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେଡି ଏବେ ଏଭଳି ଦୟନୀୟ ସ୍ଥିତିରେ ଅଛି ଯେ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ବିରୋଧରେ ମତ ରଖିବା ଅବା ରାଜ୍ୟ ପାଇଁ ବିଭିନ୍ନ ଦାବି ହାସଲ କରିବା ନିମନ୍ତେ ଦୃଢ଼ ମତ ରଖିବା ବି ଦଳ ପକ୍ଷେ ସମ୍ଭବପର ହୋଇପାରୁନି। ରାଜ୍ୟରେ ବିଜେପି ପ୍ରମୁଖ ବିରୋଧୀ ଦଳ ହୋଇଥିଲେ ମଧ୍ୟ ବିଜେଡି ଏବେବି ଖୋଲାଖୋଲି ବିରୋଧ କରିବାର ସତସାହାସ ଜୁଟାଇପାରୁନି । ଯେଉଁଥିପାଇଁ ବିଜେଡି ନିର୍ବାଚନୀ ଋତୁରେ ବି ବିଜେପିକୁ ବିରୋଧ କରିବାବେଳେ ବାଧ୍ୟ ହୋଇ ‘ରାଜ୍ୟ ବିଜେପି’ ଶବ୍ଦ ଉପଯୋଗ କରୁଛି ଓ ‘ଖାଲି ବିଜେପି’ କହିବାର ସାହାସ ହରାଇ ବସିଛି ।

୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ନିଜର ସବୁ ପୁରୁଣା ପ୍ରସଙ୍ଗକୁ ଛାଡ଼ି ଯେଉଁ ‘ଫାଇଭ-ଟି’କୁ ପ୍ରଶାସନିକ ମଡେଲ ଭାବେ ଉପସ୍ଥାପିତ କରିବାର ସ୍ୱପ୍ନ ଦେଖୁଥିଲା ତାକୁ ନିର୍ବାଚନୀ କମିଶନଙ୍କ ଛାଟ ଅକାମୀ କରିଦେଇଛି । ମନ୍ଦିର କାନ୍ଥ ଭଙ୍ଗାଗଢ଼ା, ସ୍କୁଲ କାନ୍ଥରେ ରଙ୍ଗଚୂନ ମାରି ଚିକଚିକ୍ କରିବା ମଧ୍ୟରେ ବିଜେଡି ସରକାରର ପଂଚମପାଳିର ବିକାଶ ସୀମିତ ରହିଛି । ପଂଚାୟତଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ବ୍ୟାପକ ‘ପିସି କାରବାର’, ଅଫିସରମାନଙ୍କ ମାତ୍ରାଧିକ ହସ୍ତକ୍ଷେପ, ନିର୍ବାଚିତ ଜନପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ, ଗଣମାଧ୍ୟମ ଉପରେ ଅଘୋଷିତ କଟକଣା, ଚାଷୀ ଓ ବେକାର ସମସ୍ୟା, ଓବିସି ସର୍ଭେକୁ ଚାପି ରଖିବା ଭଳି ପ୍ରସଙ୍ଗ ବିଜେଡି ସରକାରକୁ ସାଧାରଣ ଭୋଟରଙ୍କଠୁ ଦୂରେଇ ଦେଇଛି । ନିଜର ନିର୍ବାଚିତ ବିଧାୟକମାନଙ୍କ ଉପରେ ଭରସା ନକରି  ପ୍ରଶାସନିକ କଳ ମାଧ୍ୟମରେ ତୃଣମୂଳସ୍ତରରେବିଭିନ୍ନ କାର୍ଯ୍ୟ କରିବାର ପରିଣାମ ଏବେ ନିର୍ବାଚନ ସମୟରେ ଦଳୀୟ କର୍ମୀ ଓ ନେତାମାନଙ୍କୁ ସାଧାରଣ ଭୋଟରଙ୍କ ଆସ୍ଥାଭାଜନ ହେବାରେ ପ୍ରତିବନ୍ଧକ ସାଜିଛି । ଯାହାକି ବିଜେଡି ପାଇଁ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଦଳୀୟ ପ୍ରାର୍ଥୀ ଯେଉଁଠିକି ଯାଉଛନ୍ତି ଲୋକେ ତାଙ୍କୁ କ’ଣ କରିଛ ବୋଲି ପ୍ରଶ୍ନବାଣରେ ଘାଇଲା କରିବାରେ ଲାଗିଛନ୍ତି । ଅବଶ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ପାଖରେ ଏବେ ରାଜ୍ୟର ବିଜେଡି ସରକାର ବିରୋଧରେ ଭୋଟ ମାଗିବା ପାଇଁ ପୁଳାପୁଳା ପ୍ରସଙ୍ଗ ରହିଛି ।

କେବଳ ସେତିକି ନୁହେଁ ି ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ନିଜର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିକୁ ଆଜି ପର୍ଯ୍ୟନ୍ତ ପୂରଣ କରିବାରେ ସକ୍ଷମ ହୋଇପାରିନି । ଯଦିଓ ଦଳ ଏହି ଦୁଇଟି ନିର୍ବାଚନ ଜିତିବା ପରେ କ୍ୟାବିନେଟ୍ ବୈଠକରେ ନିଜର ନିର୍ବାଚନୀ ଇସ୍ତାହାରକୁ କାର୍ଯ୍ୟକାରୀ ନିମନ୍ତେ ଆଇନଗତ ମୋହର ମାରିଥିଲା । ଏହି ଦୁଇ ନିର୍ବାଚନୀ ଇସ୍ତାହାରର ପ୍ରାୟ ୪୦ ପ୍ରତିଶତ ପ୍ରତିଶ୍ରୁତିକୁ ପୂରଣ କରିନଥିବା ବିଜେଡି ଆଗାମୀ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ କି ରଣନୀତି ଆପଣାଉଛି ତାହା ଉପରେ ସମସ୍ତଙ୍କ ନଜର ।

BjD Naveen Patnaik Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe