Advertisment

ଘରଠାରୁ ୨୦୦ ମିଟର ଦୂରରେ BJD ଜନସମ୍ପର୍କ ପଦଯାତ୍ରା, ମିଳିଲାନି ବିଧାୟକଙ୍କ ଦେଖା

ସଭାସ୍ଥଳଠାରୁ ମାତ୍ର ୨୦୦ ମିଟର ଦୂରରେ ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ଘର। ହେଲେ ତାଙ୍କୁ ସଭାରେ ଦେଖିବାକୁ ମିଳିନଥିଲା। ସେପଟେ ଜନ ସମାବେଶକୁ ଉଦ୍‌ବୋଧନ ଦେଲା ବେଳେ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ଆଗାମୀ ଦିନରେ ବସ୍ତା ନିର୍ବାଚନମଣ୍ଡଳୀରେ ସୁବାସିନୀ ଜେନା ନେତୃତ୍ୱ ନେବେ।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ହୋଇଥିଲା ଜନସମ୍ପର୍କ ପଦଯାତ୍ରା। ହେଲେ ବିଜେଡି ବିଧାୟକଙ୍କୁ ଦେଖିବାକୁ ମିଳିନଥିଲା। ବିଧାୟକ ନା ପଦଯାତ୍ରାରେ ସାମିଲ ହୋଇଥିଲେ ନା ସଭାରେ ଯୋଗଦେଲେ। ଜନସମ୍ପର୍କ ପଦଯାତ୍ରାରେ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ବାଲେଶ୍ୱର ରାଜନୀତିରେ ନାନା କଳ୍ପନାଜଳ୍ପନା ଲାଗି ରହିଛି। ୨୦୨୪ ନିର୍ବାଚନରେ ବିଧାୟକଙ୍କ ଟିକଟ କଟିବ କି?

Advertisment

ବସ୍ତା ନିର୍ବାଚନମଣ୍ଡଳୀରେ ଆଜି ହୋଇଥିଲା ବିଜେଡିର ଜନସମ୍ପର୍କ ପଦଯାତ୍ରା। ଦରଡ଼ା ଛକଠାରୁ ପଦଯାତ୍ରା ବାହାରି ମୁକୁଳିଶି ଚନ୍ଦନ ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲା। ପରେ ସେଠାରେ ହୋଇଥିଲା ଜନ ସମାବେଶ। ସେହି ସମାବେଶରେ ବ୍ଲକ୍‌ ବିଜେଡି ସଭାପତି ଅନୀଲ୍‌ କୁମାର ମହାନ୍ତି ସଭାପତିତ୍ୱ କରିଥିବା ବେଳେ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର, ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ପ୍ରଭାରୀ ପ୍ରତାପ ଦେବ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏବଂ ରାଜ୍ୟ ମହିଳା କାର୍ୟ୍ୟକାରିଣୀ ସଭା ନେତ୍ରୀ ସୁବାସିନୀ ଜେନା ପ୍ରମୁଖ ଯୋଗଦେଇଥିଲେ।

ସଭାସ୍ଥଳଠାରୁ ମାତ୍ର ୨୦୦ ମିଟର ଦୂରରେ ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ଘର। ହେଲେ ତାଙ୍କୁ ସଭାରେ ଦେଖିବାକୁ ମିଳିନଥିଲା। ସେପଟେ ଜନ ସମାବେଶକୁ ଉଦ୍‌ବୋଧନ ଦେଲା ବେଳେ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ଆଗାମୀ ଦିନରେ ବସ୍ତା ନିର୍ବାଚନମଣ୍ଡଳୀରେ ସୁବାସିନୀ ଜେନା ନେତୃତ୍ୱ ନେବେ। ପ୍ରତାପ ଦେବ ମଧ୍ୟ ସୁବାସିନୀ ଜେନାଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ୨୦୨୪ ନିର୍ବାଚନରେ ନିତ୍ୟାନନ୍ଦଙ୍କ ଟିକଟ କଟିବ କି? ବସ୍ତା ନିର୍ବାଚନମଣ୍ଡଳୀ ପାଇଁ ସୁବାସିନୀଙ୍କୁ ପ୍ରାର୍ଥୀ କରିବ କି ବିଜେଡି? ସମାବେଶ ପରଠାରୁ ଏପରି ନାନା ଚର୍ଚ୍ଚା ହେଉଛି।

Advertisment

ଜନ ସମ୍ପର୍କ ପଦଯାତ୍ରାରେ ବିଧାୟକଙ୍କ ଅନୁପସ୍ଥିତ ନେଇ ପ୍ରତାପ ଦେବଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ନାନା ପ୍ରଶ୍ନ ପଚାରିଥିଲେ। ଜବାବରେ ଶ୍ରୀ ଦେବ କହିଥିଲେ, ବିଧାୟକଙ୍କ ଦେହ ଖରାପ। ବର୍ତ୍ତମାନ ଗରମରେ ଯେମିତି ଗୁଳିଗୁଳି ହେଉଛି, ତାଙ୍କୁ ଆଣି ହଇରାଣ କରିବାକୁ ଚାହୁଁନାହୁଁ ବୋଲି ପ୍ରତାପ ଦେବ କହିଛନ୍ତି।

ଅପର ପକ୍ଷରେ ଦିନକ ତଳେ ବିଧାୟକ ନିଜ ସମର୍ଥକଙ୍କ ସହ ଜନସମ୍ପର୍କ ପଦ ଯାତ୍ରା ପାଇଁ ପ୍ରସ୍ତୁତ ବୈଠକ ଡାକି ଥିଲେ। ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସହିତ କଥା ହୋଇ ଗୋଟିଏ ସ୍ଥାନରେ ସଭା କରିବେ ବୋଲି କହିଥିଲେ।

ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ବିଧାୟକଙ୍କ ଦେହ ଖରାପ, ତାହାହେଲେ ପଦଯାତ୍ରାରେ ସିନା ସାମିଲ୍‌ ହୋଇପାରିବେ ନାହିଁ। ହେଲେ ସଭାରେ ଯୋଗଦେଇପାରି ଥାଆନ୍ତେ। ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ସଭା ହେଉଥିବା ବେଳେ ସେ କାହିଁକି ଆସିପାରିଲେ ନାହିଁ? ପ୍ରକୃତରେ ବିଧାୟକଙ୍କ ଦେହ ଖରାପ ନା ତାଙ୍କୁ ଡକାଯାଇନାହିଁ। ଏହାକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ହେଉଛି।

ରିପୋର୍ଟ-ଜଳେଶ୍ୱରରୁ ଅଜିତ କୁମାର ଦାସ

BjD Balasore Balasore Bjd