ପଶ୍ଚିମଓଡ଼ିଶାରେ ବିଜେଡିରେ ନେତୃତ୍ୱ ସଙ୍କଟ, ଏଥର ବିଜେପୁର ନୁହେଁ ନର୍ଲାରୁ ଲଢ଼ିବେ ନବୀନ

ଆଗାମୀ ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡ଼ିଥିବା ବିଜେଡି ପୁଣିଥରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଶ୍ଚିମଓଡ଼ିଶାରେ ବିଧାୟକ ପ୍ରାର୍ଥୀ କରାଇବାକୁ ରଣନୀତି କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • Published: Wednesday, 21 June 2023
  • , Updated: 21 June 2023, 08:32 PM IST

ଆଗାମୀ ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡ଼ିଥିବା ବିଜେଡି ପୁଣିଥରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଶ୍ଚିମଓଡ଼ିଶାରେ ବିଧାୟକ ପ୍ରାର୍ଥୀ କରାଇବାକୁ ରଣନୀତି କରିଛି । ତେବେ ଏଥର ବରଗଡ଼ ଜିଲ୍ଲାର ବିଜେପୁର ପରିବର୍ତ୍ତେ ଦଳ ତାଙ୍କୁ କଳାହାଣ୍ଡି ଜିଲ୍ଲାର ନର୍ଲା ବିଧାନସଭା ଆସନରେ ପ୍ରାର୍ଥୀ କରିବ । ହିଞ୍ଜିଳି ସହ ନର୍ଲା ଆସନରୁ ନବୀନ ଏକକାଳୀନ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ । ଏନେଇ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି ତଥା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଆନୁଷ୍ଠାନିକ ଭାବେ ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂଙ୍କୁ ଏନେଇ ଅବଗତ କରାଇଥିବା ଜଣାପଡ଼ିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଇଦିନିଆ ଗସ୍ତରେ ଆସି କଳାହାଣ୍ଡିରେ ରାତି ବିତାଇବା ସହ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିବାରୁ ଉଭୟ ବିଜେଡି ଓ ବିଜେପିର ଫୋକସରେ କଳାହାଣ୍ଡି ଜିଲ୍ଲା ସମେତ ସମଗ୍ର ପଶ୍ଚିମଓଡ଼ିଶା ରହିଥିବା ସ୍ପଷ୍ଟ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ପଶ୍ଚିମଓଡ଼ିଶାରେ ନେତୃତ୍ୱ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ବିଜେଡି ପାଇଁ ନିଜର ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିବା ଏବେ ମୁଖ୍ୟ ଚ୍ୟାଲେଞ୍ଜ ପାଲଟିଛି । ପଶ୍ଚିମଓଡ଼ିଶାରେ ଦଳର ନେତୃତ୍ୱ ନେବା ପାଇଁ ଜଣେ ବି ଦକ୍ଷ ତଥା ସବୁଗୋଷ୍ଠୀଙ୍କୁ ସାଙ୍ଗରେ ନେଇ ଚାଲିପାରୁଥିବା ନେତାଙ୍କ ଅଭାବ ଯୋଗୁ ଏହି କନ୍ଦଳ ତୀବ୍ର ରୂପ ନେଇଛି । ବିଶେଷକରି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜର ସ୍ୱତନ୍ତ୍ର କୋଟୋରୀ କରି ସେମାନଙ୍କୁ ସାଂଗଠନିକ କାର୍ଯ୍ୟରେ ଗୁରୁତ୍ୱ ଦେଉଥିବାରୁ ପଶ୍ଚିମଓଡ଼ିଶାରେ ଦଳୀୟ ଗୋଷ୍ଠୀକନ୍ଦଳ ଥମିବା ବଦଳରେ ଅଧିକ ଜଟିଳ ହେବାରେ ଲାଗିଛି । ବିଶେଷକରି ପ୍ରଣବଙ୍କ ଦୁଇ ଖାସ୍ ଅନୁଗତ ସୁଶାନ୍ତ ସିଂ ଓ ଦିବ୍ୟଶଙ୍କର ମିଶ୍ରଙ୍କ ବିବାଦୀୟ ଭୂମିକା ଯୋଗୁ ସଂଗଠନରେ ଫାଟ ଜଳଜଳ ହୋଇ ଦିଶିବାରେ ଲାଗିଛି ।

ମନ୍ତ୍ରୀ ପଦ ନମିଳିବା ଯୋଗୁ ଭଟଲି ବିଧାୟକ ସୁଶାନ୍ତ ସିଂ ବିଦ୍ରୋହ କରିବା ପରେ ଦଳୀୟ ନେତୃତ୍ୱ ତାଙ୍କୁ ଭରସା କରିବା ମୁଡରେ ନାହାନ୍ତି । ଏପଟେ ସୁଶାନ୍ତ ନିଜେ ପଶ୍ଚିମଓଡ଼ିଶାରେ ଏବେ ଦଳର ଆତ୍ମଘୋଷିତ ନେତା ପାଲଟିଛନ୍ତି । ପଶ୍ଚିମଓଡ଼ିଶାର ୯ଟି ଜିଲ୍ଲାର ସଂଗଠନ ଦାୟିତ୍ୱ ତାଙ୍କୁ ନ୍ୟସ୍ତ ହୋଇଛି ବୋଲି ଗଣମାଧ୍ୟମକୁ ସୁଶାନ୍ତ ସୂଚନା ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦଳ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶନାମା ଜାରି ହୋଇନି । ଯାହାକି ସୁଶାନ୍ତଙ୍କ ବାହାସ୍ଫୋଟକୁ ପଦାରେ ପକାଇଛି । ମମିତା ମେହେର ହତ୍ୟା ଓ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ଦିବ୍ୟଶଙ୍କରଙ୍କୁ ସ୍ଥାନୀୟ ଲୋକେ ସହଜରେ ବିଶ୍ୱାସକୁ ନେଇପାରୁନାହାନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ନୂଆ ଓ ପୁରୁଣା ବିଜେଡି ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାବେଳେ ଶାରଦା ନାୟକ- ସୁବ୍ରତ ତରାଇ, ଝାରସୁଗୁଡ଼ାରେ ଅଳକା ମହାନ୍ତି-ଦୀପାଳି ଦାସ, ବରଗଡ଼ରେ ସୁଶାନ୍ତ ସିଂ-ରୀତା ସାହୁ, ସ୍ନେହାଙ୍ଗିନୀ ଛୁରିଆ ଓ ମହେନ୍ଦ୍ର ବଢ଼େଇଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ତୀବ୍ର ରୂପ ନେଇଛି ।

ବରଗଡ଼ ଜିଲ୍ଲାରେ କେବଳ ନବାଗତ ବର୍ଷା ସିଂ ବରିହାଙ୍କୁ ବାଦ୍ ଦେଲେ ସୁଶାନ୍ତଙ୍କର ଅନ୍ୟ କୌଣସି ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ପଡ଼ୁନି । ସେହିଭଳି କଳାହାଣ୍ଡିରେ ଦିବ୍ୟଶଙ୍କର ମିଶ୍ର-ପୁଷ୍ପେନ୍ଦ୍ର ସିଂହଦେଓ, ଭୂପିନ୍ଦର ସିଂ, ସୁଜିତ୍ କୁମାରଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାବେଳେ ସଂଗଠନ ସମ୍ପାଦକ ଜାଣିଶୁଣି ନିଜର ଖାସ୍ ଅନୁଗତ ଅନଭିଜ୍ଞ ତଥା ବିବାଦୀୟ ପ୍ରଣବ ବଳବନ୍ତରାୟଙ୍କୁ କଳାହାଣ୍ଡିର ପର୍ଯ୍ୟବେକ୍ଷକ କରିଛନ୍ତି ।  ନୂଆପଡ଼ା ଜିଲ୍ଲାରେ ରାଜେନ୍ଦ୍ର ଢ଼ୋଲକିଆ ମନ୍ତ୍ରୀ ଥିଲେ ମଧ୍ୟ ଖରିଆର ଆସନରେ ବିଜେଡି ପାଖରେ ଦକ୍ଷ ପ୍ରାର୍ଥୀ ନାହାନ୍ତି । ବଲାଙ୍ଗିର ଜିଲ୍ଲାରେ ମନ୍ତ୍ରୀ ଟୁକୁନି ସାହୁଙ୍କ ସାଂଗଠନିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ରହିଛି ।

ଜିଲ୍ଲା ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂଙ୍କ ଖାସ୍ ଅନୁଗତ ଟୁକୁନି ଏପର୍ଯ୍ୟନ୍ତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଡାକିବାରେ ସକ୍ଷମ ହୋଇନାହାନ୍ତି । ଏୟୁ ସିଂହଦେଓ ରାଜ ପରିବାରର ପ୍ରଭାବ ଯୋଗୁ ଟୁକୁନି ବ୍ୟାକଫୁଟରେ ଥିବାବେଳେ ଦଳର ଅନ୍ୟ ନେତା ଆୟୁବ ଖାନ୍‌, ସରୋଜ ମେହେର, ନିହାର ବେହେରାଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ସମ୍ବଲପୁର ଜିଲ୍ଲାରେ ବିଜେଡିର ସଂଗଠନ ସବୁଠୁ ଦୁର୍ବଳ । ସେଠାରେ ଦଳର କେହି ଚେହେରା କିମ୍ବା ପାରିବାର ନେତା ନଥିବାବେଳେ ସଂଗଠନ କେବଳ ଭଗବାନ ଭରସାରେ ଚାଲିଛି । ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ପର୍ଯ୍ୟବେକ୍ଷକ ଦାୟିତ୍ୱ ନେବାପରେ ବି ସ୍ଥିତିରେ ସାମାନ୍ୟତମ ସୁଧାର ଆସିନି । ଓଲଟା ରୋହିତ ପୂଜାରୀଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦଳ ସେଠାରେ ଗୋଷ୍ଠୀକନ୍ଦଳକୁ ଅଧିକ ତୀବ୍ର କରାଇଛି ।

ଏସବୁ କାରଣରୁ ପ୍ରଣବପ୍ରକାଶ କିମ୍ବା ତାଙ୍କ ଦୁଇ ଖାସ୍ ଅନୁଗତ ସୁଶାନ୍ତ ସିଂ ଓ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ଭରସା କରି ପଶ୍ଚିମଓଡ଼ିଶାର ମୋଟ ୩୫ଟି ବିଧାନସଭା ଆସନକୁ ଦଖଲ କରିବା ବିଜେଡି ପାଇଁ ସହଜ ନୁହେଁ ବୋଲି ଦଳ ଅନୁଭବ କରିଛି । ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ବରିଷ୍ଠ ନେତାଙ୍କୁ ଆଗକୁ ଆଣିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ପଶ୍ଚିମଓଡ଼ିଶାର ଏହି ପ୍ରଭାବଶାଳୀ ଗୋଷ୍ଠୀଙ୍କ ବିରୋଧ ଯୋଗୁ ତାହା ସଫଳ ହୋଇପାରିନି । ପଶ୍ଚିମଓଡ଼ିଶାର ସମସ୍ତ ୫ଟି ଲୋକସଭା ଆସନ ଯଥା-ବଲାଙ୍ଗିର, କଳାହାଣ୍ଡି, ବରଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ ଏବେ ବିଜେପି ଦଖଲରେ ରହିଥିବାବେଳେ ଏହା ଅନ୍ତର୍ଗତ ମୋଟ ୩୫ଟି ବିଧାନସଭା ଆସନରୁ ୨୩ଟି ବିଜେଡି ଦଖଲରେ ରହିଛି । ଯଦିଓ ନବୀନ ୨୦୧୯ ସାଧାରଣ ନିର୍ବାଚନରେ ବିଜେପୁରରୁ ପ୍ରାର୍ଥୀ ହୋଇ ପଶ୍ଚିମଓଡ଼ିଶା ଭୋଟକୁ ହାତେଇବାକୁ ପ୍ରୟାସ କରିଥିଲେ କିନ୍ତୁ ସମସ୍ତ ୫ଟି ଲୋକସଭା ସିଟ୍ ବିଜେପି କବଜାକୁ ଯାଇଥିଲା ।

