BJD
ବିନା ନିମନ୍ତ୍ରଣରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମକୁ ଆସିଥିଲେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା! ଯେଉଁଥିପାଇଁ ହୋଇଥିଲା ହୋ-ହଲ୍ଲା ଓ ଠେଲାପେଲା! ସଭା ମଞ୍ଚରେ ମନ୍ତ୍ରୀଙ୍କ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ହୋଇଥିଲେ ମୁହାଁମୁହିଁ। ସ୍ଥିତି ନିୟନ୍ତ୍ରଣ ପାଇଁ ନାକେଦମ୍ ହୋଇଥିଲା ପୁଲିସ୍।କାର୍ଯ୍ୟକ୍ରମ ଆୟୋଜନ କରିଥିବା ସରପଞ୍ଚ କହିଛନ୍ତି, ଆମେ ନିମନ୍ତ୍ରଣ କରିନୁ। ମନ୍ତ୍ରୀ ଗୁଣ୍ଡା ଧରି ଆସିଥିଲେ। ନିଜ ନିର୍ବାଚନମଣ୍ଡଳୀ କାକଟପୁରରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ବାରମ୍ୱାର ଅପଦସ୍ତ ହେଉଥିବା ଘଟଣା ରାଜ୍ୟ ରାଜନୀତିରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଛି।
ଅସ୍ତରଙ୍ଗ ବ୍ଲକ୍ ନୂଆଗଡ଼ ପଞ୍ଚାୟତରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସଚେତନତା ଶିବିର ଆୟୋଜନ ହୋଇଥିଲା। ପଞ୍ଚାୟତର ସରପଞ୍ଚ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏଥିରେ ଯୋଗଦେବା ପାଇଁ ପଞ୍ଚାୟତ ତରଫରୁ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ନିମନ୍ତ୍ରଣ କରାଯାଇନଥିଲା। କିନ୍ତୁ ବିଡିଓ ତାଙ୍କୁ ନିମନ୍ତ୍ରଣ କରିଥିବା ଚର୍ଚ୍ଚା ହେଉଛି। ନିର୍ଦ୍ଧାରିତ ସମୟରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ନୂଆଗଡ଼ ସରପଞ୍ଚ ଜିତେନ୍ଦ୍ର ସ୍ୱାଇଁ ଓ ତାଙ୍କ ସମର୍ଥକମାନେ ଗାଁ ଲୋକଙ୍କୁ ନେଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ।
ସଭା ଆରମ୍ଭ ହେବାର କିଛି ସମୟରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ତାଙ୍କ ସମର୍ଥକ ସେଠାରେ ପହଞ୍ଚଥିଲେ। ହେଲେ ମଞ୍ଚକୁ ଚଢ଼ିବାକୁ ଦେଲେନାହିଁ ସରପଞ୍ଚ ଏବଂ ତାଙ୍କ ସମର୍ଥକ। ଏହାକୁ ନେଇ ସଭା ସ୍ଥଳରେ ହୋ-ହଲ୍ଲା ଓ ଠେଲାପେଲା ହୋଇଥିଲା। କହିବାକୁ ଗଲେ ସଭା ସ୍ଥଳ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ମନ୍ତ୍ରୀଙ୍କୁ ଦେଖି ବିଜେଡିର ଅନ୍ୟ ଏକ ଗୋଷ୍ଠୀ ଜୟଶ୍ରୀ ରାମ ନାରା ପକାଇଥିଲେ।
ଠେଲାପେଲା ଭିତରେ ପୁଲିସ୍ର ବଳୟରେ ବିପକ୍ଷ ଗୋଷ୍ଠୀଙ୍କୁ ଷ୍ଟେଜ୍ ଉପରକୁ ଚଢ଼ିଥିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା। ସେଠାରେ ମଧ୍ୟ ତାଙ୍କୁ ବିରୋଧ କରାଯାଇଥିଲା। କେହି ତାଙ୍କୁ ସହଯୋଗ କରିନଥିବା ଅଭିଯୋଗ ହୋଇଛି। ଶେଷରେ ସରପଞ୍ଚ ଓ ତାଙ୍କ ସମର୍ଥକ ସଭା ଛାଡ଼ି ପଳାଇ ଯାଇଥିଲେ। ଯାହାଫଳରେ ରାଜ୍ୟ ସରକାରଙ୍କ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅଧାରୁ ବନ୍ଦ ହୋଇଯାଇଥିଲା। ଲୋକମାନେ ସଭା ମଞ୍ଚ ଛାଡ଼ି ପଳାଇ ଯାଇଥିଲେ।
ସେପଟେ ନୂଆଗଡ଼ ସରପଞ୍ଚ ଜିତେନ୍ଦ୍ର ସ୍ୱାଇଁ କହିଛନ୍ତି, ଆମ ପଞ୍ଚାୟତରେ ଆମ ଓଡ଼ିଶା, ନବୀନ ଓଡ଼ିଶା ଜନ ସଚେତନତା କାର୍ଯ୍ୟକ୍ରମ ହେଉଥିଲା। ଏଥିରେ ଯୋଗଦେବା ପାଇଁ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇନଥିଲା। ସଭା କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ମନ୍ତ୍ରୀ କିଛି ଗୁଣ୍ଡାଙ୍କୁ ଧରି ପହଞ୍ଚିଲେ। ଆଉ ମଞ୍ଚ ଚଢ଼ିବାକୁ ଚେଷ୍ଟା କରୁଥିଲେ। ଆମେ ତାଙ୍କୁ ବାରଣ କରିଥିଲୁ। ଆଉ କହିଥିଲୁ, ଏହା ଦଳୀୟ କାର୍ଯ୍ୟକ୍ରମ ନୁହେଁ, ତେଣୁ ଆପଣ(ମନ୍ତ୍ରୀ) ପଞ୍ଚାୟତ ଗୃହରେ ବସନ୍ତୁ। ସଭା କାର୍ଯ୍ୟ ସରିବା ପରେ ଆମେ ଆପଣଙ୍କୁ ସ୍ୱାଗତ କରିବୁ ବୋଲି କହିଥିଲୁ। କିନ୍ତୁ ମନ୍ତ୍ରୀ ଆମ କଥା ନଶୁଣି ନିଜର ଗୁଣ୍ଡାମାନଙ୍କ ସହାୟତାରେ ଜବରଦସ୍ତି ମଞ୍ଚ ଉପରକୁ ଚଢ଼ିଥିଲେ। ସେ ଜାଣିଶୁଣି ନବୀନ ସରକାରଙ୍କ ଯୋଜନାକୁ ଭଣ୍ଡୁର କରିଛନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।
ଗଣ୍ଡଗୋଳ ଓ ସରପଞ୍ଚଙ୍କ ଅଭିଯୋଗ ନେଇ ମନ୍ତ୍ରୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି।
ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
