ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟର ପ୍ରାୟ ୧୦ମାସ ପରେ ବିଜେଡି ନିଜର ପୁରୁଣା ଫର୍ମାଟକୁ ଫେରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମୋହରା କରି ଦଳର ସାଂଗଠନିକ ପରିଚାଳନାକୁ ପୁଣିଥରେ ସେହି ପୁରୁଣା ଗୋଷ୍ଠୀ ନିଜ ନିୟନ୍ତ୍ରଣକୁ ନେବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି । ଦଳର ବିପର୍ଯ୍ୟୟର କାରକ ସାଜିଥିବା ଏହି ଗୋଷ୍ଠୀ ପୁଣିଥରେ ସଂଗଠନକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଉଥିବାରୁ ବିଜେଡିର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେଉଁଥିପାଇଁ ସାଂଗଠନିକ ପରିଚାଳନାକୁ ନେଇ ପୂର୍ବରୁ କ୍ଷୁବ୍ଧ ଥିବା ଦଳର ପୁରୁଖା ନେତାମାନଙ୍କ ପରେ ଏବେ ଦଳର ଆଗଧାଡ଼ିର ନେତାମାନେ ବି ନିଜର ଅସନ୍ତୋଷ ଜାହିର କରିବାରେ ଲାଗିଥିବା ଚର୍ଚ୍ଚା ହେଉଛି । ଦଳର ଏଭଳି ଆଭିମୁଖ୍ୟକୁ ନେଇ ଏବେ ଦଳୀୟ ମହଲରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଥିବାବେଳେ ବିଜେଡିର ଅଘୋଷିତ ସର୍ବେସର୍ବା ପରଦା ପଛରେ ରହି ନିଜର ଖାସ୍ ଅନୁଗତ ଗୋଷ୍ଠୀ ମାଧ୍ୟମରେ ସଂଗଠନକୁ ନିୟନ୍ତ୍ରଣରେ ରଖିବାକୁ ଗୋଟିଚାଳନା କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ନବୀନ କ୍ରମାଗତ ନବମଥର ସଭାପତି ନିର୍ବାଚିତ ହେବାର ୧୦ଦିନ ବିତିଯାଇଥିଲେ ମଧ୍ୟ ବିଜେଡିର ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ଏପର୍ଯ୍ୟନ୍ତ ଦଳର ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରିଣୀ ତାଲିକାକୁ ସାର୍ବଜନୀନ ଓ ଚୂଡ଼ାନ୍ତ କରିବାରେ ସକ୍ଷମ ହୋଇପାରିନଥିବାବେଳେ ଏହି ଗୋଷ୍ଠୀ ନିଜର ହାକିମାତି ଦେଖାଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚୟନ ଓ ସାଂଗଠନିକ ପଦାଧିକାରୀ କମିଟି ଚୂଡ଼ାନ୍ତ କରୁଥିବା ଜଣାପଡ଼ିଛି ।
ବିପର୍ଯ୍ୟୟକାରୀଙ୍କ ହାତରେ ସଂଗଠନ
ରାଜ୍ୟର ସର୍ବାଧିକ ସଫଳ ଆଂଚଳିକ ଦଳ ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ଯେଉଁମାନଙ୍କ ତ୍ରୁଟିପୂର୍ଣ୍ଣ ରଣନୀତି ଓ ଔଦ୍ଧତ୍ୟ ପାଇଁ ଘଟିଲା, ଏବେ ସେହିମାନେ ସୁଚିନ୍ତିତ ଢଙ୍ଗରେ ଦଳୀୟ ସଂଗଠନକୁ ନିଜ ଦଖଲକୁ ନେଇଛନ୍ତି । ଦଳ ଅପ୍ରତ୍ୟାଶିତ ଢଙ୍ଗରେ ସାଧାରଣ ନିର୍ବାଚନରେ ଚିତପଟାଙ୍ଗ ମାରିବା ପରେ ଏହି ବିପର୍ଯ୍ୟୟକାରୀ ଗୋଷ୍ଠୀଙ୍କ ଉପରେ ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ରହିଥିବା ଆକ୍ରୋଶକୁ ପ୍ରଶମିତ କରିବା ନିମନ୍ତେ ସାମୟିକ ଭାବେ ଯେଉଁ ସବୁ କମିଟି ଗଠନ ହୋଇଥିଲା ତାହା ପଙ୍ଗୁ ପାଲଟି ଯାଇଛି । ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାବିଶିଷ୍ଟ ‘ଦଳର ସମନ୍ୱୟ କମିଟି’, ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱାଧୀନ ଉପଦେଷ୍ଟା କମିଟି ଓ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱାଧୀନ ‘କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ କମିଟି’ ଗତ ପ୍ରାୟ ଦେଢ଼ମାସରୁ ଅଧିକ ଧରି ବୈଠକ ଡାକିବା ମଧ୍ୟ ସମ୍ଭବପର ହୋଇପାରିନି । ଏହି କମିଟିର କୌଣସି ଗୋଟିଏ ବି ପ୍ରସ୍ତାବକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାର୍ଯ୍ୟକାରୀ ପାଇଁ ଅନୁମତି ଦେଉନଥିବାରୁ ସଂଗଠନରେ ଏସବୁ କମିଟି କ୍ରମଶଃ ‘ଅଲୋଡ଼ା’ ହୋଇପଡ଼ିଥିବା ସୂଚନା ମିଳିଛି । ଏହି ନେତାମାନେ ମଧ୍ୟ ଦଳରେ ସେମାନଙ୍କର ଅସ୍ତିତ୍ୱ ଓ ଗୁରୁତ୍ୱକୁ ବୁଝି ‘ଲୋକଲଜ୍ଜା’ ଭୟରେ ନିରବ ରହିଥିବା ଚର୍ଚ୍ଚା ।
ଏପଟେ ବିପର୍ଯ୍ୟୟକାରୀ ବା ଦଳର ପୁରୁଣା ଟିମ୍ ପୁଣିଥରେ ସକ୍ରିୟ ହୋଇ ସଂଗଠନକୁ ନିଜ ଦଖଲକୁ ନେଇଛି । ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ତାଙ୍କ ଟିମ୍ ଏବେ ଦଳରେ ସକ୍ରିୟ ଭୂମିକା ନେବା ଆରମ୍ଭ କରିଛି । ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁ ୫-୬ଜଣଙ୍କ ମାଧ୍ୟମରେ ସଂଗଠନ ଯେଭଳି ପରିଚାଳିତ ହେଉଥିଲା,ଏବେ ସେହି ସମାନ ଫର୍ମାଟରେ କାମ କରିବ ବୋଲି ସୂଚନା ମିଳିଛି । ପାଣ୍ଡିଆନ ନିଜର ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କୁ ପୁଣିଥରେ ପ୍ରଭାବଶାଳୀ କରାଇ ଖୋଲାଖୋଲି ଆଗକୁ ଆଣି ମାଧ୍ୟମରେ ସଂଗଠନକୁ ନିଜ ଦଖଲରେ ରଖିବାକୁ ଗୋଟିଚାଳନା କରୁଛନ୍ତି । ପାଣ୍ଡିଆନଙ୍କ ଖାସ୍ ଥିବା ତଥା ବିଜେଡିର ସିଂହଭାଗ ପାଣ୍ଠିକୁ ବିଭିନ୍ନ ଆଡ଼େ ନିବେଶ କରାଇଥିବା ଏଡିଜି ପାହ୍ୟାର ଆଇପିଏସ୍ ଅଫିସର(ପୂର୍ବରୁ ତୃତୀୟ ମହଲରେ ଥିଲେ) ମଧ୍ୟ ନିଜର ଖାସ୍ ଅନୁଗତ ମାନସ ମଙ୍ଗରାଜଙ୍କୁ ପୁଣିଥରେ ଆଗକୁ ଆଣିଛନ୍ତି । ଏହି ବବି ଓ ମାନସଙ୍କ ଭଳି ଦୁଇଟି ରାଜନୀତିକ ଚେହେରାକୁ ଆଗରେ ରଖି ସଂଗଠନକୁ ନିୟନ୍ତ୍ରଣ କରିବାକୁ ପାଣ୍ଡିଆନ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି । ଏପରିକି ଦଳର ‘ଉତ୍ତରଦାୟିତ୍ୱ’ ନିଜ ଉପରୁ ଖସାଇବା ନିମନ୍ତେ ପାଣ୍ଡିଆନ ଜାଣିଶୁଣି ଦଳର କିଛି ଆଗଧାଡ଼ିର ନେତାମାନଙ୍କୁ ଡାକି ସେ ବିଜେଡିଠୁ ସବୁପ୍ରକାରର ଭାବନାତ୍ମକ ସମ୍ପର୍କ ଛିନ୍ନ କରିଥିବା କହିସାରିଛନ୍ତି । ଏପରିକି ନବୀନଙ୍କ ମୁହଁରେ ମଧ୍ୟ ସେ ବିଜେଡି ବ୍ୟାପାରରେ ନାହାନ୍ତି ବୋଲି କୁହାଇବାରେ ପାଣ୍ଡିଆନ ସଫଳ ହୋଇଛନ୍ତି ।
ନବୀନଙ୍କୁ କରାୟତ କରି ପରଦା ପଛରେ ରହି ପାଣ୍ଡିଆନ ନିଜର ପୁରୁଣା ଟିମ୍ ମାଧ୍ୟମରେ ସଂଗଠନକୁ ପରିଚାଳନା କରିବେ ବୋଲି ଜଣାପଡ଼ିଛି ।
ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ-ଧର୍ମକୁ ଆଖିଠାର
୭୯ବର୍ଷୀୟ ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ୯ମଥର ବିଜେଡି ସଭାପତି ଭାବେ ଗତ ଏପ୍ରିଲ ୧୯ତାରିଖରେ ଆନୁଷ୍ଠାନିକ ଭାବେ ଦଳ ନିର୍ବାଚିତ କରିସାରିଛି । କିନ୍ତୁ ସଭାପତି ନିର୍ବାଚନ ପୂର୍ବରୁ ଦଳର ୮୧ଜଣିଆ ‘ରାଜ୍ୟ କାର୍ଯ୍ୟକାରିଣୀ’ ଚୂଡ଼ାନ୍ତ ଓ ଗଠନ ହୋଇପାରିନଥିବା, ଏପରିକି ବିଜେଡି ସମ୍ବିଧାନର ‘ରୁଲ୍-୧୨’ରେ ଥିବା ପ୍ରାବଧାନ ଆଧାରରେ ‘କାର୍ଯ୍ୟକାରିଣୀ ସଦସ୍ୟ ନିର୍ବାଚନ’ ପ୍ରକ୍ରିୟାକୁ ମଧ୍ୟ ଅନୁପାଳନ କରାଯାଇନଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ଦଳର କାର୍ଯ୍ୟକାରିଣୀରେ କେଉଁ ନେତାଙ୍କୁ ସାମିଲ କରାଯାଇଛି ଅବା ଯାଉଛି ତା’ର କେହି ଟେର ମଧ୍ୟ ପାଇନାହାନ୍ତି । ତେଣୁ ଦଳର ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ ଚୟନ ଗଣତାନ୍ତ୍ରିକ ଅବା ଦଳୀୟ ସମ୍ବିଧାନ ଆଧାରରେ ହୋଇଛି ବୋଲି କହିବା କେବଳ ଧର୍ମକୁ ଆଖିଠାର ମାରିବା ସଦୃଶ ବୋଲି ଚର୍ଚ୍ଚା ହେଉଛି । ଯଦିଓ ବିଜେଡି ସମ୍ବିଧାନର ରୁଲସ-୧୪(୧)ର ପ୍ରାବଧାନ ଅନୁସାରେ ଦଳର ନିର୍ବାଚନକୁ ନେଇ ଯଦି ଅସଙ୍ଗତି ଥିବ, ସଭାପତି ନିର୍ବାଚନର ୧୫ଦିନ ମଧ୍ୟରେ ଆପତ୍ତି କରାଯାଇପାରିବ । ମାତ୍ର ଦଳର ପରିଷଦ ଓ କାର୍ଯ୍ୟକାରିଣୀରେ କିଏ ସ୍ଥାନ ପାଇଛନ୍ତି ତାହା କେହି ଜାଣିନଥିବାରୁ ଜାଣିଶୁଣି ଏହି ଅବଧିକୁ ଗଡ଼ାଇବାର ପ୍ରୟାସ ହୋଇଥିବା ଜଣାପଡ଼ିଛି ।
ବବିଙ୍କ ମାମଲାତି, ପ୍ରତାପଙ୍କ ଆନୁଗତ୍ୟ
ଦଳର ସମ୍ବିଧାନର ଅନୁଚ୍ଛେଦ-୨୩(୪)ର ପ୍ରାବଧାନ ଅନୁସାରେ ରାଜ୍ୟ ରିଟର୍ଣ୍ଣିଂ ଅଫିସର ଭାବେ ଜଣେ ସାଧାରଣତଃ ଗୋଟିଏ ଥର ଦାୟିତ୍ୱ ତୁଲାଇ ପାରିବେ । ଅବା ଅନ୍ୟକେହି ନିଯୁକ୍ତି ନହେବା ପର୍ଯ୍ୟନ୍ତ ସେ ଏହି ପଦରେ ରହିପାରିବେ । ମାତ୍ର ବବିଙ୍କ ପ୍ରତି ଆନୁଗତ୍ୟ ଯୋଗୁ ପ୍ରତାପ ଦେବଙ୍କୁ କ୍ରମାଗତ ତୃତୀୟଥର ଦଳର ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ମିଳିଥିଲା । ୨୦୧୬ ଓ ୨୦୨୦ ଓ ଏବେ ତୃତୀୟ ଥର ତାଙ୍କୁ ରିଟର୍ଣ୍ଣିଂ ଅଫିସର ଦାୟିତ୍ୱ ଦେଇ ସାଂଗଠନିକ ନିର୍ବାଚନରେ ବବି ନିଜର ହାକିମାତିକୁ ସୁନିଶ୍ଚିତ କରାଇ ପାରିଛନ୍ତି । ଏବେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତାଲିକା ଚୂଡ଼ାନ୍ତ ହୋଇନପାରିବା ପଛରେ ବବିଙ୍କ ମାମଲାତି ଓ ପ୍ରତାପଙ୍କ ଆନୁଗତ୍ୟ ମୂଳବାଧକ ସାଜିଛି । ବିଜେଡିର ବିପର୍ଯ୍ୟୟକାରୀ ଗୋଷ୍ଠୀ(ପାଣ୍ଡିଆନ-ବବି ଟିମ) ଏବେ ପୁଣିଥରେ ସକ୍ରିୟ ହୋଇ ନିଜ ମର୍ଜିରେ ଏହି (କାର୍ଯ୍ୟକାରିଣୀ ସଦସ୍ୟ) ତାଲିକା ପ୍ରସ୍ତୁତ କରୁଥିବାବେଳେ ଦଳର ସୁରକ୍ଷାକବଚ ସାଜି ନିୟମିତ ଭାବେ ଗଣମାଧ୍ୟମରେ ଦଳ ସପକ୍ଷରେ ଯୁକ୍ତି ବାଢ଼ୁଥିବା ଆଗଧାଡ଼ିର ନେତାମାନଙ୍କ ମୁଣ୍ଡରେ ଅଠା ବୋଳିବାକୁ ମସୁଧା ଚାଲିଥିବା ଜଣାପଡ଼ିଛି । ଯେଉଁଥିପାଇଁ ଶଙ୍ଖଭବନରେ ୨୮ତାରିଖରେ ନିର୍ଦ୍ଧାରିତ ବୈଠକ ସମ୍ଭବପର ହୋଇପାରିନଥିଲା ।
