Advertisment

ଖର୍ଚ୍ଚ ଏଡ଼ାଇବାକୁ ବିଜେଡିର ନୂଆ ଫର୍ମୂଲା: ବିଶାଳ ପଟୁଆରରେ ଆସି ବି ନାମାଙ୍କନପତ୍ର ଦାଖଲ କରୁନାହାନ୍ତି ପ୍ରାର୍ଥୀ

ମାହାଙ୍ଗା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅଙ୍କିତ ଜେନା ଆଜି ସକାଳ ପ୍ରାୟ ୧୦ଟାରେ ଅଳିଯୋଡ଼ାରୁ ନିଜର ସମର୍ଥକଙ୍କ ସହ ବିଶାଳ ପଟୁଆରରେ ବଣୁଆ, ପଂଚମୁଖୀ ହନୁମାନ ମନ୍ଦିର, ଏସପି ଅଫିସ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚିଥିଲେ

author-image
Ordigital Desk
BJD

BJD

ନିର୍ବାଚନ କମିଶନଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଦଳୀୟ ପ୍ରାର୍ଥୀମାନଙ୍କୁ ବ୍ୟୟବହୁଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ ପତ୍ର ଦାଖଲ କରିବାକୁ ବିଜେଡି ପରୋକ୍ଷରେ ପ୍ରୋତ୍ସାହିତ କରୁଥିବା ଜଣାପଡ଼ିଛି । ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବାର ସମ୍ଭାବନାକୁ ଦେଖି ଉକ୍ତ ଖର୍ଚ୍ଚକୁ ଦଳୀୟ ଖାତାରେ ସାମିଲ କରିବା ପାଇଁ ରାଜ୍ୟରେ ଦୀର୍ଘ ୨୫ବର୍ଷ ଧରି କ୍ଷମତାସୀନ ବିଜେଡି ସମସ୍ତ ଗଣତାନ୍ତ୍ରିକ ନୈତିକ ମୂଲ୍ୟବୋଧକୁ ଜଳାଞ୍ଜଳି ଦେବାକୁ ପଛାଇନାହିଁ । ନାମାଙ୍କନ ପତ୍ର ଦାଖଲ ପାଇଁ ନିଜର ସମର୍ଥକମାନଙ୍କ ସହ ବାଜା-ବାଣ ଓ ବିଶାଳ ପଟୁଆରରେ ଗଲେ ମଧ୍ୟ ବିଜେଡି ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ ନକରି ଫେରିବା ପରେ ବିଜେଡିର ଏଭଳି ହୀନମାନସିକତା ପଦାକୁ ଆସିଛି । ମାହାଙ୍ଗାରୁ ବିଜେଡି ପ୍ରାର୍ଥୀ ଅଙ୍କିତ ଜେନା ଆଜି ନାମାଙ୍କନ ଦାଖଲ ନକରି ଫେରିବା ପରେ ଦଳର ଗଣତନ୍ତ୍ର ସହ ଲୁଚକାଳି ଖେଳ ପଦାରେ ପଡ଼ିଛି ।

Advertisment

ସୂଚନା ଅନୁସାରେ, ମାହାଙ୍ଗା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅଙ୍କିତ ଜେନା ଆଜି ସକାଳ ପ୍ରାୟ ୧୦ଟାରେ ଅଳିଯୋଡ଼ାରୁ ନିଜର ସମର୍ଥକଙ୍କ ସହ ବିଶାଳ ପଟୁଆରରେ ବଣୁଆ, ପଂଚମୁଖୀ ହନୁମାନ ମନ୍ଦିର, ଏସପି ଅଫିସ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚିଥିଲେ । ଅଙ୍କିତଙ୍କ ସହ ତାଙ୍କ ପିତା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମଧ୍ୟ ଏହି ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ପତ୍ର ଦାଖଲ ପାଇଁ ଯାଇଥିଲେ । କିନ୍ତୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ନକରି ଅଙ୍କିତ ଫେରି ଆସିଥିଲେ । ସେ ଆସନ୍ତାକାଲି ନିଜର କିଛି ଶୁଭେଚ୍ଛୁଙ୍କ ସହ ଯାଇ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି ।

