
PAC Meeting Today
ବିଜେଡିରେ ତୀବ୍ର ଆଭ୍ୟନ୍ତରୀଣ କନ୍ଦଳ ମଧ୍ୟରେ ଆଜି ଦଳର ରାଜନୀତିକ ବ୍ୟାପାର କମିଟି(ପିଏସି)ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ପିଏସି ବୈଠକ ବସି ରାଜ୍ୟର ବିଜେପି ସରକାରକୁ ଘେରିବା ଏବଂ ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ ଆବଶ୍ୟକ କାର୍ଯ୍ୟକ୍ରମ ଓ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି ।
ତେବେ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟିରେ ଦୁଇ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗରେ ପଦୁଟିଏ ଆଲୋଚନା ହୋଇନଥିବାବେଳେ ଯାଜପୁରରେ ଜିଲ୍ଲା ପରିଷଦ ସଦସ୍ୟମାନେ ବିଜେପିରେ ମିଶ୍ରଣ ପ୍ରସଙ୍ଗରେ ବବିଙ୍କୁ ସମସ୍ତଙ୍କ ସାମ୍ନାରେ ନବୀନ ପରିହାସପୂର୍ଣ୍ଣ ପ୍ରଶ୍ନ କରିଥିବା ଜଣାପଡ଼ିଛି । ଏପରିକି ବୈଠକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନବୀନ ବେଶ୍ ଖୁସମିଜାଜ୍ ଢଙ୍ଗରେ ବାର୍ତ୍ତାଳାପ କରିବା ସହ ନିଜକୁ ମାତ୍ରାଧିକ ଚାପମୁକ୍ତ ଦର୍ଶାଇବାକୁ ପ୍ରୟାସ କରିଥିବାରୁ ଏହା ଦଳୀୟ ନେତାମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି, ଯାହାକି ବିଜେଡି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବିଜେପିର ୨୨ ପ୍ରତିଶ୍ରୁତିକୁ ନେଇ ଘେରିବ ବିଜେଡି: ରାଜରାସ୍ତାରେ ଲଢ଼ିବ
ପିଏସି ସଦସ୍ୟ ସଞ୍ଜୟ ଦାସବର୍ମା ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ରାଜ୍ୟରେ ବିଜେପି ସରକାରକୁ ଘେରିବା ପାଇଁ ପିଏସି ବୈଠକରେ ବଡ଼ ରଣନୀତି ପ୍ରସ୍ତୁତ ହୋଇଛି । ବିଶେଷକରି ଧାନକିଣା ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରସଙ୍ଗରେ ଦଳ ଖୁବଶୀଘ୍ର ଜିଲ୍ଲାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ରାଜରାସ୍ତାରେ ଲଢ଼େଇ ଜୋରଦାର କରିବ । ଏହାସହିତ ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ୨୨ଟି ପ୍ରତିଶ୍ରୁତି ମଧ୍ୟରୁ କେତୋଟି ପୂରଣ କରିଛି, ତାହାର ହିସାବ ମାଗିବାକୁ ଦଳ ପ୍ରସ୍ତୁତ ହୋଇଛି । ଏହି ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି ତଥା ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ରୋଡମ୍ୟାପ୍ ପ୍ରସ୍ତୁତ ନିମନ୍ତେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।
ଚଳିତ ସପ୍ତାହ ସୁଦ୍ଧା ସରିବ ସାଂଗଠନିକ କର୍ମକର୍ତ୍ତା ନିଯୁକ୍ତି
ବୈଠକରେ ନିଷ୍ପତ୍ତି ଅନୁସାରେ, ସଂଗଠନ(BijuJanataDal)କୁ ସୁଦୃଢ଼ କରିବା ପାଇଁ ଖାଲି ପଡ଼ିଥିବା କର୍ମକର୍ତ୍ତା ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ ନିମନ୍ତେ ନିଷ୍ପତ୍ତି ହୋଇଛି । ଦଳର ରାଜ୍ୟସ୍ତରର ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ସମେତ ଦୁଇଟି ଜିଲ୍ଲାରେ ସଭାପତି ଓ ଅନ୍ୟାନ୍ୟ ୱିଙ୍ଗରେ ଖାଲି ଥିବା କର୍ମକର୍ତ୍ତା ନିଯୁକ୍ତି ପ୍ରକ୍ରିୟାକୁ ଚଳିତ ସପ୍ତାହ ସୁଦ୍ଧା ଶେଷ କରିବାକୁ କୁହାଯାଇଛି । ବୈଠକରେ ନବୀନ ନିଜେ କେତେକ ଜିଲ୍ଲାର ସାଂଗଠନିକ ସ୍ଥିତି ସଂର୍ପକରେ ତଥ୍ୟ ମାଗିବା ସହ ଦଳୀୟ ଅସନ୍ତୋଷ ଦୂର କରି ସଂଗଠନକୁ ନୂଆ ରୂପ ଦେବାକୁ କହିଥିବା ଜଣାପଡ଼ିଛି ।
ବବିଙ୍କୁ ପ୍ରଶ୍ନ: ତୁମେ ଥାଉଥାଉ ଲିକୁ ସାହୁ ଏତେ ପାୱାରଫୁଲ୍ କେମିତି?
