Advertisment

ବିଜେଡି ସଭାପତି: ୪ମାସ ପରେ ୪ ଜିଲ୍ଲା ଘୋଷଣା, ଅନୁଗତଙ୍କ ଚକ୍କରରେ ଅଟକିଲା ୫ ଜିଲ୍ଲା

ଯେଉଁ ବିଜେଡି ଗୋଟିଏ ଦଫାରେ ଓ ବିନା କୌଣସି ବାଦବିବାଦରେ ଦଳର ମୋଟ୍ ୩୩ଟି ଜିଲ୍ଲା ସଂଗଠନର ସଭାପତି ଘୋଷଣା କରୁଥିଲା ସେହି ଦଳ ଏବେ ବିଗତ ୪ମାସ ମଧ୍ୟରେ ଦୁଇ ଦଫାରେ ୨୪ଟି ଓ ଏବେ ତୃତୀୟ ଦଫାରେ ଆଉ ୪ଟି ଜିଲ୍ଲା ସଭାପତି ପଦ ଘୋଷଣା କରିବାର ସାହାସ ଜୁଟାଇ ପାରିଛି ।

BJD

BJD

Advertisment

ସାଧାରଣ ନିର୍ବାଚନ ପରଠୁ ସତେଯେମିତି ବିଜେଡିକୁ ଶନିଦଶା ଘାରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ଓ ସଂଗଠନ ପରିଚାଳନାରେ ଅନାଗ୍ରହ ଯୋଗୁ ଦଳ ଏବେ ବେମୁରବା ପାଲଟିଯାଇଛି । ୪ମାସର କସରତ ପରେ ପର୍ବତର ମୂଷିକ ପ୍ରସବ ଭଳି ମାତ୍ର ୪ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିବାରେ ବିଜେଡି ସକ୍ଷମ ହୋଇଛି । ଏବେବି ଆଉ ୫ଟି ଜିଲ୍ଲା ସଭାପତିଙ୍କ ନାଁକୁ ନେଇ ଦଳ ଭିତରେ ଅଡ଼ୁଆ ଲାଗି ରହିଛି ।

Advertisment

ଯେଉଁ ବିଜେଡି ଗୋଟିଏ ଦଫାରେ ଓ ବିନା କୌଣସି ବାଦବିବାଦରେ ଦଳର ମୋଟ୍ ୩୩ଟି ଜିଲ୍ଲା ସଂଗଠନର ସଭାପତି ଘୋଷଣା କରୁଥିଲା ସେହି ଦଳ ଏବେ ବିଗତ ୪ମାସ ମଧ୍ୟରେ ଦୁଇ ଦଫାରେ ୨୪ଟି ଓ ଏବେ ତୃତୀୟ ଦଫାରେ ଆଉ ୪ଟି ଜିଲ୍ଲା ସଭାପତି ପଦ ଘୋଷଣା କରିବାର ସାହାସ ଜୁଟାଇ ପାରିଛି । ଏପଟେ ଯେଉଁ ୪ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ହୋଇଛି ତାକୁ ନେଇ ମଧ୍ୟ ଦଳ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଥିବା ଚର୍ଚ୍ଚା ।

୪ଟି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଆଜି ଦଳର ଆଉ ୪ଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା ହୋଇଛି । ଗଞ୍ଜାମ ଜିଲ୍ଲା ସଭାପତି ଭାବେ ବିକ୍ରମ ପଣ୍ଡା, କେନ୍ଦ୍ରାପଡ଼ାର ଶିବପ୍ରସାଦ ଭୋଇ, କଳାହାଣ୍ଡିର ପ୍ରଦୀପ କୁମାର ଦିଶାରୀ ଓ କଟକ ଜିଲ୍ଲାର ଦଳୀୟ ସଭାପତି ଭାବେ ପ୍ରଫୁଲ୍ଲ ସିଂଙ୍କୁ ଦାୟିତ୍ୱ ମିଳିଛି । ଏହି ୪ଜଣଙ୍କୁ ଜିଲ୍ଲା ସଭାପତି କରାଯାଇଥିଲେ ମଧ୍ୟ ଦଳର ଜିଲ୍ଲା ସଂଗଠନରେ ଏମାନଙ୍କୁ ନେଇ ସହମତି ହୋଇପାରିନଥିବା ଓ ଏକତରଫା ଭାବେ ଭୁବନେଶ୍ୱରରୁ ସେମାନଙ୍କ ନାମ ଘୋଷଣା ହୋଇଥିବା ଜଣାପଡ଼ିଛି।

