/odisha-reporter/media/post_attachments/uploadimage/library/16_9/16_9_0/CM_1675264947.jpg)
CM Naveen Patnaik
ଦୀର୍ଘ ୨୩ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ଆଂଚଳିକ ଦଳ ବିଜେଡି ଏବେ ‘ପ୍ରସଙ୍ଗ’ ସଙ୍କଟ ଭିତରେ ଗତି କରୁଛି । ନିଜସ୍ୱ ବାଧ୍ୟବାଧକତା ପାଇଁ କେନ୍ଦ୍ରର ଏନଡିଏ ସରକାର ସହ ଭିତରି ବୁଝାମଣା କରିଥିବା ଶାସକ ବିଜେଡିକୁ ଏବେ କେନ୍ଦ୍ର ସରକାର ବିରୁଦ୍ଧରେ ଲଢ଼େଇ କରିବା ନିମନ୍ତେ ‘ପ୍ରସଙ୍ଗ’ ମିଳୁନି । ଆଉ କେନ୍ଦ୍ର ଅବହେଳାର ଆଳ ଦେଖାଇ ଅତିରିକ୍ତ ୫କିଲୋ ଚାଉଳ କାଟି ଦିଆଯିବା ପ୍ରସଙ୍ଗରେ ଆସନ୍ତା ୧୫ ଓ ୧୬ତାରିଖ ଦୁଇଦିନ ଧରି ପଂଚାୟତ ଓ ବ୍ଲକସ୍ତରରେ ରାଜରାସ୍ତାରେ ଲଢ଼େଇ କରିବ ବୋଲି ବିଜେଡି ଆଜି ଘୋଷଣା କରିଛି ସତ କିନ୍ତୁ କରୋନା କାଳରେ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଯେଉଁ ଅତିରିକ୍ତ ମୁଣ୍ଡପିଛା ୫କିଲୋ ଚାଉଳ ରାଜ୍ୟ ସରକାର ଦେଉଥିଲେ ତାକୁ ଜାନୁୟାରୀ ମାସରୁ ବନ୍ଦ କରିଦିଆଯାଇଛି । ଅର୍ଥାତ୍ କେନ୍ଦ୍ର ସରକାର ୫କିଲୋ ଚାଉଳ କାଟିଦେଲେ ବୋଲି ଶାସକ ବିଜେଡି ଯେଉଁ ତୁମ୍ଭିତୋଫାନ କରୁଛି, ନିଜେ କାହିଁକି ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଅତିରିକ୍ତ ୫କିଲୋ ଚାଉଳ ଦେଉନି ତାକୁ ନେଇ ବିଜେଡିର ଦୋମୁହାଁ ଓ ଗରିବମାରଣ ନୀତି ପଦାରେ ପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାର ଗତ ଡିସେମ୍ବର ୨୮ତାରିଖରେ ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ( ଓଡ଼ିଶାର ୩.୨୫କୋଟି ଲୋକଙ୍କ ସମେତ ସମଗ୍ର ଦେଶରେ ୮୦କୋଟି)ଙ୍କୁ ମାଗଣାରେ ମୁଣ୍ଡପିଛା ମାସିକ ୫କିଲୋ ଚାଉଳ/ଗହମ ଯୋଗାଇ ଦିଆଯିବ ତଥା ପରିବହନ ଓ ହ୍ୟାଣ୍ଡେଲିଂର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ସୂଚନା ଦେଇଥିଲେ । କେନ୍ଦ୍ର ସରକାରଙ୍କୁ ଅନୁସରଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ଜାନୁୟାରୀ ୪ତାରିଖରେ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାଗଣାରେ ମୁଣ୍ଡପିଛା ୫କିଲୋ ଚାଉଳ ଯୋଗାଇ ଦିଆଯିବ ବୋଲି