Advertisment

ଚାପ ବଢ଼ିଲା: ମୁହଁ ଖୋଲୁନାହାନ୍ତି ସୌମ୍ୟ, ପରବର୍ତ୍ତୀ ପଦକ୍ଷେପ ଉପରେ ନଜର

ସୌମ୍ୟଙ୍କ ସହ ମୂଲଚାଲ ପାଇଁ ବ୍ୟାକଡୋରରେ ହେଉଥିବା ପ୍ରୟାସ ଫେଲ୍ ମାରିବା ପରେ ଏକ ପୁରୁଣା ମାମଲାରେ ଦୀର୍ଘବର୍ଷ ଧରି ନିରବ ବସିଥିବା ଇଓଡବ୍ଲ୍ୟୁ ଆଜି ତାଙ୍କ ସମୁଦି ତଥା ବିଲଡର ତପନ ମହାନ୍ତିଙ୍କୁ ଡାକି ପ୍ରାୟ ୩ଘଣ୍ଟା ଜେରା କରିଛି ।

author-image
Ordigital Desk
Soumaya ranjan Patnik

Soumaya ranjan Patnik

 ବିଜେଡିର ବରିଷ୍ଠ ନେତା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପରେ ଦିନକୁ ଦିନ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଚାପ ବଢ଼ିବାରେ ଲାଗିଛି । ଗତ ୪ଦିନ ତଳେ ସୌମ୍ୟଙ୍କୁ ବିଜେଡି ନିଜର ଉପସଭାପତି ପଦରୁ ବରଖାସ୍ତ କରିବା ପରେ ଆଜି ତାଙ୍କ ସମୁଦି(ଝିଅଘର) ଓ ଜ୍ୱାଇଁଙ୍କୁ ଡାକି ରାଜ୍ୟ ଅର୍ଥନୀତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଜେରା କରିଥିବାବେଳେ ତାଙ୍କ ମାଲିକାନାରେ ଥିବା ଖବରକାଗଜର ଜଣେ ପୁରୁଣା କର୍ମଚାରୀ ମଧ୍ୟ ସିଧାସଳଖ ସୌମ୍ୟଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ଏସବୁ ମାଧ୍ୟମରେ ସୌମ୍ୟଙ୍କ ଉପରେ ସରକାରୀ ଚାପ  ବଢ଼ୁଥିଲେ ମଧ୍ୟ ସେ ମୁହଁ ଖୋଲୁନାହାନ୍ତି । ଆଉ ୟା’ ଭିତରେ ସୌମ୍ୟଙ୍କ ପରବତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ।

Advertisment

ସୂଚନା ଅନୁସାରେ, ସୌମ୍ୟ ନିଜର ଖବରକାଗଜରେ ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଶୀର୍ଷକ ଲେଖା ମାଧ୍ୟମରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ରାଜନୀତିକ ମହତ୍ୱାକାଂକ୍ଷୀକୁ ସମାଲୋଚନା କରିବା ସହ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ରାଜ୍ୟର ସାମ୍ପ୍ରତିକ ଘଟଣାବଳୀକୁ ନେଇ ଲୋକଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ ଓ ସାଧାରଣରେ ହେଉଥିବା ଚର୍ଚ୍ଚାକୁ ସୌମ୍ୟ ନିଜର ଲେଖା ଓ ବୟାନ ମାଧ୍ୟମରେ ପରିପ୍ରକାଶ କରି ଏବେ କ୍ଷମତାସୀନ ବିଜେଡି ସରକାରଙ୍କ ରୋଷର ଶିକାର ହୋଇଛନ୍ତି । ଶାସକ ବିଜେଡି ଗତ ୪ଦିନ ତଳେ ତାଙ୍କୁ ଦଳର ଉପସଭାପତି ପଦରୁ ବରଖାସ୍ତ କରିଥିଲେ ମଧ୍ୟ ତାଙ୍କର ପ୍ରାଥମିକ ସଦସ୍ୟ ପଦ ସୁରକ୍ଷିତ ରହିଛି ।