ବିଜେଡି ସୂତ୍ର ଅନୁସାରେ, ନବୀନ ବୈଠକରେ ନିଜକୁ ଖୁସମିଜାଜ୍ ଭଳି ଦର୍ଶାଇଥିଲେ ମଧ୍ୟ ପିଏସି ସଦସ୍ୟ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କୁ ଶାଣିତ ଓ ଛିଗୁଲାଇବା ଭଳି ପ୍ରଶ୍ନ କରିବାକୁ ପଛାଇ ନଥିଲେ । ଯାଜପୁର ଭଳି ବିଜେଡିର ଗଡ଼ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ୨୦ ଜଣ ସଦସ୍ୟ କିଭଳି ବିଜେପିକୁ ଚାଲିଗଲେ, ସେ ନେଇ ବବିଙ୍କୁ ପ୍ରଶ୍ନ କରିଥିଲେ ନବୀନ ।
ଆଉ ଉତ୍ତରରେ ବବି ଏସବୁ ପାଇଁ ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ)ଙ୍କୁ ଦାୟୀ କରିଥିଲେ । ତେବେ ଲିକୁ ସାହୁ କିଏ ଓ ତୁମେ ଥାଉଥାଉ ଜଣେ ସ୍ୱାଧୀନ ବିଧାୟକ କିଭଳି ଏତେ ପାୱାରଫୁଲ ହୋଇ ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ନେଇଗଲେ ବୋଲି ବବିଙ୍କୁ ଛିଗୁଲେଇବା ଭଳି ନବୀନ ପ୍ରଶ୍ନ କରିବାକୁ ପଛାଇ ନଥିଲେ । ତେବେ ବବି ଏହି ପ୍ରସଙ୍ଗରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ସୂଚନା ମିଳିଛି ।
ନବୀନଙ୍କ ଭାବଭଙ୍ଗୀ ଓ ଉଠିଲାନି ବିଧାୟକ ନିଲମ୍ବନ ପ୍ରସଙ୍ଗ
ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପ୍ରସଙ୍ଗରେ ଗତ ୬ଦିନ ଧରି ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକ ସରଗରମ ଥିଲେ ମଧ୍ୟ ପିଏସି ବୈଠକରେ ଏନେଇ ପଦୁଟିଏ ମଧ୍ୟ ଆଲୋଚନା ହୋଇନଥିଲା । ଯାହାକି ପିଏସି ସଦସ୍ୟମାନଙ୍କୁ ଚକିତ କରିଥିଲା । ନବୀନ ନିଜର ଚିରାଚରିତ ଗମ୍ଭୀର ସ୍ୱଭାବ ଛାଡ଼ି ଅତ୍ୟନ୍ତ ହସମିଜାଜ ଓ ଚାପମୁକ୍ତ ରହିଥିବା ଦର୍ଶାଇବାକୁ ପ୍ରୟାସ କରିଥିଲେ ।
୬ଦିନ ଧରି ଦଳର ବରିଷ୍ଠ ନେତାମାନଙ୍କ ନିରବତାକୁ ଦେଖି ଅରବିନ୍ଦଙ୍କ ନିଲମ୍ବନକୁ ଯଥାର୍ଥ ଦର୍ଶାଇବା ଗତକାଲି ନିଜେ ନବୀନ ସଫେଇ ଦେଇଥିଲେ । ଆଉ ଆଜି ବୈଠକରେ ଏହି ପ୍ରସଙ୍ଗରେ ମୁହଁ ନଖୋଲିବା ପିଏସି ସଦସ୍ୟମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ନବୀନ(BJD Naveen Patnaik)ଙ୍କର ଏହି ନୂଆ ରୂପ ପଛରେ କିଛି ରହସ୍ୟମୟ ରଣନୀତି ଅଛି ନା ଏହା ଝଡ଼ ପୂର୍ବର ନିରବତା, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଆଜିର ପିଏସି ବୈଠକରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
