Advertisment

ଓଡ଼ିଶାରେ ବିଜେଡି ଶାସନର ଅନ୍ତକୁ ବର୍ଷେ ପୂରିଲା: କେତେ ସୁଧୁରିଛି ଦଳ ଓ ସଂଗଠନ

୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ଆଜିର ଦିନରେ ଠିକ୍ ବର୍ଷକ ତଳେ(ଜୁନ ୪ତାରିଖରେ) ପ୍ରକାଶ ପାଇଥିଲା । ଏହି ନିର୍ବାଚନୀ ଫଳାଫଳ ବିଜେଡି ପାଇଁ ଶୋଚନୀୟ ପରାସ୍ତ ଓ ଅପ୍ରତ୍ୟାଶିତ ରହିଥିଲା ।

author-image
Ordigital Desk
Naveen Patnaik

Naveen Patnaik

ଆଜକୁ ଠିକ୍ ବର୍ଷକ ତଳେ, ଓଡ଼ିଶାରେ ୨୪ବର୍ଷର ବିଜେଡି ଶାସନର ଅନ୍ତ ଘଟିଥିଲା । ଓଡ଼ିଶାବାସୀଙ୍କ ଜନାଦେଶ ବିଜେଡିକୁ ଅପ୍ରତ୍ୟାଶିତ ଝଟକା ଦେଇଥିଲା ଓ ବିଜେପି ନିଜସ୍ୱ ଦମରେ ରାଜ୍ୟରେ ପ୍ରଥମଥର ପାଇଁ ସରକାର ଗଢ଼ିବା ମଧ୍ୟ ସ୍ପଷ୍ଟ ହୋଇଯାଇଥିଲା । ସେବେଠୁ ଆଜି ମଧ୍ୟରେ ବର୍ଷେ ବିତିଛି ସତ କିନ୍ତୁ ଏକଦା ଦେଶର ସର୍ବାଧିକ ସଫଳ ଆଂଚଳିକ ଦଳ ଭାବେ ପରିଗଣିତ ହେଉଥିବା ବିଜେଡି ଏବେ ବିଭିନ୍ନ କାରଣରୁ ନିଜକୁ ସାଂଗଠନିକସ୍ତରରେ ସକ୍ରିୟ କରାଉନଥିବାରୁ ଦଳୀୟ ସାଧାରଣ କର୍ମୀ ଓ ରାଜ୍ୟବାସୀଙ୍କଠୁ ଧୀରେଧୀରେ ଦୂରେଇ ଯାଉଥିôବା ଚର୍ଚ୍ଚା ହେଉଛି । ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ଓ ଦଳରେ ନେତୃତ୍ୱ ସଙ୍କଟ ଯୋଗୁଁ ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପୁଳାପୁଳା ପ୍ରସଙ୍ଗରେ ବିଜେଡି ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଭୂମିକାରେ ତୁଲାଇବାରେ ମଧ୍ୟ ସକ୍ଷମ ହୋଇପାରୁନଥିବା ଜଣାପଡ଼ିଛି ।

Advertisment

ବିଜେଡିର ଅପ୍ରତ୍ୟାଶିତ ଅନ୍ତ ଓ ବର୍ଷକର ନିଷ୍କ୍ରିୟତା

୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ଆଜିର ଦିନରେ ଠିକ୍ ବର୍ଷକ ତଳେ(ଜୁନ ୪ତାରିଖରେ) ପ୍ରକାଶ ପାଇଥିଲା । ଏହି ନିର୍ବାଚନୀ ଫଳାଫଳ ବିଜେଡି ପାଇଁ ଶୋଚନୀୟ ପରାସ୍ତ ଓ ଅପ୍ରତ୍ୟାଶିତ ରହିଥିଲା । ଏପରିକି ଦଳର ସୁପ୍ରିମୋ ତଥା ଟ୍ରମ୍ପ କାର୍ଡ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଗୋଟିଏ ଆସନରୁ ପରାଜିତ ହେବାକୁ ପଡ଼ିଥିଲା । ଆଉ ନିଜର ପାରମ୍ପରିକ ଆସନରେ ଅଳ୍ପ ଭୋଟ ବ୍ୟବଧାନରେ ନିଜର ସମ୍ମାନ ରକ୍ଷା କରିବାରେ ସକ୍ଷମ ହୋଇଥିଲେ । ବିଜେଡି ପ୍ରଥମଥର ପାଇଁ ଲୋକସଭାରେ ପୋଛି ହୋଇଯାଇଥିଲା ଆଉ ବିଧାନସଭାରେ ମାତ୍ର ୫୧ଟି ସିଟରେ ନିଜକୁ ସୀମିତ ରଖିଥିଲା। କିନ୍ତୁ ଏହି ନୈରାଶ୍ୟଜନକ ନିର୍ବାଚନୀ ପ୍ରଦର୍ଶନକୁ ନେଇ ଦଳର ରଣନୀତିକାରମାନଙ୍କ ମଧ୍ୟରେ ବିଗତ ଏକବର୍ଷ ମଧ୍ୟରେ ସେଭଳି ସକ୍ରିୟତା ଦେଖିବାକୁ ମିଳିନାହିଁ । ଯାହା ପରୋକ୍ଷରେ ଦଳୀୟ ସଂଗଠନକୁ ଏବେ ପତନାଭିମୁଖୀ କରାଇଛି । ଅବିଶ୍ୱାସର ବାତାବରଣରେ ଦଳ ଏକ ଅନିଶ୍ଚିତତା ଆଡ଼କୁ ମୁହାଁଇବାରେ ଲାଗିଛି । ବର୍ଷକ ମଧ୍ୟରେ ଦଳ ନିଜକୁ ସକ୍ରିୟ କରିବା, ପୂର୍ବ ତ୍ରୁଟିର ସଂଶୋଧନ କରିବା, ନିଜ କର୍ମୀ ଓ ନେତାମାନଙ୍କ ଆସ୍ଥାଭାଜନ ହେବା ଓ ଲୋକଙ୍କ ପାଖରେ ପହଂଚିବା ଭଳି କୌଣସି ଗୋଟିଏ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନେବାରେ ସକ୍ଷମ ହୋଇପାରିନାହିଁ ।

ଜିଲ୍ଲା ବୁଲିପାରିଲେନି ବିଜେଡି ସୁପ୍ରିମୋ

ଦଳର ଶୋଚନୀୟ ପରାଜୟ ପରେ ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ପରିଚାଳନା ଓ ଭିକେ ପାଣ୍ଡିଆନଙ୍କ ମାତ୍ରାଧିକ ମାମଲାତିକୁ ସବୁସ୍ତରରେ ଦାୟୀ କରାଗଲା । ପାଣ୍ଡିଆନ ଓ ତାଙ୍କ ଟିମ ବିରୁଦ୍ଧରେ ଦଳୀୟ ମହଲରେ ତୀବ୍ର ଆକ୍ରୋଶ ମଧ୍ୟ ଦେଖିବାକୁ ମିଳିଲା । ଯାହାକି ପାଣ୍ଡିଆନଙ୍କୁ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବାର ମାତ୍ର ସପ୍ତାହକ ମଧ୍ୟରେ ସକ୍ରିୟ ରାଜନୀତିରୁ ଓହରିବା ନିମନ୍ତେ ଘୋଷଣା କରିବାକୁ ବାଧ୍ୟ କଲା । ମାତ୍ର ପରାଜିତ ଦଳର କର୍ମୀ ଓ ନେତାମାନଙ୍କ ମନୋବଳ ବୃଦ୍ଧି ନିମନ୍ତେ ଦଳର ରଣନୀତିକାର ଓ ନେତୃତ୍ୱ ସାମାନ୍ୟତମ ପଦକ୍ଷେପ ନେଲେ ନାହିଁ । ଏପରିକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନଭେମ୍ବର ମାସରୁ ବିଭିନ୍ନ ଜିଲ୍ଲା ଗସ୍ତ କରିବେ ବୋଲି ଦଳ ପକ୍ଷରୁ ଘୋଷଣା କରାଗଲା ଓ ନବୀନ ମଧ୍ୟ ନିଜେ ଗଣମାଧ୍ୟମକୁ ସୂଚନା ଦେଲେ । କିନ୍ତୁ ଅଦିନିଆ ଫସଲ କ୍ଷୟକ୍ଷତି ପାଇଁ ଚାଷୀଙ୍କୁ ଭେଟିବା ଆଳରେ ନବୀନଙ୍କ ୩-୪ଟି ଜିଲ୍ଲା ଗସ୍ତ କରି ଚୁପ୍ ବସି ପଡ଼ିଲେ । ଆଉ ଜିଲ୍ଲା ଗସ୍ତରେ ଗଲେ ନାହିଁ କିମ୍ବା ନିର୍ବାଚନ ପରାଜୟ ପରେ ଦଳୀୟ କର୍ମୀ-ନେତାଙ୍କୁ ଭେଟୁଥିବା ନବୀନ ମଧ୍ୟ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଲେ । ପୁରୁଣା ଫର୍ମାଟକୁ ଯାଇ ନବୀନ ଏବେ ଆଉ କାହାରିକୁ ଭେଟିବାକୁ ଅନିଚ୍ଛୁକ ଥିବାରୁ ନବୀନ ନିବାସକୁ ସାଧାରଣ କର୍ମୀ ଓ ନେତାଙ୍କ ଯିବା ମଧ୍ୟ ବନ୍ଦ ହୋଇଯାଇଛି ।

Advertisment

କର୍ମୀ-ନେତା ଓ ସାଧାରଣ ଲୋକଙ୍କଠୁ ଦୂରେଇ ଯାଉଛି କି ଦଳ

ସାଧାରଣ ନିର୍ବାଚନ ପରାଜୟର କାରଣ ଖୋଜିବା ଓ ଏହି ତ୍ରୁଟିର ସମୀକ୍ଷା କରି ସଂଗଠନକୁ ଆଗେଇ ନେବା ନିମନ୍ତେ ଦଳର ବିଭିନ୍ନ ବର୍ଗର ନେତାମାନେ ଦାବି କଲେ । କିନ୍ତୁ ବର୍ଷକ ପରେ ମଧ୍ୟ ବିଜେଡି ନିଜର ପରାଜୟର ସମୀକ୍ଷା ନିମନ୍ତେ ବୈଠକ ଡାକିଲା ନାହିଁ କିମ୍ବା କେଉଁ କାରଣ ନିମନ୍ତେ ପରାଜିତ ହେଲା ତା’ର ଆନୁଷ୍ଠାନିକ ତାଲିକା ମଧ୍ୟ ପ୍ରସ୍ତୁତ କଲା ନାର୍ହି । ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁମାନଙ୍କ ମାମଲାତିରେ ଦଳ ପରିଚାଳିତ ହେଉଥିଲା ଏବେ ସମାନ ବ୍ୟକ୍ତିବିଶେଷଙ୍କ ମାମଲାତି ବଜାୟ ରହିଛି ଓ କେବଳ ପରିଚାଳନା ଶୈଳୀରେ ପରିବର୍ତ୍ତନ ହୋଇଥିବା ଚର୍ଚ୍ଚା ହେଉଛି । ଯେଉଁ କାରଣରୁ ଦଳୀୟ ସଂଗଠନ ଅଧିକ କ୍ରିୟାଶୀଳ ହୋଇପାରୁନାହିଁ । ଆଉ ଦଳୀୟ କର୍ମୀ-ନେତାମାନେ ମଧ୍ୟ ମାନସିକସ୍ତରରେ ସଂଗଠନ ପାଇଁ କାର୍ଯ୍ୟ କରିବାକୁ ଆଗଭର ହୋଇପାରୁନଥିବା ଜଣାପଡ଼ିଛି । ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କମିଟି ‘ରାଜନୀତିକ ବ୍ୟାପାର କମିଟି’ରେ ଅନଭିଜ୍ଞ, ପରାଜିତ ଓ ଗ୍ରହଣୀୟତା ନଥିବା ନେତାମାନଙ୍କୁ ସଦସ୍ୟ ଭାବେ ସାମିଲ କରାଯିବା, ଦଳର ଶୃଙ୍ଖଳା କମିଟି ନାଁରେ ନବୀନ ନିବାସ ମନମୁଖୀ ନିଷ୍ପତ୍ତି ନେଉଥିବା ଏବଂ ଉପସଭାପତି-ସାଧାରଣ ସମ୍ପାଦକ ପଦବୀ ତାଲିକା ସହ ଅନ୍ୟାନ୍ୟ କମିଟି ଘୋଷଣାରେ ପାଣ୍ଡିଆନଙ୍କ ପ୍ରଭାବ ରହିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଯଦିଓ

ପାଣ୍ଡିଆନ ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କରିଛନ୍ତି  କିନ୍ତୁ ତାଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ବିଜେଡି କାର୍ଯ୍ୟ କରୁଥିବା ନେଇ ଦଳ ଭିତରେ ଚାଲିଥିବା ଚର୍ଚ୍ଚା ହିଁ ବିଜେଡିକୁ ପତନାଭିମୁଖୀ କରାଇବାରେ ଲାଗିଛି ବୋଲି କୁହାଯାଉଛି ।

ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଇବାରେ ଅସମର୍ଥ

ବିଜେଡି ୫୧ଜଣ ସଦସ୍ୟ ସହ ବିଧାନସଭାରେ ଦ୍ୱିତୀୟ ସର୍ବବୃହତ୍ ଦଳ ତଥା ପ୍ରମୁଖ ବିରୋଧୀ ଦଳ । କିନ୍ତୁ ବିଗତ ଏକବର୍ଷ ମଧ୍ୟରେ ଅନେକ ରାଜ୍ୟ ଓ ଲୋକଙ୍କ ସ୍ୱାର୍ଥ ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାରେ ବିଜେଡି ବିଫଳ ରହିଛି । ଏପରିକି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ନିଜର ମୁହଁ ମଧ୍ୟ ଖୋଲୁନାହିଁ । ଏବେ ଶାସନରେ ଥିବା ବିଜେପି ବିଗତବର୍ଷରେ ବିରୋଧୀ ଦଳ ଭୂମିକାରେ ଥିବାବେଳେ ଦୈନିକ ସାମ୍ବାଦିକ ସମ୍ମିଳନୀ ଓ ଅନ୍ୟାନ୍ୟ ସାଂଗଠନିକ କାର୍ଯ୍ୟକ୍ରମ କରି ତତକାଳୀନ ବିଜେଡି ସରକାରଙ୍କ ତ୍ରୁଟିକୁ ଉଜାଗର କରୁଥିଲା । ମାତ୍ର ଏବେ ବିଜେଡି ସେଭଳି ତ୍ରୁଟିକୁ ଉଜାଗର କରି ରାଜରାସ୍ତାକୁ ଓହ୍ଲାଇବା ଅବା ସମାଲୋଚନା କରିବା ଦୂରର କଥା, ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ବି କୁଣ୍ଠାବୋଧ କରୁଛି । ଅତି ଜରୁରୀ ଥିଲେ କାଁଭାଁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳର ଭୂମିକା ତୁଲାଉଥିବାର ସନ୍ଦେଶ ଦେଉଛି । ବିରୋଧୀ ଦଳ ନେତା ପଦରେ ନିଜେ ନବୀନ ଥାଇ ମଧ୍ୟ ଅଧିବେଶନବେଳେ ବିଧାନସଭାକୁ ନଆସିବା ଓ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ ନକରିବା ଯୋଗୁ ସାଧାରଣରେ ଲୋକେ ବିଜେଡିକୁ ମୁଖ୍ୟ ବିରୋଧୀ ଦଳ ଭାବେ ଗ୍ରହଣ କରିପାରୁନଥିବା ଚର୍ଚ୍ଚା ହେଉଛି । ବିଜେଡିର ଏଭଳି ଅପାରଗତାର ଫାଇଦା ଏବେ ରାଜ୍ୟରେ କଂଗ୍ରେସକୁ ମିଳିବାରେ ଲାଗିଛି । ଆଉ କଂଗ୍ରେସ   ଦୁଇ ନମ୍ବରରୁ ଯାଇ ପ୍ରମୁଖ ବିରୋଧୀ ଦଳ ଭୂମିକାରେ ରହି ବିଜେପି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଖୋଲାଖୋଲି କଡ଼ା ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି ।

ବିଜେଡି-କଂଗ୍ରେସ-ବିଜେପି ମୁହାଁମୁହିଁ

ବିଜେଡିର ପ୍ରଭାବଶାଳୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ “ ଆଜିର ଦିନରେ ଅପ୍ରତ୍ୟାଶିତ ଭାବେ ବିଜେଡି ପରାଜିତ ହେଲା । ବିଜେପି ଜିତିଲା । କିନ୍ତୁ ଲୋକେ ଆଜିବି ଏହି ନିର୍ବାଚନୀ ଫଳାଫଳକୁ ବିଶ୍ୱାସ କରିପାରୁନାହାନ୍ତି । ଇଭିଏମରେ କିଛି ଖେଳ ହୋଇଛି ବୋଲି କହୁଛନ୍ତି । ନୂଆ ସରକାରକୁ ବର୍ଷେ ପୁରିଲା । କିନ୍ତୁ ନୂଆ ସରକାର ସାମାନ୍ୟ କାମ ମଧ୍ୟ କରିପାରୁନି । ଏହି ଅବଧି ମଧ୍ୟରେ ବିଜେଡି ସଂଗଠିତ ଅଛି ଓ ବିଜେପି ଫାଳଫାଳ ହୋଇଯାଇଛି । ଲୋକେ ଏବେ ବିଜେଡିକୁ ପୁଣିଥରେ ଭରସା କରିବା ଆରମ୍ଭ କରିଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି ।”

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ଯେ “ ୨୫ବର୍ଷର ସରକାରର ପରିବର୍ତ୍ତନ ହେଲା । ନୂଆ ସରକାର ଗଠନ ହେଲା । କିନ୍ତୁ ସ୍ଥିତିରେ କିଛି ପରିବର୍ତ୍ତନ ଆସିଲା ନାହିଁ । ନୂଆ ସରକାର ଆସିବା ପରେ ରାଜ୍ୟରେ ରାହାଜାନି ବଢ଼ିଛି । ଏ ସରକାର ଆସିବା ପରେ ତୁରନ୍ତ ଚିଟଫଣ୍ଡ ଟଙ୍କା ଫେରସ୍ତ କରିବ ବୋଲି କହିଥିଲା କିନ୍ତୁ କାହିଁ ଏପର୍ଯ୍ୟନ୍ତ କିଛି କରିଲା ନାହିଁ । କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ଓ ବିହାରକୁ ପ୍ରୋତ୍ସାହନ ପ୍ୟାକେଜ୍ ଓ ବିପୁଳ ଅନୁଦାନ ଦେଉଛନ୍ତି । ମାତ୍ର ଓଡ଼ିଶାକୁ ଉପେକ୍ଷା କରୁଛନ୍ତି । ଯାହା ବର୍ଷକ ଭିତରେ ପ୍ରମାଣିତ ହୋଇଗଲାଣି ବୋଲି ଶ୍ରୀ କାଡ଼ାମ କହିଛନ୍ତି” ।

ଅନ୍ୟପକ୍ଷରେ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, “ସେମାନଙ୍କର ଔଦ୍ଧତ୍ୟ ବଢ଼ି ଯାଇଥିଲା । ସବୁ ପରମ୍ପରାକୁ ଜଳାଞ୍ଜଳି ଦେଇ ଦଳୀୟ କାମ କରୁଥିଲେ । ସରକାରୀ କଳକୁ ଲଗାଇ ବୁଥ କ୍ୟାପଚରିଂ ଓ ନିର୍ବାଚନ ଜିତୁଥିଲେ । କିନ୍ତୁ ଆମେ ଏନେଇ ସତର୍କ ହେଲୁ ଓ ଏସବୁ ଜଗିବା ଦ୍ୱାରା ନିର୍ବାଚନୀ ସଫଳତା ମିଳିଲା । ୯୦ରୁ ଅଧିକ ସିଟ୍ ଆସିବ ବୋଲି ଆକଳନ କରିଥିଲି । କିନ୍ତୁ ତ୍ରୁଟିପୂର୍ଣ୍ଣ ଟିକେଟ ବଂଟନ ଯୋଗୁ କିଛି ସିଟ୍ କମିଲା । ଏ ସରକାର ବର୍ଷକ ଭିତରେ ଅନେକ ଭଲ କାର୍ଯ୍ୟ କରୁଛି । ଚାରିଆଡ଼େ ବିକାଶ କାର୍ଯ୍ୟ ଆଗେଇଛି । ବିଶେଷକରି ଚାଷୀ ଓ ମହିଳାଙ୍କ ପାଇଁ ଅନେକ ଆଖିଦୃଶିଆ କାର୍ଯ୍ୟ କରାଯାଉଛି । ବିଜେଡି କିଛି କହିବା ଆଗରୁ ୨୫ବର୍ଷ ଶାସନର ହିସାବ ଦେଉ, ଆମେ ବର୍ଷକର ସରକାରର କାର୍ଯ୍ୟର ହିସାବ ଦେବୁ । ସେମାନେ ତ ନିଜର ପରାଜୟର ସମୀକ୍ଷା କରିପାରିନାହାନ୍ତି କିନ୍ତୁ ଆମେ ଜିତିବାର କାରଣର ସମୀକ୍ଷା କରିଛୁ । ବିଜେଡି ଖାଲି କଥାରେ ନୁହେଁ ବିତର୍କ କରୁ, କିଏ କେତେ କ’ଣ କରିଛି ତାହା ଜଣାପଡ଼ିଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।”

Bjd Leader