ସୌମ୍ୟଙ୍କ ସହ ମୂଲଚାଲ ପାଇଁ ବ୍ୟାକଡୋରରେ ହେଉଥିବା ପ୍ରୟାସ ଫେଲ୍ ମାରିବା ପରେ ଏକ ପୁରୁଣା ମାମଲାରେ ଦୀର୍ଘବର୍ଷ ଧରି ନିରବ ବସିଥିବା ଇଓଡବ୍ଲ୍ୟୁ ଆଜି ତାଙ୍କ ସମୁଦି ତଥା ବିଲଡର ତପନ ମହାନ୍ତିଙ୍କୁ ଡାକି ପ୍ରାୟ ୩ଘଣ୍ଟା ଜେରା କରିଛି । କେବଳ ସମୁଦି ନୁହଁନ୍ତି ବରଂ ସୌମ୍ୟଙ୍କ ସାନଜ୍ୱାଇଁଙ୍କୁ ମଧ୍ୟ ଇଓଡବ୍ଲ୍ୟୁ ଜେରା କରିଥିବା ସୂଚନା ମିଳିଛି । ସୌମ୍ୟଙ୍କ ସମୁଦି ଶ୍ରୀ ମହାନ୍ତି ହେଉଛି ଜେଡ୍ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡର ମୁଖ୍ୟ । ସୌମ୍ୟଙ୍କ ସାନଝିଅ ତନୟା ଏବେ ସୌମ୍ୟଙ୍କ ଉଭୟ ଖବରକାଗଜ ଓ ଟିଭି ଚ୍ୟାନେଲ୍ ଦାୟିତ୍ୱରେ ରହିଛନ୍ତି ଓ ତନୟା ହେଉଛନ୍ତି ଶ୍ରୀ ମହାନ୍ତିଙ୍କ ବୋହୂ । ଏପଟେ ସୌମ୍ୟଙ୍କ ଖବରକାଗଜରେ କାର୍ଯ୍ୟ କରୁଥିବା ଜଣେ ପୁରାତନ କର୍ମଚାରୀ ଆଜି ଇଓଡବ୍ଲ୍ୟୁରେ ସୌମ୍ୟ ଓ ତାଙ୍କ ଖବରକାଗଜର ମାନବସମ୍ବଳ ମୁଖ୍ୟଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ ଆଣିଛନ୍ତି । କର୍ମଚାରୀମାନଙ୍କ ନାଁରେ ଜୋର ଜବରଦସ୍ତି ବ୍ୟାଙ୍କ ଲୋନ୍ କରାଯାଉଥିବା ନେଇ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Advertisment

ଅବଶ୍ୟ ସୌମ୍ୟଙ୍କୁ ଉପସଭାପତି ପଦରୁ ବରଖାସ୍ତ କରାଯିବା ପରଠୁ ସେ ନିରବ ରହିଛନ୍ତି । ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଉନଥିବାବେଳେ ଆଜି ତାଙ୍କ ସମ୍ପର୍କୀୟଙ୍କୁ ଜେରା କରାଯିବା ଓ ତାଙ୍କ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରୀସ୍ତରରେ ସଜବାଜ ହେଉଥିବା ଜଣାପଡ଼ିଛି । ପୂର୍ବରୁ ସୌମ୍ୟଙ୍କ ଖବରକାଗଜକୁ ସରକାରୀ ବିଜ୍ଞାପନ ବନ୍ଦ କରିଥିବା ଶାସକ ବିଜେଡି ମଧ୍ୟ ନିଜର ବରିଷ୍ଠ ନେତାମାନଙ୍କ ମୁହଁରେ ସୌମ୍ୟଙ୍କୁ ବ୍ଲାକମେଲର ଆଖ୍ୟା ଦେଇ ନିନ୍ଦିତ ପାଇଁ ପ୍ରୟାସ କରିଥିଲା । ଏପରିକି ସୌମ୍ୟଙ୍କ ନିର୍ବାଚନମଣ୍ଡଳୀ ଖଣ୍ଡପଡ଼ାର ବିଭିନ୍ନ ଲୋକଙ୍କ ମାଧ୍ୟମରେ ସୌମ୍ୟଙ୍କୁ ସମାଲୋଚନା କରିବା ଭଳି ବିଜେଡ଼ି ନିଜର ଚିରାଚରିତ ପ୍ରାୟୋଜିତ କାର୍ଯ୍ୟକ୍ରମ କରିବାକୁ ଶାସକ ପଛାଇ ନାହିଁ । ସୌମ୍ୟଙ୍କ ଉପରେ ବିଭିନ୍ନ ମାଧ୍ୟମରେ ଚାପ ପକାଇ ତାଙ୍କର ମୁହଁକୁ ବନ୍ଦ କରିବାରେ ଶାସକ ବିଜେଡି ଏବେ ସକ୍ଷମ ହୋଇଛି ।

ଆସନ୍ତା ୨୨ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ ତା’ ପୂର୍ବରୁ ସୌମ୍ୟ ଓ ବିଜେଡି ମଧ୍ୟରେ ଚାଲିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ଅଧିକ ସମ୍ଭାବନା ଥିବାବେଳେ ସୌମ୍ୟ ନିଜ ଜିଦରେ ଅଟଳ ରହି ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଓ ସରକାରଙ୍କ ଦୋଷତ୍ରୁଟିକୁ ନିଜ ଖବରକାଗଜରେ ପ୍ରମୁଖ ଭାବେ ସ୍ଥାନିତ କରିବେ ନା ପୁଣିଥରେ ସରକାରଙ୍କ ସହ ସାଲିସ କରିବେ ତାହା ଉପରେ ସମସ୍ତଙ୍କ ନଜର ।

BjD Soumya Ranjan Patnaik