Advertisment

BJD Infighting: ପାଣ୍ଡିଆନଙ୍କୁ ସିଧା ଟାର୍ଗେଟ୍ କଲେ ଦେବାଶୀଷ, ନବୀନ ନିବାସକୁ ନେଇ ବଢ଼ିଲା ସନ୍ଦେହ

ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ସୁଯୋଗ ଦିଆଯାଉନାହିଁ । ଦିଲ୍ଲୀରୁ ଫେରିବା ପରେ ସେ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି । କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ନବୀନବାବୁଙ୍କୁ ଅନ୍ୟମାନଙ୍କଠାରୁ ଦୂରେଇ ରଖିଛନ୍ତି ଏବଂ ତାଙ୍କ ପାଖକୁ ଖବର ପହଂଚାଇବାକୁ ଦେଉନାହାନ୍ତି ।

Shreemayee-Debasish
Advertisment

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିରବତା ଓ ମାତ୍ରାଧିକ ନିର୍ଭରଶୀଳତା ମଧ୍ୟରେ ଦଳର ବରିଷ୍ଠ ନେତା ତଥା ସାଂସଦ ଦେବାଶୀଷ ସାମନ୍ତରାୟ ଆଜି ପୁଣିଥରେ ମୁହଁ ଖୋଲିଛନ୍ତି । ସିଧାସଳଖ ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ବିଜେଡିର ଶୋଚନୀୟ ପରାଜୟ ପରେ ଦଳରେ ପାଣ୍ଡିଆନଙ୍କ ହାକିମାତିକୁ ବିରୋଧ ଓ କୁହୁଳୁଥିବା ଅସନ୍ତୋଷ ଏବେ ବିସ୍ଫୋରକ ରୂପ ନେଇଛି । ଦଳର ଜଣେପରେ ଜଣେ ନେତା ମୁହଁ ଖୋଲିବାରେ ଲାଗିଛନ୍ତି । ଦେବାଶୀଷ ଦଳର ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇବା ସହ ସିଧାସଳଖ ପାଣ୍ଡିଆନଙ୍କ ଏକଚାଟିଆ ନୀତି ଓ ନବୀନ ନିବାସରେ ଚାଲିଥିବା ଅଘୋଷିତ କଟକଣା ବିରୋଧରେ ମୁହଁ ଖୋଲିଛନ୍ତି । ଦେବାଶୀଷଙ୍କ ଏହି ବୟାନ ଓ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ କଟାକ୍ଷ ପୁଣିଥରେ ବିଜେଡି ରାଜନୀତିକୁ ସରଗରମ କରିଥିବାବେଳେ ଦଳରେ ପରସ୍ପରକୁ କାଦୁଅଫିଙ୍ଗା ଆରମ୍ଭ ହୋଇଯାଇଛି । 

Advertisment


ନବୀନ ନିବାସରେ କଟକଣା ଏବଂ ନେତାଙ୍କ ଅସନ୍ତୋଷ


ସାଂସଦ ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଛନ୍ତି ଯେ,ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ସୁଯୋଗ ଦିଆଯାଉନାହିଁ । ଦିଲ୍ଲୀରୁ ଫେରିବା ପରେ ସେ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି । କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ନବୀନବାବୁଙ୍କୁ ଅନ୍ୟମାନଙ୍କଠାରୁ ଦୂରେଇ ରଖିଛନ୍ତି ଏବଂ ତାଙ୍କ ପାଖକୁ ଖବର ପହଂଚାଇବାକୁ ଦେଉନାହାନ୍ତି । ଏପରିକି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଆଦିତ୍ୟ ମହାପାତ୍ରଙ୍କ ନାଁ ନେଇ ଦେବାଶୀଷ ସିଧାସଳଖ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ । ଆମେରିକାରେ ରହି ପାଣ୍ଡିଆନ ରିମୋଟ୍ କଂଟ୍ରୋଲରେ ଆଦିତ୍ୟ ମହାପାତ୍ରଙ୍କ ମାଧ୍ୟମରେ ନବୀନ ନିବାସର ସବୁକିଛିକୁ ନିୟନ୍ତ୍ରଣ କରୁଛନ୍ତି । ନବୀନଙ୍କୁ କାହିଁକି ଭେଟିବାକୁ ଦିଆଯାଉନି ବୋଲି ସେ ପ୍ରଶ୍ନ କରିବା ସହ ଏହା ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ର ପ୍ରତି ଏକ ବଡ଼ ବିପଦ ବୋଲି କହିଛନ୍ତି ।
 ପୂର୍ବରୁ ମଧ୍ୟ ବରିଷ୍ଠ ନେତା ଭୂପିନ୍ଦର ସିଂ, ଦଳର ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର, ପ୍ରଫୁଲ୍ଲ ମଲ୍ଲିକ, ଏନ ଭାସ୍କର ରାଓ ଓ ଲାଲବିହାରୀ ହିମିରିକା ପ୍ରମୁଖ ମଧ୍ୟ ନବୀନଙ୍କୁ ଭେଟିବାକୁ ସୁଯୋଗ ଦିଆଯାଉନଥିବାର ଅଭିଯୋଗ ଆଣିଥିଲେ । ଯଦିଓ ନବୀନ ସମସ୍ତଙ୍କୁ ଭେଟିବେ ବୋଲି ହସ୍ପିଟାଲରୁ ବାହାରିବା ପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।


ନିର୍ବାଚନ ପରାଜୟ ଓ ପାଣ୍ଡିଆନଙ୍କ ଭୂମିକା ଉପରେ ପ୍ରଶ୍ନ


ନିର୍ବାଚନରେ ଦଳର ପରାଜୟ ପାଇଁ ପାଣ୍ଡିଆନଙ୍କ ତ୍ରୁଟିପୂର୍ଣ୍ଣ ରଣନୀତିକୁ ଦାୟୀ କରିଛନ୍ତି ଦେବାଶିଷ । ପୂର୍ବରୁ ନବୀନବାବୁ ଏକାକୀ ପ୍ରଚାରର ମଙ୍ଗ ଧରୁଥିଲେ, କିନ୍ତୁ ଗତ ନିର୍ବାଚନରେ ବିଜୁ ବାବୁ ଓ ନବୀନ ବାବୁଙ୍କ ଫଟୋକୁ ଗୌଣ କରି ପାଣ୍ଡିଆନ ନିଜକୁ ଷ୍ଟାର ପ୍ରଚାରକ ଭାବେ ଉଭା କରିଥିଲେ । ଓଡ଼ିଶାର ସ୍ୱାଭିମାନୀ ଜନତା ଏହି ଅହଂକାରର ଉଚିତ୍ ଜବାବ ଦେଇଛନ୍ତି । ସେହିପରି ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ ଚୟନରେ ତ୍ରୁଟି ହୋଇଥିବା ଓ ନବୀନ ବାବୁ ହସ୍ପିଟାଲରୁ ଫେରିବା ପରେ ତାଙ୍କୁ ତୁରନ୍ତ ଦୁଇଥର ପ୍ରଚାରକୁ ଓହ୍ଲାଇବା ଉଚିତ୍ ନଥିଲା ବୋଲି ସେ କହିଛନ୍ତି । ସାଧାରଣ ନିର୍ବାଚନରେ ପ୍ରତ୍ୟାଖ୍ୟାତ ହେବା ପରେ ପାଣ୍ଡିଆନ ଏବେ ଓଡ଼ିଆ ଲୋକଙ୍କ ଉପରେ ‘ପ୍ରତିଶୋଧ' ନେଉଛନ୍ତି ବୋଲି ଦେବାଶୀଷ ସଙ୍ଗୀନ ଅଭିଯୋଗ ଆଣିବା ସହ ପାଣ୍ଡିଆନ ଓଡ଼ିଶାରେ କେବେହେଲେ ଷ୍ଟାର ହୋଇପାରିବେ ନାହିଁ ବୋଲି କହିଛନ୍ତି । ନବୀନଙ୍କୁ କୌଣସି ପ୍ରକାର ସମାଲୋଚନା ନକରି ପାଣ୍ଡିଆନ୍‌‌ଙ୍କ ଉପରେ ବର୍ଷିଛନ୍ତି ଏବଂ ତାଙ୍କୁ ହିଁ ନିର୍ବାଚନରେ ବିଜେଡିର ପରାଜୟ ପାଇଁ ଦାୟୀ କରିଛନ୍ତି । ୱାକଫ୍ ବିଲ୍ ସଂଶୋଧନ ସମୟରେ ରାଜ୍ୟସଭାରେ ଭୋଟିଂରୁ ଦୂରେଇ ରହିବା ପାଇଁ ସ୍ୱୟଂ ନବୀନ ପଟ୍ଟନାୟକ ତାଙ୍କୁ ନିର୍ଦେ୍‌ଦଶ ଦେଇଥିଲେ ବୋଲି କହିଛନ୍ତି ।

