Advertisment

ବିଜେଡିର ନୂଆ ଚାଲ୍: ପାଣ୍ଡିଆନଙ୍କ ବିରୁଦ୍ଧରେ ବିଷୋଦଗାର ପରେ ଗଢ଼ାହେଲା ଦେବୀଙ୍କ ନେତୃତ୍ୱରେ ୧୫ଜଣିଆ ଟିମ୍

ଏହି କମିଟିରେ ଅତ୍ୟନ୍ତ ଚତୁରତାର ସହ ପ୍ରଣବପ୍ରକାଶ ଦାସ ଓରଫ ବବି ଓ ତାଙ୍କର କିଛି ଅନୁଗତଙ୍କୁ ଦୂରେଇ ରଖାଯାଇଛି ।

author-image
Ordigital Desk
ଅଦ୍ୟତନ ହୋଇଛି
Debi Mishra

Debi Mishra

ଯିଏ ଖଳନାୟକ ସାଜି ୨୪ବର୍ଷର ବିଜେଡି ଶାସନର ପତନର କାରଣ ସାଜିଲେ, ଏବେ ତାଙ୍କୁ କୋଳେଇ ଧରି ଓ ବଢ଼ୁଥିବା ଅସନ୍ତୋଷକୁ ଚପାଇବା ପାଇଁ ବିଜେଡି ଆଜି ଏକ ନୂଆ ଚାଲ୍ ଖେଳିଛି । ଗଞ୍ଜାମ ଜିଲ୍ଲାର ନେତାମାନେ ଗତ ୩ଦିନ ତଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଗରେ ଦଳର ବିପର୍ଯ୍ୟୟ ପାଇଁ ଖୋଲାଖୋଲି ଭାବେ ପାଣ୍ଡିଆନଙ୍କୁ ଦାୟୀ କରିବାପରେ ଆଜି ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଏକ ୧୫ଜଣିଆ କମିଟି ଗଠନ ହୋଇଛି ।

Advertisment

ବରିଷ୍ଠ ନେତାମାନଙ୍କୁ ନେଇ ଗଢ଼ାଯାଇଥିବା ଏହି କମିଟି ରାଜ୍ୟବ୍ୟାପୀ ବିଜୁ ଜନତା ଦଳର ବିଭିନ୍ନ କାର୍ଯ୍ୟକ୍ରମର ସମନ୍ୱୟ ରକ୍ଷା ନିମନ୍ତେ କାର୍ଯ୍ୟ କରିବ ବୋଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ବିଜେଡିର ଦୀର୍ଘ ୨୪ବର୍ଷ ଶାସନର ପତନ କାହିଁକି ହେଲା ଓ କିଏ ଦାୟୀ ତା’ର ସମୀକ୍ଷା ପାଇଁ କମିଟି ଗଢ଼ିପାରୁନଥିବା ନବୀନ ଏବେ ଦଳର ବିଭିନ୍ନ ୱିଙ୍ଗକୁ ପଙ୍ଗୁ କରି ରଖି ୧୫ଜଣିଆ କମିଟିକୁ ଦଳୀୟ କାର୍ଯ୍ୟକ୍ରମ ପାଇଁ ଦାୟିତ୍ୱ ନ୍ୟସ୍ତ କରିବା ବିଜେଡି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ତା’ଛଡ଼ା ଦେବୀ ମିଶ୍ରଙ୍କ କମିଟିରେ ଭିକେ ପାଣ୍ଡିଆନଙ୍କ ଖାସ୍ ପ୍ରଣବପ୍ରକାଶ ଦାସ, ସୁଶାନ୍ତ ସିଂ, ମାନସ ମଙ୍ଗରାଜ ଓ ଦିବ୍ୟଶଙ୍କର ମିଶ୍ରଙ୍କ ଭଳି ନେତାମାନଙ୍କୁ ଅତ୍ୟନ୍ତ ଚତୁରତାର ସହ ଦୂରେଇ ରଖାଯାଇଛି । ଯଦିଓ ପାଣ୍ଡିଆନ ଏବେବି ନବୀନ ନିବାସରୁ ବିଜେଡିକୁ ସଂଚାଳନ କରୁଛନ୍ତି ଓ ଦେବୀ ତାଙ୍କୁ ନିୟମିତ ଭାବେ ସାକ୍ଷାତ କରୁଥିବା ଜଣାପଡ଼ିଛି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଜାରି ନିର୍ଦ୍ଦେଶନାମା ଅନୁସାରେ ରାଜ୍ୟବ୍ୟାପୀ ଦଳର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସମନ୍ୱୟ ରକ୍ଷା ନିମନ୍ତେ ଏକ କମିଟି ଗଠନ କରାଗଲା, ଯାହା ତତ୍କାଳ ପ୍ରଭାବରୁ କାର୍ଯ୍ୟକ୍ଷମ ହେବ । ଏହି କମିଟିର ଅଧ୍ୟକ୍ଷ ଭାବେ ଦେବୀପ୍ରସାଦ ମିଶ୍ର ରହିଥିବାବେଳେ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ବିକ୍ରମକେଶରୀ ଆରୁଖ, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ୍‌, ଅରୁଣ କୁମାର ସାହୁ, ଅଶ୍ୱିନୀ କୁମାର ପାତ୍ର, ପ୍ରତାପ ଜେନା, ଶାରଦା ପ୍ରସାଦ ନାୟକ, ସୁଦାମ ମାର୍ଣ୍ଡି, ମନୋହର ରନ୍ଧାରୀ, ସ୍ନେହାଙ୍ଗିନୀ ଛୁରିଆ, ମହେଶ ସାହୁ ଓ ଦେବେଶ ଆଚାର୍ଯ୍ୟ ସଦସ୍ୟ ଅଛନ୍ତି ।

Advertisment

ତେବେ ଏହି କମିଟିରେ ଅତ୍ୟନ୍ତ ଚତୁରତାର ସହ ପ୍ରଣବପ୍ରକାଶ ଦାସ ଓରଫ ବବି ଓ ତାଙ୍କର କିଛି ଅନୁଗତଙ୍କୁ ଦୂରେଇ ରଖାଯାଇଛି । ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅଶୋକ ପଣ୍ଡା, ପ୍ରଫୁଲ୍ଲ ସାମଲଙ୍କ ଭଳି ନେତାମାନଙ୍କୁ ମଧ୍ୟ ଏହି କମିଟିରେ ସାମିଲ କରାଯାଇ ନାହିଁ । ଯଦିଓ ଏହି କମିଟି ବିଜେଡିର ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଗତ କିଛିଦିନ ଧରି ନିୟମିତ ଭାବେ ନବୀନ ନିବାସରେ ପାଣ୍ଡିଆନ ନିଜର ଦୁଇ ଖାସ୍ ଅନୁଗତ ବବି ଓ ମାନସ ମଙ୍ଗରାଜଙ୍କୁ ଧରି ବୈଠକ କରୁଥିଲେ ମଧ୍ୟ ସେମାନଙ୍କୁ ସାମିଲ କରିନାହାନ୍ତି । ଆଉ ଦେବୀ ମିଶ୍ରଙ୍କ କାନ୍ଧରେ ବନ୍ଧୁକ ରଖି ଦଳୀୟ କାର୍ଯ୍ୟକ୍ରମ ଆରମ୍ଭ ପାଇଁ  ପ୍ରୟାସ କରିଛନ୍ତି ।

ଅବଶ୍ୟ ନବୀନଙ୍କ ସହ ଗଞ୍ଜାମ ଜିଲ୍ଲାର ନେତାମାନଙ୍କ ବୈଠକରେ ଅଘୋଷିତ ପର୍ଯ୍ୟବେକ୍ଷକ ଭାବେ ଦେବୀ ମିଶ୍ର ଉପସ୍ଥିତ ରହି ପାଣ୍ଡିଆନଙ୍କ ପାଇଁ ସୁରକ୍ଷାକବଚ ସାଜିଥିଲେ ବୋଲି ଜଣାପଡ଼ିଛି । ବୈଠକରେ ବିପ୍ଲବ ପାତ୍ର ସିଧାସଳଖ ପାଣ୍ଡିଆନଙ୍କ ନାଁ ନେଇ ତାଙ୍କ ଯୋଗୁ ଦଳ ବିପର୍ଯ୍ୟୟ ହେଲା ବୋଲି କହିଥିଲେ । ଅନ୍ୟ କିଛି ନେତା ମଧ୍ୟ ପାଣ୍ଡିଆନଙ୍କୁ ନେଇ ବିଷୋଦଗାର କରିଥିଲେ, କିନ୍ତୁ ବୈଠକରେ ପାଣ୍ଡିଆନଙ୍କ ଏଜେଂଟ ସାଜି ଦେବୀ ଉକ୍ତ କଥାକୁ ଘୋଡ଼ାଇବାକୁ ଯଥାସାଧ୍ୟ ଉଦ୍ୟମ କରିଥିଲେ । ଯେଉଁଥିପାଇଁ ବୈଠକରେ ଦେବୀଙ୍କ ଉପରେ ନବୀନ କ୍ଷୁବ୍ଧ ହୋଇ ଦଳର ସଭାପତି କିଏ ବୋଲି ତାଙ୍କୁ ପ୍ରଶ୍ନ କରିଥିବା ସୂଚନା ମିଳିଛି । ଏପରିକି ଦେବୀଙ୍କ ଭଳି ବରିଷ୍ଠ ନେତା ନିଜ ସ୍ୱାର୍ଥ ପାଇଁ ପାଣ୍ଡିଆନ ଓ ବବିଙ୍କ କଥାରେ ଉଠବସ୍ ହେବାକୁ ମଧ୍ୟ ପଛାଉନଥିବାରୁ ଏବେ ତାଙ୍କୁ ଆଗକୁ ଆଣି ପାଣ୍ଡିଆନ ଦଳର ଗୋଟି ନିଜ ହାତରେ ରଖିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି ।

ବିଜେଡି ନିଜର ସମସ୍ତ ଛାମୁଆ ସଂଗଠନକୁ ଭାଙ୍ଗି ଦେବା ସହ ରାଜ୍ୟସ୍ତରୀୟ କର୍ମକର୍ତ୍ତା ଟିମକୁ ମଧ୍ୟ ପ୍ରାୟ ଏକମାସ ଧରି ନିରସ୍ତ୍ର କରିସାରିଛି । କିନ୍ତୁ ଏପର୍ଯ୍ୟନ୍ତ ଛାମୁଆ ସଂଗଠନଗୁଡ଼ିକର କମିଟି ଘୋଷଣା କରିପାରୁନଥିବା ନବୀନ ଏବେ ପାଣ୍ଡିଆନଙ୍କ ପ୍ରେମରେ ଅନ୍ଧ ହୋଇ ଦେବୀଙ୍କ ବେକରେ ବନ୍ଧୁକ ରଖି ଫୁଟାଇବାକୁ ଯେଉଁ ରଣକୌଶଳ ପ୍ରସ୍ତୁତ କରିଛନ୍ତି ତା’ର ସଫଳତାକୁ ନେଇ ଦଳୀୟ ମହଲରେ ଆଶଙ୍କା ପ୍ରକାଶ ପାଇଛି ।

BjD Naveen Patnaik Debiprasad Mishra