Advertisment

ସମବାୟ ବ୍ୟାଙ୍କ ସଭାପତି ପଦରୁ ବିଜେଡି ନେତା ଟିପି ଦୋରା ବିଦା; ଅର୍ଥ ଆଦାୟ ପାଇଁ ପ୍ରକ୍ରିୟା ଆରମ୍ଭ

୨୦୨୩ ମସିହାରେ ରାଜ୍ୟ ସମବାୟର ଶୀର୍ଷ ବ୍ୟାଙ୍କ ଭାବେ ପରିଚିତ ‘ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ’ର ପରିଚାଳନା କମିଟିକୁ ଶ୍ରୀ ଦୋରା ନିର୍ବାଚିତ ହୋଇଥିଲେ ଓ ବିଜେଡିର ପ୍ରତିନିଧି ଭାବେ ସମବାୟ ବ୍ୟାଙ୍କ ସଭାପତି ପଦ ହାତେଇବାରେ ସକ୍ଷମ ହୋଇଥିଲେ।

author-image
Ordigital Desk
ଅଦ୍ୟତନ ହୋଇଛି
state cooperative bank

state cooperative bank

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି ସଦସ୍ୟ ଓ ସଭାପତି ପଦବୀରୁ ବିଦା ହେଲେ ବିଜେଡି ନେତା ଟି ପ୍ରସାଦରାଓ ଦୋରା। ସେ କ୍ଷମତାର ଅପବ୍ୟବହାର କରି ନେଇଥିବା ବ୍ୟାଙ୍କ ଟଙ୍କା ମଧ୍ୟ ତାଙ୍କଠୁ ଫେରସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀ ଦୋରାଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି ସଭାପତି ଓ ଖାଲି ପଡ଼ିଥିବା ୨ଟି ନିର୍ଦ୍ଦେଶକ ପଦବୀ ପାଇଁ ପୁଣି ଥରେ ନିର୍ବାଚନ ହେବାର ସମ୍ଭାବନା ରହିଥିବା ଜଣାପଡ଼ିଛି।

Advertisment

ବିଜେଡି ନେତା ଶ୍ରୀ ଦୋରାଙ୍କର ଉଭୟ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟିର ସଦସ୍ୟତା ଓ ପରିଚାଳନା କମିଟିର ସଭାପତି ପଦବୀକୁ ତତ୍କାଳ ପ୍ରଭାବରୁ ରଦ୍ଦ ଘୋଷଣା କରାଯାଇଛି । ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ପ୍ରଭୁକଲ୍ୟାଣ ପଟ୍ଟନାୟକ ଚଳିତମାସ ୯ତାରିଖରେ ଶ୍ରୀ ଦୋରାଙ୍କୁ ଚିଠି ଲେଖି ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାରଙ୍କ ନିର୍ଦ୍ଦେଶ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଅବଗତ କରାଇଛନ୍ତି। ଗତ ଜୁଲାଇ ୩୧ତାରିଖରେ ସମବାୟ ରେଜିଷ୍ଟ୍ରାର ଶ୍ରୀ ଦୋରା ସଭାପତି ଥିବା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟିକୁ ନିଲମ୍ବନ ତତ୍କାଳ ପ୍ରଭାବରୁ ନିଲମ୍ବିତ କରିଥିଲେ।

ସେହିପରି ରାଜ୍ୟ ସମବାୟ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଶ୍ରୀ ଦୋରାଙ୍କ ବିରୁଦ୍ଧରେ ଆସିଥିବା ଅର୍ଥ ତୋଷାରପାତ ଅଭିଯୋଗର ପ୍ରମାଣ ମିଳିସାରିଥିବାରୁ ସମ୍ପୃକ୍ତ ଅର୍ଥକୁ ତାଙ୍କଠୁ ଆଦାୟ ନିମନ୍ତେ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଆବଶ୍ୟକ ପଡ଼ିଲେ ଏହି ଅର୍ଥ ତୋଷାରପାତ ଘଟଣାର ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗକୁ ସୁପାରିଶ କରାଯିବ । ଯେହେତୁ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ବୋର୍ଡକୁ ନିଲମ୍ବନ ସହ ଶ୍ରୀ ଦୋରାଙ୍କୁ ଅଯୋଗ୍ୟ ଘୋଷଣା କରି ବିଦା କରାଯାଇଛି, ତେଣୁ ‘ଆପେକ୍ସ ବ୍ୟାଙ୍କ ସଭାପତି’ ପଦ ପାଇଁ ଆଉଥରେ ନିର୍ବାଚନ ହେବାର ସମ୍ଭାବନା ରହିଛି । ମାତ୍ର ଏନେଇ ସରକାରଙ୍କ ସବୁଜ ସଙ୍କେତ ମିଳିବା ପରେ ହିଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Advertisment

ସୂଚନାଯୋଗ୍ୟ, ୨୦୨୩ ମସିହାରେ ରାଜ୍ୟ ସମବାୟର ଶୀର୍ଷ ବ୍ୟାଙ୍କ ଭାବେ ପରିଚିତ ‘ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ’ର ପରିଚାଳନା କମିଟିକୁ ଶ୍ରୀ ଦୋରା ନିର୍ବାଚିତ ହୋଇଥିଲେ ଓ ବିଜେଡିର ପ୍ରତିନିଧି ଭାବେ ସମବାୟ ବ୍ୟାଙ୍କ ସଭାପତି ପଦ ହାତେଇବାରେ ସକ୍ଷମ ହୋଇଥିଲେ। ତେବେ ଗତ ମେ’ ମାସରେ ନାବାର୍ଡ କର୍ତ୍ତୃପକ୍ଷଙ୍କ ଖୋଳତାଡ଼ ପରେ ଶ୍ରୀ ଦୋରାଙ୍କ ବିରୁଦ୍ଧରେ ଆସିଥିବା ବିଭିନ୍ନ ଅର୍ଥ ତୋଷାରପାତ ଅଭିଯୋଗର ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ୩ଜଣିଆ ଉଚ୍ଚସ୍ତରୀୟ କମିଟି ତଦନ୍ତ କରି ଶ୍ରୀ ଦୋରାଙ୍କ ବିରୁଦ୍ଧରେ ରହିଥିବା ଅଭିଯୋଗକୁ ସତ ବୋଲି ପ୍ରମାଣ ପାଇଥିଲେ । ଯାହାକୁ ଆଧାର କରି ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାର ଗତ ଜୁଲାଇ ୩୧ତାରିଖରେ ଓଡ଼ିଶା ସମବାୟ ସୋସାଇଟି ଆକ୍ଟ-୧୯୬୨ର ଧାରା ୨୬(୩-କ) ପ୍ରାବଧାନରେ ଶ୍ରୀ ଦୋରାଙ୍କ ସଦସ୍ୟ ପଦକୁ ଅଯୋଗ୍ୟ ଘୋଷଣା କରିଥିଲେ । ଏହାସହିତ ଉକ୍ତ ଦିନ ମଧ୍ୟ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ବୋର୍ଡକୁ ନିଲମ୍ବିତ କରିଥିଲେ । ଆଉ ବ୍ୟାଙ୍କ ସୁପରିଚାଳନା ପାଇଁ ସମବାୟ ବିଭାଗର ସଚିବ ରାଜେଶ ପ୍ରଭାକର ପାଟିଲଙ୍କୁ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରିଥିଲେ ।

BjD Statecooperativebank