Advertisment

ପଦାରେ ପଡ଼ିଲା ବିଜେଡିର ଅନ୍ତଃକନ୍ଦଳ, ୪ ଜିଲ୍ଲାରେ ଭିନ୍ନେ ହେଲେ

ବାଲେଶ୍ୱର, ପୁରୀ, ରାୟଗଡ଼ା, କେନ୍ଦୁଝରରେ ଏଭଳି ଗୋଷ୍ଠୀ କନ୍ଦଳ ଆଜି ନଜର ଆସିଥିଲା।

ଅଦ୍ୟତନ ହୋଇଛି
BJD

BJD

Advertisment

ସାରା ରାଜ୍ୟ ଆଜି ଝୁରୁଛି ପ୍ରବାଦ ପୁରୁଷଙ୍କୁ। ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧା ସୁମନ ଅର୍ପଣ କରୁଛି ଓଡ଼ିଶା। ଅଥଚ ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ଶାସକ ବିଜେଡିରେ ଆଜି ବି ଦେଖିବାକୁ ମିଳିଛି ଗୋଷ୍ଠୀ କନ୍ଦଳ ଓ ଅନ୍ତର୍ଦ୍ୱନ୍ଦ। ପ୍ରବାଦ ପୁରୁଷଙ୍କ ଜୟନ୍ତୀରେ ପଦାରେ ପଡ଼ିଲା ବିଜେଡି ଫାଟ। ଭିନ୍ନ ଭିନ୍ନ ସଭା, ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ। ପତିଆରା ପାଇଁ ଭୁଲିଯାଇଛନ୍ତି ଦଳୀୟ ଅନୁଶାସନ। ଦଳର ଆଭ୍ୟନ୍ତରୀଣ କନ୍ଦଳରୁ କେଉଁଠି ବିଜୁ ବାବୁ ଏବଂ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହୋର୍ଡିଂ, ବ୍ୟାନରକୁ ନଷ୍ଟ କରିଦିଆଯାଇଛି ତ ଆଉ କେଉଁଠି ଅଲଗା ଅଲଗା ଗୋଷ୍ଠୀ ହୋଇ ବିଜୁ ଜୟନ୍ତୀ ପାଳନ କରାଯାଇଛି। ପତିଆରା ଜାହିର ପାଇଁ ଗୋଷ୍ଠୀ-ଗୋଷ୍ଠୀ ମଧ୍ୟରେ ଦେଖିବାକୁ ମିଳିଛି ଛକାପଞ୍ଝା ରାଜନୀତି। ବାଲେଶ୍ୱର, ପୁରୀ, ରାୟଗଡ଼ା, କେନ୍ଦୁଝରରେ ଏଭଳି ଗୋଷ୍ଠୀ କନ୍ଦଳ ଆଜି ନଜର ଆସିଥିଲା।

Advertisment

ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଏଭଳି ଦୁଇଟି ଚିତ୍ର ସାମ୍ନାକୁ ଆସିଛି। କାର୍ଯ୍ୟକ୍ରମ ଗୋଟିଏ। କିନ୍ତୁ ମଞ୍ଚ ଭିନ୍ନ ଭିନ୍ନ। ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ଗୋଷ୍ଠୀ ଟାଉନ ହଲ୍ ପଡ଼ିଆରେ ପଞ୍ଚାୟତିରାଜ ଦିବସ ସହ ବିଜୁ ଜୟନ୍ତୀ ପାଳନ କରିଥିବା ବେଳେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ସମିତି ସଭ୍ୟ ବ୍ରଜ ପ୍ରଧାନ ହଜାର ହଜାର କର୍ମୀ ଏବଂ ସମର୍ଥକଙ୍କୁ ଧରି ବାଇଗଣ ବାଡ଼ିଆରେ କରିଛନ୍ତି କାର୍ଯ୍ୟକ୍ରମ। ସେହି କାର୍ଯ୍ୟକ୍ରମରୁ ହିଁ ତାଙ୍କ ସମର୍ଥକ ପ୍ରତିପକ୍ଷଙ୍କୁ ରୋକଠୋକ ଶୁଣାଇଛନ୍ତି ଚେତାବନୀ। କେବଳ ଏତିକି ନୁହେଁ, ମନ୍ତ୍ରୀଙ୍କ ବିରୋଧରେ ବିଷୋଦଗାର ବି କରିଛନ୍ତି।

