ମୁହଁ ଖୋଲୁନାହାନ୍ତି ନବୀନ: ୩ ଦିନ ଡ୍ରାମା ପରେ ବିଜେଡିର ୟୁ-ଟର୍ଣ୍ଣ, ଦମ୍ ଦେଖାଉଛି କଂଗ୍ରେସ

କଂଗ୍ରେସ ଗୁରୁବାର ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା ସହ ସରକାରଙ୍କ ବିରୁଦ୍ଧରେ ଅସନ୍ତୁଷ୍ଟ ଥିବା ଲୋକଙ୍କୁ ନିଜ ଆଡ଼କୁ ନେବାକୁ ପ୍ରସ୍ତୁତ ରଣନୀତିକୁ ସଫଳ ରୂପ ଦେଇଛି । ମାତ୍ର ବିଜେଡି  ଗୁରୁବାର ଅଚାନକ ୟୁ-ଟର୍ଣ୍ଣ ନେଇ ଗୃହ କାର୍ଯ୍ୟରେ ସାମିଲ ହୋଇଛି । ଯଦିଓ ଗୃହ କାର୍ଯ୍ୟ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ପୁଲିସର ପ୍ରବେଶକୁ ଆଳ କରି ଗଙ୍ଗା ପାଣି ଛିଞ୍ଚିଥିଲା ।

Naveen Patnaik

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

Ordigital Desk
  • Published: Thursday, 27 March 2025
  • , Updated: 27 March 2025, 05:50 PM IST

ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମଥର ପାଇଁ  ପ୍ରମୁଖ ରାଜନୀତିକ ଦଳର ସମସ୍ତ ସଦସ୍ୟଙ୍କୁ ନିଲମ୍ବନ କରାଗଲା । ବିଧାନସଭା ପରିସରରେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ସଦସ୍ୟମାନଙ୍କୁ ସୁରକ୍ଷାକର୍ମୀଙ୍କ ସହ ଧସ୍ତାଧସ୍ତି ହେବାକୁ ପଡ଼ିଲା । ଏପରିକି କଂଗ୍ରେସ ବିଧାୟକମାନଙ୍କୁ ବଳପୂର୍ବକ ବିଦା କରି ଦିଆଗଲା । ଏସବୁ ସତ୍ତ୍ୱେ ରାଜ୍ୟର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁହଁ ଖୋଲୁନାହାନ୍ତି । ସୋସିଆଲ ମିଡିଆରେ ମଧ୍ୟ ପଦୁଟିଏ ଲେଖିବାକୁ ଚାହିଁନାହାନ୍ତି । ଆଉ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନଙ୍କ ଅସମ୍ଭବ ନିରବତାକୁ ଦେଖି ତାଙ୍କ ଦଳର ଚାପଗ୍ରସ୍ତ ବିଧାୟକମାନେ ଆଜି ଅପ୍ରତ୍ୟାଶିତ ଢଙ୍ଗରେ ୟୁ-ଟର୍ଣ୍ଣ ନେଇ ଗୃହ କାର୍ଯ୍ୟରେ ସାମିଲ ହୋଇଛନ୍ତି ।

ଅନ୍ୟତମ ବିରୋଧୀ ଦଳ କଂଗ୍ରେସର ଅନୁପସ୍ଥିତିରେ ଓ ବିଜେଡି ସଦସ୍ୟଙ୍କ ସକ୍ରିୟ ଭାଗିଦାରୀରେ ଗୃହ ସ୍ୱାଭାବିକ ଅବସ୍ଥାକୁ ଫେରିଛି । ଗୃହରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ସହ ବିଜେଡିର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଉଚ୍ଚଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ପାଇଁ ୨୦୧୨ ଡିସେମ୍ବରରେ ମୁଖ୍ୟସଚିବଙ୍କ କମିଟି ନେଇଥିବା ନିଷ୍ପତ୍ତିକୁ କୁ ଦୀର୍ଘ ୧୨ବର୍ଷ ଧରି କାହିଁକି ପୂର୍ବ ସରକାର(ବିଜେଡି) କାର୍ଯ୍ୟକାରୀ କରିନଥିଲା ବୋଲି କହି ବିଜେଡିକୁ ତା’ର ରଣନୀତିରେ ଗୃହ ଭିତରେ ଛନ୍ଦି ଦେଇଛି ଶାସକ ବିଜେପି । 

ଏସବୁ ଭିତରେ ବିଧାନସଭା ସମ୍ମୁଖରେ ଗୁରୁବାର ମହିଳା ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ବିକ୍ଷୋଭ ଓ ପୁଲିସ ସହ ମୁହାଁମୁହିଁ ଘଟଣାରେ ଦଳ ପୁଣିଥରେ ନିଜର ଏକଜୁଟତା ଦେଖାଇ ସଂଗଠିତ ହେବାକୁ ପ୍ରୟାସ କରିଛି । ଆଉ କଂଗ୍ରେସର ଏଭଳି ଆକ୍ରଣାତ୍ମକ ରଣନୀତି ମାଧ୍ୟମରେ ବିଜେପି ସରକାରକୁ ଚାପରେ ରଖିବା ଓ ସରକାରଙ୍କ ପ୍ରତି ଥିବା ଅସନ୍ତୁଷ୍ଟ ଥିବା ଲୋକଙ୍କୁ ନିଜଆଡ଼କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପକ୍ଷରେ ସୁଦୃଢ଼ ସାଂଗଠନିକ ଭିତ୍ତିଭୂମି ଥାଇ ମଧ୍ୟ ପ୍ରମୁଖ ବିରୋଧୀ ବିଜେଡିର ଦ୍ୱନ୍ଦ୍ୱାତ୍ମକ ଆଭିମୁଖ୍ୟ, ଦଳର ସୁପ୍ରିମୋଙ୍କ ନିରବତା ଓ ବିଜେଡି ବିଧାୟକମାନଙ୍କ ଫାଟ ସହ ଘଡ଼ିକେ ଘୋଡ଼ା ଛୁଟିବା ଭଳି ରଣନୀତି ଦଳ ପାଇଁ ବୁମେରାଂ ହେବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ।

କାହିଁକି ନିରବ ବିରୋଧୀ ଦଳ ନେତା

ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡିର ନେତା ହେଉଛନ୍ତି ନବୀନ ପଟ୍ଟନାୟକ । ଗୃହରେ ବିଜେଡିର ୫୧ଜଣ ସଦସ୍ୟ ଅଛନ୍ତି । କିନ୍ତୁ ଦଳ ନିଜକୁ ମୁଖ୍ୟ ବିରୋଧୀ ଦଳ ଭାବେ ଉପସ୍ଥାପିତ କରିବାରେ ଫେଲ୍ ମାରିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସମ୍ଭବ ନିରବତା ଓ ଗୃହ କାର୍ଯ୍ୟରେ ଅନାଗ୍ରହ ଆଚରଣ ଯୋଗୁ ବିଜେଡି ନିଜ ପାଖରେ ସଂଖ୍ୟାବଳ ଥାଇ ମଧ୍ୟ ନିଷ୍କ୍ରିୟ ପାଲଟିଛି । ଦଳର ବିଧାୟକମାନଙ୍କ ମଧ୍ୟରେ ଫାଟ ଓ ମତଭେଦ ଯୋଗୁ ବିଜେଡି ବିଧାନସଭାରେ ପ୍ରଭାବଶାଳୀ ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହୋଇପାରୁନଥିବା ଜଣାପଡ଼ିଛି । ସବୁଠୁ ଉଦବେଗର ବିଷୟ ହେଉଛି ବିରୋଧୀ ଦଳ ନେତା ପଦରେ ନବୀନ ଥାଇ ମଧ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନା ଗଣମାଧ୍ୟମରେ ମୁହଁ ଖୋଲୁଛନ୍ତି ନା ତାଙ୍କ ଅଫିସ୍ ନା ସୋସିଆଲ ମିଡିଆରେ କିଛି ମତ ରଖୁଛନ୍ତି ।

ନିଜ ସରକାରର ୨୪ବର୍ଷର ଅପକର୍ମ ଲୁଚାଇବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପି ନେତୃତ୍ୱଙ୍କ ପାଖରେ ଆତ୍ମସମର୍ପଣ କରିଥିବା ଚର୍ଚ୍ଚା ରାଜନୀତିକ ମହଲରେ ତୀବ୍ର ହେବାରେ ଲାଗିଛି । ବିଗତ ୩ଦିନ ଧରି ବିଧାନସଭାରେ ଚାଲିଥିବା ଅଚଳାବସ୍ଥା, ଅସ୍ୱାଭାବିକ ସ୍ଥିତି ଏପରିକି ନିଜ ଦଳର ବିଧାୟକମାନଙ୍କ ସହ ସୁରକ୍ଷାକର୍ମୀଙ୍କ ହାତାହାତି ଘଟଣାରେ ନବୀନ ମୁହଁ ଖୋଲି ପ୍ରତିବାଦ ଜଣାଇବାକୁ ସାହାସ ସଂଚୟ କରିପାରିନାହାନ୍ତି । ଯଦିଓ ବିରୋଧୀ ଦଳ ନେତା ଭାବେ ଏସବୁ ପ୍ରସଙ୍ଗ ଉପରେ ସରକାରଙ୍କୁ ଘେରିବା ଅବା ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବା ନବୀନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ । ନବୀନଙ୍କ ଏଭଳି ଆଭିମୁଖ୍ୟ ଯୋଗୁ ବିଜେଡି ପ୍ରତି ସାଧାରଣରେ ଲୋକଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଥିବା ଚର୍ଚ୍ଚା ହେଉଛି । ବିଧାନସଭା ଅଧିବେଶନ ଚାଲିଥିବାବେଳେ ନବୀନ ବାରମ୍ବାର ଦିଲ୍ଲୀ ଗସ୍ତ କରିବା ସହ ଗୃହ କାର୍ଯ୍ୟରେ ଉପସ୍ଥିତ ନହେବା ମଧ୍ୟ ବିଜେଡିର ଅଡ଼ୁଆ ବଢ଼ାଇଛି । ବିଧାନସଭାରେ ନେତୃତ୍ୱବିହୀନ ଭଳି ବିଜେଡି କାର୍ଯ୍ୟ କରିବାରେ ଲାଗିଛି ।

ଅଚାନକ ବିଜେଡି ଚୁପ, ଗୃହ ସ୍ୱାଭାବିକ

ଗୃହରେ କଂଗ୍ରେସର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦେଖି ସୋମବାରଠୁ ବିଜେଡି ଅଚାନକ ‘ଉଚ୍ଚଶିକ୍ଷା ଓ ନିଯୁକ୍ତିରେ ଅନୁସୂଚିିତ ଜାତି-ଜନଜାତି ଓ ପଛୁଆ ବର୍ଗଙ୍କ ସଂରକ୍ଷଣ ହାର ବୃଦ୍ଧି’ ଦାବିକୁ ଆଗକୁ ଆଣିଥିଲା । କିନ୍ତୁ ମଙ୍ଗଳବାର ବାଚସ୍ପତି ସୁରମା ପାଢ଼ୀ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ୧୨ଜଣ ଓ ବୁଧବାର ଆଉ ୨ଜଣ ବିଧାୟକଙ୍କୁ ନିଲମ୍ବନ କରିବା ସହ ଗୁରୁବାର ବିଜେଡିର ମୁଲତବୀ ପ୍ରସ୍ତାବକୁ ଆଲୋଚନା ପାଇଁ ଗ୍ରହଣ କରି ବିଜେଡିର ଅକଲଗୁଡୁମ୍ କରିଦେଇଥିଲେ । ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ଯେଉଁ ମାଇଲେଜ୍ ନେବାକୁ ଚାହୁଁଥିଲା ତାହା କଂଗ୍ରେସ ନେବାରେ ସକ୍ଷମ ହୋଇଛି । ସରକାରଙ୍କ ସହ ମୁହାଁମୁହିଁ ଓ ସୁରକ୍ଷାକର୍ମୀଙ୍କ ସହ ଧସ୍ତାଧସ୍ତି ହୋଇ କଂଗ୍ରେସ ବିଧାୟକମାନେ ରାଜ୍ୟରେ ରାଜନୀତିକ ଉଷ୍ମତା ବଢ଼ାଇ ଦେଇଛନ୍ତି । କଂଗ୍ରେସର ଆକ୍ରମଣାତ୍କମକ ଆଭିମୁଖ୍ୟ ଆଗରେ ବିଜେଡି ବୁଧବାର ‘ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରତିବାଦ’ ଫିକା ପଡ଼ିଯାଇଛି ।

କଂଗ୍ରେସ ଗୁରୁବାର ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା ସହ ସରକାରଙ୍କ ବିରୁଦ୍ଧରେ ଅସନ୍ତୁଷ୍ଟ ଥିବା ଲୋକଙ୍କୁ ନିଜ ଆଡ଼କୁ ନେବାକୁ ପ୍ରସ୍ତୁତ ରଣନୀତିକୁ ସଫଳ ରୂପ ଦେଇଛି । ମାତ୍ର ବିଜେଡି  ଗୁରୁବାର ଅଚାନକ ୟୁ-ଟର୍ଣ୍ଣ ନେଇ ଗୃହ କାର୍ଯ୍ୟରେ ସାମିଲ ହୋଇଛି । ଯଦିଓ ଗୃହ କାର୍ଯ୍ୟ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ପୁଲିସର ପ୍ରବେଶକୁ ଆଳ କରି ଗଙ୍ଗା ପାଣି ଛିଞ୍ଚିଥିଲା । ମାତ୍ର ସାଢ଼େ ୧୦ଟାରେ ଗୃହ ଆରମ୍ଭ ହେବାମାତ୍ରେ ଦଳର ବିଧାୟକମାନେ ନିରବ ରହି ଗୃହ କାର୍ଯ୍ୟରେ ସହଯୋଗ କରିବା ପଛରେ ବିଜେଡି ସୁପ୍ରିମୋଙ୍କ ଉପରେ ରହିଥିବା ଚାପ ଯୋଗୁ ଏହା ସମ୍ଭବପର ହେଲା ବୋଲି ଚର୍ଚ୍ଚା ।

ରଣନୀତି ପ୍ରସ୍ତୁତିରେ ଭାରି ପଡ଼ିଲା କଂଗ୍ରେସ

ଗୃହରେ ଚଳିତ ବିଧାନସଭା ଅଧିବେଶନରେ ‘ମହିଳା ନିର୍ଯାତନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବୟାନ ଓ ହାଉସ୍ କମିଟି ଗଠନ’ ଦାବିରେ କଂଗ୍ରେସ ଗୃହ ଭିତରେ ତା’ର ପ୍ରତିବାଦ ଜାରି ରଖିଥିଲା । ଯଦିଓ ପ୍ରମୁଖ ବିରୋଧୀ ଦଳ ବିଜେଡି କ୍ରମାଗତ ଭାବେ ନିଜର ପ୍ରସଙ୍ଗରେ ପରିବର୍ତ୍ତନ ସହ ଆଭିମୁଖ୍ୟ ମଧ୍ୟ ବଦଳାଇ ଚାଲିଥିଲା । ମାତ୍ର  କଂଗ୍ରେସ ବିଧାୟକମାନେ ନିଜର ଦାବି ପୂରଣ ପାଇଁ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରତିବାଦ ଜାରି ରଖିଥିଲେ । କେତେବେଳେ କଳା ପୋଷାକ ତ କେବେ ଘଣ୍ଟ-ପେଁକାଳି ଗିନି ବଜାଇ ପ୍ରତିବାଦ କରିଥିଲେ । କଂଗ୍ରେସର ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦେଖି ବାରମ୍ବାର ପ୍ରସଙ୍ଗ ବଦଳାଉଥିବା ବିଜେଡି ଅଚାନକ ‘ଉଚ୍ଚଶିକ୍ଷା ଓ ନିଯୁକ୍ତିରେ ଅନୁସୂଚିିତ ଜାତି-ଜନଜାତି ଓ ପଛୁଆ ବର୍ଗଙ୍କ ସଂରକ୍ଷଣ ହାର ବୃଦ୍ଧି’ ଦାବିକୁ ଆଗକୁ ଆଣିଥିଲା। ଆଉ ସୋମବାରଠୁ ଏହି ଦାବି ଧରି ବିଜେଡି ଗୃହରେ ହଟ୍ଟଗୋଳ ଜାରି ରଖିଥିଲା । ଗୁରୁବାର ସରକାର ବିଜେଡିର ସେହି ଦାବିକୁ ମୁଲତବୀ ଆଲୋଚନାରେ ସାମିଲ କରିଥିଲେ ।

ଆଲୋଚନାବେଳେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସଂରକ୍ଷଣ ବ୍ୟବସ୍ଥାକୁ କାହିଁକି ପୂର୍ବ ବିଜେଡି ସରକାର ୧୨ବର୍ଷ ଧରି କାର୍ଯ୍ୟକାରୀ କଲେନି ବୋଲି ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ୨୦୧୨ ଡିସେମ୍ବର ୨୯ତାରିଖରେ ଏକ ବୈଠକରେ ରାଜ୍ୟରେ ଉଚ୍ଚଶିକ୍ଷାନୁଷ୍ଠାନ ଓ ବୃତ୍ତିଗତ ପାଠ୍ୟକ୍ରମରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ୨୨.୫୦%, ଅନୁସୂଚିତ ଜାତିଙ୍କ ପାଇଁ ୧୬.୨୫% ସଂରକ୍ଷଣ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ତାକୁ ବିଜେଡି ସରକାର କାର୍ଯ୍ୟକାରୀ କଲାନି । ତେବେ ଡାକ୍ତରୀ ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥା ପାଇଁ ବିଜେପି ସରକାର ଗୁରୁତ୍ୱର ସହ ବିଚାର କରୁଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇ ବିଜେଡିକୁ ତା’ର ଜାଲରେ ଛନ୍ଦି ଦେଇଛନ୍ତି । ବିଜେଡି ଚଳିତ ଅଧିବେଶନରେ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ, ପୋଲାଭରମ୍ ପ୍ରସଙ୍ଗ, ଜୟନାରାୟଣଙ୍କ ରାଜ୍ୟ ବିଭାଜନ ମନ୍ତବ୍ୟ ପ୍ରସଙ୍ଗ ଉଠାଇ ନିଜ ଗୋଡ଼ରେ କୁରାଢ଼ୀ ମାରିସାରିଛି । ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲେ ମଧ୍ୟ ପ୍ରମୁଖ ବିରୋଧୀ ଦଳ ଭାବେ ବିଜେଡି ଗୃହରେ ‘ ବଳିଷ୍ଠ ପ୍ରସଙ୍ଗ’ ଚୟନରେ ଫେଲ୍ ମାରିଛି ।

ବିଜେଡି ଛିଣ୍ଡୁଛି, କଂଗ୍ରେସ ବଢ଼ୁଛି

ରାଜ୍ୟରେ ମାତ୍ର ୧୪ଜଣ ବିଧାୟକ ଥିବା କଂଗ୍ରେସ ନିଜର ସ୍ଥିତି ଓ ସଂଗଠନକୁ ସୁଦୃଢ଼ କରିବା  ପାଇଁ ବହୁମୁଖୀ ରଣନୀତିରେ କାର୍ଯ୍ୟ କରୁଛି । ପୁରୁଖା ନେତାମାନଙ୍କୁ ଆଗକୁ ଆଣି ଏକତା ପ୍ରଦର୍ଶନ କରିବା, ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରସଙ୍ଗରେ ବିଫଳତାକୁ ନେଇ ବିକ୍ଷୋଭ ଓ ଆନ୍ଦୋଳନ କରିବା, ସରକାରଙ୍କ ପ୍ରତି ଅସନ୍ତୁଷ୍ଟ ଥିବା ଲୋକମାନଙ୍କୁ  ନିଜ ସହ ଯୋଡ଼ି ରାଜ୍ୟରେ ବିଜେଡି ସ୍ଥାନରେ ଏକ ଶକ୍ତିଶାଳୀ ବିରୋଧୀ ଦଳ ହେବାକୁ କଂଗ୍ରେସ ନିଜର ରଣନୀତି ପ୍ରସ୍ତୁତ କରିଛି । ରାଜ୍ୟରେ ବିଜେଡିର ଅସ୍ପଷ୍ଟ ନୀତି ଓ ଆଭିମୁଖ୍ୟ ଏବଂ ମୁଖ୍ୟବିରୋଧୀ ଦଳର ଭୂମିକା ତୁଲାଇବାରେ ଅକ୍ଷମତାର ଫାଇଦା ଉଠାଇ  କଂଗ୍ରେସ ସେହି ସ୍ଥାନ ପୂରଣ କରିବାକୁ ରଣନୀତି ପ୍ରସ୍ତୁତ କରିଛି । ଯଦିଓ କଂଗ୍ରେସର ରାଜ୍ୟ ନେତୃତ୍ୱଙ୍କ ମଧ୍ୟରେ ଏକତାର ଅଭାବ ଏବେବି ସବୁଠୁ ବଡ଼ ଚ୍ୟାଲେଞ୍ଜ ଦଳ ପାଇଁ ହୋଇ ରହିଛି । ଗୁରୁବାର ବିଧାନସଭା ସମ୍ମୁଖରେ ଆଇନଶୃଙ୍ଖଳା ପରିସ୍ଥିତି ହାତକୁ ନେଇ କଂଗ୍ରେସ ନିଜର ଦମ୍ ଦେଖାଇବା ସହ ସରକାରଙ୍କ ଉପରେ ଚାପ ସୃଷ୍ଟି ନିମନ୍ତେ ପ୍ରୟାସ ଜାରି ରଖିଛି ।

ବିଜେଡି ସାଧାରଣ ନିର୍ବାଚନରେ ପରାଜୟ ପରେ ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ନିଜକୁ ସୁଦୃଢ଼ ବିରୋଧୀ ଭୂମିକାରେ ଅବସ୍ଥାପିତ କରିବାକୁ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିବାରେ ବିଫଳ ରହିଛି । ସରକାରଙ୍କ ବିଫଳତାକୁ ଦୃଢ଼ ଭାବେ ଉଜାଗର, ସଂଗଠନର ପୁନର୍ଗଠନ, ପୁରୁଣା କୋଟେରୀ ହାତରେ ସଂଗଠନର ଦାୟିତ୍ୱ, ନିଜ ୨୪ବର୍ଷ ସରକାରର ଅପକର୍ମ ଉଜାଗରର ଭୟ ଓ ବିଶେଷକରି ନବୀନ ପଟ୍ଟନାୟକଙ୍କ ଅନାଗ୍ରହ ଓ ନିରବତା ଯୋଗୁ ରାଜ୍ୟରେ ସର୍ବାଧିକ ସଦସ୍ୟ ଥିବା ବିଜେଡି ଏବେ ଛିଡ଼ିବାରେ ଲାଗିଛି ।

Related story