Advertisment

ବରବାଦ କଲା ଡବଲ ଟିକେଟ, ହାତରୁ ଖସିଗଲା ୬ ଆସନ

ପରିବାର ପିଛା ଡବଲ ଟିକେଟ ଦେବା ବିଜେପି ଓ ବିଜେଡିକୁ ମହଙ୍ଗା ପଡ଼ିଛି। ୩ଟି ପରିବାରର ୨ ଜଣ ଲେଖାଏଁ କରି ୬ ଜଣ ଟିକେଟ ପାଇଥିଲେ ବି ସମସ୍ତେ ଶୋଚନୀୟ ଭାବେ ମାଟି କାମୁଡ଼ିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Sudam Marandi & wife

Sudam Marandi & wife

ଏଥର କାମ ଦେଲାନି ପରିବାର ରାଜନୀତି । ପରିବାର ପିଛା ଡବଲ ଟିକେଟ ଦେବା ବିଜେଡିକୁ ମହଙ୍ଗା ପଡ଼ିଛି। ୩ଟି ପରିବାରର ୨ ଜଣ ଲେଖାଏଁ କରି ୬ ଜଣ ଟିକେଟ ପାଇଥିଲେ ବି ସମସ୍ତେ ଶୋଚନୀୟ ଭାବେ ମାଟି କାମୁଡ଼ିଛନ୍ତି।

Advertisment

ପ୍ରଥମେ ପ୍ରଥମେ ଗୋଟିଏ ପରିବାରକୁ ଡବଲ ଟିକେଟ ଦେବାକୁ ଅମଙ୍ଗ ଥିବା ବିଜେଡି ପରେ ଏଥିରେ ହଁ ଭରିଥିଲେ। ପ୍ରଥମେ ଦଳର ପାୱାରଫୁଲ୍‌ ନେତା ବବି ଦାସଙ୍କ ଭିଣୋଇ ଅରିନ୍ଦମଙ୍କୁ ବିଜେଡି ଟିକେଟ ନ ଦେବାରୁ ସେ ବିଜେପି ଶିବିରକୁ ଡେଇଁ ପଡ଼ିଥିଲେ। ଏହାପରେ ଦଳ ପରିବାର ରାଜନୀତି କରିବ ନାହିଁ ବୋଲି ସମସ୍ତେ ବିଶ୍ୱାସ କରିଥିଲେ। ମାତ୍ର ସବୁ ଗଣିତ ଓଲଟପାଲଟ ହୋଇଗଲା।

ଦଳ ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ କରିଥିବା ବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ କୋରେଇରୁ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ଦେଇଥିଲା। ହେଲେ ଉଭୟ ମା’- ପୁଅ ନିର୍ବାଚନରେ ହାର୍‌ର ସମ୍ମୁଖୀନ ହୋଇଛନ୍ତି ।

Advertisment

ସେହିପରି ବିଜେଡି ସୁଦାମ ମାରାଣ୍ଡିଙ୍କୁ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଓ ତାଙ୍କ ପତ୍ନୀଙ୍କୁ ବାଙ୍ଗିରିପୋଷିରୁ ବିଧାୟକ ପ୍ରାର୍ଥୀ କରିଥିଲା। ନିଜ ଜିତିବା ନେଇ ଉଭୟ ପତିପତ୍ନୀ ଆତ୍ମବିଶ୍ୱାସୀ ବେଶ୍‌ ଥିଲେ। ବିଭିନ୍ନ ସଭାସମିତିରେ ସୁଦାମ ମାରାଣ୍ଡି ନିଜକୁ ବାଘ ଓ ପତ୍ନୀଙ୍କୁ ବାଘୁଣୀ ବୋଲି କହିଥିଲେ। ମାତ୍ର ଏହି ବାଘବାଘୁଣୀ ଯୋଡ଼ି କିନ୍ତୁ ନିଜ ସିଟ୍‌ ବଞ୍ଚାଇ ପାରି ନାହାନ୍ତି।

ଢେଙ୍କାନାଳରୁ ବିଧାୟକ ପ୍ରାର୍ଥୀ ହୋଇଥିବା ବିଜେଡିର ସୁଧୀର କୁମାର ସାମଲ ତାଙ୍କ ପୁତୁରା ଅବିନାଶ ସାମଲଙ୍କୁ ଢେଙ୍କାନାଳ ଲୋକସଭା ପ୍ରାର୍ଥୀ କରିଥିଲେ। ହେଲେ ଏଠାରେ ବି କାମ ଦେଲାନି ପରିବାର ରାଜନୀତି ଓ ଏହି ଦାଦା-ପୁତୁରା ଯୋଡ଼ିଙ୍କୁ ନିର୍ବାଚନୀ ଫଳାଫଳ ସାଂଘାତିକ ଝଟକା ଦେଇଛି।

ଏହି ତିନି ପରିବାର ବିଜେଡିରୁ ଡବଲ ଟିକେଟ ନେଇଥିଲେ ବି ଗୋଟିଏ ବି ଆସନ ଜିତି ପାରିଲେନି। ସମସ୍ତ ୬ଟି ଆସନରେ ସେମାନେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛନ୍ତି।

ହେଲେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏପରି ସ୍ଥିତିରେ ସାମାନ୍ୟ ଭାଗ୍ୟବାନ ପାଲଟିଛନ୍ତି। କାରଣ ସେ ରେଢାଖୋଲରୁ ଜିତିଥିବା ବେଳେ ପୁତୁରା ଦେବେଶ ଆଚାର୍ଯ୍ୟ ବରଗଡ଼ରୁ ହାରି ଯାଇଛନ୍ତି।

ସେହିପରି ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ ନିଜେ ନର୍ଲାରୁ କଂଗ୍ରେସ ଟିକେଟରେ ମଇଦାନକୁ ଓହ୍ଲାଇଥିଲେ। ସେ ନିଜ ପୁଅ ସାଗର ଦାସଙ୍କୁ ଭବାନୀପାଟଣାରୁ ପ୍ରାର୍ଥୀ କରିଥିଲେ । ମାତ୍ର ସେ ନିଜେ ହାରି ଯାଇଥିବା ବେଳେ ପୁଅକୁ କିନ୍ତୁ ପ୍ରଥମ ନିର୍ବାଚନରେ ହିଁ ବିଜୟର ସ୍ୱାଦ ଚଖାଇବାରେ ସଫଳ ହୋଇଛନ୍ତି।

Election Results 2024 General Election BjD Odisha Assembly Election 2024