Advertisment

BJD Rift ଜଳଜଳ: ବବି-ସନ୍ତୃପ୍ତଙ୍କୁ ମିଳିଲାନି ଗୁରୁତ୍ୱ, ସମାବେଶ ଭଣ୍ଡୁର ପାଇଁ ହୋଇଥିଲା କି ଅନ୍ତର୍ଘାତୀ କାର୍ଯ୍ୟ?

ଦଳର ରାଜ୍ୟସଭା ପ୍ରାର୍ଥୀ ଦୌଡ଼ରେ ସନ୍ତୃପ୍ତ ସବୁଠୁ ଆଗରେ ଥିବା ନେଇ ହେଉଥିବା ଚର୍ଚ୍ଚା ମଧ୍ୟରେ ଚାଷୀ ସମାବେଶରେ ତାଙ୍କୁ ମଂଚରେ ଭାଷଣ ଦେବାର ସୁଯୋଗ ଦିଆନଯିବା ଏବେ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

author-image
Prakaash Sethi
bjD-SAMA

ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ଅନୁଷ୍ଠିତ ବିଜେଡିର ‘ଚାଷୀ ସୁରକ୍ଷା ସମାବେଶ’କୁ ନେଇ ଏବେ ଦଳରେ ଘମାସାନ ଆରମ୍ଭ ହୋଇଛି । ଚାଷୀ ସମାବେଶକୁ ଭଣ୍ଡୁର ପାଇଁ ଦଳ ଭିତରେ ଅନ୍ତର୍ଘାତୀ କାର୍ଯ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଦଳର ତଥାକଥିତ ପ୍ରଭାବଶାଳୀ ନେତା ପ୍ରଣବପ୍ରକାଶ ଦାସ ଓ ସନ୍ତୃପ୍ତ ମିଶ୍ରଙ୍କୁ ମଧ୍ୟ ସମାବେଶରେ ଗୁରୁତ୍ୱ ମିଳିନଥିବା ଜଣାପଡ଼ିଛି । ଚାଷୀ ସମସ୍ୟା ପ୍ରସଙ୍ଗରେ ବିଧାନସଭା ସମ୍ମୁକରେ ଶକ୍ତି ପ୍ରଦର୍ଶନ କରିଥିବା ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ ପଦାରେ ପଡ଼ିଛି ।

Advertisment


ସନ୍ତୃପ୍ତଙ୍କୁ ଚେକ୍ ଦେଲେ ବରିଷ୍ଠ ନେତା: ଭାଷଣ ଦେବାକୁ ମିଳିଲାନି ସୁଯୋଗ

୨୦୨୪ ସାଧାରଣ ନିର୍ବାଚନବେଳେ ଦଳରେ ସାମିଲ ହୋଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ସନ୍ତୃପ୍ତ ମିଶ୍ରଙ୍କୁ ଗତକାଲି ସମାବେଶରେ ଅଣଦେଖା କରାଯାଇଥିବା ଜଣାପଡ଼ିଛି। ଦଳର ରାଜ୍ୟସଭା ପ୍ରାର୍ଥୀ ଦୌଡ଼ରେ ସନ୍ତୃପ୍ତ ସବୁଠୁ ଆଗରେ ଥିବା ନେଇ ହେଉଥିବା ଚର୍ଚ୍ଚା ମଧ୍ୟରେ ଚାଷୀ ସମାବେଶରେ ତାଙ୍କୁ ମଂଚରେ ଭାଷଣ ଦେବାର ସୁଯୋଗ ଦିଆନଯିବା ଏବେ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଯଦିଓ ସନ୍ତୃପ୍ତଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱକୁ ଏବେ ଦଳରେ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି ।

ଏପରିକି ମଂଚରେ ଥିବା ଏକାଧିକ ବରିଷ୍ଠ ନେତା ଜାଣିଶୁଣି ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦେଇନଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି।  ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଖାସ୍ ଭାବେ ଜଣାଶୁଣା ସନ୍ତୃପ୍ତ ଦଳରେ ନିଜର ପତିଆରା ପ୍ରଦର୍ଶନ ପାଇଁ ଉଦ୍ୟମ କରୁଥିବାବେଳେ ଚାଷୀ ସମାବେଶରେ ତାଙ୍କୁ ଭାଷଣ ଦେବାର ସୁଯୋଗ ନଦେଇ ପରୋକ୍ଷରେ ଚେକ୍ ଦେବାକୁ ପ୍ରୟାସ ହୋଇଥିବା ଜଣାପଡ଼ିଛି।

Advertisment

ଯଦିଓ ୨୦୨୪ ସାଧାରଣ ନିର୍ବାଚନବେଳେ ସେ ବିଜେଡିରେ ସାମିଲ ହେବାର ମାସକ ମଧ୍ୟରେ କଟକ ଭଳି ପ୍ରତିଷ୍ଠିତ ଲୋକସଭା ଆସନରୁ ଦଳୀୟ ଟିକେଟ୍ ହାତେଇବାରେ ସକ୍ଷମ ହୋଇଥିଲେ। ଦଳ ତାଙ୍କୁ ଜାତୀୟ ମୁଖପାତ୍ର ବି କରିଥିଲା । ନିର୍ବାଚନରେ ହାରିବା ପରେ ମଧ୍ୟ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୀତିକ ସଚିବ ଓ ରାଜନୀତିକ ବ୍ୟାପାର କମିଟିର ସଦସ୍ୟ ଅଛନ୍ତି। ତଥାପି ତାଙ୍କୁ ଦଳର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବବି ଦାସଙ୍କୁ କୋଣଠେସା: ଆସିଲେନି ବବିଙ୍କ ସମର୍ଥକ

ଦଳର ଅନ୍ୟତମ ପ୍ରଭାବଶାଳୀ ନେତା ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କୁ ମଧ୍ୟ ଚାଷୀ ସମାବେଶରେ ବିଶେଷ ଗୁରୁତ୍ୱ ମିଳିନଥିଲା। ସେ ମଂଚରେ ବସିଥିଲେ ମଧ୍ୟ ତାଙ୍କୁ ଭାଷଣ ଦେବା ପାଇଁ ସୁଯୋଗ ଦିଆଯାଇନଥିଲା। ଏପରିକି ବବିଙ୍କ ନିଜ ନିର୍ବାଚନମଣ୍ଡଳୀ ଯାଜପୁର ଓ ସେ ବୁଝୁଥିବା କୋରେଇରୁ ମଧ୍ୟ ହାତଗଣତି କର୍ମୀ ଏହି ସମାବେଶକୁ ଆସିଥିବାବେଳେ ତାଙ୍କ ଖାସ୍ ଅନୁଗତଙ୍କ ନିୟନ୍ତ୍ରଣରେ ଥିବା ନିର୍ବାଚନମଣ୍ଡଳୀଗୁଡ଼ିକରୁ ମଧ୍ୟ କର୍ମୀଙ୍କ ଉପସ୍ଥିତି ବେଶ୍ ନଗଣ୍ୟ ଥିଲା ବୋଲି ଚର୍ଚ୍ଚା ହେଉଛି।

ଦଳ ଭିତରେ ବବିଙ୍କ ପତିଆରା ଆଉ ପୂର୍ବଭଳି ନାହିଁ ବୋଲି ଗତକାଲିର ଚାଷୀ ସମାବେଶରେ ସ୍ପଷ୍ଟ ହୋଇଯାଇଛି। ଦଳର ଅଧିକାଂଶ ନେତା ମଧ୍ୟ ତାଙ୍କୁ ସେଭଳି ଗୁରୁତ୍ୱ ଦେଇନଥିଲେ ବୋଲି ସୂଚନା ମିଳିଛି। ସେ ନିଜର ଉପସ୍ଥିତି ଜାହିର କରିବା ପାଇଁ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁଙ୍କ ସହ ଶେଷପର୍ଯ୍ୟନ୍ତ ରହିଥିଲେ ବୋଲି ଜଣାପଡ଼ିଛି।

ଏହି ସମାବେଶକୁ ଭଣ୍ଡୁର କରିବା ପାଇଁ ଦଳର କିଛି ନେତା ଅନ୍ତର୍ଘାତୀ କାର୍ଯ୍ୟ କରିଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି।

ଦେବୀ ମିଶ୍ରଙ୍କ ମଂଚ ପରିଚାଳନାକୁ ନେଇ କ୍ଷୋଭ

ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଚାଷୀ ସୁରକ୍ଷା ସମାବେଶ ହୋଇଥିଲା। ଦେବୀ ନିଜେ ମଂଚ ପରିଚାଳନା କରୁଥିଲେ। କିନ୍ତୁ ସେ ନିଜ ଢ଼ଙ୍ଗରେ ମଂଚ ପରିଚାଳନା କରୁଥିବାରୁ ଦଳର କିଛି ଆଗଧାଡ଼ିର ନେତା ତାଙ୍କ ଉପରେ ଖପ୍ପା ହୋଇଥିବା ଜଣାପଡ଼ିଛି। ବିଶେଷକରି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭାଷଣ ଦେବାକୁ ଏକାଧିକ ନେତା ଆଶା ବାନ୍ଧି ଥିବାବେଳେ ଦେବୀ କାହାରି କଥା ନଶୁଣି ପଶ୍ଚିମରୁ ପ୍ରସନ୍ନ ଆଚାର୍ଯ୍ୟ ଓ ଦକ୍ଷିଣରୁ ଚନ୍ଦ୍ରଶେଖର ସାହୁଙ୍କ ଭଳି ବରିଷ୍ଠ ନେତାଙ୍କୁ ଡାକିଥିଲେ। କେବଳ ସେତିକି ନୁହେଁ ରାଜ୍ୟସଭା ସାଂସଦ ଶୁଭାଶୀଷ ଖୁଣ୍ଟିଆ(ଲକି), ରାଜନୀତିକ ବ୍ୟାପାର କମିଟି ସଦସ୍ୟ ଟୁକୁନି ସାହୁଙ୍କ ସମେତ ବହୁ ଆଗଧାଡ଼ିର ନେତା-ନେତ୍ରୀଙ୍କୁ ମଂଚରେ ଦୁଇପଦ କହିବାର ସୁଯୋଗ ନମିଳିବା ଦଳ ଭିତରେ ଚର୍ଚ୍ଚାର ବିଷୟ ପାଲଟିଛି।