୨ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ୯ରୁ ସଦସ୍ୟ ସଂଗ୍ରହ ଅଭିଯାନ

ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଓ ସଞ୍ଜୟ ଦାସବର୍ମା ମିଳିତ ଭାବେ ସୂଚନା ଦେଇ କହିଥିଲେ ଯେ, ଦଳର ୩୩ଟି ସାଂଗଠନିକ ଜିଲ୍ଲା ସଭାପତିମାନଙ୍କ ସହ ବୈଠକ ହୋଇଛି ।

BJD ବ୍ୟାନର

  • Published: Friday, 27 September 2024
  • , Updated: 27 September 2024, 10:13 PM IST

ଦୀର୍ଘ ୨୪ବର୍ଷ ପରେ ପ୍ରଥମଥର ପାଇଁ ବିରୋଧୀ ଦଳ ଭାବେ ବିଜେଡି ନିଜର ଜନସମ୍ପର୍କ ପଦଯାତ୍ରା କରିବ । ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧି ଜୟନ୍ତୀରୁ ୨ଟି ପର୍ଯ୍ୟାୟରେ ଦଳର ଏହି ଜନସମ୍ପର୍କ ପଦଯାତ୍ରା ଚାଳିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଓ ସଞ୍ଜୟ ଦାସବର୍ମା ମିଳିତ ଭାବେ ସୂଚନା ଦେଇ କହିଥିଲେ ଯେ, ଦଳର ୩୩ଟି ସାଂଗଠନିକ ଜିଲ୍ଲା ସଭାପତିମାନଙ୍କ ସହ ବୈଠକ ହୋଇଛି । ବିଭିନ୍ନ କମିଟି ସଦସ୍ୟଙ୍କ ସହ ଜିଲ୍ଲା ସଭାପତିମାନଙ୍କର ବୈଠକରେ ଆସନ୍ତା ଗାନ୍ଧି ଜୟନ୍ତୀରୁ ଦଳର ଜନସମ୍ପର୍କ ପଦଯାତ୍ରା ସମ୍ପର୍କରେ ଆଲୋଚନା ହୋଇଛି । ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨ରୁ ୬ତାରିଖ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅକ୍ଟୋବର ୨୧ରୁ ୩୦ତାରିଖ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ଚାଲିବ । ଜନସମ୍ପର୍କ ପଦଯାତ୍ରାରେ ଦଳର ନେତାମାନଙ୍କୁ ଗାଁକୁ ଯାଇ ସାଧାରଣ ଲୋକଙ୍କ ସହ ଯୋଡ଼ି ହେବାକୁ କୁହାଯାଇଛି ।ସେହିପରି ଆସନ୍ତା ଅକ୍ଟୋବର ୯ତାରିଖ ଗୋପବନ୍ଧୁ ଜୟନ୍ତୀରୁ ଦଳର ସଦସ୍ୟତା ଅଭିଯାନ ଆରମ୍ଭ ହେବ । ଦୁଇମାସ ଧରି ଏହି ସଦସ୍ୟତା ଅଭିଯାନ ଚାଲିବ । ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଆଲୋଚନା ହୋଇଛି । ସଭ୍ୟ ସଂଗ୍ରହ ଅଭିଯାନରେ ଯୁବବର୍ଗଙ୍କୁ ଗୁରୁତ୍ୱ ମିଳିବ ।

ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ବି ରାଜ୍ୟର ଲୋକପ୍ରିୟ ଜନନତୋ । ବିଜେଡି ଏକ ଶକ୍ତିଶାଳୀ ଆଂଚଳିକ ଦଳ । ନବୀନଙ୍କୁ ଓଡ଼ିଶାର ଲୋକେ ପୁଣି ଖୋଜୁଛନ୍ତି । ଲୋକଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ଉଦ୍ୟମ ଜାରି ରହିବ । କିଛିମାସ ମଧ୍ୟରେ ଓଡ଼ିଶାର ପରିଚୟ ସଙ୍କଟ ସୃଷ୍ଟି ହୋଇଛି। ରାଜ୍ୟର ସର୍ବବୃହତ୍ ବିରୋଧୀ ଦଳ ଭାବେ ସ୍ୱର ଶାଣିତ ହେବ । ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ବିଜେଡି କାର୍ଯ୍ୟ କରିବ ।  ଜିଲ୍ଲା ଓ ନିର୍ବାଚନମଣ୍ଡଳୀସ୍ତରୀୟ ନେତୃତ୍ୱଙ୍କୁ ନେଇ କାର୍ଯ୍ୟ କରାଯିବ । ଦଳକୁ କିଭଳି ଅଧିକ ସୁଦୃଢ଼ କରାଯିବ ସେ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଥିବା ସମ୍ପୃକ୍ତ ନେତାମାନେ ସୂଚନା ଦେଇଛନ୍ତି ।

 

Related story