Advertisment

୨ ସିଟ୍ ଭାଗବାଣ୍ଟି ନେଲେ ବବି ଓ ପାଣ୍ଡିଆନ: ଦେବାଶିଷ ଓ ଶୁଭାଶିଷ ରାଜ୍ୟସଭା ପ୍ରାର୍ଥୀ

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଜାରି ସୂଚନା ଅନୁସାରେ ଦେବାଶିଷ ସାମନ୍ତରାୟ(ଋଷି) ଓ ଶୁଭାଶିଷ ଖୁଣ୍ଟିଆ(ଲକି)ଙ୍କୁ ଦଳ ରାଜ୍ୟସଭା ପ୍ରାର୍ଥୀ ନିମନ୍ତେ ମନୋନୀତ କରିଛି।

BJD

BJD

Advertisment

ରାଜ୍ୟରେ ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ଆସନ ମଧ୍ୟରୁ ୨ଟି ପାଇଁ ବିଜେଡି ଆଜି ନିଜର ପ୍ରାର୍ଥୀ ଘୋଷଣା କରିଛି। କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଯୁବ ବିଜେଡି ଉପସଭାପତି ପୁରୀର ଶୁଭାଶିଷ ଖୁଣ୍ଟିଆଙ୍କୁ ଦଳ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରିଛି । ଅନ୍ୟ ଗୋଟିଏ ଆସନରେ କିଏ ପ୍ରାର୍ଥୀ ହେବ ତାହା ଉପରେ ସସପେନ୍ସ ଲାଗି ରହିଛି। ଏହି ଦୁଇ ଆସନ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନ ଓ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ମିଳିତ ଭାବେ ଭାଗବାଂଟି ନେଇଥିବା ଦଳୀୟ ମହଲରେ ଚର୍ଚ୍ଚା।

Advertisment

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଜାରି ସୂଚନା ଅନୁସାରେ ଦେବାଶିଷ ସାମନ୍ତରାୟ(ଋଷି) ଓ ଶୁଭାଶିଷ ଖୁଣ୍ଟିଆ(ଲକି)ଙ୍କୁ ଦଳ ରାଜ୍ୟସଭା ପ୍ରାର୍ଥୀ ନିମନ୍ତେ ମନୋନୀତ କରିଛି। ରାଜ୍ୟସଭା ପ୍ରାର୍ଥିପତ୍ର ଦାଖଲର ଶେଷତାରିଖ ଆସନ୍ତା ୧୫ତାରିଖ ରହିଛି । ତେବେ ଦଳ ଦୁଇଜଣଙ୍କ ନାଁ ଘୋଷଣା କରିଥିବାବେଳେ ତୃତୀୟ ପ୍ରାର୍ଥୀ କିଏ ହେବ ତାହା ଏବେବି ଅସ୍ପଷ୍ଟ ରହିଛି ।

ବିଜେଡି ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, କଟକ-ବାରବାଟୀ ବିଧାନସଭା ଆସନ ଉପରେ ପ୍ରଣବପ୍ରକାଶ ଦାସ(ବବି)ଙ୍କ ଭିଣୋଇ ଅରିନ୍ଦମ ରାୟଙ୍କ ନଜର ରହିଛି। ସେଠାରେ ତାଙ୍କୁ ଥଇଥାନ କରିବା ପାଇଁ ଋଷିଙ୍କୁ ରାଜ୍ୟସଭା ନିମନ୍ତେ ମନୋନୀତ କରାଯାଇଛି । ଦୀର୍ଘ କିଛିଦିନ ଧରି ବିଜେପି ନେତାମାନଙ୍କ ସହ ସମ୍ପର୍କ ବଢ଼ାଇ ଅରିନ୍ଦମ ବିଜେଡିକୁ ବ୍ଲାକମେଲିଂ କରିବା ଭଳି କାର୍ଯ୍ୟ କରିଆସୁଥିଲେ । କେତେବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ ତ ଅନ୍ୟ କେତେବେଳେ କଟକର ବିଜେପି ନେତାମାନଙ୍କ ସହ ସମୟ ବିତାଇ ଅରିନ୍ଦମ ପରୋକ୍ଷରେ ବିଜେଡିକୁ ଅଡ଼ୁଆରେ ପକାଇଥିଲେ । ତେବେ ଦଳ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଏବେ ତାଙ୍କୁ କଟକ-ବାରବାଟୀ ଆସନରୁ ବିଧାୟକ ପ୍ରାର୍ଥୀ କରିବା ପାଇଁ ଋଷିଙ୍କୁ ରାଜ୍ୟସଭା ପଠାଇଛନ୍ତିି । ବବି ନିଜ ଭିଣୋଇଙ୍କ ପାଇଁ ଲବି କରି ଋଷିଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବାରେ ସକ୍ଷମ ହୋଇଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