ଏପଟେ ମଙ୍ଗଳବାର ଦଳ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ନବୀନ ନିବାସରୁ ଫେରି ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଯେ “ ଦଳର ସଭାପତି ନବୀନ ପଟ୍ଟନାୟକ ସାଂଗଠନିକ ପ୍ରସଙ୍ଗରେ ଦଳର ନେତାମାନଙ୍କ ସହ ଆଲୋଚନା କରିଛନ୍ତି । ସାଂଗଠନିକ କମିଟି ଗଠନ ଓ ବାକି ଥିବା ଜିଲ୍ଲା ସଭାପତି ସହ ମହିଳା ୟୁନିଟକୁ ସଶକ୍ତ କରିବା ପାଇଁ ଆଲୋଚନା ହୋଇଛି । ଆଲୋଚନାବେଳେ ତାଙ୍କ ସହ ସାଂସଦ ମାନସ ମଙ୍ଗରାଜ ଓ ରୋହିତ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ ।”
ଅର୍ଥାତ୍ ଗୋଟିଏପଟେ ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଚୂଡ଼ାନ୍ତରେ ବବି ନିଜର ହାକିମାତି ଜାହିର କରୁଥିବାବେଳେ ଅନ୍ୟପଟେ କମିଟି ଗଠନ ଓ ଜିଲ୍ଲା ସଭାପତି ଚୟନ କାର୍ଯ୍ୟରେ ମାନସ ମଙ୍ଗରାଜଙ୍କୁ ସମ୍ପୃକ୍ତି କରାଯାଇଥିବା ପ୍ରମିଳା ସନ୍ଦେଶ ଦେଇଛନ୍ତି । ଯଦିଓ କର୍ମୀମାନଙ୍କ ଆକ୍ରୋଶକୁ ଦେଖି ସାଧାରଣ ନିର୍ବାଚନ ପରଠୁ ମାନସ ସର୍ବସାଧାରଣରେ ଦୃଶ୍ୟମାନ ହେଉନଥିଲେ । ଏବେ ପୁଣିଥରେ ପୁରୁଣା ଫର୍ମାଟରେ ବିପର୍ଯ୍ୟୟକାରୀଙ୍କ ହାତରେ ସଂଗଠନର ନିୟନ୍ତ୍ରଣ ରହିଥିବାରୁ ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଥିବା ଚର୍ଚ୍ଚା ।
ସୂଚନାଯୋଗ୍ୟ, ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଚଳିତମାସ ଶେଷସୁଦ୍ଧା ସମ୍ପୂର୍ଣ୍ଣ କରି ନିର୍ବାଚନ କମିଶନଙ୍କୁ ଅବଗତ କରାଇବାକୁ ଦଳ ସମୟ ନେଇଥିଲା । ସାଧାରଣ ନିର୍ବାଚନ ଯୋଗୁଁ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ବିଳମ୍ବ ହୋଇଥିଲା ଓ ଦଳ ୨୦୨୪ ଡିସେମ୍ବର ୧୫ସୁଦ୍ଧା ଏହା ସାରିବାକୁ ଲକ୍ଷ୍ୟ ରଖିଥିଲା । ପରେ ୨୦୨୫ ଜାନୁୟାରୀ ୫ରେ ଦଳ ଆଉ ୪ମାସ ସମୟ ନେଇଥିଲା । ୨୦୨୦ରେ ଶେଷଥର ପାଇଁ ଦଳର ସାଂଗଠନିକ ନିର୍ବାଚନ ହୋଇଥିଲା । ଦଳ ମୋଟ ୩୦୪ଜଣଙ୍କୁ ରାଜ୍ୟ ପରିଷଦ ଓ ୮୧ଜଣଙ୍କୁ ରାଜ୍ୟ କାର୍ଯ୍ୟକାରିଣୀରେ ସାମିଲ କରିଥିଲା ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।