Advertisment

କଂଗ୍ରେସରୁ ଆମଦାନୀ ନେତା ବିକ୍ରମ ପଣ୍ଡାଙ୍କୁ ଗଞ୍ଜାମ ଜିଲ୍ଲା ସଂଗଠନ ଦାୟିତ୍ୱ ନ୍ୟସ୍ତ କରି ମୂଳ ବିଜେଡି ନେତାମାନଙ୍କୁ ଅଣଦେଖା କରାଯାଇଥିବା ତଥା ଦଳର ରାଜନୀତିକ ବ୍ୟାପାର କମିଟି ସଦସ୍ୟ ସଞ୍ଜୟ ଦାସବର୍ମାଙ୍କ ସୁପାରିଶରେ ବିକ୍ରମଙ୍କୁ ଏହି ଦାୟିତ୍ୱ ମିଳିଥିବା ଚର୍ଚ୍ଚା ହେଉଛି । ସେହିପରି କଟକ ଜିଲ୍ଲା ସଂଗଠନରେ  ଦେବାଶୀଷ ସାମନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପ୍ରତାପ ଜେନାଙ୍କୁ ଚେକ୍ ଦେବାକୁ ଦେବୀପ୍ରସାଦ ମିଶ୍ରଙ୍କ ଖାସ୍ ଅନୁଗତ ପ୍ରଫୁଲ୍ଲ ସିଂଙ୍କୁ ଅବସ୍ଥାପିତ କରାଯାଇଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ସଂଗଠନରେ ଅତନୁ ସବ୍ୟସାଚୀ ନାୟକ ନିଜର ପତିଆରା କାଏମ ରଖିଛନ୍ତି ।

ତାଙ୍କ ଅନୁଗତ ଶିବପ୍ରସାଦ ଭୋଇଙ୍କୁ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଛି । କଳାହାଣ୍ଡି ଜିଲ୍ଲାରେ ପୁଷ୍ପେନ୍ଦ୍ର ସିଂହଦେଓ ଓ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଣଦେଖା କରି ପ୍ରଦୀପ ଦିଶାରୀଙ୍କୁ ଜିଲ୍ଲା ସଭାପତି କରାଯାଇଛି । ଅଦୃଶ୍ୟ କାରଣରୁ ବ୍ୟବସାୟିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ଼ର ବିଧାୟକ ଶ୍ରୀ ଦିଶାରୀଙ୍କୁ ସଭାପତି ପଦରେ ଥଇଥାନ କରାଯାଇଥିବା ଚର୍ଚ୍ଚା ହେଉଛି ।

ବବି ଓ ମାନସଙ୍କ ଯୋଗୁ ଅଟକିଛି ବାକି ୫ ଜିଲ୍ଲା

ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ ଓ ମାନସ ମଙ୍ଗରାଜଙ୍କ ପାଇଁ ଦଳ ଆଉ ୫ଟି ଜିଲ୍ଲାର ସଭାପତି ଚୂଡ଼ାନ୍ତ ହୋଇପାରୁନଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ଖୋର୍ଦ୍ଧା, ବାଲେଶ୍ୱର, ଢେଙ୍କାନାଳ ସମେତ କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ସଭାପତି ଚୟନ ପ୍ରକ୍ରିୟା ୪ମାସ ପରେ ମଧ୍ୟ ସମ୍ଭବପର ହୋଇପାରିନାହିଁ ।

ଢେଙ୍କାନାଳ ଜିଲ୍ଲାରେ ଦଳର ଦୁଇ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁଙ୍କୁ କିଭଳି ସନ୍ତୁଷ୍ଟ କରାଯିବ ସେହି ଅଡ଼ୁଆ ଏପର୍ଯ୍ୟନ୍ତ ତୁଟିପାରିନଥିବାରୁ ବବି ନିଜର ଖାସ୍ ଅନୁଗତଙ୍କୁ ଜିଲ୍ଲା ସଭାପତି ପଦବୀରେ ଥଇଥାନ କରିପାରୁନାହାନ୍ତି । ଯେଉଁଥିପାଇଁ ଦଳ ଏହି ଜିଲ୍ଲାର ସଭାପତି ଘୋଷଣା ନକରି ପକାଇ ରଖିଛି । ସେହିପରି ବାଲେଶ୍ୱର ଜିଲ୍ଲାରେ ଦଳର ନେତା ରବୀନ୍ଦ୍ର ଜେନା ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଅନ୍ୟମାନଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଯୋଗୁ କାହାରିକୁ ଦଳ ଦାୟିତ୍ୱ ଦେଇପାରିନି ।

ସେହିପରି ଖୋର୍ଦ୍ଧା, କୋରାପୁଟ ଓ ରାୟଗଡ଼ାରେ ଥିବା ବ୍ୟବସାୟିକ କାରବାରକୁ ସୁରକ୍ଷା ଦେବା ନିମନ୍ତେ ନିଜର ଅନୁଗତଙ୍କୁ ଥଇଥାନ ନିମନ୍ତେ ପାଣ୍ଡିଆନଙ୍କ ଅନୁଗତ ଗ୍ରୁପ୍ ଉଦ୍ୟମ କରୁଥିବାରୁ ଏହି ଜିଲ୍ଲାଗୁଡ଼ିକର ସଭାପତି ନାଁ ମଧ୍ୟ ବିଜେଡି ଘୋଷଣା କରିପାରିନଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକଙ୍କ ନବମଥର ସଭାପତି ଚୟନ କରିବା ନିମନ୍ତେ ବିଜେଡି ଗତ ଏପ୍ରିଲ ମାସରେ ଦଳର ୧୮ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିବାକୁ ବାଧ୍ୟ ହୋଇଥିଲା । ମେ’ ମାସରେ ଆଉ ୬ଟି ଜିଲ୍ଲାର ଓ ଆଜି ଆଉ ୪ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି ।

Odisha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe