Advertisment

ବିଜେଡିରେ ଇଏ କି ପରମ୍ପରା: ଦଳର ଉପସଭାପତିଙ୍କୁ କଟାକ୍ଷ କରୁଛନ୍ତି ସାଧାରଣ ସମ୍ପାଦକ, ସୁପ୍ରିମୋ ନିରବ

ସୌମ୍ୟ ଦଳର ଜଣେ ବରିଷ୍ଠ ଉପସଭାପତି ଓ ବିଧାୟକ ଥିବା ସତ୍ତ୍ୱେ ତାଙ୍କ ବିରୁଦ୍ଧରେ ଦଳୀୟ ଫୋରମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ସର୍ବସାଧାରଣରେ ଦଳର କର୍ମକର୍ତ୍ତାମାନେ ତାଙ୍କୁ ସମାଲୋଚନା କରିବା କ’ଣ ବିଜେଡି ଭଳି ଏକ ବୃହତ୍ ଆଂଚଳିକ ଦଳର କାର୍ଯ୍ୟଶୈଳୀ କି?

author-image
Ordigital Desk
BJD

BJD

ଶାସକ ବିଜେଡିରେ ଏବେ ଅଜବ ସ୍ଥିତି । ଦଳର ଉପସଭାପତିଙ୍କୁ ଦଳୀୟ ମୁଖପାତ୍ରଠୁ ଆରମ୍ଭ କରି ସାଧାରଣ ସମ୍ପାଦକ ପର୍ଯ୍ୟନ୍ତ ସର୍ବସାଧାରଣରେ କଟାକ୍ଷ କରୁଛନ୍ତି । କିନ୍ତୁ ଦଳର ସୁପ୍ରିମୋ ନିରବଦ୍ରଷ୍ଟା ସାଜିଛନ୍ତି । ଦଳ ଭିତରେ ଆଭ୍ୟନ୍ତରୀଣ ଶୃଙ୍ଖଳା ରଖିବାରେ ସକ୍ଷମ ହେଉନାହାନ୍ତି କିମ୍ବା ବିଶୃଙ୍ଖଳା ସୃଷ୍ଟି କରୁଥିବା ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହାସ ଜୁଟାଇ ପାରୁନାହାନ୍ତି । ନିର୍ବାଚନ ପାଖେଇ ଆସୁଥିବାବେଳେ ଏଭଳି ଅଜବଗଜବ ସ୍ଥିତି ଦେଇ ଗତି କରୁଛି ଶାସକ ବିଜେଡି । ବିଜେଡିର ବରିଷ୍ଠ ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଆଜି ଦଳୀୟ ଫୋରମ୍ ବାହାରେ ତାଙ୍କ ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁ କଟାକ୍ଷ କରି ସୌମ୍ୟଙ୍କ ଉଦ୍ଭଟ ଚିନ୍ତାଧାରା ଓ ମାନସିକତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏପରିକି ସୌମ୍ୟ ଜଣେ ବ୍ଲାକମେଲର ଓ ସେଥିରେ ସଫଳ ହେଉନଥିବାରୁ ସେ ଉଗ୍ର ହୋଇପଡ଼ିଛନ୍ତି ବୋଲି କହିବାକୁ ଅରୁଣ ପଛାଇ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଟାର୍ଗେଟ୍ କରୁଥିବାରୁ ତାଙ୍କୁ ସମାଲୋଚନା କରିବାକୁ ଅରୁଣ ଆଗେଇ ଆସିଥିବା କଥା ଛଳରେ କହିଛନ୍ତି ।

Advertisment

ବିଜେଡିର ବରିଷ୍ଠ ବିଧାୟକ ତଥା ସାଧାରଣ ସମ୍ପାଦକ ଶ୍ରୀ ସାହୁ ଗଣମାଧ୍ୟମକୁ ନିଜଆଡ଼ୁ ବୟାନ ଦେଇ କହିଛନ୍ତି ଯେ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବେ କିଛିଦିନ ଧରି ବିଚଳିତ ଅଛନ୍ତି । ଏବେ ତାଙ୍କର ଚୈତନ୍ୟ ଉଦୟ ହେବା ଭଳି କଥା କହୁଛନ୍ତି । ପାର୍ଟି ଆଗ ନା ମାଟି ଆଗ କହୁଛନ୍ତି । ସେ ରାଜ୍ୟସଭାର ସାଂସଦ ଭାବେ ସାରା ଓଡ଼ିଶାର ସେବା କରିପାରିଥାନ୍ତେ । ସେ ଖଣ୍ଡପଡ଼ାରୁ ହାରି ହାରି ବିଧାୟକ ହେବାକୁ ଇଚ୍ଛା କଲେ । ଆଉ ୪ବର୍ଷ ୪ମାସ ଧରି ସେ ଖଣ୍ଡପଡ଼ାର ବିଧାୟକ ଭାବେ ଖଣ୍ଡପଡ଼ା ମାଟିର କେତେ ସେବା କରିଛନ୍ତି ତାହା ଖଣ୍ଡପଡ଼ାବାସୀଙ୍କୁ ପଚାରିବା । ସମାଜସେବାର ନା ଗନ୍ଧ ନାହିଁ, ମାଟିର ସେବା ବହୁ ଦୂରରେ ଥାଉ । କିନ୍ତୁ ଏବେ ଯେଉଁ ଉଦ୍ଭଟ କଥା ସବୁ କହୁଛନ୍ତି । ଅନେକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଟାର୍ଗେଟ କରିବା, ନିଜକୁ ବିରାଟ ସମାଜସେବୀ ଭାବେ ଉପସ୍ଥାପନ କରିବା ହେଉଛି ତାଙ୍କର ଅସ୍ଥିରତାର ଲକ୍ଷଣ । ଖଣ୍ଡପଡ଼ାରେ ବିଧାୟକ ହେବାପରେ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା ମନ୍ତ୍ରୀ ହେବା । କ୍ଷମତାର ଲାଳସା ମଣିଷକୁ ପଥଭ୍ରଷ୍ଟ କରେ । ମନ୍ତ୍ରୀ ହେବାର ଆଶା ଯେତେବେଳେ ଚୂରମାର ହେଲା, ସେ ହତାଶରେ ଅନେକ କଥା କହୁଛନ୍ତି । କୌଣସି ଉଦ୍ଦେଶ୍ୟ ନଥାଇ ସୌମ୍ୟବାବୁ କିଛି କରନ୍ତି ନାହିଁ । ୪ବର୍ଷ ୪ମାସ ମଧ୍ୟରେ କେବଳ ନିଜ କଥା ବୁଝିଛନ୍ତି । ନିଜ ଇଚ୍ଛା ଚରିତାର୍ଥ କରିବାକୁ ଚେଷ୍ଟା କରିଛନ୍ତି । ଆଉ ସଫଳ ନହେଲେ ସେ ଏଭଳି ବ୍ଲାକମେଲ୍ କରିବା ପନ୍ଥା ଆପଣାଇ ନିଅନ୍ତି । ବ୍ଲାକମେଲ ସଫଳ ହେଉନଥିବାରୁ ସୌମ୍ୟ ଉଗ୍ର ହୋଇପଡ଼ିଛନ୍ତି ବୋଲି ଅରୁଣ କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ମାପିଚୁପି ବୟାନ ଦେଉଥିବା ଅରୁଣ ଅଚାନକ ସୌମ୍ୟଙ୍କୁ ଅଚାନକ ଏଭଳି ଶାଣିତ ଆକ୍ରମଣ କରିବାକୁ କାହିଁକି ଆଗେଇ ଆସିଲେ? ତୃତୀୟ ମହଲାକୁ ସୁରକ୍ଷା ଦେବାକୁ ନା ତୃତୀୟ ମହଲା ନିର୍ଦ୍ଦେଶରେ ସୌମ୍ୟଙ୍କୁ ବ୍ୟକ୍ତିଗତସ୍ତରରେ ସାର୍ବଜନୀନ ଭାବେ ସମାଲୋଚନା କଲେ । ସୌମ୍ୟଙ୍କ ଉଦ୍ଭଟ ଚିନ୍ତାଧାରା, ମନ୍ତ୍ରୀ ପଦ ଆଶା ଚୂରମାର ହେବା, ବ୍ଲାକମେଲ୍ କରି ବିଫଳ ହେବା ପରେ ଉଗ୍ର ହୋଇପଡ଼ିଥିବା ଭଳି ଶବ୍ଦ ନିଜ ଦଳର ଜଣେ ବରିଷ୍ଠ ଉପସଭାପତିଙ୍କ ପ୍ରତି ଉପଯୋଗ କରିବା ଅରୁଣଙ୍କ ରାଜନୀତିକ ଅଶିଷ୍ଟାଚାରର ପ୍ରମାଣ ଦେଇଛି ।