ଘୋଷଣା କଲେ । କିନ୍ତୁ ଏବେ କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଦେଉଥିବା ମାଗଣା ଚାଉଳ ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଇବାକୁ ରାଜ୍ୟ ବିଜେପି ତୃଣମୂଳସ୍ତରରେ ଯୋଜନା କରିବା ପରେ ଶାସକ ବିଜେଡି ଚିନ୍ତାରେ ପଡ଼ିଛି ।
କେନ୍ଦ୍ରର ଏନଡିଏ ସରକାରକୁ ଗତ କିଛିବର୍ଷ ଧରି ଅଯାଚିତ ଭାବେ ସବୁ ପ୍ରସଙ୍ଗରେ ସମର୍ଥନ କରି ସୁବିଧାବାଦୀ ରାଜନୀତି କରୁଥିବା ବିଜେଡି ଆଗାମୀ ସାଧାରଣ ନିର୍ବାଚନରେ ଲୋକଙ୍କ ପାଖକୁ କେଉଁ ପ୍ରସଙ୍ଗକୁ ନେଇ ଯିବ ତାହା ଏବେ ଦଳର ରଣନୀତିକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ମହାନଦୀ, ପୋଲାଭରମ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ, ରେଳବାଇ ଅବହେଳା,ଚାଷୀଙ୍କୁ ୨୯୩୦ଟଙ୍କାର ଧାନ ଏମଏସପି ଆଦି ପ୍ରସଙ୍ଗରେ ବିଜେଡିର ଦୋମୁହାଁ ଆଭିମୁଖ୍ୟ ପଦାରେ ପଡ଼ିସାରିଥିବା ତଥା ଏସବୁ ପ୍ରସଙ୍ଗକୁ ବିଜେଡି କେବଳ ‘ନିର୍ବାଚନୀ ଭେଳିକି’ କରିସାରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଦଳ ଏବେ ଏଭଳି ଏକ ପ୍ରସଙ୍ଗକୁ ଧରି ଆଗାମୀ ୧୫ ଓ ୧୬ତାରିଖରେ ରାଜ୍ୟରେ ପଂଚାୟତ ଓ ବ୍ଲକସ୍ତରରେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି, ଯାହାକି ଆରମ୍ଭରୁ ଏକ ଫ୍ଲପ୍ ଶୋ’ ହେବାକୁ ଯାଉଛି ।
କାରଣ ରାଜ୍ୟ ଖାଦ୍ୟଯୋଗାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଏବେ ସମଗ୍ର ରାଜ୍ୟରେ ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଜାନୁୟାରୀ ମାସର ଚାଉଳ ବଂଟନ କରାଯାଉଛି । କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷାରେ ମୁଣ୍ଡପିଛା ୫କିଲୋ ଚାଉଳ ଓ ଅନ୍ତ୍ୟୋଦୟରେ ୩୫କିଲୋ ଚାଉଳ ମାଗଣା ଦେଉଥିବାବେଳେ ରାଜ୍ୟ ସରକାର ମଧ୍ୟ ଅନୁରୂପ ଭାବେ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମୁଣ୍ଡପିଛା ୫କିଲୋ ଚାଉଳ ଯୋଗାଇ ଦେଉଛନ୍ତି । ଯଦିଓ କେନ୍ଦ୍ର ସରକାର ୨୦୨୦ ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ମାସିକ ମୁଣ୍ଡପିଛା ଅତିରିକ୍ତ ୫କିଲୋ ଚାଉଳ ମାଗଣା ଦେବା ଆରମ୍ଭ କରିବା ପରେ ରାଜ୍ୟ ସରକାର ମଧ୍ୟ ରାଜ୍ୟ ଖାଦ୍ୟ କାର୍ଡଧାରୀଙ୍କୁ ବି ମାଗଣା ଅତିରିକ୍ତ ୫କିଲୋ ଚାଉଳ ଯୋଗାଇ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ବି ଅତିରିକ୍ତ ଚାଉଳ ଯୋଗାଇବା ବନ୍ଦ କରିଦେଇଛନ୍ତି ।
କିନ୍ତୁ ଶାସକ ବିଜେଡି ଏବେ କେନ୍ଦ୍ର ସରକାର କରୋନା କାଳରେ ଯୋଗାଉଥିବା ମାସିକ ଅତିରିକ୍ତ ୫କିଲୋ ମାଗଣା ଚାଉଳ କାହିଁକି ବନ୍ଦ କଲେ ବୋଲି ଅଭିଯୋଗ କରି ଗଣମାଧ୍ୟମରେ ତୁମ୍ଭିତୋଫାନ କରିବା ସହ ୧୫ରେ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । ମାତ୍ର ପ୍ରଶ୍ନ ଉଠୁଛି-
- କରୋନା କାଳରେ ସାଧାରଣ ଲୋକଙ୍କ ଉପରେ ଆର୍ଥିକ ବୋଝ ହ୍ରାସ ନିମନ୍ତେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଭଳି ଏକ ଜାତୀୟସ୍ତରର ଯୋଜନାକୁ କେନ୍ଦ୍ର ସରକାର କରୋନା ପରିସ୍ଥିତି ସୁଧୁରିବା ପରେ( ପ୍ରାୟ ୩୦ମାସ ପରେ) ବନ୍ଦ କରିବା ନିଷ୍ପତ୍ତି ସବୁ ରାଜ୍ୟ ପାଇଁ ଉଦ୍ଦିଷ୍ଟ ଥିବାବେଳେ କେବଳ ଓଡ଼ିଶାର ଶାସକ ବିଜେଡି କାହିଁକି ପ୍ରତିବାଦ କରୁଛି?
- କେନ୍ଦ୍ର ସରକାର କରୋନା ପୂର୍ବରୁ ଯେଭଳି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡପିଛା ମାସିକ ୫କିଲୋ ଚାଉଳ ଯୋଗାଉଥିଲେ, ଏବେ ସେଭଳି କରୁଛନ୍ତି, ତା’ପୁଣି ମାଗଣାରେ, ସେଥିରେ ବିଜେଡି କାହିଁକି ଆପତ୍ତି ଉଠାଉଛି? ଏହା ପଛରେ ବିଜେଡିର କ’ଣ ସ୍ୱାର୍ଥ ରହିଛି?
- ଜାତୀୟ ଖାଦ୍ୟ ସୁରକ୍ଷାରେ ମାଗଣା ଚାଉଳ ମିଳୁଥିବା ସମ୍ପର୍କରେ ରାଜ୍ୟ ବିଜେପି ଖୁବଶୀଘ୍ର ଲୋକଙ୍କୁ ସଚେତନ କରିବାକୁ ନିଷ୍ପତ୍ତି ନେବା ବିଜେଡି ପାଇଁ ନିର୍ବାଚନରେ ଘାତକ ସାବ୍ୟସ୍ତ ହେବ କି?
- ଚାଉଳକୁ ନେଇ ୨୦୦୮ ମସିହାରୁ ରାଜନୀତି କରିଆସୁଥିବା ବିଜେଡିର ଅସଲମୁଖା ପଦାରେ ପଡ଼ିଯିବ କି? ସେହି ଭୟ ଏବେ ଶାସକ ଦଳକୁ ଘାରିଛି କି?
- ଯଦି ବିଜେଡି ରାଜ୍ୟର ଗରିବ ଲୋକଙ୍କ ପାଇଁ ଏତେ ଦରଦ ଦେଖାଉଛି ତା’ହେଲେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ୮.୦୯ଲକ୍ଷ ହିତାଧିକାରୀଙ୍କୁ ୨୦୨୦ ଏପ୍ରିଲରୁ ଦେଉଥିବା ମାସିକ ଅତିରିକ୍ତ ମାଗଣା ୫କିଲୋ ଚାଉଳକୁ ରାଜ୍ୟ ସରକାର କାହିଁକି ଜାରି ରଖୁନାହାନ୍ତି?
- କାହିଁକି ଚଳିତ ମାସରୁ କେବଳ ମୁଣ୍ଡପିଛା ୫କିଲୋ ଚାଉଳ ଏହି ରାଜ୍ୟ ଖାଦ୍ୟ କାର୍ଡଧାରୀଙ୍କୁ ଯୋଗାଇ ଦେଉଛନ୍ତି? ବିଜେଡି ପାଖରେ ସତରେ କ’ଣ କେନ୍ଦ୍ର ବିରୁଦ୍ଧରେ ଲଢ଼େଇ କରିବା ନିମନ୍ତେ କୌଣସି ପ୍ରସଙ୍ଗ ନାହିଁ? ଯେଉଁଥିପାଇଁ ଦଳ ଏଭଳି ଏକ ‘ମୃତ ପ୍ରସଙ୍ଗ’କୁ ଜୋରଜବରଦସ୍ତି ଜୀବନ୍ତ କରିବାକୁ ଚାହୁଁଛି ।
ବିଜେଡି ସରକାର ନିଜେ କରୋନା କାଳରେ ଆରମ୍ଭ କରିଥିବା ଗରିବକଲ୍ୟାଣ ଯୋଜନାକୁ ଜାରି ରଖି ପ୍ରଥମେ ଉଦାହରଣ ସୃଷ୍ଟି କରନ୍ତୁ ତା’ପରେ କେନ୍ଦ୍ର ସରକାର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରନ୍ତୁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅବଶ୍ୟ ଏହି ଚାଉଳ ବନ୍ଦକୁ ନେଇ ବିଜେଡି,ବିଜେପି ଓ କଂଗ୍ରେସ ଭିନ୍ନ ଭିନ୍ନ ବୟାନବାଜି କରୁଥିଲେ ମଧ୍ୟ ରାଜନୀତିକ ଉଷ୍ମତା ବଜାୟ ରଖିବା ପାଇଁ ଉକ୍ତ ୩ଦଳ କେହି ମୂଳ ପ୍ରସଙ୍ଗରେ ବୟାନ ଦେବାକୁ ଆଗ୍ରହ ଦେଖାଉନାହାନ୍ତି ।
ସୂଚନାଯୋଗ୍ୟ, ଗତ ସପ୍ତାହରେ କେନ୍ଦ୍ର ଖାଉଟ ବ୍ୟାପାର,ଖାଦ୍ୟ ଯୋଗାଣ ରାଷ୍ଟ୍ରମନ୍ତ୍ରୀ ଦାନଭେ ରାଓସାହେବ ଦାଦାରାଓ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶବାସୀଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେବାକୁ ସରକାର ସମୟାନୁସାରେ ଆବଶ୍ୟକ ପଦକ୍ଷେପ ନେଇଥିଲେ । ମହାମାରୀ ସମୟରେ ଲୋକଙ୍କୁ ଖାଦ୍ୟ ପାଇଁ ଯେଭଳି ସମସ୍ୟା ନହେବ ସେଥିପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଓ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାସିକ ଅତିରିକ୍ତ ୫କିଲୋ ଚାଉଳ/ଗହମ ମାଗଣାରେ ଯୋଗାଇ ଦିଆଯାଉଥିଲା । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ହିତାଧିକାରୀଙ୍କୁ ମିଳୁଥିବା ମାସିକ ମୁଣ୍ଡପିଛା ୫କିଲୋ ଖାଦ୍ୟଶସ୍ୟକୁ ଛାଡ଼ି ଅତିରିକ୍ତ ଭାବେ ଯୋଗାଇ ଦିଆଯାଉଥିଲା । ଜାତୀୟ ଖାଦ୍ୟ ସୁରକ୍ଷାରେ ସାମିଲ ନଥିବା ଦାଦନ ଶ୍ରମିକମାନଙ୍କୁ ମଧ୍ୟ କରୋନା କାଳରେ ୨୦୨୦ ମେ’ ଓ ଜୁନ୍ ମାସରେ ମଧ୍ୟ ମାଗଣାରେ ଚାଉଳ/ଗହମ ଯୋଗାଇ ଦେଇଥିଲେ ବୋଲି ସେ କହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
