ସପ୍ତାହେ ନପୁରୁଣୁ ‘ଦେବୀ ମିଶ୍ର କମିଟି’କୁ ପଙ୍ଗୁ କରିଦେଲେ ପାଣ୍ଡିଆନ: ଜନଜାଗରଣ ଅଭିଯାନକୁ ନେଇ କେଁ

ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ କାହିଁକି ହେଲା ଓ କିଏ ଦାୟୀ ତା’ର କାରଣ ଖୋଜିବାକୁ ନବୀନ ୨ମାସ ପରେ ବି ଆଗ୍ରହ ଦେଖାଉ ନାହାନ୍ତି ।

ଭି.କେ ପାଣ୍ଡିଆନ୍‌

  • Published: Tuesday, 13 August 2024
  • , Updated: 13 August 2024, 07:42 PM IST

ବିଜେଡି ବିପର୍ଯ୍ୟୟର ଖଳନାୟକ ଭିକେ ପାଣ୍ଡିଆନ ପୁଣିଥରେ ଆକ୍ଟିଭ ମୋଡରେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସହାୟତା ଓ ବାଧ୍ୟବାଧକତାର ଫାଇଦା ଉଠାଇ ପାଣ୍ଡିଆନ ପୁଣିଥରେ ବିଜେଡି ସଂଗଠନକୁ ନିଜ ମର୍ଜିରେ ପରିଚାଳନା ଆରମ୍ଭ କରିଛନ୍ତି । ଆଉ ଦଳର ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ ପାଇଁ ନବୀନ ସପ୍ତାହକ ତଳେ ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ନେତୃତ୍ୱରେ ଘୋଷଣା କରିଥିବା ୧୫ଜଣିଆ ସମନ୍ୱୟ କମିଟିକୁ ମଧ୍ୟ ପାଣ୍ଡିଆନ ଏବେ ପଙ୍ଗୁ କରିଦେଇଛନ୍ତି । ଦଳରେ ତଳଠୁ ଉପରପର୍ଯ୍ୟନ୍ତ ରହିଥିବା ଅସନ୍ତୋଷକୁ ଚପାଇବା ଓ ନିଜର ଗ୍ରହଣୀୟତା ବଢ଼ାଇବା ଉଦ୍ଦେଶ୍ୟରେ ନବୀନଙ୍କୁ ପ୍ରଭାବିତ କରି ପାଣ୍ଡିଆନ ହିଁ ଅଗଷ୍ଟ ୧୬ରୁ ବିଜେପି ସରକାର ବିରୁଦ୍ଧରେ ସବୁ ପଂଚାୟତରେ ‘ଜନଜାଗରଣ ଅଭିଯାନ’ର ପରିକଳ୍ପନା କରିଥିବା ଜଣାପଡ଼ିଛି । ତେବେ ମାତ୍ର ଦୁଇମାସର ବିଜେପି ସରକାର ବିରୁଦ୍ଧରେ ପଂଚାୟତରେ ଜନଜାଗରଣ ଅଭିଯାନ କରାଯିବାକୁ ବିଜେଡିର ଅଧିକାଂଶ ବରିଷ୍ଠ ନେତା ନାପସନ୍ଦ କରିଥିଲେ ମଧ୍ୟ ପାଣ୍ଡିଆନ ଜିଦ୍ ଧରି ଏହି କାର୍ଯ୍ୟକ୍ରମ କରିବାକୁ ଦଳୀୟ ନେତାମାନଙ୍କ ଉପରେ ଚାପ ପକାଉଥିବା ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ନବୀନଙ୍କ ମାତ୍ରାଧିକ ନିର୍ଭରଶୀଳତା ଓ ନିରବତା ମଧ୍ୟରେ ପାଣ୍ଡିଆନଙ୍କ ରାଜନୀତିକ ମହତ୍ୱାକାଂକ୍ଷା ଯୋଗୁ ବିଜେଡି ତଳିତଳାନ୍ତ ହେବାରେ ଲାଗିଛି । ପାଣ୍ଡିଆନଙ୍କ ତ୍ରୁଟିପୂର୍ଣ୍ଣ ରଣନୀତି ଯୋଗୁ ରାଜ୍ୟରେ ବିଜେଡି ସରକାରର ପତନ ହୋଇଛି ଓ ସଂଗଠନ ମଧ୍ୟ ତୃଣମୂଳସ୍ତରରେ ଭୁଶୁଡ଼ିବାରେ ଲାଗିଲାଣି । କର୍ମୀ ଓ ନେତାମାନେ ବି ଧୀରେଧୀରେ ଦଳଠୁ ମୁହଁ ଫେରାଇବା ଆରମ୍ଭ କଲେଣି । ତଥାପି ନବୀନ ପଟ୍ଟନାୟକଙ୍କ ଚେତା ପଶିନି । ସମସ୍ତଙ୍କ ବିରୋଧ ସତ୍ତ୍ୱେ ନବୀନ ଏବେବି ପାଣ୍ଡିଆନଙ୍କୁ କୋଳେଇ ଧରିଛନ୍ତି ଆଉ ପରୋକ୍ଷରେ ନିଜେ ଗଢ଼ିଥିବା ବିଜେଡିକୁ ଧ୍ୱଂସ କରିବାରେ ଲାଗିପଡ଼ିଥିବା ଚର୍ଚ୍ଚା ହେଉଛି ।

ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ କାହିଁକି ହେଲା ଓ କିଏ ଦାୟୀ ତା’ର କାରଣ ଖୋଜିବାକୁ ନବୀନ ୨ମାସ ପରେ ବି ଆଗ୍ରହ ଦେଖାଉ ନାହାନ୍ତି । ଅବଶ୍ୟ ଦଳୀୟ ନେତାମାନେ ବାରମ୍ବାର ପାଣ୍ଡିଆନ ଓ ତାଙ୍କ ଟିମକୁ ଦାୟୀ କରିବା ପରେ ନବୀନ ସମସ୍ତଙ୍କ ନଜର ଏଡ଼ାଇବା ପାଇଁ ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ନେତୃତ୍ୱରେ ଅଗଷ୍ଟ ୫ତାରିଖରେ ୧୫ଜଣିଆ ସମନ୍ୱୟ କମିଟି ଗଠନ କଲେ । ଆଉ ବରିଷ୍ଠ ନେତାମାନଙ୍କୁ ନେଇ ଗଠିତ ଏହି କମିଟି ଦଳର ସମସ୍ତ ସାଂଗଠନିକ କାର୍ଯ୍ୟକ୍ରମର ତଦାରଖ ଓ ସମନ୍ୱୟ କରିବ ବୋଲି ଘୋଷଣା କଲେ । କମିଟି ବି ଅଗଷ୍ଟ ୮ତାରିଖରେ ନିଜର ପ୍ରଥମ ବୈଠକ କରି ଦଳକୁ ସକ୍ରିୟ କରିବା ନିମନ୍ତେ ନିଜର ପ୍ରସ୍ତାବଗୁଡ଼ିକ ଲିଖିତ ଆକାରରେ ନବୀନଙ୍କୁ ଦେଲେ । ଦଳକୁ ଅନ୍ୟକେହି(ପାଣ୍ଡିଆନ କି ବବି) ନୁହେଁ ବରଂ ନବୀନ ନିଜେ ବୁଝନ୍ତୁ ବୋଲି ଏହି ବରିଷ୍ଠ ନେତାମାନେ ଖୋଲାଖୋଲି ପରାମର୍ଶ ଦେଲେ ।

