Advertisment

ଖଣି ଲବିରେ ବିଜେଡି ବାଂଟୁଛି ଟିକେଟ୍‌: କୁଲେସିକାଙ୍କ ଖୁଲାସା ପରେ ଖୋଲିଲା ବିଜେଡିର ବେପାର ଲିଙ୍କ୍‌

ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଆଜି ଅଭିଯୋଗ କରିଛନ୍ତି ଯେ, କୋରାପୁଟ ଜିଲ୍ଲାର ୫ଟି ଟିକେଟକୁ ୫କୋଟି ଟଙ୍କାରେ ବିକ୍ରି କରାଯାଇଛି

author-image
Ordigital Desk
BJD

BJD

ଚର୍ଚ୍ଚା ସତ ପ୍ରମାଣିତ ହେଲା। ଦୀର୍ଘ ୩ବର୍ଷ ଧରି ବିଜେଡି ସଂଗଠନରେ ଥିବା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଏହି ଚର୍ଚ୍ଚା ଉପରେ ମୋହର ମାରିଛନ୍ତି। ଖଣି ଲବିରେ ବିଜେଡି ଟିକେଟ୍ ବାଂଟୁଛି । କୋରାପୁଟ ଜିଲ୍ଲାର ୫ଟି ଟିକେଟକୁ ଦଳ ୫କୋଟି ଟଙ୍କାରେ ବିକ୍ରି କରିଛି । ଏଭଳି ବିସ୍ଫୋରକ ତଥ୍ୟ ଖୋଦ୍ କୁଲେସିକା ଆଜି ଗଣମାଧ୍ୟମକୁ ଦେଇଛନ୍ତି । ଏହାସହିତ ବିଜେଡି ସହ ବ୍ୟବସାୟିକ ସମ୍ପର୍କ ଥିବା ନେତାମାନଙ୍କୁ ବି ଅଗ୍ରାଧିକାର ଭିତ୍ତିରେ ଟିକେଟ୍ ମିଳିଥିବା ସ୍ପଷ୍ଟ ହୋଇଛି।

Advertisment

ସୂଚନା ଅନୁସାରେ, ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଆଜି ଅଭିଯୋଗ କରିଛନ୍ତି ଯେ, କୋରାପୁଟ ଜିଲ୍ଲାର ୫ଟି ଟିକେଟକୁ ୫କୋଟି ଟଙ୍କାରେ ବିକ୍ରି କରାଯାଇଛି । କୋରାପୁଟ ,ପଟାଙ୍ଗୀ ଓ ଲକ୍ଷ୍ମୀପୁର ଭଳି ବିଧାନସଭା ଆସନରେ ଏଭଳି ହୋଇଛି । ତାଙ୍କୁ ବି ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ କୋଟିଏ ଟଙ୍କା ସହ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପଦବୀ(କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା)ର ଅଫର ଦେଇଥିଲେ । କିନ୍ତୁ ସେ ନିଜର ସ୍ୱାଭିମାନୀ ବିକ୍ରି କରିବେ ନାହିଁ ବୋଲି ଏହି ଅଫରକୁ ପ୍ରତ୍ୟାଖ୍ୟାନ କରି ବିଜେଡି ଛାଡ଼ିଥିବା ଶ୍ରୀ କୁଲେସିକା କହିଛନ୍ତି । ଗତ ୨୦୧୯ ସାଧାରଣ ନିର୍ବାଚନରେ ସ୍ୱଳ୍ପ ଭୋଟରେ କୁଲେସିକା ହାରିଯିବା ସତ୍ତ୍ୱେ ବିଜେଡି ତାଙ୍କୁ ଦଳରେ ସାମିଲ କରି ୨୦୨୪ରେ ଟିକେଟ୍ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ମାତ୍ର ପରେ ଦଳ ଏହି ପ୍ରତିଶ୍ରୁତିରୁ ଓହରି ଯାଇଥିବା ଶ୍ରୀ କୁଲେସିକା କହିଛନ୍ତି।

ତାଙ୍କର ଏହି ଅଭିଯୋଗ ପରେ କୋରାପୁଟ, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଆଦି ଜିଲ୍ଲାରେ ଖଣି କାରବାରରେ ବିଜେଡିର ସିଧାସଳଖ ସମ୍ପୃକ୍ତିକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଏକପ୍ରକାର ମୋହର ବାଜିଛି । କାରଣ ଓଏମସି ଅଧୀନରେ ଥିବା କୋଡ଼ିଙ୍ଗାମାଳି ବକ୍ସାଇଟ ଖଣିରେ ବିଜେଡିର ଦୁଇଜଣ ପ୍ରଭାବଶାଳୀ ଶୀର୍ଷ ନେତା(ଜନପ୍ରତିନିଧି)ଙ୍କ ସମେତ ଜଣେ ସ୍ଥାନୀୟ ନେତାଙ୍କ  ସିଧାସଳଖ ବ୍ୟବସାୟିକ ସମ୍ପୃକ୍ତି ରହିଥିବା ଦୀର୍ଘଦିନ ଧରି ଚର୍ଚ୍ଚା ହେଉଛି । କଂଗ୍ରେସରେ ଥିବାବେଳେ ଲକ୍ଷ୍ମୀପୁର ବିଧାୟକ ଭାବେ ଶ୍ରୀ କୁଲେସିକା କୋଡ଼ିଙ୍ଗାମାଳି ଖଣି ଯୋଗୁ ଆଦିବାସୀମାନେ ପ୍ରଭାବିତ ହେଉଥିବା ନେଇ ବାରମ୍ବାର ସ୍ୱର ଉତ୍ତୋଳନ କରିଥିଲେ।

Advertisment

ଅନ୍ୟପକ୍ଷରେ ବିଜେଡି ସହ ବ୍ୟବସାୟିକ ସମ୍ପର୍କ ଥିଲେ ଦଳୀୟ ଟିକେଟ୍ ମିଳିବା ଏକରକମ ନିଶ୍ଚିତ ବୋଲି ବିଜେଡି ମହଲରେ ଚର୍ଚ୍ଚା । ବିଜେଡି ପ୍ରାୟୋଜିତ ଦୁଇ ଗଣମାଧ୍ୟମ ସଂସ୍ଥାର ନିର୍ଦ୍ଦେଶକ ଭାବେ ସୁଶାନ୍ତ କୁମାର ରାଉତ ଓ ସଞ୍ଜିବ କୁମାର ମଲ୍ଲିକ ରହିଛନ୍ତି । ଏହି ଦୁଇ ଜଣ ୨୦୧୯ ମସିହାରେ ପ୍ରଥମଥର ଟିକେଟ୍ ପାଇଥିଲେ । ମାତ୍ର ଏଥର ଦଳ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକେଟ୍ ଦେଇଛି । ସୁଶାନ୍ତଙ୍କୁ ତାଙ୍କ ସ୍ଥାନରେ ରିପିଟ୍ କରିଥିବାବେଳେ ସଞ୍ଜିବଙ୍କୁ ପାଖ ନିର୍ବାଚନମଣ୍ଡଳୀରେ ଥଇଥାନ କରିଛି।

ସେହିପରି ପଶ୍ଚିମଓଡ଼ିଶାର ୨ଜଣ ପୂର୍ବତନ ମନ୍ତ୍ରୀଙ୍କ ନାଁରେ ବିଭିନ୍ନ ଅଭିଯୋଗ ଥିବାସତ୍ତ୍ୱେ ଦଳ ସେମାନଙ୍କୁ ଟିକେଟ୍ ଦେଇଛି । କେବଳ ଟିକେଟ୍ ନୁହେଁ ସେମାନଙ୍କ ସୁପାରିଶରେ ମଧ୍ୟ ଅନ୍ୟ କିଛି ନେତାଙ୍କୁ ଟିକେଟ୍ ମିଳିଛି । ଏହି ଦୁଇ ପୂର୍ବତନ ମନ୍ତ୍ରୀଙ୍କ ପାଇଁ ବିଜେଡିର ଭାବମୂର୍ତ୍ତି ଖରାପ ହୋଇଛି । ତଥାପି ଦଳ ଚଳିତ ନିର୍ବାଚନରେ ସେମାନଙ୍କୁ ଟିକେଟ୍ ଦେଇଛି । ଯାଜପୁର ଜିଲ୍ଲାରେ ମଧ୍ୟ ଅନୁରୂପ ଭାବେ ୨ଜଣ ନେତାଙ୍କୁ ଟିକେଟ୍ ମିଳିଛି । ଦୁଇ ଖଣିସମୃଦ୍ଧ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବ୍ୟବସାୟିକ ଅଙ୍କକଷାକୁ ଦେଖି ବିଜେଡି ଟିକେଟ୍ ବାଂଟୁଥିବା ତଥା ବିଜେଡିର ଏସବୁ ବ୍ୟବସାୟିକ କାରବାର ରାଜ୍ୟ ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନର ଜାଣତରେ ହେଉଛି ବୋଲି ସାଧାରଣରେ ଚର୍ଚ୍ଚା।

BjD