୨୦୧୯ ସାଧାରଣ ନିର୍ବାଚନରେ ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ସମସ୍ତ ୭ଟି ବିଧାନସଭା ଆସନରେ ବିଜେଡିର ଭୋଟ୍ ହାର ହାରାହାରି ୫୧% ଥିବାବେଳେ ଲୋକସଭା ନିର୍ବାଚନରେ ବିଜେଡିକୁ ୪୧.୪୫ ପ୍ରତିଶତ ଭୋଟ୍ ମିଳିଥିଲା । ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ବିଜେଡିର ଭୋଟ ହାର ୪୨.୮% ଥିବାବେଳେ ୨୦୧୪ରେ ଏହା ୪୪.୮% ପ୍ରତିଶତ ଥିଲା । ଅର୍ଥାତ ଲୋକସଭା ନିର୍ବାଚନରେ ପ୍ରାୟ ୨ ପ୍ରତିଶତ ଭୋଟ୍ ବିଜେଡିର ହ୍ରାସ ପାଇଥିଲା ଓ ବିଜେପିକୁ ୨୦୧୯ ଲୋକସଭା ନିର୍ବାଚନରେ ପ୍ରାୟ ୧୬.୫% ଭୋଟ୍ ଅଧିକ ଭୋଟ(୨୦୧୪ ଲୋକସଭା ନିର୍ବାଚନ ତୁଳନାରେ) ପାଇଥିଲା । ଅବଶ୍ୟ କଂଗ୍ରେସର ପ୍ରାୟ ୧୩ ପ୍ରତିଶତ ଭୋଟ୍ ହ୍ରାସ ପାଇଥିଲା, ଯାହାକି ବିଜେଡିକୁ ଯିବା ପରିବର୍ତ୍ତେ ଲୋକସଭା ନିର୍ବାଚନରେ ବିଜେପିକୁ ଯାଇଥିଲା । ଆଉ ତା’ର ଫଳସ୍ୱରୂପ ପଶ୍ଚିମଓଡ଼ିଶାର ସମସ୍ତ ୫ଟି ଲୋକସଭା ଆସନରେ ବିଜେପି କବଜା କରିଥିଲା ।

ତେଣୁ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନିଜର ଟ୍ରମ୍ପକାର୍ଡ ନବୀନ ପଟ୍ଟନାୟକଙ୍କୁ କଳାହାଣ୍ଡିର ନର୍ଲାରୁ ପ୍ରାର୍ଥୀ କରାଇ ପଶ୍ଚିମଓଡ଼ିଶା ବିଶେଷକରି ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା ସିଟଗୁଡ଼ିକରେ ନିଜର ପ୍ରଭାବ ବିସ୍ତାର କରିବାକୁ ରଣନୀତି ପ୍ରସ୍ତୁତ କରିଛି । ଆଗାମୀ ନିର୍ବାଚନରେ ନର୍ଲା ବିଧାନସଭା ଆସନ ଛାଡ଼ିବା ପାଇଁ ଦଳର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ପ୍ରସ୍ତାବ ଦେଇଥିବା କଥାକୁ ମଧ୍ୟ ଭୂପିନ୍ଦର ସ୍ୱୀକାର କରିଛନ୍ତି ।

Related story