Advertisment

ବବି ଡରିଲେ, ସୁଲତା ଉଠାଇଲେ: ବିଜେପି ବର୍ଷିଲା, ଚିନ୍ତାରେ ବିଜେଡି

‘ଆଜି ରାଜ୍ୟସଭାରେ ବିଜେଡି ସାଂସଦ ସୁଲତା ଦେଓଙ୍କ ମୁହଁରେ କଂଗ୍ରେସର ସ୍ୱର ପ୍ରତିଧ୍ୱନିତ ହୋଇଛି । ଲୋକସଭାରେ ଦଳର ବଂଶ ବୁଡ଼ିଯିବା ପରେ ଏବେ ଦିଲ୍ଲୀରେ ନିଜର ରାଜନୈତିକ ଅସ୍ତିତ୍ୱ ବଂଚାଇ ରଖିବା ପାଇଁ ରାଜ୍ୟସଭାରେ ବିଜେଡି ସାଂସଦମାନେ ପ୍ରାଣ ବିକଳରେ କଂଗ୍ରେସ ଡଙ୍ଗାରେ ଚଢ଼ିଯାଇଛନ୍ତି ।’

author-image
Ordigital Desk
Sulata Deo

Sulata Deo

ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଓରଫ ବବି ନିଜର କଲାକର୍ମ ପାଇଁ ଡରିଲେ । କିନ୍ତୁ ବବିଙ୍କ ଆଶୀର୍ବାଦରେ ସାଂସଦ ହୋଇଥିବା ସୁଲତା ଦେଓ ସେହି ପ୍ରସଙ୍ଗକୁ ଆଜି ରାଜ୍ୟସଭାରେ ଉଠାଇଲେ । ଆଉ ସୁଲତାଙ୍କ ବୟାନ ପରେ ରାଜ୍ୟ ବିଜେପି କଡ଼ା ଭାଷାରେ ବର୍ଷିବା ସହ ରାଜ୍ୟରେ ଛାତ୍ର ଓ ଯୁବଗୋଷ୍ଠୀଙ୍କ ଭବିଷ୍ୟତ ସହ ବିଜେଡି ସରକାର କିଭଳି ଖେଳିଥିଲା ତା’ର ଲମ୍ବାଚଉଡ଼ା  ତାଲିକା ରଖିଛି । ବିଜେପିର ଏଭଳି କଡ଼ା ଆଭିମୁଖ୍ୟ ପରେ ପୂର୍ବରୁ ବ୍ୟାକଫୁଟରେ ଥିବା ବିଜେଡି ଏବେ ଚିନ୍ତାରେ ପଡ଼ିଥିବା ଜଣାପଡ଼ିଛି ।