ସେହିପରି ପୂର୍ବରୁ ଆଠମଲ୍ଲିକର ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଅନୁରୂପ ଭାବେ ମେ’ ୨ତାରିଖରେ ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇଥିଲେ ମଧ୍ୟ ଫେରି ଆସିଥିଲେ । ଆଉ ତା’ପରଦିନ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । କେବଳ ଅଙ୍କିତ ଓ ନଳିନୀ ନୁହଁନ୍ତି ବିଜେଡି ମଧ୍ୟ ଅନ୍ୟ କିଛି ସ୍ଥାନରେ ଏଭଳି ଫର୍ମୂଲା ଆପଣାଇଥିବା ଜଣାପଡ଼ିଛି ।
ବିଜେଡି ସୂତ୍ର ଅନୁସାରେ, ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚକୁ ଏଡ଼ାଇବା ପାଇଁ ଦଳ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ପ୍ରାର୍ଥୀମାନେ ବଡ଼ ଧୂମଧାମରେ ବାଜା-ବାଣ ସହ ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ପତ୍ର ଦାଖଲ କରିବା ଆଳରେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ଆଉ ସେହି ପତିଆରା ପ୍ରଦର୍ଶନ ଯୋଗୁ ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ ନିର୍ବାଚନୀ ଖର୍ଚ୍ଚ ସୀମା(ବିଧାୟକଙ୍କ ପାଇଁ ୪୦ଲକ୍ଷ ଓ ସାଂସଦଙ୍କ ପାଇଁ ୯୫ଲକ୍ଷ ଟଙ୍କା) ବହୁ ପରିମାଣରେ ବୃଦ୍ଧି ପାଇବାର ଆଶଙ୍କା ରହିଛି । ତେଣୁ ସେହି ଖର୍ଚ୍ଚକୁ ଏଡ଼ାଇବା ପାଇଁ ବିଶାଳ ଶୋଭାଯାତ୍ରାରେ ଆସୁଥିବା ପ୍ରାର୍ଥୀମାନେ ଉକ୍ତଦିନ ନାମାଙ୍କନ ପତ୍ର ଦାଖଲ ନକରି ଫେରିଯାଉଛନ୍ତି । ଦଳ ପକ୍ଷରୁ ସେମାନଙ୍କୁ ଫୋନ୍ ଆସୁଥିବାରୁ ଶେଷ ମୁହୂର୍ତ୍ତର୍ରେ ନାମାଙ୍କନ ପତ୍ର ବାତିଲ ହେଲା ବୋଲି ପ୍ରାର୍ଥୀମାନେ ନିଜର ସମର୍ଥମାନଙ୍କୁ ସଫେଇ ଦେଉଛନ୍ତି । ଅବଶ୍ୟ ଏସବୁରେ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ବିଶ୍ୱାସକୁ ନେଇ ଦଳ ଏଭଳି ପଦକ୍ଷେପ ନେଉଥିବା ଜଣାପଡ଼ିଛି ।

Advertisment

ଏହାଦ୍ୱାରା ସମ୍ପୃକ୍ତ ପ୍ରାର୍ଥୀମାନେ କରୁଥିବା ବିଶାଳ ଶୋଭାଯାତ୍ରାର ଖର୍ଚ୍ଚ ସମ୍ପୃକ୍ତ ପ୍ରାର୍ଥୀଙ୍କ ଖାତାରେ ନଯାଇ ଦଳୀୟ ଖର୍ଚ୍ଚରେ ସାମିଲ ହେବ । ଆଇନରେ ଥିବା ଗଳାବାଟକୁ ବିଜେଡି ଏବେ ଅସ୍ତ୍ର କରି ଆଖିବୁଜା ନିର୍ବାଚନୀ ଖର୍ଚ୍ଚ କରୁଥିବା ଚର୍ଚ୍ଚା ହେଉଛି ।

BjD