ବିଜେଡି ଯୁବ ନେତା କାଳୀଚରଣ ଜେନା କହିଛନ୍ତି ସ୍ଥାନୀୟ ଅଞ୍ଚଳର ବିକାଶ କରିବା ଭରସାରେ ଏଠାରେ ଯାହାକୁ ପ୍ରତିନିଧି କରାଗଲା ସେ ମନ୍ତ୍ରୀ ହେଲା ପରେ ଦେଖାଉଥିବା ବ୍ୟବହାରରେ ଅସୁନ୍ତୁଷ୍ଟ ହୋଇ ଜନମତ ଅନୁସାରେ ତାଙ୍କ ଠାରୁ ଦୂରେଇ ଯାଇଛୁ। ଜଳେଶ୍ୱର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବ୍ରଜ ପ୍ରଧାନ କହିଛନ୍ତି, ଯିଏ ଯେମିତି କାମ କରିବ, ଲୋକେ ସେହିପରି ଅସନ୍ତୋଷ ପ୍ରକାଶ କରିବେ। ଜଳେଶ୍ୱର ବିଜେଡି ସଭାପତି ଦିଲୀପ ସାମଲ କହିଛନ୍ତି, ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ୱର ବଡ଼ ବଜାରରେ ବିଜୁ ଜୟନ୍ତୀ ପାଳନ ହେଉଛି। ଅନ୍ୟ କେଉଁଠି ଅଲଗା ଭାବେ ପାଳନ ହେଉଛି ତାହାର ସୂଚନା ନାହିଁ।

Advertisment

କେବଳ ଜଳେଶ୍ୱର କାହିଁକି। ନୀଳଗିରିରେ ବି ସମାନ ଦୃଶ୍ୟ। ବିଜୁ ଜୟନ୍ତୀ ପାଳୁଥିବା ଦଳ ସମାନ, ସ୍ଥାନ ବି ସମାନ। କିନ୍ତୁ ସମୟ ଅଲଗା, ସଂଗଠନ ଅଲଗା। ବସଷ୍ଟାଣ୍ଡ ପାଖ ବାଇପାସ ନିକଟ ବିଜୁଙ୍କ ପ୍ରତିମୂର୍ତ୍ତିରେ ଭିନ୍ନ ଭିନ୍ନ ସମୟରେ ଆସି ଫୁଲମାଳ ଦେବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ବିଜେଡି ନେତା ସନ୍ତୋଷ ଖଟୁଆଙ୍କ ଗୋଷ୍ଠୀ ଏବଂ ଶୁଭେନ୍ଦୁ ମଙ୍ଗରାଜଙ୍କ ଗୋଷ୍ଠୀ। ଏପରିକି ଯିଏ ଯାହାର ଅଲଗା ଅଲଗା ସାଇକଲ ଶୋଭାଯାତ୍ରା, ରୋଗୀଙ୍କୁ ଫଳ ବଣ୍ଟନ ପ୍ରଭୃତି କାର୍ଯ୍ୟକ୍ରମ କରୁଛନ୍ତି। ପଚାରିବାରୁ ବିଜେଡି ନେତା ସନ୍ତୋଷ କହିଛନ୍ତି, ଏହା ମତାନ୍ତର ନୁହେଁ, ମନାନ୍ତର। ଯିଏ ବିଶୃଙ୍ଖଳା କରିବ, ସିଏ ତା’ ଫଳ ପାଇବ। ଅପରପକ୍ଷେ ଶୁଭେନ୍ଦୁ କହିଛନ୍ତି, ତାଙ୍କର ନେତା ନବୀନ ପଟ୍ଟନାୟକ। ଜିଲ୍ଲାରେ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ନବୀନଙ୍କ ନିର୍ଦ୍ଦେଶ କ୍ରମେ କାମ କରୁଛନ୍ତି।

ପୁରୀରେ ବି ସମାନ ଅବସ୍ଥା। ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ଗୋଷ୍ଠୀ ବିଜୁ ଜୟନ୍ତୀ ପାଳନ କରିଛନ୍ତି ପୃଥକ ପୃଥକ ଭାବେ। କିନ୍ତୁ ଏହା ଦଳୀୟ ଏଜେଣ୍ଡା ବୋଲି କହି ଜଳ ଜଳ ଦେଖାଯାଉଥିବା ଫାଟକୁ ଲୁଚାଇବାକୁ ଚେଷ୍ଟା କରିଥିଲେ ଶୁଭାଶିଷ। ପୁରୀ ସଦର ନିର୍ବାଚନ ମଣ୍ଡଳି ଓ ପୁରୀ ପୌରାଧ୍ୟକ୍ଷ ସିଟ୍ ଉପରେ ଉଭୟ ଗୋଷ୍ଠୀ ଅକ୍ତିଆର କରିବାକୁ ଚେଷ୍ଟା କରୁଥିବାରୁ ଏଠାରେ ବିଜେଡି ରାଜନୀତି ଭିନ୍ନରୂପ ନେଇଛି।

ରାୟଗଡ଼ା ଜିଲ୍ଲାରେ ତ ବିଜୁ ଜୟନ୍ତୀ ପାଳନ ନାଁରେ ଶକ୍ତି ପ୍ରଦର୍ଶନ କରିବାକୁ ଭୁଲିନାହାଁନ୍ତି ବିଜେଡିର ଦୁଇ ଗୋଷ୍ଠୀ। ପୂର୍ବତନ ସାଂସଦ ଏନ୍.ଭାସ୍କର ରାଓ ଏବଂ ବିଜେଡି ନେତା ୱାଇ.ଭେଙ୍କଟେଶ୍ୱର ରାଓଙ୍କ ଗୋଷ୍ଠୀ ପୁଷ୍ପମାଲ୍ୟ ଅର୍ପଣ ସହ ଭିନ୍ନ ଭିନ୍ନ ସଭା, ଶୋଭାଯାତ୍ରା କରିଛନ୍ତି। ରାୟଗଡ଼ା ସହରରେ ସ୍ଥିତି ଏମିତି ହୋଇଥିଲା ଯେ, କପିଳାସ ଟ୍ରାଫିକ ଛକରେ ସାମ୍ନାସାମ୍ନି ହୋଇଯାଇଥିଲେ ଉଭୟ ଗୋଷ୍ଠୀ।

ବିଜେଡି ନେତା ୱାଇ. ଭେଙ୍କଟେଶ୍ୱର ରାଓ କହିଛନ୍ତି, ଜଗନ୍ନାଥ ବାବୁଙ୍କ ସମେତ ସୁଧିର ବାବୁ, ମକରନ୍ଦ ମୁଦୁଲି ବାବୁ ଆମ ସହିତ ଅଛନ୍ତି। ତେବେ ଏନ୍ ଭାସ୍କର ରାଓ କାହିଁକି ନାହାନ୍ତି ବୋଲି ପଚାରିବାରୁ ସେ କିଏ ଜାଣିନାହାନ୍ତି ବୋଲି ଭେଙ୍କଟେଶ୍ୱର କହିଛନ୍ତି।

ପୂର୍ବତନ ବିଜେଡି ସାଂସଦ ଏନ୍. ଭାସ୍କର ରାଓ କହିଛନ୍ତି, ଏ ବାବଦରେ ଟିପଣୀ କରିବାକୁ ସେ ଚାହୁଁନାହାନ୍ତି। କାରଣ ଦଳର ନିର୍ଦ୍ଦେଶକ୍ରମେ ସେ କାର୍ଯ୍ୟ କରୁଛନ୍ତି। ତେଣିକି ଯାହା ହେବ ଦଳ ବୁଝିବ।

କେନ୍ଦୁଝର ଆନନ୍ଦପୁରରେ ତ ଛିନଛତ୍ର ଅବସ୍ଥା। ଭାଙ୍ଗିପଡ଼ିଛି ବିଜେଡି ଲଭର୍ସ ଅଫିସରେ ଥିବା ବିଜୁ, ନବୀନ ଏବଂ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ହୋର୍ଡିଂ। ଛିଣ୍ଡାଇ ଦିଆଯାଇଛି ବ୍ୟାନର। ଏପରିକି ଅଫିସ ବାରଣ୍ଡାରେ ଡିଜେଲ ଢାଳିଦିଆଯାଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ମାମଲା ଥାନାରେ ପହଞ୍ଚିଥିବା ବେଳେ ବିଜେଡି ଯୁବନେତାଙ୍କ ଅଭିଯୋଗ, ଏହାପଛରେ ରହିଛି ଦଳର କିଛି ନେତାଙ୍କ ହାତ।

ବିଜେଡ଼ି ଯୁବନେତା ଦେବରଞ୍ଜନ ସାହୁ କହିଛନ୍ତି, କିଛି ଲୋକେ ବିଜେଡି ଗୋଷ୍ଠୀ ନାଁରେ ହୀନଚକ୍ରାନ୍ତ କରୁଛନ୍ତି। ଦଳ ନାଁରେ ଡକାୟତି କରୁଛନ୍ତି। ଦଳକୁ ବଦନାମ କରୁଛନ୍ତି। ଯେଉଁମାନେ ଏଭଳି ଭଙ୍ଗାରୁଜା କରିଛନ୍ତି ସେମାନଙ୍କ ନାମରେ ଥାନାରେ ଅଭିଯୋଗ କରାଯାଇଛି।

ସେପଟେ ଅଭିଯୋଗ ପରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

କେଉଁଠି ନିଜ ନିଜ ପତିଆରା ପାଇଁ ଲଢ଼େଇ ତ କେଉଁଠି ମନାନ୍ତରର ଚିତ୍ର। ବିଜୁ ଜୟନ୍ତୀରେ ବି ବିଜେଡିର ଏଭଳି ଫାଟ ଆଗକୁ ଆହୁରି ମେଲିବନି ତ? ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ବିରୋଧୀ ଏହାର ଫାଇଦା ନେବା ନିମନ୍ତେ ଗୋଟି ଚାଳନା ମଧ୍ୟ ଆରମ୍ଭ କରି ଦେଇଛି।

BjD Bjd Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe