ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟକ୍କର ଦେବାକୁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ସକ୍ଷମ ନୁହଁନ୍ତି ବୋଲି ଖୋଦ୍ ବିଜେଡି ଆଜି ସ୍ୱୀକାର କରିଛି । ଅପରାଜିତା ଆଜି ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ବିଜେଡିର ନମ୍ବର-ଟୁ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ବର୍ଷିବା ପରେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଥିଲା । ବଡ଼ବାବୁ ହେବା ପାଇଁ ସାନବାବୁ (ପାଣ୍ଡିଆନଙ୍କୁ ଇଙ୍ଗିତ କରି) ବିଫଳ ପ୍ରୟାସ କରୁଛନ୍ତି ତଥା ରାଜ୍ୟର ଶାସନ ଓ ଜନମତକୁ ହାଇଜ୍ୟାକ ନିମନ୍ତେ ଚକ୍ରାନ୍ତ କରୁଥିବା କଥା କହି କଡ଼ା ଭାଷାରେ ସମାଲୋଚନା କରିବା ପରେ ବିଜେଡି ବିଚଳିତ ହୋଇପଡ଼ିଛି । ପ୍ରଥମେ ନିଜର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ମୁହଁରେ ଅପରାଜିତାଙ୍କୁ ସିଧାସଳଖ ଟାର୍ଗେଟ୍ କରିବା ସେତେ ପ୍ରଭାବଶାଳୀ ନହେବାରୁ ପୁଣିଥରେ ସମାନ ପ୍ରସଙ୍ଗରେ ଦଳର ମୁଖପାତ୍ର ଇପସିତା ସାହୁଙ୍କୁ ବିଜେଡି ଆଗକୁ ଆଣିଥିବା ଦେଖିବାକୁ ମିଳିଛି ।
ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଆ ଅସ୍ମିତା ବିପଦରେ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ ବ୍ୟବସ୍ଥାର ‘ଡ୍ରାଇଭର ସିଟ’ରେ ନାହାନ୍ତି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ଶାସନ ବ୍ୟବସ୍ଥାକୁ ଆଉଟସୋର୍ସ କରିଦେଇଛନ୍ତି । ଅନେକ ସ୍ୱାଭିମାନୀ ନେତା ନିଜର ଆତ୍ମସମ୍ମାନ ରକ୍ଷା ପାଇଁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଉଛନ୍ତି । ସାନବାବୁ ବ୍ୟାକଡୋରରେ ଏଣ୍ଟ୍ରି କରିବା ପାଇଁ ପ୍ରୟାସ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଦୁଇଟି ସ୍ଥାନରୁ ସେହି କାରଣରୁ ଲଢ଼ୁଛନ୍ତି ବୋଲି କହିଥିଲେ । ଓଡ଼ିଶାକୁ ଲୁଟ୍ କରିବାର ଲାଇସେନ୍ସ ବିଜେଡିକୁ ପୁଣିଥରେ ଦିଆ ନଯାଉ ବୋଲି ସେ କହିଥିଲେ । ମୁଖ୍ୟ ସଚିବ, ପୁଲିସ ଡିଜି ଓ ବିଧାୟକମାନେ ବି ସାନବାବୁଙ୍କ ବିନା ଅନୁମତିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରିବେନି । ଇ-ଫାଇଲ୍ ସିଷ୍ଟମରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଥିବା ଫାଇଲ ଦେଖୁଛି କିଏ ଓ ୟୁୂଜର ଆଇଡି-ଇ ସିଗ୍ନେଚର ନେଇକି ଏହାର କେହି ଫାଇଦା ଉଠାଉ ନାହାନ୍ତି ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଶ୍ରୀମତୀ ଷଡ଼ଙ୍ଗୀ ଓଡ଼ିଆ ଅସ୍ମିତା ଅଣଓଡ଼ିଆ ଲୋକମାନଙ୍କର ଆଧିପତ୍ୟ ଓ ପ୍ରଭାବକୁ ନେଇ ସମାଲୋଚନା କରିଛନ୍ତି । ସବୁ ସରକାରୀ କାର୍ଯ୍ୟକ୍ରମରେ ଅଣଓଡ଼ିଆ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଉଛି । ଟେଣ୍ଡର ଫିକ୍ସି କରାଯାଉଛି । ଅଣଓଡ଼ିଆ ଖଣିମାଲିକମାନଙ୍କ ପାଖରେ ଓଡ଼ିଶାର ଜଙ୍ଗଲ ଜମି । ମଂଚରେ ଓଡ଼ିଆ ନେତା ରହିବେନି କିନ୍ତୁ କର୍ମୀ ହୋଇ ସାନବାବୁ ଏକା ରହିବେ । ଏହା କ’ଣ ଓଡ଼ିଆ ଅସ୍ମିତା ବୋଲି ଅପରାଜିତା ପ୍ରଶ୍ନ କରିଥିଲେ । ବେକାରୀରେ ଓଡ଼ିଶା ନମ୍ବର ୱାନ, ନିମ୍ନମାନର ପାନୀୟ ଜଳ ଯୋଗାଣ ସେବା, ଦାରିଦ୍ର୍ୟ ଓ ମୁଣ୍ଡପିଛା ଆୟରେ ଓଡ଼ିଶା ତଳଆଡ଼ୁ ପଂଚମ ଆଦି ପ୍ରସଙ୍ଗରେ ଅପରାଜିତା ଆଜି ବିଜେଡି ସରକାରକୁ କଡ଼ା ସମାଲୋଚନା କରିଛନ୍ତି ।
