/odisha-reporter/media/post_attachments/uploadimage/library/16_9/16_9_0/IMAGE_1711543294.jpg)
Sankha bhawan BJD
୨୫ବର୍ଷ ଧରି କ୍ଷମତାସୀନ ବିଜେଡି ସରକାରର ଅପାରଗତା ଓ କୁଶାସନ ବିରୁଦ୍ଧରେ ଆଜି ୬୦ପୃଷ୍ଠାର ଚାର୍ଜସିଟ୍ ଉପସ୍ଥାପନ କରିଛି ବିଜେପି। ଆଉ ବିଜେପିର ଏହି ଚାର୍ଜସିଟ୍ ପ୍ରସଙ୍ଗକୁ ଏଡ଼ାଇବାକୁ ବିଜେଡି ଅପ୍ରତ୍ୟାଶିତ ଢଙ୍ଗରେ ଗୋଟିଏ ଦିନ ପୂର୍ବରୁ ପ୍ରାୟୋଜିତ ‘ଲୁଙ୍ଗି ଡ୍ରାମା’ କରିଥିଲା । ଯାହାକି ବିଜେଡିର ଅସଲମୁଖାକୁ ସର୍ବସାଧାରଣରେ ଉଜାଗର କରିଛି। ବିଗତ ୨୫ବର୍ଷର ନିରବଚ୍ଛିନ୍ନ କ୍ଷମତା ଉପଭୋଗ କରୁଥିବା ବିଜେଡି ସରକାର ରାଜ୍ୟର ବିକାଶକୁ ନେଇ ତୁମ୍ବିତୋଫାନ କରୁଥିଲେ ମଧ୍ୟ ନିଜର ଦୁର୍ବଳତାକୁ ଏଡ଼ାଇବା ପାଇଁ ଗଣମାଧ୍ୟମରେ ଏଭଳି ପ୍ରାୟୋଜିତ ଡ୍ରାମା କରୁଥିବା ଜଣାପଡ଼ିଛି। ବିଗତ ୫ବର୍ଷ ମଧ୍ୟରେ ବିଜେଡି ସରକାରର ବିକାଶ କେବଳ ‘ ମନ୍ଦିର ଓ ସ୍କୁଲଗୁଡ଼ିକରେ ଭଙ୍ଗାଗଢ଼ା ଓ ରଙ୍ଗଚୂନ’ ଭିତରେ ସୀମିତ ରହିଛି।
ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, ବିଜେଡି ୨୫ବର୍ଷ ଧରି କ୍ରମାଗତ ଶାସନରେ ଥିବାରୁ ବିକାଶ କ’ଣ ହୋଇଛି ବୋଲି ନିର୍ବାଚନ ପ୍ରଚାରରେ ଯାଉଥିବା ଦଳୀୟ ପ୍ରାର୍ଥୀଙ୍କୁ ସାଧାରଣ ଲୋକେ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି। ଦେବଗଡ଼ରେ ଦଳୀୟ ପ୍ରାର୍ଥୀ ଅରୁନ୍ଧତୀ ଦେବୀଙ୍କୁ ଏଭଳି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅନ୍ୟ କେତେକ ସ୍ଥାନରେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କୁ ଏଭଳି ପ୍ରଶ୍ନ କରାଯାଉଛି। ଆଉ ରାଜ୍ୟରେ ଭିତ୍ତିଭୂମି ବିକାଶ, ଶିଳ୍ପ ଓ ନିଯୁକ୍ତି ଆଦିକୁ ନେଇ ବ୍ୟାକଫୁଟରେ ଥିବା ବିଜେଡି ନିର୍ବାଚନରେ ‘ବିକାଶର ସ୍ପଷ୍ଟ ଚିତ୍ର’ ଦେବା ପରିବର୍ତ୍ତେ ଶସ୍ତା କୌଶଳ ଆପଣାଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାର ଅପଚେଷ୍ଟା କରିଛି । ଖାସ୍ ଏହି କାରଣ ପାଇଁ ସମ୍ଭବତଃ ଆଂଚଳିକ ଦଳ ବିଜେଡି ନିଜର ଦୁଇ ମୁଖପାତ୍ର ସସ୍ମିତ ପାତ୍ର ଓ ସ୍ୱୟଂମପ୍ରକାଶ ମହାପାତ୍ରଙ୍କୁ ଲୁଙ୍ଗି ପିନ୍ଧାଇ ଗତକାଲି(ମଙ୍ଗଳବାର) ଗଣମାଧ୍ୟମ ସମ୍ମୁଖକୁ ଆଣିଥିଲା । ଓଡ଼ିଶାରେ ପୁରୁଷମାନଙ୍କ ଦ୍ୱାରା ‘ଲୁଙ୍ଗି’ ପିନ୍ଧା ଯଦିଓ ଘରର ଚାରିକାନ୍ଥ ଭିତରେ ହୁଏ କିନ୍ତୁ କୌଣସି ରାଜନୀତିକ କାର୍ଯ୍ୟକ୍ରମରେ ‘ଲୁଙ୍ଗି’ ପିନ୍ଧିବା ଘଟଣା ପ୍ରଥମ ହୋଇଥିବାରୁ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା । ବିଜେଡିର ପ୍ରାୟୋଜିତ ‘ଲୁଙ୍ଗି ପିନ୍ଧା’ ଚର୍ଚ୍ଚା ଓ ରଣନୀତି ବି ସଫଳ ହେଲା । ବିଜେଡିର ଏହି ଲୁଙ୍ଗି ପିନ୍ଧା ଉପରେ ବିଜେପି ବି ପ୍ରତିକ୍ରିୟା ରଖିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ସମାଲୋଚନା କଲେ ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ଲୁଙ୍ଗି ପିନ୍ଧି ହାତରେ ଦୁଇଟି ଶଙ୍ଖ ଧରି ‘ଯୋଡ଼ି ଶଙ୍ଖ’ର ସ୍ଲୋଗାନ ଦେଇଥିଲେ । କିନ୍ତୁ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ତାମିଲନାଡୁରେ ଜନ୍ମିତ ଭିକେ ପାଣ୍ଡିଆନ ପ୍ୟାଣ୍ଟସାର୍ଟ ପିନ୍ଧି ‘ଯୋଡ଼ି ଶଙ୍ଖ’ର ସ୍ଲୋଗାନ ଦେଇଥଲେ । ବିଜେଡିର ଦୁଇ ଓଡ଼ିଆ ମୁଖପାତ୍ର ‘ଲୁଙ୍ଗି ପିନ୍ଧି’ ଗଣମାଧ୍ୟମ ସମ୍ମୁଖକୁ ଆସିଲେ । ମାତ୍ର ଏହି ‘ଲୁଙ୍ଗି ପିନ୍ଧା’ ଦକ୍ଷିଣ ଭାରତର ସଂସ୍କୃତି ଅନୁରୂପ ଓ ଓଡ଼ିଶାର ସଂସ୍କୃତିରେ ‘ଧୋତି’ର ବହୁଳ ଉପଯୋଗ ରହିଛି ତାହା ବିଜେଡି ବୁଝିବାକୁ ସାମାନ୍ୟ ବିଳମ୍ବ କରିଦେଲା । ଓଡ଼ିଆର ଅସ୍ମିତା ଓ ସ୍ୱାଭିମାନ ‘ଲୁଙ୍ଗି ନୁହେଁ ବରଂ ଧୋତି’ ବୋଲି ସମ୍ଭବତଃ ବିଜେଡି ଜାଣିବାକୁ ପ୍ରୟାସ କରିନି । ବିଜେଡିର ଏହି ରଣନୀତି ଫେଲ୍ ମାରିବା ପରେ ଦଳ ଏବେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଥିବା ଚର୍ଚ୍ଚା ହେଉଛି।
ଏପଟେ ଆଜିଠୁ ପ୍ରଚାର ମଇଦାନକୁ ଓହ୍ଲାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନ ପୁରୁଣା କଥାକୁ ଦୋହରାଇଛନ୍ତି। ଓଡ଼ିଶାକୁ ୨୦୩୬ରେ ଏକ ନମ୍ବର ରାଜ୍ୟରେ ପରିଣତ କରାଯିବ ବୋଲି କହିଛନ୍ତି ମାତ୍ର ଏନେଇ କ’ଣ ରଣନୀତି ବିଜେଡି ସରକାର କରିଛି ତାହା ଏପର୍ଯ୍ୟନ୍ତ ରାଜ୍ୟବାସୀ ଜାଣିବାର ସୁଯୋଗ ପାଇଲେ ନାହିଁ । ବିକାଶ ହେଉଛି ବିଜେଡିର ପରିଚୟ ବୋଲି କହୁଥିବା ଶ୍ରୀ ପଟ୍ଟନାୟକ ନିଜର ଭାଷଣରେ ବିରୋଧୀଙ୍କୁ ବିକାଶବିରୋଧୀ କହି କଟାକ୍ଷ କରିଛନ୍ତି । ମାତ୍ର ତାଙ୍କ ସରକାରର ବିକାଶ ଶ୍ରୀମନ୍ଦିର ପ୍ରକଳ୍ପ, ଏକାମ୍ର ଓ ସମଲେଇ ପ୍ରକଳ୍ପ ମଧ୍ୟରେ ସୀମିତ ରହିଯାଇଥିବା ନବୀନ ପରୋକ୍ଷରେ କହିବାକୁ ପଛାଇ ନାହାନ୍ତି । ୨୫ବର୍ଷ କ୍ଷମତାରେ ଥାଇ ମଧ୍ୟ ନବୀନ ତାଙ୍କ ସରକାର ଓଡ଼ିଶାର ବିକାଶ ଦିଗରେ କେଉଁ ଆଖିଦୃଶିଆ ପଦକ୍ଷେପ ନେଇଛି ତାହା କହିବାରେ ସକ୍ଷମ ହୋଇନାହାନ୍ତି । ଆଉ ଚିରାଚରିତ ଢଙ୍ଗରେ ଯୋଡ଼ିଶଙ୍ଖକୁ ଆଶୀର୍ବାଦ କରନ୍ତୁ କହି ଭୋଟ୍ ମାଗିଛନ୍ତି।
ଅନ୍ୟପକ୍ଷରେ, ବିପୁଳ ପ୍ରାକୃତିକ ସମ୍ପଦ ଓ ଦକ୍ଷ ମାନବସମ୍ବଳ ଥିବା ସତ୍ତ୍ୱେ ଓଡ଼ିଶା କାହିଁକି ଦେଶରେ ସବୁଠୁ ପଛରେ ଅଛି ବୋଲି ପ୍ରଶ୍ନ କରି ବିଜେପି ଆଜି ୬୦ପୃଷ୍ଠାର ଚାର୍ଜସିଟ୍ ବିଜେଡି ସରକାର ବିରୁଦ୍ଧରେ ଆଣିଛି । ବିଜେଡିକୁ ଶ୍ରେୟ କାଙ୍ଗାଳ ବୋଲି ଅଭିହିତ କରି ନବୀନ ସରକାରରେ ‘କଳିଙ୍ଗରୁ କାଙ୍ଗାଳ’ର ଚିତ୍ର କିଭଳି ରହିଛି ତାହା ଦର୍ଶାଇବାକୁ ପ୍ରୟାସ କରିଛି ବିଜେପି । ଶୁଦ୍ଧ ପିଇବା ପାଣିର ଅଭାବ, ଉତ୍କଟ ବେକାରୀ ସମସ୍ୟା, ୩୦ଲକ୍ଷ ଯୁବକ ଦାଦନ ଖଟିବା, ମହିଳାବିରୋଧୀ ହିଂସାରେ ଓଡ଼ିଶା ଏକ ନମ୍ବର, ଦୁର୍ବଳ ଜଳସେଚନ ବ୍ୟବସ୍ଥା, ଚାଷୀଙ୍କ ଆୟ ନବଢ଼ିବା ଓ ନୂଆ ଶୀତଳଭଣ୍ଡାର ଖୋଲାନଯିବା, ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ରାଜୁତି, ଗଣତନ୍ତ୍ର ଭୁଷୁଡ଼ି ପଡ଼ିବା, ଶିକ୍ଷକ ଓ ଡାକ୍ତର ଅଭାବ, ବିପର୍ଯ୍ୟସ୍ତ ରୋଗୀ ସେବା ଆଦିକୁ ନେଇ ବିଜେଡି ସରକାରର ଅପାରଗତ ବିରୁଦ୍ଧରେ ବର୍ଷିଛି ବିଜେପି । ବିଜେଡି ସରକାରର ଅନ୍ୟାୟ, ଭ୍ରଷ୍ଟାଚାର, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ହିଂସାର ଏକ ଦସ୍ତାବିଜ ଭାବେ ଏହି ୬୦ପୃଷ୍ଠାର ଚାର୍ଜସିଟକୁ ବିଜେପି ଆଜି ରାଜ୍ୟବାସୀଙ୍କ ସମ୍ମୁଖରେ ରଖି ସରକାର ବଦଳାଇବାକୁ ଆହ୍ୱାନ ଦେଇଛି।
ବିଜେପିର ଏସବୁ ଅଭିଯୋଗକୁ ନେଇ ବିଜେଡି ବ୍ୟାକଫୁଟରେ ଥିଲାବେଳେ ଦିନକ ପୂର୍ବରୁ ପ୍ରାୟୋଜିତ ‘ଲୁଙ୍ଗି ଡ୍ରାମା’ କରିବାର ରଣନୀତି ଦଳ ପାଇଁ ବିଶେଷ ସଫଳ ହୋଇନି । ଅବଶ୍ୟ ‘ଲୁଙ୍ଗି ପିନ୍ଧା’କୁ ନେଇ ବିଜେଡି ପ୍ରଂଶସା ବଦଳରେ ଅଧିକ ସମାଲୋଚିତ ହୋଇଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
