Advertisment

ଅଜଣା ଚାନ୍ଦାରେ ବିଜେଡି ୧ ନମ୍ବର

୬ ବର୍ଷରେ ବିଜେଡିକୁ ୬୯୨.୬୦ କୋଟି ଟଙ୍କା ଚାନ୍ଦା ମିଳିଥିବାବେଳେ ଏଥିରୁ ଇଲେକଟୋରାଲ ବଣ୍ଡ ଜରିଆରେ ୬୨୨ କୋଟି ଟଙ୍କା, କର୍ପୋରେଟ ଡୋନେସନରୁ ୬୭.୨୮ କୋଟି ଟଙ୍କା ଓ ଅନ୍ୟାନ୍ୟ ସୂତ୍ରରୁ ୩.୩୨ କୋଟି ଟଙ୍କା ମିଳିଛି।

author-image
Ordigital Desk
undefined

Shankha Bhawan

୨୦୧୮ ପରେ ଇଲେକଟୋରାଲ ବଣ୍ଡ ଆସିବା ପରେ ରାଜନୈତିକ ଦଳଗୁଡ଼ିକୁ ବଣ୍ଡରେ କିଏ ଚାନ୍ଦା ଦେଲେ ତାହା ସର୍ବସାଧାରଣରେ ପ୍ରକାଶ ପାଉନାହିଁ। ଆଉ ଏହାର ସୁବିଧା ନେବାରେ ଦେଶର ୨୪ଟି ଆଞ୍ଚଳିକ ଦଳ ଭିତରେ ଆଗରେ ରହିଛି ବିଜୁ ଜନତା ଦଳ ବା ବିଜେଡି। ଏଡିଆର ପକ୍ଷରୁ ପ୍ରକାଶିତ ସଦ୍ୟ ରିପୋର୍ଟରେ ୭ଟି ଜାତୀୟ ଦଳ ଓ ୨୪ଟି ଆଞ୍ଚଳିକ ଦଳର ଚାନ୍ଦାକୁ ନେଇ ତୁଳନା କଲାବେଳେ ଏହି ତଥ୍ୟ ପଦାକୁ ଆସିଛି।

Advertisment

୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ଅର୍ଥାତ୍ ଗତ ୬ ବର୍ଷର ଅଡିଟ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ୬ ବର୍ଷରେ ବିଜେଡିକୁ ୬୯୨.୬୦ କୋଟି ଟଙ୍କା ଚାନ୍ଦା ମିଳିଥିବାବେଳେ ଏଥିରୁ ଇଲେକଟୋରାଲ ବଣ୍ଡ ଜରିଆରେ ୬୨୨ କୋଟି ଟଙ୍କା, କର୍ପୋରେଟ ଡୋନେସନରୁ ୬୭.୨୮ କୋଟି ଟଙ୍କା ଓ ଅନ୍ୟାନ୍ୟ ସୂତ୍ରରୁ ୩.୩୨ କୋଟି ଟଙ୍କା ମିଳିଛି। ଇଲେକଟୋରାଲ ବଣ୍ଡରେ 24ଟି ଆଞ୍ଚଳିକ ଦଳରୁ ବିଜେଡିକୁ ସର୍ବାଧିକ ୬୨୨ କୋଟି ଟଙ୍କା ଅର୍ଥାତ୍ ୮୯.୮୧ ପ୍ରତିଶତ ଚାନ୍ଦା ବଣ୍ଡ ଆକାରରେ ମିଳିଛି। ବଣ୍ଡ ବାଟେ ଡିଏମେକ ଦ୍ୱିତୀୟ ସର୍ବାଧିକ ୪୩୧.୫୦ କୋଟି ଟଙ୍କା ପାଇଛି। ଟିଆରଏସ୍ ବଣ୍ଡ ବାଟେ ୩୮୩.୬୫ କୋଟି ଟଙ୍କା ଚାନ୍ଦା ପାଇ ତୃତୀୟ ସ୍ଥାନରେ ରହିଛି।

ଜାତୀୟ ଦଳ ଭିତରେ ଭାରତୀୟ ଜନତା ପାର୍ଟି ବା ବିଜେପି ଅନ୍ୟ ୬ଟି ଜାତୀୟ ଦଳ ତୁଳନାରେ ଏହି ୬ ବର୍ଷରେ ତିନି ଗୁଣ ଅଧିକ ଚାନ୍ଦା ପାଇଛି। ତେବେ ବିଜେପିକୁ ୬ ବର୍ଷରେ ସର୍ବାଧିକ ୧୦,୧୨୨.୦୩ କୋଟି ଟଙ୍କା ଚାନ୍ଦା ମିଳିଥିବାବେଳେ ଏଥିରୁ ମାତ୍ର ୫୨% ଅର୍ଥାତ୍ ୫୨୭୧.୯୭ କୋଟି ଟଙ୍କା ବଣ୍ଡ ବାଟେ ମିଳିଛି। ସେହି ୬ ବର୍ଷରେ କଂଗ୍ରେସକୁ ଦ୍ୱିତୀୟ ସର୍ବାଧିକ ୧୫୪୭.୪୩ କୋଟି ଟଙ୍କା ଚାନ୍ଦା ମିଳିଥିବାବେଳେ ଏଥିରୁ ୬୧.୫୪% ଚାନ୍ଦା ଇଲେକଟୋରାଲ ବଣ୍ଡ ବାଟେ ମିଳିଛି। ତୃଣମୂଳ କଂଗ୍ରେସକୁ ୮୨୩.୦୩ କୋଟି ଟଙ୍କା ଚାନ୍ଦା ମିଳିଥିବାବେଳେ ଏଥିରୁ ୯୩.୨୭ ପ୍ରତିଶତ ଅର୍ଥାତ୍ ୭୬୭.୮୮ କୋଟି ଟଙ୍କା ବଣ୍ଡ ବାଟେ ଚାନ୍ଦା ମିଳିଛି। ବଣ୍ଡକୁ ହଟାଇବା ପାଇଁ ଓ ଦାତାଙ୍କ ନାଁ ସର୍ବସାଧାରଣରେ ପ୍ରକାଶ କରିବାକୁ ଏଡିଆର ପକ୍ଷରୁ ବାରମ୍ବାର ଦାବି କରାଯାଉଛି।

Advertisment

ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋଙ୍କ ରିପୋର୍ଟ

BjD Bjp ADR