Advertisment

ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ, କଟାକ୍ଷ କଲା ବିଜେପି

ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ଏହା ପ୍ରଥମ ସମାବେଶ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ଯୋଗଦେଲେ ସମସ୍ତ ବିଧାୟକ, ସାଂସଦ ଓ ବରିଷ୍ଠ ନେତା। ନାଟକ କରୁଛନ୍ତି କହିଲା ବିଜେପି।

author-image
Debadatta Aryashrestha
ଅଦ୍ୟତନ ହୋଇଛି
BJD Protest

BJD Protest

ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ କରିଛି ବିଜେଡି। ଦରଦାମ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ଦଳ। ବିଜେଡି କହିଛି ଅର୍ଥନୀତି ପରିଚାଳନାରେ ସରକାର ଫେଲ୍। ମୁଦ୍ରାସ୍ଫିତି ରେକର୍ଡ ସ୍ତରରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଡିଜେଲ ଦର କମିଥିଲେ ବି ଏଠି ସରକାର କମାଉ ନଥିବା କହିଛି ବିଜେଡି। ସେପଟେ ବିଜେଡିର ଏ ପ୍ରତିବାଦକୁ କାଉଣ୍ଟର କରିଛି ବିଜେପି।

Advertisment

ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ଏହା ପ୍ରଥମ ସମାବେଶ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଏ ଛ' ମାସରେ ଓଡିଶା ଲକ୍ଷ୍ମୀଛଡା ହୋଇଗଲାଣି। କେନ୍ଦ୍ର ସହଯୋଗରେ ଓଡିଶା ଲକ୍ଷ୍ମୀଛଡା। ଦରଦାମ୍ ବୃଦ୍ଧି ଘଟିଛି। ସେପଟେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ସରକାରୀ ଦଳର ବିଧାୟକ ଓ ସାସଂଦଙ୍କ ପିସି ଆଦାୟକୁ ଦରଦାମ୍ ବୃଦ୍ଧିର ମୁଖ୍ୟ କାରଣ ବୋଲି କହିଛନ୍ତି। ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ଆଜି ବିଜୁ ଜନତା ଦଳର ଏହି ବିକ୍ଷୋଭ ଦେଖି ବିଜେପି ନେତାମାନେ ଘର କୋଣରେ ବସିଥିବେ। ଏହି ବିଶାଳ ଶୋଭାଯାତ୍ରା ଦେଖି ସେମାନଙ୍କ ଛାତିରେ ଛନକା ପଶିଛି। ଡବଲ ଇଞ୍ଜିନ ଅର୍ଥ ସବୁଥିରେ ଡବଲ। ଆଳୁ ପିଆଜ ରେଟଠୁ ନେଇ ସବୁ ଡବଲ।

ସେହିଭଳି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ କହିଛନ୍ତି ଯେ ଦୁର୍ଭାଗ୍ୟଜନକ ଭାବେ ଆମେ ବିରୋଧୀ ଦଳରେ ଅଛୁ। କିନ୍ତୁ ଗାଁ ଗହଳିରେ ଲୋକେ କହୁଛନ୍ତି ଆମେ ତ ବିଜେଡିକୁ ଭୋଟ ଦେଇଥିଲୁ, କିନ୍ତୁ ବିଜେପି ସରକାର କଲା କେମିତି? ଲୋକେ ଆଗକୁ ଏହାର ଜବାବ ଦେବେ। ଛଅ ମାସ ଭିତରେ କେବଳ ରଙ୍ଗ ବଦଳାଇଛନ୍ତି। ବିଜୁ ବାବୁଙ୍କ ନାଁରେ ଥିବା ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ଡବଲ ଇଞ୍ଜିନ୍ ସରକାର ଦରଦାମ୍ ନିୟନ୍ତ୍ରଣ କରିବାରେ ବିଫଳ ବୋଲି ସେ ଅଭିଯୋଗ କରିଛନ୍ତି।

Advertisment

ଅନ୍ୟପଟେ ବିଜେଡିକୁ କଡା କାଉଣ୍ଟର କରିଛନ୍ତି ରାଜ୍ୟ ବିଜପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ। ସେ କହିଛନ୍ତି ଯେ ବିଜେଡି ସରକାର ସମୟରେ ଦରଦାମ ବୃଦ୍ଧିରେ ଓଡ଼ିଶା ଏକ ନମ୍ବର ଥିଲା। ସ୍ଥିତି ଏବେ ଧିରେ ଧିରେ ସୁଧୁରୁଛି। ନିଜର ଅସ୍ଥିତ୍ୱ ବଜାୟ ରଖିବା ପାଇଁ ବିଜେଡି ଆନ୍ଦୋଳନ କରୁଛି ବୋଲି ସେ କହିଛନ୍ତି। ସେପଟେ ବିଜେଡିର ଦରଦାମ ବୃଦ୍ଧି ପ୍ରତିବାଦ ଗୋଟେ ନାଟକ ବୋଲି କହି ସମାଲୋଚନା କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ ରାଜ୍ୟରେ ପନିପରିବା ଦର ବହୁତ କମ ଅଛି। ଡାଲି, ତେଲ ଆଦିର ଦର ଦେଶ ତୁଳନାରେ ଓଡିଶାରେ କମ ରହିଛି। ବିଜେଡିର ଦରଦାମ ବୃଦ୍ଧି ପ୍ରତିବାଦ ନାଟକ ଛଡା ଆଉ କିଛି ନୁହେଁ ବୋଲି ସେ କହିଛନ୍ତି।

BjD Bjp Naveen Patnaik BJD Protest