/odisha-reporter/media/post_attachments/uploadimage/library/16_9/16_9_0/IMAGE_1752845579.jpg)
BJD Leaders
ଯାତ୍ରା କଳାକାରଟିଏ ସିନା ରାତିରେ ମେକଅପ୍ ନେଇ ମଂଚରେ ଅଭିନୟ କରି ସକାଳୁ ଘରକୁ ଫେରେ । କିନ୍ତୁ ସରକାରରୁ ଯିବାପରେ ବିଜେଡିର ନେତାମାନଙ୍କ ଅଭିନୟ ଏବେ ପେଷାଦାର କଳାକାରଙ୍କୁ ବି ଟପିଗଲାଣି । ୧୬ତାରିଖରେ ଦଳର ସଚିବାଳୟ ଘେରାଉ କାର୍ଯ୍ୟକ୍ରମରେ ଆହତ ହେବାର ଦାବି କରି ଯାଜପୁର ଜିଲ୍ଲାର ୩ ବିଜେଡି ନେତା ପ୍ରଣବପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡ଼େଇ ଓ ସୁଲତା ଦେଓଙ୍କୁ ରାଜଧାନୀର ୨ଟି ଘରୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । କିନ୍ତୁ ଏହି ଦୁଇ ଘରୋଇ ହସ୍ପିଟାଲରେ ସେମାନଙ୍କୁ ଏଭଳି କେଉଁସ୍ତରର ‘ହାଇସ୍ପିଡ୍ ଚିକିତ୍ସା’ ମିଳିଲା ଯେ ଆଇସିୟୁ ବେଡରୁ ସିଧାସଳଖ ନିଜ ଘରକୁ ସିଫ୍ଟ ହୋଇଗଲେ, ତାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଚାଲିଛି । ତେବେ ୧୬ତାରିଖରେ ବିଜେଡିର ସଚିବାଳୟ ଘେରାଉ କାର୍ଯ୍ୟକ୍ରମ ପରେ ଏହି ୩ ନେତା ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହେବା ଏବଂ ୧୭ତାରିଖରେ ସୁଲତା ଦେଓଙ୍କ ଦ୍ୱାରା ହସ୍ପିଟାଲର ଆଇସିୟୁ ବେଡରୁ ଭିଡିଓ ଜାରି କରାଯିବାକୁ ନେଇ ଦୁଇଟି ଖବର ‘ଓଡ଼ିଶା ରିପୋର୍ଟର’ ଦ୍ୱାରା ପ୍ରକାଶ ପାଇଥିଲା । ଆଉ ବିଜେଡି ନେତାମାନଙ୍କ ଆହତ-ଗୁରୁତରର ଏହି ରାଜନୀତିକ ନାଟକବାଜିର ଅସଲମୁଖା ଖୋଲିଯିବାର ଆଶଙ୍କାକୁ ଦେଖି ସେମାନେ ସିଧାସଳଖ ଆଇସିୟୁ ବେଡରୁ ନିଜ ଘରକୁ ସିଫ୍ଟ ହୋଇଥିବା ଚର୍ଚ୍ଚା ହେଉଛି ।
‘ଓଡ଼ିଶା ରିପୋର୍ଟର’ ଖବର ପରେ ଚେତା ପଶିଲା
୧୬ତାରିଖରେ ବିଜେଡିର ସଚିବାଳୟ ଘେରାଉ କାର୍ଯ୍ୟକ୍ରମରେ ବିଜେଡି ନେତାମାନେ ଗୁରୁତର ହେବାର ଦାବି କରିବା ପରେ ‘ଓଡ଼ିଶା ରିପୋର୍ଟର’ ପକ୍ଷରୁ ଶୀର୍ଷକ “ ବବି-ଡାନି ଓ ସୁଲତା ସତରେ ଆହତ ନା ରାଜନୀତିକ ନାଟକବାଜି’ ଏକ ବର ପ୍ରକାଶିତ ହୋଇଥିଲା । ବବି କିଭଳି ଆହତ ଗୋଡ଼ରେ ଚାଲିଚାଲି ୩୦୦ ମିଟର ଗଲେ ଓ ପ୍ରଥମେ ହସ୍ପିଟାଲ ନଯାଇ ନିଜ ଘରକୁ ଯାଇ ପରେ ହସ୍ପିଟାଲ ଗଲେ ଏବଂ ଡାନି ଓ ସୁଲତାଙ୍କ ହସ୍ପିଟାଲ ହପିଂର ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା । ସେହିପରି ୧୭ତାରିଖ ଅପରାହ୍ନରେ ହସ୍ପିଟାଲର ଆଇସିୟୁ ବେଡରୁ ସୁଲତା ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିବା ପରେ ‘ଓଡ଼ିଶା ରିପୋର୍ଟର’ ଦ୍ୱାରା ଶୀର୍ଷକ “ ସାଂସଦଙ୍କ ହତ୍ୟା ଷଡ଼ଯନ୍ତ୍ର ପଛରେ କିଏ:କେବେ ଚେତିବେ ପୁଲିସ, କାହିଁକି ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରୁନି ହସ୍ପିଟାଲ” ଖବର ପ୍ରକାଶିତ ହୋଇଥିଲା । ଆଉ ଏଥିରେ ସାଂସଦଙ୍କ ଅଭିଯୋଗ ଏବଂ ଉଭୟ ରାଜ୍ୟ ସରକାର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିରବତାକୁ ନେଇ ପ୍ରଶ୍ନ କରାଯାଇଥିଲା ।
ସମାଲୋଚନା ଓ ‘ସରକାରଙ୍କ ଆକ୍ସନ’ ଭୟରେ ଘରକୁ ଫେରିଲେ
‘ଓଡ଼ିଶା ରିପୋର୍ଟର’ରେ ଖବର ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ବିଜେଡିର ଏହି ୩ ନେତାଙ୍କୁ କଡ଼ା ଭାଷାରେ ସାଧାରଣ ଲୋକେ ସମାଲୋଚନା କରିବାରେ ଲାଗିଲେ । ଏହାସହିତ ହସ୍ପିଟାଲ ଉପରେ ମଧ୍ୟ ଚାପ ବଢ଼ିବାରେ ଲାଗିଲା । ହସ୍ପିଟାଲ ନିଜର ବିଶ୍ୱସନୀୟତା ହରାଇବାର ଆଶଙ୍କା କରି ଏହି ନେତାମାନଙ୍କୁ ମଧ୍ୟ ବେଶୀଦିନ ରଖିବାକୁ କୁଣ୍ଠାବୋଧ କଲା । ଏପଟେ ରାଜ୍ୟ ସରକାର ମଧ୍ୟ ସୁଲତାଙ୍କ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗକୁ ଗୁରୁତ୍ୱର ସହ ନେଇ ସେମାନଙ୍କର ଚିକିତ୍ସା ସଂକ୍ରାନ୍ତରେ ଘରୋଇ ହସ୍ପିଟାଲଗୁଡ଼ିକୁ ପ୍ରାରମ୍ଭିକ ରିପୋର୍ଟ ମାଗିବା ପରେ ଏହି ବିଜେଡି ନେତାମାନଙ୍କର ଚେତା ପଶିଥିଲା । ସରକାର ମଧ୍ୟ ନିଜଆଡ଼ୁ ‘ଡାକ୍ତରୀ ଟିମ୍ ’ ଗଠନ କରି ସେମାନଙ୍କ ସ୍ୱାସ୍ଥ୍ୟ ଯାଂଚ ନିମନ୍ତେ ଯୋଜନା କରୁଥିବାର ଆଭାସ ପାଇବା ପରେ ଏହି ବିଜେଡି ନେତାମାନେ ଆଇସିୟୁରୁ ସିଧାସଳଖ ଘରକୁ ସିଫ୍ଟ ପାଇଁ ବାଧ୍ୟ ହୋଇଥିଲେ ବୋଲି ଚର୍ଚ୍ଚା ହେଉଛି । ଆଉ ସେମାନଙ୍କର ଆହତ-ଗୁରୁତରକୁ ନେଇ ରାଜନୀତିକ ଡ୍ରାମାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ସହ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ଅଭିଯୋଗ କରି ଦଳ ଯେଉଁ ପ୍ରତିବାଦ କାର୍ଯ୍ୟକ୍ରମର ଯୋଜନା କରିଥିଲା ତାକୁ ମଧ୍ୟ ଶେଷମୁହୂର୍ତ୍ତରେ ‘ବାଲେଶ୍ୱର ଛାତ୍ରୀଙ୍କୁ ନ୍ୟାୟ ଦାବିରେ ମୁହଁରେ କଳାପଟି ବାନ୍ଧି ପ୍ରତିବାଦ’କୁ ପରିବର୍ତ୍ତନ କରାଇଥିବା ବିଜେଡି ସୂତ୍ରରୁ ସୂଚନା ମିଳିଛି ।
ବିଜେଡି ନେତାଙ୍କ ଆହତ-ଗୁରୁତର ଓ ରାଜନୀତିକ ନାଟକବାଜି
୧୬ତାରିଖ ପୂର୍ବାହ୍ନରେ ସଚିବାଳୟ ଘେରାଉ କାର୍ଯ୍ୟକ୍ରମବେଳେ ବିଜେଡିର ୩ ନେତା ପ୍ରଣବପ୍ରକାଶ ଓରଫ ବବି, ପ୍ରୀତିରଞ୍ଜନ ଓରଫ ଡାନି ଓ ସୁଲତା ଦେଓ ଆହତ ହୋଇଥିବା ନେଇ ଦଳ ପକ୍ଷରୁ ସୂଚନା ଦିଆଗଲା । ଡାନି ଓ ସୁଲତା ପ୍ରଥମେ କ୍ୟାପିଟାଲ ଓ ପରେ ଉତ୍କଳ ହସ୍ପିଟାଲକୁ ସିଫ୍ଟ ହୋଇ ସେଠାରେ ଆଇସିୟୁରେ ରହିଲେ । ବବି ମଧ୍ୟ ସିଧାସଳଖ ଆପୋଲୋ ହସ୍ପିଟାଲ ଯାଇ ଆଇସିୟୁରେ ରହିଲେ । ବିଜେଡିର ଅଘୋଷିତ ସର୍ବେସର୍ବା ଭିକେପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତା ମଧ୍ୟ ଦଳୀୟ ନେତାମାନଙ୍କୁ ଭେଟିବାକୁ ହସ୍ପିଟାଲକୁ ଗଲେ । ହସ୍ପିଟାଲକୁ ବିଜେଡି ନେତାମାନଙ୍କର ସୁଅ ଛୁଟିଲା। ସଚିବାଳୟ ଘେରାଉ କାର୍ଯ୍ୟକ୍ରମବେଳେ ଦଳ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ବୟାନବାଜି କରିବା ସହ ପ୍ରତିବାଦ କାର୍ଯ୍ୟକ୍ରମ କରିବ ବୋଲି ନିଷ୍ପତ୍ତି ନେଲା । କିନ୍ତୁ ଏହି ୩ ନେତାଙ୍କ ଯେ ବାସ୍ତବରେ ଗୁରୁତର ନୁହଁନ୍ତି ଓ ରାଜନୀତିକ ଡ୍ରାମା କରୁଥିବା ନେଇ ସାଧାରଣରେ ସମାଲୋଚନା ହେବାପରେ ଦଳ ‘ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରତିବାଦ’ କରିବା ବଦଳରେ ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣାରେ କଳାପଟି ମୁହଁରେ ବାନ୍ଧି ପ୍ରତିବାଦ କଲା । ଯାହାକି ବିଜେଡିର ବାଚାଳାମି ଓ ଅସ୍ଥିରତାକୁ ପଦାରେ ପକାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
