ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେଡି କଷିଥିବା ସବୁ ଅଙ୍କ ଏବେ ଫେଲ୍ ମାରିବାରେ ଲାଗିଛି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେଡି ନିଜର ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଭାବେ ଦଳର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ୬ମାସ ବୁଲାଇ ଅଚାନକ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିବା ଏବେ ବିଜେଡିର ମୁଣ୍ଡବ୍ୟଥା ବଢ଼ାଇଛି । ଆଉ ଏପଟେ ଅପରାଜିତା ଷଡ଼ଙ୍ଗୀ ଜିତିଲେ କେନ୍ଦ୍ରରେ ମନ୍ତ୍ରୀ ହେବେ ବୋଲି ବିଜେପି ନେତା ରାଜନାଥ ସିଂ ସାଧାରଣ ସଭାରେ ଇସାରା ଇସାରାରେ ସଙ୍କେତ ଦେବାପରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ତାଙ୍କର ଭୋଟହାର ଆଖିଦୃଶିଆ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ମନ୍ମଥ ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଆଶାନୁରୂପ ଗ୍ରହଣୀୟ ହେଉନଥିବାରୁ ଦଳ ଶେଷଅସ୍ତ୍ର ଭାବେ ଆଜି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମୁହଁରେ ଏକ ଭିଡିଓ ବାର୍ତ୍ତା ଜାରି ମନ୍ମଥଙ୍କୁ ରାଜନୀତିରେ ଯୁବପୀଢ଼ୀଙ୍କ ପ୍ରେରଣା ବୋଲି କହିବା ଦଳର ପରିବର୍ତ୍ତିତ ଚରିତ୍ର ଓ ଚେହେରାକୁ ପଦାରେ ପକାଇବା ସହ ବିଧା ମାରି ପଣସ ପଚାଇବା ଶୈଳୀରେ ବିଜେଡିର ଏହା ମନ୍ମଥଙ୍କ ପାଇଁ ଭୋଟ୍ ଯୋଗାଡ଼ର ଅପଚେଷ୍ଟା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ, ବିଜେଡିର ଆଭ୍ୟନ୍ତରୀଣ ସର୍ଭେରେ ମନ୍ମଥ ସାଧାରଣରେ ଗ୍ରହଣୀୟ ହେଉନଥିବା ଓ ପରାଜୟର ଅଧିକ ସମ୍ଭାବନା ଥିବାରୁ ଦଳ ପ୍ରଥମଥର ପାଇଁ କୌଣସି ସାଧାରଣ ନିର୍ବାଚନରେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ନବୀନଙ୍କ ମୁହଁରେ ଏଭଳି ଭିଡିଓ ଜାରି କରିଛି । ଶ୍ରୀମୟୀଙ୍କୁ ୬ମାସ ବୁଲାଇ ଟିକେଟରୁ ବଂଚିତ କରିବା ଏବେବି ବିଜେଡିକୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବ୍ୟାକଫୁଟରେ ରଖିଛି । ଶ୍ରୀମୟୀଙ୍କୁ ଦଳ କାହିଁକି ଟିକେଟ୍ ଦେଲାନି ସେନେଇ ଏପର୍ଯ୍ୟନ୍ତ ଉଭୟ ବିଜେଡି କି ଶ୍ରୀମୟୀ ମୁହଁ ଖୋଲିନାହାନ୍ତି କିମ୍ବା କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି । ଯଦିଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଦଳୀୟ ବିଧାୟକମାନଙ୍କୁ ୬ମାସ ତଳେ ଡାକି ନବୀନ ନିଜେ ଶ୍ରୀମୟୀଙ୍କ ପାଇଁ ପ୍ରଚାର କରିବାକୁ ବାରମ୍ବାର ତାଗିଦ୍ କରିଥିଲେ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷିକା ଓ ଷ୍ଟାର ପ୍ରଚାରକ ଥିବା ଶ୍ରୀମୟୀ ଏବେବି ସମସ୍ତ ସାଂଗଠନିକ କାର୍ଯ୍ୟରୁ ଗାଏବ ରହିଛନ୍ତି । ଶ୍ରୀମୟୀ ଖୁବଶୀଘ୍ର ପ୍ରଚାରକୁ ଓହ୍ଲାଇବେ ବୋଲି ନିଜେ ମନ୍ମଥ ଗଣମାଧ୍ୟମକୁ କହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶ୍ରୀମୟୀଙ୍କୁ ଦେଖିବାକୁ ମିଳୁନି । ପ୍ରଚାରବେଳେ ବି ବିଜେଡି କର୍ମୀ ଓ ସାଧାରଣ ଭୋଟର ଶ୍ରୀମୟୀଙ୍କୁ ନେଇ ପ୍ରଶ୍ନ କରୁଥିବା ଜଣାପଡ଼ିଛି ।