Advertisment

ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ଆଜି ଗଣମାଧ୍ୟମକୁ ବିବୃତ୍ତି ଦେଇ କହିଛନ୍ତି ଯେ, ବିଗତ ୨୪ବର୍ଷ ଧରି ଓଡ଼ିଶାର ଲୋକଙ୍କୁ ବିଜେଡି କେବଳ ଧୋକା ଦେଇନାହିଁ ବରଂ ଦିଲ୍ଲୀ ଦରବାରରେ ରାଜ୍ୟର ସ୍ୱାର୍ଥ କଥା ଉଠାଇବାରେ ମଧ୍ୟ ବିଫଳ ରହିଛି । ଆଜି ରାଜ୍ୟସଭାରେ ବିଜେଡି ସାଂସଦ ସୁଲତା ଦେଓଙ୍କ ମୁହଁରେ କଂଗ୍ରେସର ସ୍ୱର ପ୍ରତିଧ୍ୱନିତ ହୋଇଛି । ଲୋକସଭାରେ ଦଳର ବଂଶ ବୁଡ଼ିଯିବା ପରେ ଏବେ ଦିଲ୍ଲୀରେ ନିଜର ରାଜନୈତିକ ଅସ୍ତିତ୍ୱ ବଂଚାଇ ରଖିବା ପାଇଁ ରାଜ୍ୟସଭାରେ ବିଜେଡି ସାଂସଦମାନେ ପ୍ରାଣ ବିକଳରେ କଂଗ୍ରେସ ଡଙ୍ଗାରେ ଚଢ଼ିଯାଇଛନ୍ତି । ରାଜ୍ୟରେ ବିଜେଡି ସରକାର ଅମଳରେ ପ୍ରତିବର୍ଷ ପୁଳାପୁଳା ପ୍ରଶ୍ନପତ୍ର ଲିକ୍ ଘଟଣା ସାମ୍ନାକୁ ଆସିଥିଲା । ପ୍ରତିବର୍ଷ ମାଟ୍ରିକ୍ ଠାରୁ ଆରମ୍ଭ କରି +୨ ଓ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ଘଟଣା ମଧ୍ୟ ପଦାକୁ ଆସୁଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସାଧାରଣ ପ୍ରଶାସନ ବିଭାଗ ଦାୟିତ୍ୱରେ ଥିଲେ । ତାଙ୍କରି ବିଭାଗ ଅଧିନରେ ଥିବା ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା ଷ୍ଟାଫ ସିଲେକ୍ସନ ଆୟୋଗ, ଓଡ଼ିଶା ସର୍ବଅଡିନେଟ୍ ଷ୍ଟାଫ ସିଲେକ୍ସନ ଆୟୋଗ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେବା ସହିତ ‘ଜବ୍ ଫର୍ ସ୍କାମ’ ର‌୍ୟାକେଟ୍ କଥା ସାମ୍ନାକୁ ଆସିଥିଲା । ଏହି ‘ଜବ୍ ଫର୍ ସ୍କାମ୍‌’ ର‌୍ୟାକେଟ୍ ପାଇଁ ଲକ୍ଷଲକ୍ଷ ଓଡ଼ିଆ ଯୁବକଯୁବତୀ ସେମାନଙ୍କର ନ୍ୟାଯ୍ୟ ଅଧିକାର ହରାଇଥିଲେ । କିନ୍ତୁ ଏସବୁ ପ୍ରସଙ୍ଗରେ ସେତେବେଳେ କାର୍ଯ୍ୟାନୁଷ୍ଠାନ ନେବାତ ଦୂରର କଥା ନବୀନ ପଟ୍ଟନାୟକ କୌଣସି ପ୍ରତିକ୍ରିୟା ବି ଦେଲେନି । ବିଜେଡି ଶାସନବେଳେ ବିଭିନ୍ନ ପରୀକ୍ଷାରେ ପୁଳାପୁଳା ପ୍ରଶ୍ନପତ୍ର ଲିକ୍ ହେଉଥିବାବେଳେ ରାଜ୍ୟସଭା ସାଂସଦ ସୁଲତା ଦେଓ କେଉଁଠି ଥିଲେ ବୋଲି ଶ୍ରୀ ମଲ୍ଲିକ ପ୍ରଶ୍ନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସାଂସଦ ଶ୍ରୀମତୀ ଦେଓ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଥିଲେ । ରତ୍ନଭଣ୍ଡାର ଚାବି ହଜିବା, ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଯାଂଚ ପାଇଁ ଏକ କମିଟି ଗଠନ କରିବାକୁ ବିଜେପି କହିଥିବା ଆଦିକୁ ସମାଲୋଚନା କରିବା ସହ ନିଟ୍ ସ୍କାମ ପ୍ରସଙ୍ଗ ଉଠାଇ ୭ବର୍ଷରେ ୭୦ଟି ସ୍କାମ ହୋଇଛି ବୋଲି ଅଭିଯୋଗ କରିଛନ୍ତି ।

Advertisment

ଅନ୍ୟପକ୍ଷରେ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିଟ୍ ସ୍କାମ ପ୍ରସଙ୍ଗରେ ଗତକାଲି ଅର୍ଥାତ୍ ସୋମବାର ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯିବା ସହ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏହି ନିଷ୍ପତ୍ତି ନେବାର ମାତ୍ର ୨-୩ ଘଂଟା ମଧ୍ୟରେ ଦଳର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଓରଫ ବବି ୟୁ-ଟର୍ଣ୍ଣ ନେଇ ଏହି ନିଟ୍ ସ୍କାମ ପ୍ରସଙ୍ଗରେ ନିରବ ରହିବାକୁ ଦଳୀୟ ନେତାମାନଙ୍କୁ କହିଥିଲେ ବୋଲି ବିଜେଡି ସୂତ୍ରରୁ ଜଣାପଡ଼ିଛି ।

ଚର୍ଚ୍ଚା ହେଉଛି, ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର କ୍ଷମତାରେ ଥିବାରୁ ବିଜେଡି ନେତୃତ୍ୱ ଓଡ଼ିଶାରେ ଏଭଳି କିଛି ବି ପ୍ରସଙ୍ଗକୁ ନେଇ ରାଜରାସ୍ତାରେ ବିକ୍ଷୋଭ ଅବା ନିର୍ଣ୍ଣାୟକ ଲଢ଼େଇ କରିବାକୁ ଚାହୁଁନାହାନ୍ତି ଯାହାକି ସେମାନଙ୍କ ପାଇଁ ଗୋଡ଼ରେ କୁରାଢ଼ୀ ମାରିବା ସଦୃଶ ହେବ । କାରଣ ୨୪ବର୍ଷର ଶାସନକାଳରେ ବିଜେଡିର ଏହି ପାୱାର କୋଟେରୀର ନେତାମାନେ ପୁଳାପୁଳା ଦୁର୍ନୀତି ଓ ଅନୀତି ସହ ଜଡ଼ିତ ଥିବାରୁ ନିଜର ପାପକୁ ଲୁଚାଇବା ପାଇଁ ସେମାନେ ଏବେ ଦଳକୁ ବନ୍ଧା ପକାଇ ଦେବାକୁ ପଛାଉନଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି ।

BjD Bjp Sulata Deo