Advertisment

ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସଫଳ କରିବା ପାଇଁ ଦୀର୍ଘଦିନ ଧରି ଭିକେ ପାଣ୍ଡିଆନଙ୍କ ଘନିଷ୍ଠ ହୋଇ କାର୍ଯ୍ୟ କରୁଥିବା ଯୁବ ବିଜେଡି ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆ(ଲକି)ଙ୍କୁ ପୁରସ୍କୃତ କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବାସଚ୍ୟୁତ ହୋଇଥିବା ସେବାୟତମାନଙ୍କୁ ବୁଝାସୁଝା କରିବା ସହ ସେମାନଙ୍କ ସଙ୍ଗେ ବିଭିନ୍ନ ପ୍ରକାରର ବୁଝାମଣାରେ ଶୁଭାଶିଷ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେଣୁ ତାଙ୍କୁ ପାଣ୍ଡିଆନ ରାଜ୍ୟସଭା ପ୍ରାର୍ଥୀ ଭାବେ ପୁରସ୍କୃତ କରି ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି। ଦିବଂଗତ ନେତା ମହେଶ୍ୱର ମହାନ୍ତିଙ୍କ ପୁଅଙ୍କୁ ପୁରୀ ବିଧାନସଭା ଟିକେଟ୍ ଦେଇ ଉକ୍ତ ଆସନକୁ ମଧ୍ୟ ବିଜେପିଠୁ ଛଡ଼ାଇ ଆଣିବାର ମାର୍ଗ ପ୍ରଶସ୍ତ କରୁଥିବା ଚର୍ଚ୍ଚା।

ବିଜେଡି ଏବେ ଦୁଇଟି ଆସନ ପାଇଁ ପ୍ରାର୍ଥୀ ଉପକୂଳ ଓଡ଼ିଶାରୁ ଦେଇଥିବାରୁ ତୃତୀୟ ପ୍ରାର୍ଥୀ ପଶ୍ଚିମ କିମ୍ବା ଉତ୍ତର ଓଡ଼ିଶାର ହେବେ ବୋଲି ଜଣାପଡ଼ିଛି । ଏହି ଦୁଇ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ସହ ବିଜେଡି ପିନାକୀ ମିଶ୍ରଙ୍କୁ ରେସରୁ ବାଦ୍ ଦେଇଛି । ତେବେ ସନ୍ତୃପ୍ତ ମିଶ୍ରଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲେ ବି ଦଳ ଜଣେ ମହିଳା କିମ୍ବା ପଶ୍ଚିମ-ଉତ୍ତର ଓଡ଼ିଶାର କାହାରିକୁ ପଠାଇପାରେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ ଓ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହି ୩ଟି ଆସନ ପାଇଁ ଏବେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୧୫ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଛି । ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ଏହି ୩ଟି ଯାକ ଆସନକୁ ନିଜ ଦଖଲରେ ରଖିବା ପ୍ରାୟତଃ ସ୍ପଷ୍ଟ ।

BjD Rajya Sabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe