Advertisment

‘ମାଡାମ ରାଜ୍ୟ ସରକାରଙ୍କ କଥା କହିଥିଲେ ବେଶୀ ଖୁସି ହୋଇଥାଆନ୍ତି’

‘ବିକାଶର ଦଳ କୌଣସି ନଥାଏ, ସମସ୍ତେ ମିଶିଲେ ବିକାଶ ହେବ। ଜଗନ୍ନାଥଙ୍କ ରଥକୁ କେହି ଜଣେ ଟାଣନ୍ତିନି, ସମସ୍ତେ ମିଶି ରଥ ଟାଣିବା।’

author-image
Manoranjan Sial
ଅଦ୍ୟତନ ହୋଇଛି
BJP

BJP

ଅମୃତ ଭାରତ ଷ୍ଟେସନ୍‌ ଯୋଜନାରେ ଆଜି ଭୁବନେଶ୍ୱର କଳାରାହାଙ୍ଗରେ ରେଳ ଓଭର ବ୍ରିଜ୍‌ର ଶିଳାନ୍ୟାସ ହୋଇଛି। ଏଥିରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ। ଗୋଟିଏ ମଞ୍ଚରେ ପାଖାପାଖି ବସିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡି ବିଧାୟକ ସୁଶାନ୍ତ ରାଉତ। ଅପରାଜିତାଙ୍କ ପରେ ଭାଷଣ ଦେଇଥିଲେ ସୁଶାନ୍ତ। ଆଉ ସେ କହିଥିଲେ, ଅପରାଜିତା ମାଡାମ ରାଜ୍ୟ ସରକାରଙ୍କ କଥା କହିଥିଲେ ମୁଁ ବେଶୀ ଖୁସି ହୋଇଥାଆନ୍ତି।

Advertisment

ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ, ଏଠାରେ ରେଳ ଓଭର ବ୍ରିଜ୍‌ ପାଇଁ ୧୦ ବର୍ଷ ହେଲା ଦାବି ହୋଇଆସୁଥିଲା। ଆଜି ସେହି ଦାବି ପୂରଣ ହୋଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି। କଳାରାହାଙ୍ଗ ଓ ପଟିଆରେ ରେଳ ଓଭର ବ୍ରିଜ୍‌ ହେଲା ପରେ ଏହି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କର ବହୁ ଅସୁବିଧା ଦୂର ହେବ। ପ୍ରଧାନମନ୍ତ୍ରୀ ମୋଦି କୁହନ୍ତି, ସମସ୍ତଙ୍କର ବିକାଶ ହେଉ। ସେଥିପାଇଁ ଭିତ୍ତିଭୂମିର ବିକାଶ କରାଯାଉଛି। ଆଜି ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅମୃତ ଭାରତ ଷ୍ଟେସନ୍‌ ଯୋଜନାରେ ହଜାର ହଜାର ରେଳ ଷ୍ଟେସନ୍‌ ଓ ଓଭର ବ୍ରିଜ୍‌ର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ।

ସେ ଆହୁରି କହିଥିଲେ, ଭୁବନେଶ୍ୱର ସାଂସଦ ଭାବେ ଆଜି ମୁଁ ବହୁତ ଆନନ୍ଦିତ। କାରଣ, ଗତ ୫ ବର୍ଷ ହେଲା ଯେଉଁ ଦାବି ଲଗାତାର ଭାବେ ଉଠାଇଥିଲି, ଆଜି ତାହା ପୂରଣ ହେବାକୁ ଯାଉଛି। ମୋ ସଂସଦୀୟ କ୍ଷେତ୍ରରେ ୪ଟି ରେଳ ଓଭର ବ୍ରିଜର ଶିଳାନ୍ୟାସ ହୋଇଛି। ପଟିଆ ନିକଟରେ ୬୮ କୋଟି ୫୦ ଲକ୍ଷ, କଳାରାହାଙ୍ଗରେ ୭୦ କୋଟି ୪୦ ଲକ୍ଷ ଟଙ୍କା, ତରାବୋଇରେ ୬୪ କୋଟି, ଭୂଷଣ୍ଡପୁରରେ ୭୩ କୋଟି ୫୦ ଲକ୍ଷ ଟଙ୍କାରେ ମୋଟ୍‌ ୨୬୬ କୋଟି ୩୦ ଲକ୍ଷ ଟଙ୍କାରେ ଭୁବନେଶ୍ୱର ଅଞ୍ଚଳରେ ଅମୃତ ଭାରତ ଯୋଜନା ମାଧ୍ୟମରେ କାର୍ଯ୍ୟ କରାଯିବ। ବିକାଶର କୌଣସି ଦଳ ନଥାଏ, ସମସ୍ତେ ମିଶିଲେ ବିକାଶ ହେବ। ଜଗନ୍ନାଥଙ୍କ ରଥକୁ କେହି ଜଣେ ଟାଣନ୍ତିନି, ସମସ୍ତେ ମିଶି ରଥ ଟାଣିବା ବୋଲି ଶ୍ରୀମତୀ ଷଡଙ୍ଗୀ କହିଥିଲେ।

Advertisment

ସାଂସଦଙ୍କ ପରେ ବିଧାୟକ ସୁଶାନ୍ତ ରାଉତ ଭାଷଣ ଦେଇ କହିଥିଲେ, କଳାରାହଙ୍ଗ ଓ ପଟିଆ ପାଇଁ ଆଜିର ଦିନ ହେଉଛି ଐତିହାସିକ ଦିନ। ଯାହା ଅପରାଜିତା ମାଡ଼ାମ କହୁଥିଲେ, ନିଶ୍ଚିତ ଭାବେ ବିକାଶର କୌଣସି ଦଳ ନଥାଏ, ବିକାଶର କୌଣସି ଜାତି ନଥାଏ। ଏକଥା ସମସ୍ତେ ଜାଣିଛନ୍ତି। କିନ୍ତୁ ଆମକୁ ଏହାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ସେହି କାର୍ଯ୍ୟରେ ସମସ୍ତେ ଭାଗିଦାରୀ ହେବା ଉଚିତ। ରେଳ ଓଭର ବ୍ରିଜ୍‌ ପାଇଁ ମୁଁ କେନ୍ଦ୍ର ସରକାର ଓ ତତ୍‌କାଳୀନ ରେଳମନ୍ତ୍ରୀ ପିୟୂଷ ଗୋଏଲ୍‌ ଗୋଏଲଙ୍କୁ ଅନେକ ଅନେକ ଧନ୍ୟବାଦ ଦେଉଛି। ରେଳ ଓଭର ବ୍ରିଜ୍‌ ନିର୍ମାଣରେ ରାଜ୍ୟ ସରକାରଙ୍କର କିଛି ନା କିଛି ଭୂମିକା ରହିଛି। ସେ ବିଷୟରେ ମାଡାମ କହିଲେ ମୁଁ ଆହୁରି ବେଶୀ ଖୁସି ହୋଇଥାଆନ୍ତି। ୫୦-୫୦ ଶେଆରିଂରେ ଏହି ରେଳ ଓଭର ବ୍ରିଜ୍‌ ନିର୍ମାଣ ହେଉଛି। ୫୦ ଭାଗ କେନ୍ଦ୍ର ଓ ୫୦ ଭାଗ ରାଜ୍ୟ ସରକାର ଦେଉଛନ୍ତି। ରେଳ ଓଭର ବ୍ରିଜ୍‌ ହେଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଉଛି। ଆଜିର ଏହି ବିକାଶରେ ସମସ୍ତେ ଉପକୃତ ହୋଇପାରିବେ ବୋଲି ଶ୍ରୀ ରାଉତ କହିଥିଲେ। 

BjD Bjp Aparajita Sarangi