Advertisment


‘ତାମିଲ ଖେଳ' ଓ ଭଣ୍ଡ ଅନୁଗାମୀ: ଶ୍ରୀମୟୀଙ୍କ କଟାକ୍ଷ


ବିଗତ କିଛିଦିନ ଧରି ଦଳୀୟ ପରିଚାଳନା ଓ ପାଣ୍ଡିଆନଙ୍କ ହାକିମାତିକୁ ଖୋଲା ବିରୋଧ କରୁଥିବା ଦଳର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର ଆଜି ପୁଣି ଏକ ବ୍ୟଙ୍ଗ କବିତା ମାଧ୍ୟମରେ ବିଜେଡି କନ୍ଦଳରୂପକ ନିଆଁରେ ଘିଅ ଢ଼ାଳିଛନ୍ତି । ସେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ଅନ୍ୟ ମୁଣ୍ଡରେ ଅଠା ବୋଳି ନିଜେ ଖସିଯିବାର ‘ତାମିଲ ଖେଳ’ ଚାଲିଛି ବୋଲି କହିଛନ୍ତି ।  ପୁରୁଖା ନେତାମାନଙ୍କୁ ଫସାଇବା ପାଇଁ ବିଶ୍ୱସ୍ତ ଏଜେଂଟ ଖୋଜା ଚାଲିଛି ଏବଂ ବରିଷ୍ଠ ନେତାମାନେ ‘ପାଲତୁ ବାବୁ\'ଙ୍କ ଧମକକୁ ମୁଣ୍ଡପୋତି ସହୁଛନ୍ତି । ସେ ଦଳରେ ପାଣ୍ଡିଆନଙ୍କୁ ସମର୍ଥନ କରୁଥିବା ଓ ମୁହଁ ଖୋଲୁନଥିବା ବରିଷ୍ଠ ନେତାମାନଙ୍କୁ ‘ପାଣ୍ଡିଆନଙ୍କ ଅନୁଗାମୀ' ବୋଲି କହି କଟାକ୍ଷ କରିବାକୁ ପଛାଇ ନାହାନ୍ତି ।


ଦଳୀୟ ନେତାଙ୍କ ପାଲଟା ଆକ୍ରମଣ ଓ ସୋସିଆଲ ମିଡିଆ ଯୁଦ୍ଧ


ଦେବାଶିଷଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, କିଛି ସ୍ୱାର୍ଥପର ନେତା ଅଛନ୍ତି ଯେଉଁମାନେ ସ୍ୱାର୍ଥରେ ବାଧା ଆସିଲେ ଦଳ ଛାଡ଼ନ୍ତି ଦଳ ବିରୋଧରେ କୁହନ୍ତି । ସ୍ୱାର୍ଥପର ଲୋକମାନେ ଯେତେଶୀଘ୍ର ଦଳରୁ ପଳାଇବା ସେତେ ଭଲ ଓ ଦଳ ଶୃଙ୍ଖଳାରେ ଚାଲିବ । ଦଳ କ୍ଷମତାରେ ଥିଲାବେଳେ କେଉଁ ନୀତି ଆଦର୍ଶରେ ଚାଲୁଥିଲା ଓ ସେବେ କାହିଁକି ମୁହଁ ଖୋଲୁନଥିଲେ ବୋଲି ପ୍ରଶ୍ନ କରିବା ସହ ଦେବାଶିଷ ଅସୁସ୍ଥତା ପାଇଁ ପଦବୀ ଛାଡ଼ିଥିବା ସେ କହିଛନ୍ତି ।
 ସେହିପରି ଦଳର ସାଂସଦ ସୁଲତା ଦେଓ ମଧ୍ୟ ନିଜ ସୋସିଆଲ ମିଡିଆ ମାଧ୍ୟମରେ ସୁଜାତାଙ୍କ ନେତୃତ୍ୱକୁ ପରୋକ୍ଷ ସମର୍ଥନ ଜଣାଇ କହିଛନ୍ତି ଯେ, ନବୀନ ପଟ୍ଟନାୟକ ଯାହାକୁ ଉତ୍ତରାଧିକାରୀ ବାଛିବେ ଦଳ ତାଙ୍କୁ ଗ୍ରହଣ କରିବ ।


ବିଜେଡିର ସାଇବର ଆର୍ମି ଓ ପାଣ୍ଡିଆନ ସମର୍ଥକମାନେ ଏବେ ସୋସିଆଲ ମିଡିଆ ମାଧ୍ୟମରେ ଦେବାଶୀଷ ଓ ଶ୍ରୀମୟୀଙ୍କ ପ୍ରତି କଟୂ ମନ୍ତବ୍ୟ ଦେବାରେ ଲାଗିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe