Advertisment

ବିଜେଡିର ୨୭ବର୍ଷ ଇତିହାସରେ ପ୍ରଥମ: ନେତା ଆଣିଲେ ଟିକେଟ୍ କିଣାବିକା ଅଭିଯୋଗ

ବିଜେଡି ନେତା ସାମ୍ବାଦିକ ସମ୍ମିଳନୀ କରି ଦଳୀୟ ଟିକେଟ୍ ନମିଳିବା ପଛର ଅସଲ କାହାଣୀ କହିଛନ୍ତି।

Sankha bhawan BJD

Sankha bhawan BJD

Advertisment

ଚଳିତ ନିର୍ବାଚନରେ ବିଜେଡି ଏଭଳି ଏକ କଳଙ୍କ ମୁଣ୍ଡାଇଛି ଯାହା ଆଜିପର୍ଯ୍ୟନ୍ତ ହୋଇନଥିଲା । ଜନ୍ମର ୨୭ବର୍ଷ ମଧ୍ୟରେ ବିଜେଡି ୫ଟି ବିଧାନସଭା ନିର୍ବାଚନ ଓ ୭ଟି ଲୋକସଭା ନିର୍ବାଚନର ସମ୍ମୁଖୀନ ହୋଇଥିଲେ ମଧ୍ୟ କେବେବି ବି ଦଳ ବିରୁଦ୍ଧରେ ଟିକେଟ୍ କିଣାବିକାର ଅଭିଯୋଗ ଆସିନଥିଲା । ଯାହାକି ଚଳିତ ନିର୍ବାଚନରେ ଆସିଛି । ପୂର୍ବରୁ ଟିକେଟ୍ ନପାଇ ଅନେକ ନେତା ଦଳ ଛାଡ଼ୁଥିଲେ ମଧ୍ୟ କେହି ବିଜେଡିରେ ଟିକେଟ୍ କିଣାବିକାର ଅଭିଯୋଗ ଆଣିନଥିଲେ । ମାତ୍ର ଏବେ ଜଣେ ପରେ ଜଣେ ନେତା ଟିକେଟ୍ କିଣାବିକାର ଅଭିଯୋଗ ଆଣିବା ଓ ସୋସିଆଲ ମିଡିଆରେ ମଧ୍ୟ ଏନେଇ ଚର୍ଚ୍ଚା ଜୋର ହେବାପରେ ବିଜେଡିର ଟିକେଟ୍ ବଂଟନ ପ୍ରକ୍ରିୟା ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିଶ୍ୱସନୀୟତା ସନ୍ଦେହଘେରକୁ ଆସିଛି । ଯେଉଁ ଟିକେଟ୍ କିଣାବିକା ଅଭିଯୋଗକୁ ନେଇ କଂଗ୍ରେସ ଆଜି ରାଜ୍ୟରେ ତଳିତଳାନ୍ତ ହେବାକୁ ଯାଉଛି, ବିଜେଡିରେ ଏବେ ଅନୁରୂପ ଅଭିଯୋଗ ଆସିବା ବିଜେଡି ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ବିଜେଡି ନେତା ତଥା ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଦଳୀୟ ଟିକେଟ୍ ନମିଳିବା ପଛର ଅସଲ କାହାଣୀ ପଦାକୁ ଆଣିଛନ୍ତି। ସେ ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି ଯେ, ତାଙ୍କ ପାଖରେ ଟିକେଟ୍ କିଣିବା ପାଇଁ ଟଙ୍କା ନଥିଲା । ତେଣୁ ତାଙ୍କୁ ଟିକେଟ୍ ମିଳିଲା ନାହିଁ । ୧୯୯୫ ମସିହାରୁ ସେ ଜନତା ଦଳ ଓ ପରେ ବିଜେଡିରେ ରହିଛନ୍ତି । ଦୁଇଥର ବିଧାୟକ ମଧ୍ୟ ହୋଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ସେ ପ୍ରାୟ ୫୦ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ । ତାଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଟିକେଟ୍ ମିଳିବ ବୋଲି ପ୍ରତିଶ୍ରୁତି ଦିଆଗଲା । ସର୍ଭେ ଚାଲିଛି ବୋଲି ବାରମ୍ବାର କୁହାଗଲା । କିନ୍ତୁ ଶେଷ ମୁହୂର୍ତ୍ତରେ କୁଚକ୍ରୀ ଗୋଷ୍ଠୀ ତାଙ୍କର ଟିକେଟ୍ କାଟିଦେଲେ । ବିଜେଡି ଟିକେଟ୍ ବଂଟନରେ ପଇସା କାରବାର ହୋଇଛି । ଏତେ ପଇସା ତ ମୋ ପାଖରେ ନାହିଁ ଓ ମୁଁ କେମିତି ଟିକେଟ୍ ପାଇବି ବୋଲି ସେ କ୍ଷୋଭର ସହ କହିଛନ୍ତି । ବହୁତ ଜାଗାରେ ବିଜେଡି ଟିକେଟ୍ ବିକ୍ରି ହୋଇଥିବା ନେଇ ସେ ଶୁଣିଛନ୍ତି ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । ମାତ୍ର ଏହି ଟିକେଟ୍ ବିକ୍ରିରେ କେଉଁମାନେ ସାମିଲ ଅଛନ୍ତି ସେ ନେଇ ଶ୍ରୀ ସେଠୀ ମୁହଁ ଖୋଲିନାହାନ୍ତି ।

କିଛିଦିନ ପୂର୍ବରୁ ବିଜେଡି ଛାଡ଼ିଥିବା ଅନ୍ୟଜଣେ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ମଧ୍ୟ ଅନୁରୂପ ଅଭିଯୋଗ ଆଣିଥିଲେ । ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ଶ୍ରୀ କୁଲେସିକା କହିଥିଲେ ଯେ, ତାଙ୍କୁ ଟିକେଟ୍ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ବିଧାୟକ ଟିକେଟକୁ ମୋଟା ଅଙ୍କରେ ବିକ୍ରି କରାଗଲା । କୋରାପୁଟ ଜିଲ୍ଲାର ବିଜେଡି ଟିକେଟକୁ ପ୍ରାୟ ୫କୋଟି ଟଙ୍କାରେ ବିକ୍ରି କରାଯାଇଛି । ଲକ୍ଷ୍ମୀପୁରର ବିଧାୟକ ପ୍ରଭୁ ଜାନି ଟଙ୍କା ଦେଇ ଟିକେଟ୍ ନେଇଛନ୍ତି ବୋଲି ସେ ଖୋଲା ଅଭିଯୋଗ କରିବାକୁ ପଛାଇ ନଥିଲେ । ତାଙ୍କୁ ଟିକେଟ୍ ମିଳିବାର ପ୍ରତିଶ୍ରୁତି ବିଜେଡି ଦେଇଥିଲା । କିନ୍ତୁ ଟିକେଟ୍ ବଂଟନରେ ଟଙ୍କା କାରବାର ଯୋଗୁ ସେ ବଳି ପଡ଼ିଗଲେ । ଏବେ ଶ୍ରୀ କୁଲେସିକା ବିଜେପିର ପ୍ରାର୍ଥୀ ଭାବେ ଲକ୍ଷ୍ମୀପୁର ଆସନରୁ ଲଢ଼ୁଛନ୍ତି ।

Advertisment

କେବଳ ଏହି ଦୁଇ ନେତା ନୁହଁନ୍ତି, ସୋସିଆଲ ମିଡିଆରେ ଚର୍ଚ୍ଚା ଅନୁସାରେ ଯାଜପୁର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଲେଖାଏଁ ବିଧାନସଭା ଆସନକୁ ମଧ୍ୟ ସମାନ ଢଙ୍ଗରେ ଦୁର୍ବଳ ପ୍ରାର୍ଥୀଙ୍କ ହାତରେ ଟେକି ଦିଆଯାଇଛି । ଏହି ଦୁଇ ଆସନରେ ବରିଷ୍ଠ ନେତାମାନଙ୍କୁ କାଟି ଦଳ ଦୁଇଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି । ସେମାନଙ୍କୁ ଟିକେଟ୍ ମିଳିବା ପଛରେ ବି କୋଟି କୋଟି ଟଙ୍କାର କାରବାର ହୋଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି ।
ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, ବିଜେଡିରେ ଟିକେଟ୍ ବିକ୍ରିର ଅଭିଯୋଗ ନେତାମାନେ ଆଣିବା ନିଶ୍ଚିତ ଭାବେ ଉଦବେଗର ବିଷୟ । ଅନ୍ୟ ଦଳଗୁଡ଼ିକ ଭଳି ବିଜେଡିରେ ନିର୍ବାଚନୀ ପରିଚାଳନା କମିଟି ନାହିଁ । କିମ୍ବା ଟିକେଟ୍ ଚୟନ ପାଇଁ କୌଣସି ଦଳୀୟ କମିଟି ମଧ୍ୟ ଗଠନ ହୋଇନଥିଲା । ଯାହାର ଫାଇଦା କିଛି ହାତଗଣତି ଲୋକ ଉଠାଇଛନ୍ତି । ବିଜେଡିର ଟିକେଟ୍ ବଂଟନ ପ୍ରକ୍ରିୟାରେ ୨-୩ଜଣ ଅଫିସରଙ୍କ ମାତ୍ରାଧିକ ପ୍ରଭାବ ଯୋଗୁ ସ୍ଥାନୀୟ କର୍ମୀମାନଙ୍କ ଭାବାବେଗ ଓ ସମୀକରଣକୁ ଗୁରୁତ୍ୱ ମିଳିନାହିଁ । ଏହି ଅଫିସରମାନେ ନିଜର ଖାସ୍ ଅନୁଗତମାନଙ୍କ ମାଧ୍ୟମରେ ଟିକେଟ୍ ବଂଟନକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ ବୋଲି ଚର୍ଚ୍ଚା ହେଉଛି । ବିଜେଡି ଏବେବି ଖଣ୍ଡପଡ଼ା, କୋରେଇ ଓ ନୀଳଗିରି ଆସନ ପାଇଁ ଟିକେଟ୍ ଘୋଷଣା କରିପାରିନି । ପ୍ରାୟ ୧୫-୧୭ଟି ଆସନ ଏଭଳି ରହିଛି ଯେଉଁଠି ସ୍ଥାନୀୟ ବିରୋଧକୁ ଅଣଦେଖା କରି ସର୍ଭେ ରିପୋର୍ଟକୁ ଆଳ ଦେଖାଇ ଟିକେଟ ବଂଟନ ହୋଇଛି । ଅବଶ୍ୟ ଏହି ସର୍ଭେ ରିପୋର୍ଟର ବିଶ୍ୱସନୀୟତା ଉପରେ ଦଳର ଅଧିକାଂଶ ନେତା ଖୋଲାଖୋଲି ପ୍ରଶ୍ନ ଉଠାଇଛନ୍ତି।

ପୂର୍ବରୁ ଟିକେଟ୍ କିଣାବିକାର ଅଭିଯୋଗ କଂଗ୍ରେସ ବିରୁଦ୍ଧରେ ଆସୁଥିଲା । ଏବେ ଅନୁରୂପ ଅଭିଯୋଗ ବିଜେଡି ବିରୁଦ୍ଧରେ ଆସିବାରେ ଲାଗିଲାଣି । ଯଦି ଏହି ଅଭିଯୋଗରେ ସତ୍ୟତା ଥାଏ ତା’ହେଲେ ନିଶ୍ଚିତ ଭାବେ ବିଜେଡିକୁ ଆଗାମୀ ଦିନରେ ଏହା ମହଙ୍ଗା ପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe