Advertisment

ବିଜେଡିର ‘ସାର’ ଆନ୍ଦୋଳନ: ଫାଟ ଜଳଜଳ, ଆସିଲେନି ଜିଲ୍ଲା ସଭାପତି କି ସ୍ଥାନୀୟ ବିଧାୟକ

ଦଳର ବହୁ ବରିଷ୍ଠ ନେତାଙ୍କ ସମେତ ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡାଙ୍କଠୁ ଆରମ୍ଭ କରି ସ୍ଥାନୀୟ ଜଟଣୀ ଓ ଜୟଦେବ ଦଳୀୟ ବିଧାୟକ, ଏପରିକି ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଅନୁପସ୍ଥିତ ଥିବା ଜଣାପଡ଼ିଛି ।

author-image
Ordigital Desk
BJD

BJD

ରାଜ୍ୟରେ ‘ସାର’ ସଙ୍କଟ ଓ ଚାଷୀଙ୍କୁ ସାର ଯୋଗାଇବା ଦାବିରେ ଆଜି ରାଜଭବନ ଘେରାଉ କରିଥିଲା ବିଜେଡି । ଗତ କିଛିଦିନ ଧରି ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ଓ ନେତୃତ୍ୱଙ୍କୁ ସିଧାସଳଖ ସମାଲୋଚନାକୁ ନେଇ ଚର୍ଚ୍ଚାରେ ରହିଥିବା ବିଜେଡିର ‘ସାର’ ପାଇଁ ଆନ୍ଦୋଳନରେ ମଧ୍ୟ ଫାଟ ଜଳଜଳ ଦିଶିଛି । ଦଳର ବହୁ ବରିଷ୍ଠ ନେତାଙ୍କ ସମେତ ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡାଙ୍କଠୁ ଆରମ୍ଭ କରି ସ୍ଥାନୀୟ ଜଟଣୀ ଓ ଜୟଦେବ ଦଳୀୟ ବିଧାୟକ, ଏପରିକି ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଅନୁପସ୍ଥିତ ଥିବା ଜଣାପଡ଼ିଛି ।

Advertisment

ବିଜେଡି ଏହି ଆନ୍ଦୋଳନ ମାଧ୍ୟମରେ ନିଜର ଏକଜୁଟତା ଓ ଦଳରେ ସବୁକିଛି ଠିକ ଅଛି ବୋଲି ଦର୍ଶାଇବାକୁ ପ୍ରୟାସ କରି ବେଶ୍ ହଟହଟ୍ଟା ହୋଇଥିବା ଦଳୀୟ ମହଲରେ ଚର୍ଚ୍ଚା । ସାର ସମସ୍ୟା ପ୍ରସଙ୍ଗରେ ରାଜଭବନ ଘେରାଉ ଓ ବିକ୍ଷୋଭ ବେଳେ ପୁଲିସ ସହ ଧସ୍ତାଧସ୍ତି ହେବାକୁ ମଧ୍ୟ ଦଳୀୟ କର୍ମୀମାନେ ପଛାଇ ନଥିଲେ ।

ରାଜଭବନ ଘେରାଉ କଲା ବିଜେଡି

ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସବୁ ଜିଲ୍ଲାରେ ଚାଷୀମାନେ ହଇରାଣ ହେଉଛନ୍ତି । ସରକାର ରାଜ୍ୟରେ ପର୍ଯ୍ୟାପ୍ତ ସାର ଥିବା କହୁଛନ୍ତି କିନ୍ତୁ ରାଜ୍ୟ ସରକାରଙ୍କ ଅଯୋଗ୍ୟତା କାରଣରୁ ଚାଷୀକୂଳ ସର୍ବସ୍ୱାନ୍ତ ହେବାକୁ ବସିଲାଣି । ସାର ପାଇ ଚାଷୀ କାହିଁକି ଲମ୍ବା ଧାଡ଼ିରେ ଠିଆ ହେଉଛି ଓ ସେମାନଙ୍କୁ ୩ରୁ ୪ଗୁଣ ଚଢ଼ାଦରରେ ସାର କଳାବଜାରରେ କିଣିବାକୁ ବାଧ୍ୟ କରାଯାଉଛି । 

Advertisment

ସରକାରଙ୍କ ମନ୍ତ୍ରୀମାନେ କ୍ଷେତ୍ରସ୍ତରକୁ ଯାଇ ଦେଖନ୍ତୁ । ପ୍ରକୃତ ସତ ଜାଣିପାରିବେ । ଏଠି ଚାଷୀମାନେ ରାଜନୀତି କରୁଛନ୍ତି ବୋଲି ସରକାରର ମନ୍ତ୍ରୀମାନେ କହିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ସେହିପରି ଦଳର ଉପସଭାପତି ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ରାଜ୍ୟ ସରକାର ରାଜ୍ୟରେ ସାର ‘ଚାହିଦାକୁ କମ ଆକଳନ’ କରିବା ଏବଂ ପର୍ଯ୍ୟାପ୍ତ ମହଜୁଦ ଥିବାର ମିଛ ଦାବି କରୁଛନ୍ତି ।

ସାର ବଂଟନର ନୋଡାଲ ଏଜେନ୍ସି ମାର୍କଫେଡ଼ ଅପାରଗତା ଯୋଗୁ ଚାଷୀଙ୍କ ନିକଟରେ ସାର ପହଂଚି ପାରୁନାହିଁ ।  ଯଦି ଚାଷୀଙ୍କୁ ସାର ଶୀଘ୍ର ଯୋଗାଇ ନଦିଆଯାଏ ଓ ସମସ୍ୟାର ସମାଧାନ ନହୁଏ ତା’ହେଲେ ବିଜେଡି ଆଗାମୀ ଦିନରେ ବ୍ଲକସ୍ତରରେ ଆନ୍ଦୋଳନକୁ ତୀବ୍ରତର କରାଇବ । ଦଳ ପକ୍ଷରୁ ଏକ ୪୦ଜଣିଆ ଟିମ୍ ଆଜି ରାଜଭବନ ଭିତରକୁ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିବା ଜଣାପଡ଼ିଛି ।

ବିଜେଡିର ବହୁ ନେତା ଆସିଲେନି, ଫାଟ ଜଳଜଳ

ଦଳର ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ସ୍ଥାନୀୟ ଜଟଣୀ ବିଧାୟକ ବିଭୂତିଭୂଷଣ ବଳବନ୍ତରାୟ, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଣବପ୍ରକାଶ ଦାସ ଓ ଅରୁଣ ସାହୁ, ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ବରିଷ୍ଠ ଓ ଆଗଧାଡ଼ିର ନେତାମାନେ ଏହି କାର୍ଯ୍ୟକ୍ରମର ଦୂରେଇ ରହିଥିଲେ । ଏପରିକି ବିଜେଡିର ଗଡ଼ ଭାବେ ପରିଚିତ ଜୟଦେବ ନିର୍ବାଚନମଣ୍ଡଳୀରୁ କାଁ ଭାଁ ହାତଗଣତି ଲୋକ ଏହି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣାପଡ଼ିଛି ।

ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଭରପୂର ଉଦ୍ୟମ ହୋଇଥିଲା । ଦଳ ନିଜର ସବୁ ବରିଷ୍ଠ ନେତାମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅନୁରୋଧ କରିଥିଲା । କିନ୍ତୁ ସବୁପ୍ରକାରର ପ୍ରୟାସ ସତ୍ତ୍ୱେ ବିଜେଡି ନିଜର ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସବୁ ନେତାମାନଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରାଇ ପାରିବାରେ ସକ୍ଷମ ହୋଇନାହିଁ କିମ୍ବା ଆଶାନୁରୂପ କର୍ମୀଙ୍କୁ ମଧ୍ୟ ଏକଜୁଟ କରିପାରିନଥିବା ଜଣାପଡ଼ିଛି । ଯାହାକି ଦଳର ବିପର୍ଯ୍ୟସ୍ତ ସ୍ଥିତି ଓ ସାଂଗଠନିକ  ବିଫଳତାକୁ ପଦାରେ ପକାଇ ଦେଇଥିବା ଚର୍ଚ୍ଚା ।

Odisha BjD