ତେବେ ଅପରାଜିତାଙ୍କ ଏଭଳି ଖୋଲା ସମାଲୋଚନା ଓ ସଙ୍ଗୀନ ଅଭିଯୋଗ ପରେ ବିଜେଡି ଶିବିରରେ କମ୍ପନ ଖେଳିଥିଲା । ଦଳ ଏଥିପାଇଁ ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ଆଗକୁ ଆଣି ଏକ ସାମ୍ବାଦିକ ସମ୍ମିଳନୀ କରି ଅପରାଜିତାଙ୍କୁ କାଉଣ୍ଟର ପାଇଁ ରଣନୀତି କରିଥିଲା । ମନ୍ମଥ ବି ସାମ୍ବାଦିକ ସମ୍ମିଳନୀରେ ଅପରାଜିତାଙ୍କୁ ଟାର୍ଗେଟ୍ କଲେ । ମାତ୍ର ତାଙ୍କର ବୟାନ ଓ ଆଟାକ୍ ସେତିକି ଶାଣିତ ନହେବା ଜାଣି ବିଜେଡି ମାତ୍ର ୩ଘଣ୍ଟା ମଧ୍ୟରେ ପୁଣିଥରେ ନିଜର ଯୁବ ମୁଖପାତ୍ର ଇପସିତା ସାହୁଙ୍କୁ ଆଗକୁ ଆଣିଲା । ଅପରାଜିତାଙ୍କୁ ସମାନ ପ୍ରସଙ୍ଗରେ ପାଲଟା ଜବାବ ଦେବା ପାଇଁ କିଛି ଘଣ୍ଟା ବ୍ୟବଧାନରେ ଦୁଇଜଣଙ୍କୁ ଆଗକୁ ଆଣି ପରୋକ୍ଷରେ ଅପରାଜିତାଙ୍କୁ ମୁକାବିଲା ପାଇଁ ମନ୍ମଥ ଫିଟ୍ ନୁହଁନ୍ତି ବୋଲି ସ୍ପଷ୍ଟ ସନ୍ଦେଶ ଦେଇଛି ।
ନିଜ ପିତାଙ୍କ ଦୟାରେ ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରୁଥିବା ମନ୍ମଥ ଅପରାଜିତା ଯେଉଁ ସବୁ ପ୍ରସଙ୍ଗ ଉଠାଇଥିଲେ ତା’ର ଜବାବ ଦେବା ପରିବର୍ତ୍ତେ ସମାନ କଥାକୁ ବାରମ୍ବାର ଦୋହରାଇବା ଦେଖିବାକୁ ମିଳିଥିଲା । ଯାହାକି ଅପରାଜିତାଙ୍କୁ ପାଲଟା ଜବାବ ଦେବାକୁ ପ୍ରଭାବୀ ନଥିବା ବିଜେଡି ରଣନୀତିକାର ଅନୁଭବ କରିଥିଲେ ।
ମନ୍ମଥଙ୍କ ସାମ୍ବାଦିକ ସମ୍ମିଳନୀ ସାଧାରଣରେ ଗ୍ରହଣୀୟ ହେଉନଥିବା କଥା ଅନୁଭବ କରିବା ପରେ ଇପସିତାଙ୍କ ମାଧ୍ୟମରେ ପୁଣିଥରେ ଅପରାଜିତଙ୍କୁ ଟାର୍ଗେଟ୍ କରିଛି ବିଜେଡି। ଅପରାଜିତାଙ୍କୁ ପାଲଟା ଜବାବ ଦେଇ ଇପସିତା କହିଛନ୍ତି ଯେ, ଓଡ଼ିଆ ସଂସ୍କୃତିର ଜ୍ଞାନ ବାଂଟୁଥିବା ଅପରାଜିତା ଷଡ଼ଙ୍ଗୀଙ୍କ ଅସଲ ଚେହେରା ସାଂଘାତିକ । ଏକାମ୍ର ପ୍ରକଳ୍ପ କାର୍ଯ୍ୟ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଟକାଇବାକୁ ଷଡ଼ଯନ୍ତ୍ର କରିବା ପଛର ପ୍ରମୁଖ କାର୍ପେଟଦାର ହେଉଛନ୍ତି ଅପରାଜିତା । ଗତ ୫ବର୍ଷ ମଧ୍ୟରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଅପରାଜିତା କ’ଣ କରିଛନ୍ତି ବୋଲି ସେ ଜବାବ ମାଗିଛନ୍ତି ।
ତେବେ ଅପରାଜିତାଙ୍କୁ କାଉଣ୍ଟର ପାଇଁ ବିଜେଡି ମାତ୍ର କିଛି ଘଣ୍ଟା ବ୍ୟବଧାନରେ ଦୁଇଥର ସାମ୍ବାଦିକମାନଙ୍କୁ ଡାକି ବୟାନ ଦେବା ହିଁ ବିଜେଡି କେତେ ବିଚଳିତ ହୋଇପଡ଼ିଛି ତା’ର ପ୍ରମାଣ ଦେଇଛି । ଆଉ ମନ୍ମଥ ଯେ ଅପରାଜିତାଙ୍କ ମୁକାବିଲା ପାଇଁ ଅନଫିଟ୍ ତାହା ମଧ୍ୟ ଖୋଦ୍ ବିଜେଡି ସନ୍ଦେଶ ଦେବାକୁ ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।