Advertisment

ତେବେ ସୌମ୍ୟ ଦଳର ଜଣେ ବରିଷ୍ଠ ଉପସଭାପତି ଓ ବିଧାୟକ ଥିବା ସତ୍ତ୍ୱେ ତାଙ୍କ ବିରୁଦ୍ଧରେ ଦଳୀୟ ଫୋରମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ସର୍ବସାଧାରଣରେ ଦଳର କର୍ମକର୍ତ୍ତାମାନେ ତାଙ୍କୁ ସମାଲୋଚନା କରିବା କ’ଣ ବିଜେଡି ଭଳି ଏକ ବୃହତ୍ ଆଂଚଳିକ ଦଳର କାର୍ଯ୍ୟଶୈଳୀ କି? ଯଦି ସୌମ୍ୟ କିଛି ଦଳବିରୋଧୀ କାର୍ଯ୍ୟ କରିଛନ୍ତି ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ଏତେ ଭୟ କରୁଛି କାହିଁକି? ସୌମ୍ୟ ତ ଗୋଟିଏ ସମ୍ବାଦପତ୍ରର ସମ୍ପାଦକ ଭାବେ ଏବେ ନୁହେଁ ଗତ କିଛିବର୍ଷ ଧରି ଲେଖୁଛନ୍ତି । ବିଜେଡିରେ ଥାଇ ମଧ୍ୟ ୨୦୨୧ ଜୁଲାଇ ମାସରେ ‘କୋଭିଡ୍ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ’, ୨୦୨୧ ଅକ୍ଟୋବର ମାସରେ ‘ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ତତକାଳୀନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଓ ନବୀନଙ୍କ ନିରବତା’ କଥା ଉଲ୍ଲେଖ କରି ନିଜ ଦଳର ସରକାରଙ୍କୁ ଚେତାଇବାକୁ ପ୍ରୟାସ କରିଥିଲେ । ଏବେ ଗତ ଦେଢ଼ ମାସ ମଧ୍ୟରେ ୨ଥର ନିଜ ସମ୍ପାଦକୀୟ ଲେଖାରେ ‘ଫାଇଭ-ଟି ସଚିବ’ଙ୍କ ରାଜନୀତିକ ବ୍ରାଣ୍ଡିଂ ଓ ଭବ୍ୟ ଜିଲ୍ଲା ଗସ୍ତକୁ ନେଇ ସେ ସ୍ୱର ଉଠାଇବା ପରେ ବିଜେଡି ବିଚଳିତ ହୋଇପଡ଼ିଛି । ସୌମ୍ୟଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସାହାସ ଜୁଟାଇ ପାରୁନଥିବା ବିଜେଡି ସୁପ୍ରିମୋ ଏବେ ଦଳୀୟ ନେତାମାନଙ୍କ ମାଧ୍ୟମରେ ସମାଲୋଚନା କରାଇ ତାଙ୍କୁ ଦଳରେ ଏକଘରିଆ କରିବାକୁ ପ୍ରୟାସ କରିଛି ।

ତା’ଛଡ଼ା ଆଜି ସୌମ୍ୟ ଉଭୟ କଂଗ୍ରେସ ଓ ବିଜେପିର କିଛି ନେତାଙ୍କ ସହ ଏକ ବୈଠକରେ ସାମିଲ ହେବା ବିଜେଡିକୁ ବେଶୀ ବିବ୍ରତ କରିଛି । ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ପକ୍ଷରୁ ଆସନ୍ତା ୯ତାରିଖରେ ‘କୃଷକ ବିଜୟ ସମାବେଶ’ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମାବେଶରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ସମ୍ବର୍ଦ୍ଧିତ କରାଯିବ । ପ୍ରଶାନ୍ତ ଭୂଷଣ ଏହି ମାମଲାରେ ସୁପ୍ରିମକୋର୍ଟରେ ଲଢ଼େଇ କରୁଥିଲେ ଓ ଆଜି ସେ ଓଡ଼ିଶାରେ ପହଂଚିବା ପରେ ଏକ ଅଣଆନୁଷ୍ଠାନିକ ବୈଠକରେ ବରିଷ୍ଠ ନେତା ବିଜୟ ମହାପାତ୍ର, ଉମାବଲ୍ଲଭ ରଥଙ୍କ ସମେତ ଉଭୟ ବିଜେପି ଓ କଂଗ୍ରେସର ନେତାମାନଙ୍କ ସହ ବିଜେଡିରୁ ଏକମାତ୍ର ନେତା ଭାବେ ସୌମ୍ୟରଞ୍ଜନ ଯୋଗ ଦେଇଥିଲେ । ବିଜେଡି ସରକାରର ଚାଷୀମାରଣ ନୀତି ଓ ବେଦାନ୍ତ ପ୍ରୀତି ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ରାୟକୁ ବେଦାନ୍ତ ବିରୋଧୀ ସଂଘର୍ଷ ସମିତି ‘ବିଜୟ ଉତ୍ସବ’ ଭାବେ ପାଳିବା ସହ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିବାର ଆଶଙ୍କା ଥିବାରୁ ବିଜେଡି ଏବେଠୁ ସୌମ୍ୟଙ୍କ ବିରୁଦ୍ଧରେ ବ୍ୟକ୍ତିଗତ କଟାକ୍ଷକୁ ଅଧିକ ଶାଣିତ କରାଇଛି ।

BjD Bjp Arun Sahu Soumya Ranjan Patnaik