ଅନ୍ୟପକ୍ଷରେ ଦେବୀ ମିଶ୍ର କମିଟିର ଏଭଳି ଲିଖିତ ପ୍ରସ୍ତାବକୁ ପାଣ୍ଡିଆନ ନିଜର ଅପମାନ ଭାବି ଗୋଟିଚାଳନା ଆରମ୍ଭ କରିଥିବା ଜଣାପଡ଼ିଛି । ଅଗଷ୍ଟ ୧୬ତାରିଖରେ ଦଳ ପ୍ରତି ପଂଚାୟତରେ ବିଜେପି ସରକାର ବିରୁଦ୍ଧରେ ଜନଜାଗରଣ ଅଭିଯାନ କରିବ ବୋଲି ଅଚାନକ ଗତକାଲି(ଅଗଷ୍ଟ ୧୨) ଘୋଷଣା କରାଗଲା । ନବୀନ ନିଜର ସୋସିଆଲ ମିଡିଆରେ ଏହି ସୂଚନା ଦେବା ସହ ଦଳର ମିଡିଆ ସଂଯୋଜକ ଲେନିନ୍ ମହାନ୍ତିଙ୍କ ମାଧ୍ୟମରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଗଲା । କିନ୍ତୁ ଏହି ‘ଜନଜାଗରଣ ଅଭିଯାନ’କୁ ନେଇ ଦେବୀ ମିଶ୍ର କମିଟି ସହ କୌଣସି ପ୍ରକାରର ବିଚାରବିମର୍ଶ କରାଯାଇନଥିବା ଜଣାପଡ଼ିଛି । ଏପରିକି ୫ବର୍ଷ ପାଇଁ ନିର୍ବାଚିତ ବିଜେପି ସରକାର ଏବେ ମାତ୍ର ୨ମାସ ପୂରଣ କରିଥିବାରୁ ତା’ବିରୁଦ୍ଧରେ ଦଳର ଏଭଳି କାର୍ଯ୍ୟକ୍ରମକୁ ଅଧିକାଂଶ ବରିଷ୍ଠ ନେତାମାନେ ନାପସନ୍ଦ କରିଛନ୍ତି ।

ଏହି କାର୍ଯ୍ୟକ୍ରମକୁ ଦଳର ସାଧାରଣ କର୍ମୀ ଓ ନେତାମାନଙ୍କ ସମର୍ଥନ ମିଳିବା ବି କ୍ଷୀଣ ବୋଲି ଆଶଙ୍କା ସୃଷ୍ଟି ହେଲାଣି । ତୃଣମୂଳସ୍ତରରେ ପାଣ୍ଡିଆନ ଓ ତାଙ୍କ ଟିମଙ୍କୁ ନେଇ କର୍ମୀ ଓ ନେତାମାନଙ୍କ ମନରେ ଆକ୍ରୋଶ ରହିଛି । ପାଣ୍ଡିଆନ ଏବେବି ସକ୍ରିୟ ଥିବାର ସନ୍ଦେଶ କର୍ମୀଙ୍କ ନିକଟରେ ରହିଛି । ତେଣୁ ଜନଜାଗରଣ ଅଭିଯାନ ସଫଳ ହେଲେ ପାଣ୍ଡିଆନ ଓ ତାଙ୍କ ଟିମ ପୁଣିଥରେ ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିବେ ବୋଲି ନବୀନଙ୍କୁ ବୁଝାଇବାରେ ସେ ସକ୍ଷମ ହେବେ । ତେଣୁ ପାଣ୍ଡିଆନଙ୍କ ଏଭଳି ରଣନୀତିକୁ ବୁଝି ଦଳର ଏହି ଜନଜାଗରଣ ଅଭିଯାନରେ ସକ୍ରିୟ ଭାବେ ସାମିଲ ନହେବା ପାଇଁ ବିଜେଡିର ଏକ ବୃହତ୍ ଗୋଷ୍ଠୀ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ମାତ୍ର ୨ମାସ ହୋଇଥିବା ସରକାର ବିରୁଦ୍ଧରେ ‘ନିର୍ବାଚନୀ ପ୍ରତିଶ୍ରୁତି ପୂରଣ’କୁ ପ୍ରସଙ୍ଗ କରି ଜନସଚେତନା ଅଭିଯାନ କରିବା ପରିବର୍ତ୍ତେ ଅନ୍ୟ କୌଣସି ପ୍ରସଙ୍ଗକୁ ନେଇ ଦଳ ଓହ୍ଲାଇଥିଲେ ତାହା ଅଧିକ ଗ୍ରହଣୀୟ ହୋଇପାରିଥାନ୍ତା । କିନ୍ତୁ ସେଭଳି ନକରି ପାଣ୍ଡିଆନ ନିଜର ଜିଦ୍ ପାଇଁ ଏଭଳି ଉଦ୍ଭଟ ଚିନ୍ତାଧାରାକୁ ଦଳ ଉପରେ ଲଦି ଦେଉଛନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

Related story