ଛାତ୍ର ରାଜନୀତିରୁ ଆସିଥିବା ଶ୍ରୀମୟୀଙ୍କର କ୍ଲିନ୍ ଇମେଜ୍ ରହିଛି ଓ ଦଳର ଆଗଧାଡ଼ିର ପ୍ରଭାବଶାଳୀ ଯୁବଚେହେରା ଭାବେ ତାଙ୍କର ବିଜେଡିର ଯୁବ,ଛାତ୍ର ଓ ମହିଳା ଭୋଟ୍ ଉପରେ ବେଶ୍ ପ୍ରଭାବ ରହିଛି । ତଥାପି ବିଜେଡି ପାଇଁ ଶ୍ରୀମୟୀ ‘ଯୁବପୀଢ଼ୀଙ୍କ ପ୍ରେରଣା’ ନହୋଇ ଅପରାଧ,ଠକେଇ ଓ ପତ୍ନୀଙ୍କୁ ମାସିକ ଆବଶ୍ୟକ କ୍ଷତିପୂରଣ(ଖର୍ଚ୍ଚ) ନଦେଇ ଅସମ୍ମାନ କରୁଥିବା ମନ୍ମଥ କିଭଳି ‘ଯୁବପୀଢ଼ୀଙ୍କ ପ୍ରେରଣା’ ପାଲଟିଲେ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମୁହଁରେ ଆଜି ଏହି ଭିଡିଓ ସନ୍ଦେଶ ଜାରି କରାଯିବା ନାକେବଳ ବିଜେଡି ବରଂ ନବୀନଙ୍କ ଭାବମୂର୍ତ୍ତିରେ କଳାଦାଗ ଲଗାଇଥିବା ଜଣାପଡ଼ିଛି । ମନ୍ମଥଙ୍କ ବିରୁଦ୍ଧରେ ଠକେଇ, ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ରହିଛି । ଏପରିକି ନିଜ ପତ୍ନୀଙ୍କଠୁ ୨୦୧୦ ମସିହାରୁ ଅଲଗା ହୋଇ ରହୁଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ଆବଶ୍ୟକ ପରିମାଣର ମାସିକ କ୍ଷତିପୂରଣ ଦେବାକୁ ବି ମନ୍ମଥ ଆଗ୍ରହ ଦେଖାଇନାହାନ୍ତି । ଯେଉଁଥିପାଇଁ ତାଙ୍କ ପତ୍ନୀ ଏବେବି ନ୍ୟାୟ ଅପେକ୍ଷାରେ ରହିଛନ୍ତି । ସେହିପରି ୨୦୨୧ ଡିସେମ୍ବର ମାସରେ ବିଜେଡି ସାଂସଦ ମୁନ୍ନା ଖାଁଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ମନ୍ମଥ ନିଜେ ଅଭିଯୁକ୍ତ ଅଛନ୍ତି । ଜଟଣୀ ଥାନାରେ ସେହି ମାମଲା ରୁଜୁ ହୋଇଥିଲେ ମଧ୍ୟ ମନ୍ମଥ ଏହାକୁ ନିଜ ନାମାଙ୍କନ ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି । ଏତେ ସବୁ କେଳେଙ୍କାରୀରେ ଜଡ଼ିତ ଥିବା ମନ୍ମଥ କିଭଳି ‘ଯୁବପୀଢ଼ୀଙ୍କ ପାଇଁ ପ୍ରେରଣା’ ହୋଇଛନ୍ତି ଓ ନବୀନଙ୍କ ମୁହଁରେ ଏଭଳି କଥା କୁହାଇ ବିଜେଡି କ’ଣ ରାଜ୍ୟର ଯୁବବର୍ଗଙ୍କୁ ଅପରାଧ,ଠକେଇ ଓ ମହିଳା ନିର୍ଯାତନା ଭଳି ଘଟଣା ଭିଆଇବାକୁ ପ୍ରୋତ୍ସାହିତ କରୁଛି କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।
ବିଜେଡି ନିଜର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ପଛପଟୁ ଛୁରା ଭୁଷି ଅପ୍ରତ୍ୟାଶିତ ଭାବେ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଘୋଷଣା କରିବା ଏବଂ ତାଙ୍କର ଜିତିବା ପାଇଁ ଯେଉଁ ଅଙ୍କ ବିଜେଡିର ବଡ଼ପଣ୍ଡାମାନେ କଷିଥିଲେ ତାହା ଏବେ ଫେଲ୍ ମାରିଛି । ପ୍ରଚାର ସରିବାକୁ ଆଉ ମାତ୍ର ୨ଦିନ ବାକିଥିଲେ ବି ମନ୍ମଥ ଦଳର କର୍ମୀ ଓ ନେତାମାନଙ୍କ ମଧ୍ୟରେ ଗ୍ରହଣୀୟ ହୋଇପାରିନାହାନ୍ତି । ମନ୍ମଥଙ୍କୁ ଦଳୀୟ ଟିକେଟ୍ ଦେଇ ତାଙ୍କ ପିତା ସୁର ରାଉତରାୟଙ୍କ କଂଗ୍ରେସ ଭୋଟବ୍ୟାଙ୍କକୁ ହାତେଇବା ପାଇଁ ବିଜେଡିର ରଣନୀତି ବି ଫେଲ୍ ମାରିଛି । ଏପରିକି ସୁରଙ୍କ ଗଡ଼ କୁହାଯାଉଥିବା ଜଟଣୀରେ ଏବେ ବିଜେଡିର ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟ ଓ ମନ୍ମଥଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଛକାପଞ୍ଝା ଯୋଗୁ ସେଠାରେ ପ୍ରଚାର ପାଇଁ ପରସ୍ପର ଭିନ୍ନ ଭିନ୍ନ ପାର୍ଟି ଅଫିସ୍ ଖୋଲିଛନ୍ତି । ମନ୍ମଥଙ୍କ ସମର୍ଥକମାନେ ଖୋଲାଖୋଲି ଭାବେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ଜେନାଙ୍କ ସପକ୍ଷରେ ଭୋଟ୍ ଦେବେ ବୋଲି କହୁଥିବା ଚର୍ଚ୍ଚା ହେଉଛି । ସୁର ଏବେ ଅଘୋଷିତ ଭାବେ ବିଜେଡିରେ ସାମିଲ ହୋଇଥିଲେ ମଧ୍ୟ ତାଙ୍କର ସମର୍ଥକମାନେ ବିଜେଡିଠୁ ଦୂରେଇ ରହିଛନ୍ତି । ଏପରିକି ସୁର ନିଜର ବଡ଼ପୁଅ କିମ୍ବା ରକ୍ତ ସମ୍ପର୍କୀୟମାନଙ୍କୁ ବି ମନ୍ମଥଙ୍କ ସପକ୍ଷରେ ଆଣିବାକୁ ସକ୍ଷମ ହୋଇପାରିନାହାନ୍ତି । ସେହିପରି ଖୋର୍ଦ୍ଧା ସଂସଦୀୟ କ୍ଷେତ୍ରରେ କାଳୁ ଖଣ୍ଡାୟତରାୟଙ୍କୁ ହାତବାରିସି କରି ବିଜେଡି ନିଜର ସାଂସଦ ପ୍ରାର୍ଥୀଙ୍କୁ ଜିତାଇବାକୁ କରିଥିବା ରଣନୀତି ବି ଫେଲ୍ ମାରିଛି । ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ବିଜେଡିର ବରିଷ୍ଠ ନେତ୍ରୀ ବାସନ୍ତୀ ମହାପାତ୍ର ଓ ଅନ୍ୟ ଆଗଧାଡ଼ିର ନେତାଙ୍କୁ ନିଜ ସହ ସାମିଲ କରି ବିଜେପିର କଳେବର ବଢ଼ାଇଛନ୍ତି । ତା’ଛଡ଼ା ବିଧାୟକ ଜିତୁ ମିତ୍ରଙ୍କ ସମର୍ଥନ ବି ତାଙ୍କ ପାଇଁ ରହିଛି । ତେଣୁ ଅପରାଜିତାଙ୍କ ସ୍ଥିତି କ୍ରମାଗତ ସହଜ ହେବାରେ ଲାଗିଛି ।
ଉଲ୍ଲେଖଯୋଗ୍ୟ, ଯୁବପୀଢ଼ୀ ଏବେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଥିବାବେଳେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥଙ୍କ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଦେଖିଲେ ସେ ଯୁବବର୍ଗଙ୍କ ପସନ୍ଦଠୁ ବହୁପଛରେ ଅଛନ୍ତି ତାହା ସହଜରେ ଅନୁମାନ କରିହେଉଛି । ମନ୍ମଥଙ୍କ ଫେସବୁକ୍ ଆକାଉଣ୍ଟରେ ମାତ୍ର ୧୩ହଜାର ଓ ଇନଷ୍ଟାଗ୍ରାମରେ ପ୍ରାୟ ୨୩ହଜାର ଫଲୋଅର ଥିବାବେଳେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତାଙ୍କ ଫେସବୁକରେ ଫଲୋଅର ସଂଖ୍ୟା ୩ଲକ୍ଷରୁ ଅଧିକ । ସେହିପରି ଇନଷ୍ଟାଗ୍ରାମରେ ୭୦ହଜାର ଫଲୋଅର ଅଛନ୍ତି । ଏପରିକି କଂଗ୍ରେସ ସାଂସଦ ପ୍ରାର୍ଥୀ ୟାସିର ନୱାଜଙ୍କଠୁ ବି ମନ୍ମଥ ପଛରେ ଅଛନ୍ତି । ସମ୍ଭବତଃ ବିଜେଡିରେ ନବୀନ ଓ ପାଣ୍ଡିଆନଙ୍କ ପରେ ସୋସିଆଲ ମିଡିଆରେ ସର୍ବାଧିକ ଫଲୋଅର ଶ୍ରୀମୟୀ ମିଶ୍ରଙ୍କର ରହିଛି । ତାଙ୍କର ଫେସବୁକରେ ଏକଲକ୍ଷରୁ ଅଧିକ ଫଲୋଅର ଥିବାବେଳେ ଇନଷ୍ଟାଗ୍ରାମରେ ଅପରାଜିତାଙ୍କଠୁ ବି ଅଧିକ ଫଲୋଅର(୮୪ହଜାର) ଅଛନ୍ତି ।